Unknown

 

 

 

 

 

 

 

 

 

ଉତ୍କଳ-ପ୍ରକୃତି

ଶ୍ରୀ ଶଶିଭୂଷଣ ରାୟ

 

ସମର୍ପଣ-ପତ୍ର

 

ଉତ୍କଳର ସୁରଧୁନି-ସ୍ୱରୂପିଣୀ, ସଞ୍ଜୀବନୀ-ଶକ୍ତିପ୍ରଦାୟିନୀ ଏବଂ ସର୍ବତ୍ର ପୂଜିତା ମହାନଦୀ ସ୍ୱଚ୍ଛସଲିଳାୟ ।

 

ମାତଃ ମହାନଦି ! ତୁମ୍ଭେ ଉତ୍କଳର କଲ୍ଲୋଳିନୀ-କୁଳେଶ୍ୱରୀ ଏବଂ ତୁମ୍ଭରି ପ୍ରସାଦରେ କେବଳ ‘‘ଜନ୍ମିଅଛି ଶସ୍ୟ-ଶ୍ୟାମଳ ଉତ୍କଳ ।’’ ତୁମ୍ଭେ ସୁକାନ୍ତି ମହର୍ଷିଙ୍କର ତପଃ-ପ୍ରଭାବରେ ଏହି ଉତ୍କଳ-ଭୂମିରେ ଅବତୀର୍ଣ୍ଣ ବୋଲି କିମ୍ବଦନ୍ତୀ ରହିଅଛି-ତୁମ୍ଭ ଉତ୍ପତ୍ତିର ଏହି ବୃତ୍ତାନ୍ତ କବିକଳ୍ପନା ବୋଲି ବିଚାରିବାର ପ୍ରୟୋଜନ ନାହିଁ । ତୁମ୍ଭର ଅମୃତକଳ୍ପବାରିପାନ ଏବଂ ପବିତ୍ର ନୀରଧାରାରେ ଆବଗାହନ ଉତ୍କଳୀୟଙ୍କର ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ-ସୁଖ-ସମ୍ଭୋଗର ହେତୁ । ତୁମ୍ଭଙ୍କୁ ପ୍ରତ୍ୟକ୍ଷରୂପା ଦ୍ରବୀଭୂତା ଦେବୀଜ୍ଞାନରେ ସମସ୍ତେ ଧର୍ମ ଓ ଜ୍ଞାନ ଅର୍ଜନ କରୁଅଛନ୍ତି । ତୁମ୍ଭର ସୈକତରେ ରାଶି ରାଶି ଚିତାନଳ ପ୍ରଜ୍ୱଳିତ ହୋଇ ସହସ୍ର ସହସ୍ର ମାନବର ପାଞ୍ଚଭୌତିକ ଶରୀର ଭସ୍ମ ରାଶିରେ ପରିଣତ କରୁଅଛି ଏବଂ ଅସଂଖ୍ୟ ନିକ୍ଷିପ୍ତ ଶବରାଶିର କପାଳାସ୍ଥିସମୂହ ତୁମ୍ଭର ପୂର୍ଣ୍ଣେନ୍ଦୁଶୁଭ୍ର କଳେବରକୁ ରଜତ ମୌକ୍ତିକ ମଲ୍ଲିକାମାଳାରେ ବିଭୂଷିତ କରୁଅଛି । ତୁମ୍ଭର ଯେଉଁ ସୁଧାନିଃସ୍ୟନ୍ଦୀ ନୀରପ୍ରବାହରେ ଆଚମନ ସମାପନ ଧର୍ମନିଷ୍ଠଗଣର ପରମ ପବିତ୍ରତା ସମ୍ଭୋଗର ସର୍ବଥା ଅନୁକୂଳ, ସେହି ସଲିଳଗର୍ଭରେ ନରହତ୍ୟାକାରୀ ଆତତାୟୀ ମଧ୍ୟ ତାହାର ନିହତ ଶବଦେହ ସମାହିତ କରି ସ୍ୱକୃତ ଦୁଷ୍କୃତିର ଉତ୍କଟ ଆଧ୍ୟାନରୁ ନିଷ୍କୃତି ଲାଭ କରିଥାଏ । ସଂସାରରେ ନିଷ୍କାମ ଧର୍ମଶିକ୍ଷାର ତୁମ୍ଭେହିଁ ପ୍ରକୃତ ଉପାଦାନ । ପୁଣ୍ୟବାନ୍‍ର ସଦନୁଂଷ୍ଠାନ ଏବଂ ଦୁରାତ୍ମାର ଦୁଷ୍କର୍ମ ତୁମ୍ଭ ସମକ୍ଷରେ ଓ ବକ୍ଷରେ ସମ୍ପନ୍ନ ହେଲେହେଁ ପାପପୁଣ୍ୟ ଏବଂ ଶୁଭାଶୁଭ ପ୍ରତି ତୁମ୍ଭର ସର୍ବଦା ସମଦର୍ଶିତ୍ୱ ପ୍ରଭାବରୁ ତୁମ୍ଭେ ନିର୍ବାକ୍, ନିର୍ଲିପ୍ତ ଓ ନିର୍ବିରୋଧ ରହିଥାଅ । ଜ୍ଞାନ ଓ ଭକ୍ତିର ଦୁଇ ତୀରକୁ ସୁଗଭୀର ଓ ସୁପବିତ୍ର ଜୀବନ ଯୋଗରେ ସମ୍ମିଳିତ କରି କର୍ମକ୍ଷେତ୍ରକୁ ବିଚିତ୍ର ଶସ୍ୟପର୍ଯ୍ୟାୟରେ ପରିପୂର୍ଣ୍ଣରୂପେ ସଫଳ କରିବା ସକାଶେ ତୁମ୍ଭେ ଉତ୍କଳର ଅମୃତ-କଳମନ୍ତ୍ର-କଲ୍ଲୋଳିତ ଉଦାର ସ୍ରୋତସ୍ୱତୀ ସିନା ? କେତେ ଯୁଗର କେତେ ମହୀୟସୀ କୀର୍ତ୍ତି ତୁମ୍ଭର କଳେବର ସହିତ ସଂଲିପ୍ତ ରହିଅଛି, ତାହାର ଇୟତ୍ତା ନାହିଁ । ତୁମ୍ଭର ତଟ ଓ ବକ୍ଷଦେଶରେ ହୀରାକୁଦଠାରୁ ଆରମ୍ଭ କରି ସମ୍ବଲପୁରର ସମଲାଈ ଦେବୀ, ହୁମାର ବିମଳେଶ୍ୱର ମହାଦେବ, ସ୍ୱର୍ଣ୍ଣପୁରର ସୁବର୍ଣ୍ଣେଶ୍ୱର, ଆଠମଲ୍ଲିକର ବିନକେଈ, ବଡ଼ାମ୍ବାର ଭଟ୍ଟାରିକା ଓ ସିଂହନାଥ, ଖଣ୍ଡପଡ଼ାର ନୀଳମାଧବ, ବାଙ୍କିର ବୈଦ୍ୟନାଥ, ରାମନାଥ ଓ ଚର୍ଚ୍ଚିକା, ରତାଗଡ଼ର ସ୍ୱପ୍ନେଶ୍ୱର, ଘାସିପୁଟର ସିଦ୍ଧ ପୋଟଳେଈ, ସୁବର୍ଣ୍ଣପୁରର ସୁବର୍ଣ୍ଣେଶ୍ୱର ଓ ଶ୍ରୀତୃତୀୟାଦେବ, ଡୋମପଡ଼ାର ଦେବୀଦ୍ୱାର ଚଣ୍ଡୀ ଓ ଅମିୟୀ, ନରାଜର ସିଦ୍ଧନାଥ, ଆଠଗଡ଼ର ନାରାୟଣୀ, ମଞ୍ଚେଶ୍ୱର ଓ ଧବଳେଶ୍ୱର, ଫକୀରପୁରର କୁସୁନେଶ୍ୱର, ଶାଳୀପୁରର ଭଗବତୀ ଏବଂ ଅସୁରେଶ୍ୱରର ହରଚଣ୍ଡୀ ପ୍ରଭୃତି ଦେବଦେବୀଙ୍କ ପ୍ରାଚୀନ ମନ୍ଦିରସମୂହ ଉତ୍କଳର ଗୌରବ ସ୍ତମ୍ଭରୂପେ ପ୍ରତିଷ୍ଠିତ । ତୁମ୍ଭ ଗୁଣରେ ମୁଗ୍ଧ ହୋଇ ଉତ୍କଳୀୟ ରାଜନ୍ୟମଣ୍ଡଳୀରେ ପ୍ରଥିତଯଶା ବାମଣ୍ଡାର ପୂର୍ବ ନରପତି ସ୍ୱର୍ଗୀୟ ସାର୍‍ ବାସୁଦେବ ସୁଢ଼ଳ ଦେବ ସ୍ୱୀୟ ଲିପି-କୀର୍ତ୍ତିରେ ତୁମ୍ଭର ଅଜସ୍ର ଯଶଃ କୀର୍ତ୍ତନ କରିଥିଲେ ଏବଂ ତୁମ୍ଭେ‘‘ଚିତ୍ରୋତ୍ପଳା’’ ରୂପେ ତାହାଙ୍କଦ୍ୱାରା ଆଧୁନିକ ଯୁଗରେ ଉତ୍କଳର ସର୍ବତ୍ର ପରିଚିତ ହୋଇଅଛ-। ସେ ପୁଣି ମୋହର ପରମାରାଧ୍ୟ, ପିତୃଦେବଙ୍କୁ ଲକ୍ଷ୍ୟ କରି କହିଥିଲେ-

 

‘‘ତୋ ତୀରବିହାରୀ ରାୟ କବିବର

ଚିନ୍ତାଶୀଳ ଅବିରତେ,

‘ମହାନଦୀ ନାମ ରହିଲା ଗୁପତେ’

ବୋଲି ଭାବୁଥାନ୍ତି ତୋତେ ।’’

 

କେଶରୀବଂଶର ପତନ ଏବଂ ଗଙ୍ଗବଂଶର ଉତ୍ଥାନ ସମୟର ପ୍ରକୃତ ସାକ୍ଷୀ ତୁମ୍ଭେ । ଚୋରଗଙ୍ଗଙ୍କ ବିଡ଼ାନାସୀ ଦୁର୍ଗାଧିକାର ସମୟରେ ସୁବର୍ଣ୍ଣକେଶରୀଙ୍କୁ ଘେନି ତୁମ୍ଭେ ସ୍ୱୀୟ ତଟସ୍ଥ ଶରଣ୍ଡା ଶୈଳ ଉପରେ ଆଶ୍ରୟ ପ୍ରଦାନ କରିଥିଲ । ପ୍ରେମ-ପିପାସିନୀ ରାଜନନ୍ଦିନୀ ନନ୍ଦିକାର ସମାଧି ବକ୍ଷଦେଶରେ ଧାରଣ କରି ତୁମ୍ଭେ ନିଷ୍କାମପ୍ରେମର ସମାଦର କରିଅଛି । ଉତ୍କଳର ଅତୁଳ ଜଳଭଣ୍ଡାର ତୁମ୍ଭେ । ଉତ୍କଳ-ପ୍ରକୃତିଙ୍କ ପୁଣ୍ୟ ପୀଠର ସମସ୍ତ ଠାଣି ତୁମ୍ଭଠାରେ ଦେଦୀପ୍ୟମାନ ।

 

ତୁମ୍ଭର ବୈଚିତ୍ର୍ୟମୟ ତଟଦେଶ ସର୍ବଦା ଅନନ୍ତ ସୌନ୍ଦର୍ଯ୍ୟପରିପ୍ଳାବିତ ଏବଂ ଦେବ-ଋଷି-ସିଦ୍ଧବୃନ୍ଦସେବିତ । କେଉଁଠାରେ ଆକାଶଚୁମ୍ବୀ ଗିରିଶିଖର, କେଉଁଠାରେ ପାତାଳସ୍ପର୍ଶୀ ଭୀଷଣ ଗହ୍ୱର, କେଉଁଠାରେ ବିବିଧ ପୁଷ୍ପ-ତୃଣ-ଶଷ୍ପାବଳି-ବିମଣ୍ଡିତ ବିସ୍ତୀର୍ଣ୍ଣ ସମତଳ କ୍ଷେତ୍ର, କେଉଁଠାରେ ଅବା ସୁଡ଼ଙ୍ଗ ସମ ସଂକୀର୍ଣ୍ଣ ଗିରିସଙ୍କଟ, କେଉଁଠାରେ ଅସଂଖ୍ୟ ମହା-ମହୀରୁହ-ପରିବୃତ ନିବିଡ଼ ବନ ଭୂମି, କେଉଁଠାରେ ଅବା ଉଦ୍ଭିଦ୍‍ବିହୀନ ମସୃଣ ଶୈଳପ୍ରଦେଶ-ଏକଆଡ଼େ ବିଶାଳବପୁ ଗିରିସମୂହର ସ୍ତବ୍ଧ ଗାମ୍ଭୀର୍ଯ୍ୟ, ଅପରଆଡ଼େ ଭୀମନାଦିନୀ ନିର୍ଝରିଣୀ ଏବଂ ଗିରିନଦୀବୃନ୍ଦର କଳକୋଳାହଳ । କଠୋର ଏବଂ ମଧୁରର ଅପୂର୍ବ ମିଳନ ଦେଖାଇବାକୁହିଁ ତୁମ୍ଭର ସୃଷ୍ଟି । ତୁମ୍ଭର ଏହି ସମସ୍ତ ବିଶ୍ୱଜନମାନସବିମୋହିନୀ ଶୋଭା ସନ୍ଦର୍ଶନରେ ବୋଧ ହୁଏ ବିଶ୍ୱଶିଳ୍ପୀ ତାହାଙ୍କ ଚିତ୍ରଶାଳିକାର ଉତ୍କୃଷ୍ଟ ଦୃଶ୍ୟପଟସମୂହ ପ୍ରାୟ ଏ ଚିତ୍ରପଟରେ ଗାଢ଼ ମନୋନିବେଶ କରି ତୁମ୍ଭଙ୍କୁ ମୁନି-ମାନସ-ପ୍ରହ୍ଲାଦନ ଏବଂ ସମସ୍ତଙ୍କର ନୟନାଭିରାମ ରୂପ ପ୍ରଦାନ କରିଅଛନ୍ତି । ମୁଦ୍ରାଯନ୍ତ୍ରରୁ ବାହାରିଲାକ୍ଷଣି ଏହି ପୁସ୍ତକ ତୁମ୍ଭର ପବିତ୍ର ଜଳପ୍ରବାହରେ ସମର୍ପଣ କରି ମୁଁ କୃତାର୍ଥ ହେଲି । ଭଗବାନଙ୍କ ଚରଣରେ କର୍ମଫଳ ଅର୍ପଣ କଲା ପ୍ରାୟ ମୋହର ଏହି କର୍ମଫଳ ତୁମ୍ଭଠାରେ ଅର୍ପିତ ହେଲା-ସର୍ବାଦୌ ଗ୍ରହଣ କରି ତୁମ୍ଭର ତରଙ୍ଗାଭିଘାତରେ ଯେଉଁ ଆଡ଼େ ଭସାଇ ନେଇ ଯାଅ, ତୁମ୍ଭର ଅଭିରୁଚି ।

 

ଭାଦ୍ର ସଙ୍କ୍ରାନ୍ତି, ୧୩୨୨

ସଦା ଗୁଣମୁଗ୍ଧ ଓ

ନିଭୃତ-ନିଳୟ

ଚିର-କୃତଜ୍ଞ

ଧବଳେଶ୍ୱର

ଶଶିଭୂଷଣ

Image

 

ନିବେଦନ

 

କୋଡ଼ିଏ ବର୍ଷ ପୂର୍ବେ ଯେତେବେଳେ ‘‘ଦାକ୍ଷିଣାତ୍ୟ ଭ୍ରମଣ’’ ଲେଖିଥିଲି, ଅନେକ ବିଶିଷ୍ଟ ବ୍ୟକ୍ତି ମୋତେ ଉତ୍କଳ ସମ୍ବନ୍ଧୀୟ କୌଣସି ପୁସ୍ତକ ଲେଖିବାକୁ ଉପଦେଶ ଦେଇଥିଲେ । ସମସ୍ତ ଭାରତବର୍ଷ ଥରେ ଦୁଇଥର ଭ୍ରମଣ କରିଥିଲେହେଁ ବଙ୍ଗଦେଶ ଏବଂ ରାଜନୈତିକ ଉତ୍କଳ ମୁଁ ଅନେକ ଥର ଅନେକ ଭାବରେ ଦେଖିଅଛି, ଏହି ହେତୁରୁ ଗତ ବର୍ଷ ‘‘ଉତ୍କଳର ଋତୁଚିତ୍ର’’ ପ୍ରକାଶ କରିଥିଲି, ବର୍ତ୍ତମାନ କେତେକ ପ୍ରସିଦ୍ଧ ସ୍ଥାନର ପ୍ରକୃତି ବର୍ଣ୍ଣନାରେ ମନ ବଳାଇଲି । ପ୍ରକୃତି ବର୍ଣ୍ଣନା ସହିତ ନାନାରୂପ ମନର ଭାବ ଏଥିରେ ସନ୍ନିବିଷ୍ଟ ହେଲା । ଏ ରଚନାରେ କୌଣସି ଶୃଙ୍ଖଳା ନାହିଁ । ‘‘ଭିନ୍ନରୁଚିହିଁ ଲୋକଃ’’ ଏହି ନୀତି ପ୍ରଭାବରୁ କାହାରି ରୁଚି ସକାଶେ ମୁଁ ଅବଶ୍ୟ ଦାୟୀ ନୁହେ-ମୋହର ମାନସିକ ଭାବ ଓ ଚିନ୍ତା ଯେଉଁ ପଥରେ ଧାବିତ ହୋଇଅଛି, ମୁଁ ଅମ୍ଳାନବଦନରେ ସେହି ଆଡ଼କୁ ଚାଲି ଯାଇଅଛି । ନୀତିଶସ୍ତ୍ର-ସନ୍ଦର୍ଭ ଲେଖିବାର ଉତ୍କଟ ଆକାଙ୍କ୍ଷା ବିକଟଭାବରେ ମୋହ ମସ୍ତିଷ୍କରେ ମଧ୍ୟ ଆତ୍ମପ୍ରକାଶ କରି ନାହିଁ, କେବଳ ସରଳଭାବରେ ପ୍ରକୃତିଙ୍କୁ ଦେଖି ସମାଜସମ୍ବନ୍ଧୀୟ କେତେକ ସାଧାରଣ କଥା ଜଣାଇଅଛି ଏବଂ ପାଠକବର୍ଗଙ୍କୁ ଇଂରାଜୀ ଲେଖକଙ୍କ ଗୋଟିଏ ଉପଦେଶ ସ୍ମରଣ କରାଇ ଦେଉଅଛି-

 

“Do not do what I do, but do what I say.’’

 

ଉତ୍କଳ-ପ୍ରକୃତିଙ୍କ ଶତ ଶତ ସ୍ଥାନ ଅନାଦୃତଭାବରେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଚକ୍ଷୁର ଅଗୋଚରରେ ପଡ଼ି ରହିଅଛି; ଏ ଗୁଡ଼ିକ ପଦାକୁ ଓଟାରି ଆଣିବାର ଚେଷ୍ଟା ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ । ମୁଁ ବିଭିନ୍ନ ପଞ୍ଚଦଶ ସ୍ଥାନର କଥା ଲେଖିଅଛି ମାତ୍ର ।

 

ଶସ୍ୟଶ୍ୟାମଳା, ନଦୀ-ତଡ଼ାଗ-ସ୍ରୋତସ୍ୱିନୀ-ବିଧୌତା, କୁଞ୍ଜବନ-ପରିଶୋଭିତା ବଙ୍ଗ - ପ୍ରକୃତିଙ୍କ ସୁବିମଳ ମୂର୍ତ୍ତି ଉତ୍କଳ- ପ୍ରକୃତିଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଉତ୍କଳରେ ଗିରି-କନ୍ଦର-ପରି-ଶୋଭମାନା, ସଫେନ-ସାଗର-ତରଙ୍ଗଶାଳିନୀ, ହିନ୍ତାଳ-ତାଳା-ଭରଣା ସୁନ୍ଦରୀ ପ୍ରକୃତିଙ୍କ ବିକାଶ ।

 

ବାହ୍ୟ ପ୍ରକୃତି ମଧ୍ୟରେ ଯାହା ଦେଖୁଁ, ମାନବପ୍ରକୃତି ମଧ୍ୟରେ ସେହି ଛବି ମଧ୍ୟ ସର୍ବଦା ଜାଜ୍ୱଲ୍ୟମାନ । ବଙ୍ଗରମଣୀ ଯେପରି ଉଦାସନୟନା, ଶ୍ଳଥ ବେଶା, ବିରହିଣୀ ଏବଂ ଉତ୍କଳରମଣୀ ଯେପରି ପ୍ରଫୁଲ୍ଲ-ନୟନା, ଉତ୍ସବ-ବେଶା, ଆନନ୍ଦିତା । ବିଳାସ-ବିହ୍ୱଳ, ହାସ୍ୟକଳରବ-ମୁଖର ବଙ୍ଗୀୟ ପୁରୁଷ ପାର୍ଶ୍ୱରେ କର୍ମ-କ୍ଳାନ୍ତ, ପରିଚ୍ଛଦ-ବିରଳ ଗମ୍ଭୀର ଉତ୍କଳୀୟଙ୍କ ସମାବେଶ ବିଭିନ୍ନତାଜ୍ଞାପକ ।

 

ମୋହର ‘ସ୍ୱର୍ଗାଦୁଚ୍ଚତର’, ଈଶ୍ୱରକଳ୍ପ ପରମଗୁରୁ ସ୍ୱର୍ଗୀୟ ପିତୃଦେବ ରାଧାନାଥଙ୍କ ନିକଟରୁ ପ୍ରକୃତିଙ୍କ ସହିତ ପରିଚିତ ହେବାକୁ ଶିଖିଥିଲି । ମର ଜୀବନରେ ଏହି କ୍ଷୁଦ୍ର ପୁସ୍ତକ ତାହାଙ୍କ ହସ୍ତଗତ ହୋଇଥିଲେ ସେହି ସରଳ, ସୁନ୍ଦର ମୁଖରୁ ବର୍ଷାଦିନାନ୍ତର ରକ୍ତାଭ ସୂର୍ଯ୍ୟକିରଣ ପ୍ରାୟ ମନୋରମ ହାସ୍ୟଟିକ ଦେଖିଥାନ୍ତି, ମାତ୍ର ତାହା ମୋହ ପକ୍ଷରେ ବର୍ତ୍ତମାନ ସ୍ୱପ୍ନ । ପ୍ରକୃତିଙ୍କୁ ପ୍ରକୃତ ଭାବରେ ଚିହ୍ନିବାର କ୍ଷମତା ସମସ୍ତଙ୍କ ପକ୍ଷରେ କଠିଣ; ଏଣୁ ବର୍ତ୍ତମାନ ମୋହର ୰ପିତୃଦେବଙ୍କ ସ୍ଥଳରେ ସଦୟ ପାଠକବର୍ଗଙ୍କ ଅନୁଗ୍ରହ ଏବଂ ସହାନୁଭୂତି ଭିକ୍ଷା କରୁଅଛି ।

 

କୌଣସି କୌଣସି ସହୃଦୟ ଅବସ୍ଥାପନ୍ନ ପାଠକଙ୍କ ନିକଟରେ ମୋହର ଏତିକି ନିବେଦନ, ସେମାନେ ଦୟା ବହି ପୁସ୍ତକସ୍ଥିତ ବର୍ଣ୍ଣ୍ୟ ସ୍ଥଳରେ ବସି ବର୍ଣ୍ଣିତ ସମୟରେ ବିଷୟଗୁଡ଼ିକ ପାଠ କରିବା ହେବେ ।

 

ପରିଶେଷରେ ପାଠକମାନଙ୍କୁ ଇଂରାଜ କବିଙ୍କର ନିମ୍ନ କେତୋଟି ଧାଡ଼ି ଉପହାର ଦେଇ କ୍ଷମା ଭିକ୍ଷା କଲି-

 

“Now, may this little book a blessing be

To those, who love this book and me,

And may its buyer have no cause to say

His money is but lost or thrown away’’

 

କାଳୀଗଳି

ବିନୀତ

କଟକ

ଶ୍ରୀ ଶଶିଭୂଷଣ ରାୟ

Image

 

ମନ୍ତବ୍ୟ

 

କଳା-କାବ୍ୟ-ଜୋତିଶ୍ଚିତ୍ର-ନୀତି-ପୂର୍ତ୍ତ-ବିଜ୍ଞାନାଦି ଶାସ୍ତ୍ରବିଶାରଦ ବାମଣ୍ଡାଧୀଶ ରାଜା ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ସ୍ୱହସ୍ତରେ ଯେଉଁ ପତ୍ର ଲେଖିଅଛନ୍ତି, ତାହାର ଅବିକଳ ପ୍ରତିଲିପି ।

 

ଦେବଗଡ଼

୧୩ । ୮ । ୧୪

 

ଶଶି,

 

ତୁମ୍ଭର ପାଣ୍ଡୁଲିପି ଆମୂଳଚୂଳ ପାଠ କରିଅଛି । ତୁମ୍ଭର ଗେରୁଆ ବସନ ପିନ୍ଧିବା ଏ ପୁସ୍ତକରେ ସାର୍ଥକ ହୋଇଅଛି । ରାଧାନାଥଙ୍କର ବୀତସ୍ପୃହ ମନ୍ତ୍ରରେ ଯେ ଦୀକ୍ଷିତ, ତାହାର ଏପ୍ରକାର ଲେଖିବାର ସ୍ୱାଭାବିକ ଅଟେ । କବିତାଛଟା ଗଦ୍ୟରେ ରଖିବା ଏହା ପ୍ରଥମ ଦେଖିଲି ।

 

ଲେଖାର ପାରିପାଟ୍ୟ ଏପ୍ରକାର ପ୍ରାଞ୍ଜଳ ଓ ସ୍ୱାଭାବିକ ଯେ ଚିତ୍ରକର ତୂଳି ନେଇ ବର୍ଣ୍ଣ୍ୟସ୍ଥଳ ଅନାୟାସରେ ପଟରେ ରଞ୍ଜିତ କରି ପାରିବ । ଯେ ଚିତ୍ର ବୁଝେ ଓ ଓଡ଼ିଶାର ପ୍ରକୃତି ବୁଝେ, ସେ ପ୍ରତି ବର୍ଣ୍ଣନାରେ ଗୋଟିଏ ଗୋଟିଏ ଅୟେଲପେଣ୍ଟିଂ ଚିତ୍ର ସମ୍ମୁଖରେ ଦେଖି ପାରିବ, ସନ୍ଦେହ ନାହିଁ ।

 

S. T. DEB.

Image

 

ସୂଚୀପତ୍ର

 

୧.

ମାଲ୍ୟଗିରିରେ ପ୍ରଭାତ

୨.

କପିଳାସରେ ପ୍ରଭାତ

୩.

ଚକ୍ରଶୈଳୀରେ ପ୍ରଭାତ

୪.

ମୁଟୁଙ୍ଗାରେ ସନ୍ଧ୍ୟା

୫.

କୈଳାଶରେ ଅନ୍ଧକାର

୬.

ସାତକୋଶିଆରେ ଅନ୍ଧକାର

୭.

ବଡ଼କୂଳରେ ଜ୍ୟୋତ୍ସ୍ନା

୮.

ଇନ୍ଦ୍ରଭୁବନରେ ଜ୍ୟୋତ୍ସ୍ନା

୯.

ବସନ୍ତନିବାସରେ ସନ୍ଧ୍ୟା

୧୦.

ଭିକ୍ଟୋରିଆରେ ସନ୍ଧ୍ୟା

୧୧.

ଚଢ଼େଇରଗଡ଼ାରେ ସାୟାହ୍ନ

୧୨.

ଉତ୍ତରେଶ୍ୱରରେ ଗୋଧୂଳି

୧୩.

ସ୍ୱର୍ଗଦ୍ୱାରରେ ସନ୍ଧ୍ୟା

୧୪.

ଚାନ୍ଦିପୁରରେ ସାୟାହ୍ନ

୧୫.

ନିଭୃତ-ନିଳୟରେ ଶ୍ରାବଣ-ସନ୍ଧ୍ୟା

Image

 

ମାଲ୍ୟଗିରିରେ ପ୍ରଭାତ

 

ମାଲ୍ୟଗିରି ! ଆଜି ପୁଣି ତୋହ ଦେବଭୋଗ୍ୟ ଶିଖରପ୍ରଦେଶରେ ଅଧିଷ୍ଠାନର ସୌଭାଗ୍ୟ ଲାଭ କରିଅଛି ! ଗତ ବର୍ଷ ମୋହର ପରମାରାଧ୍ୟ ୰ ପିତୃଦେବଙ୍କ ସହିତ ଏଠାରେ ଦ୍ୱାଦଶ ଦିବସ ଅବସ୍ଥାନ କରି ତୋହର ଭୀମ-କାନ୍ତ ସୌନ୍ଦର୍ଯ୍ୟମନ୍ଦାକିନୀରେ ଉଭୟେ ବୁଡ଼ି ରହିଥିଲୁଁ, ମାତ୍ର ଆଜି ସେ କଥା ନାହିଁ ! ଏହି ପ୍ରକାଣ୍ଡ ବ୍ରହ୍ମାଣ୍ଡ ମଧ୍ୟରେ ସନ୍ତପ୍ତ ଜୀବନ-ଅନ୍ଧକାରର ଅନ୍ତର୍ନିହତ ଆଲୋକ, ପାପରୌଦ୍ରରେ ବଟବୃକ୍ଷର ଛାୟା, ଭୟରେ ସାହସ ଏବଂ ଜୀବନର ଜୀବନସ୍ୱରୂପ ପିତୃଦେବଙ୍କ ପରଲୋକଗମନରେ ପୁତ୍ରର ହୃଦୟ କିପରି ଶୋକାକୁଳିତ ହୁଏ, ତାହା କହିବାର କିମ୍ବା ଲେଖିବାର ଶକ୍ତି ମୋହର ନାହିଁ ।

 

ଆଜି ସେହି ଭଗ୍ନମନ ଘେନି ମୋହର ‘‘ପିତୃସ୍ମୃତି’’ କୁ ସାନ୍ତ୍ୱନାର ସମ୍ବଳ କରି ତୋହ ମୁଣ୍ଡ ଉପରେ ବସିବାର ଅଧିକାର ପାଇଅଛି । ତୁ କଣ ମୋତେ ସାନ୍ତ୍ୱନା ଦବାକୁ କ୍ଷମ ହେବୁ ?

 

ମରଜୀବନରେ ଶେଷାଂଶରେ ପିତୃଦେବ ତୋହ ଶିଖରରେ ଅବସ୍ଥାନ କରି ତୋହ ସମ୍ବନ୍ଧରେ ସୁଲଳିତ କଥାପ୍ରସଙ୍ଗ ସମସ୍ତଙ୍କୁ ଶୁଣାଇବାକୁ ଇଚ୍ଛା କରିଥିଲେ । ମାତ୍ର କୁଟିଳ କାଳ ତାହା ଅପୂର୍ଣ୍ଣ ରଖିଲା । ମୁଁ ଏହି କ୍ଷୁଦ୍ର ଜୀବନରେ ତୋହଠାରେ ଯାହା ଦେଖିଅଛି, ସମସ୍ତ ଜୀବନ ବସି ବସି ସେତିକିରେ ବିବରଣ ଦେଲେ ସୁଦ୍ଧା ସରିବ ନାହିଁ; କିନ୍ତୁ ଯେପରି କହିଲେ ତୋହର ମହତ୍ତ୍ୱ ରକ୍ଷା ହେବ, ଯାହା ଯେପରି ଦେଖିଲେ ଠିକ୍‌ ଦେଖା ହେବ, ତାହା ମୁଁ କିଛି ପାରିବି ନାହିଁ । ଯେଉଁ ଗଭୀର ସୌନ୍ଦର୍ଯ୍ୟବୋଧ ଥିଲେ ମନୁଷ୍ୟ ଗଛର ପତ୍ରରେ, ନିର୍ଝରିଣୀର କଳନାଦରେ, ଗୋଟିଏ କ୍ଷୁଦ୍ର ବିହଙ୍ଗରେ ସଙ୍ଗୀତରେ ବିମୋହିତ ହୋଇ ତାହାର ବିଶ୍ୱମୋହନ ଚିତ୍ର ଅପର ମନୁଷ୍ୟ ସମକ୍ଷରେ ଆଣି ଦେଇ ପାରେ ସେଭଳି ସୌନ୍ଦର୍ଯ୍ୟବୋଧ ମୋହର ନାହିଁ । ମୁଁ ଉଦାସଦୃଷ୍ଟିରେ ତୋତେ ଦେଖିଅଛି,-ତୋହ ସୌନ୍ଦର୍ଯ୍ୟଭଣ୍ଡାର ଦ୍ୱାରଦେଶରେ ଚିତ୍ରାର୍ପିତ ପରି ଦଣ୍ଡାୟମାନ ଥିଲି, କେତଥର ସମସ୍ତ ସୌନ୍ଦର୍ଯ୍ୟର ଦେବତା ମୋତେ ଅଙ୍ଗୁଳି ସଙ୍କେତରେ ତୋହର ଅନନ୍ତ ସୌନ୍ଦର୍ଯ୍ୟ ସାଗରରେ ବୁଡ଼ି ରହିବା ସକାଶେ ଆହ୍ୱାନ କରିଅଛନ୍ତି,-କିନ୍ତୁ ସେ ସମସ୍ତ ମୋ କାନରେ ପହଞ୍ଚି ନାହିଁ, ସେ ଆହ୍ୱାନ ମୁଁ ଶୁଣିପାରି ନାହିଁ । ଦେବଦର୍ଶନକୁ ଯିବାକୁ ହେଲେ ଏକାଗ୍ରଚିତ୍ତ ହୋଇ ଯିବାକୁ ହୁଏ, ଦେବତାର ମୁର୍ତ୍ତି ଧ୍ୟାନ କରୁଁ କରୁଁ ତୀର୍ଥଯାତ୍ରୀ ଅଗ୍ରସର ହୁଏ । ମୁଁ ମଧ୍ୟ ଦେବଦର୍ଶନକୁ ଯାଇଥିଲି- ଉତ୍କଳରେ ‘ମାଲ୍ୟଗିରି’ ଭଳି ସର୍ବ ଗୁଣମୟୀ ଷଡ଼ୈଶ୍ଚର୍ଯ୍ୟାଶାଳିନୀ ଶାଭାର ଅନନ୍ତ ଭଣ୍ଡାର, ଏପରି ଜୀବନ୍ତ ଦେବତା ଆଉ କେଉଁଠାରେ ପାଇବି ? କିନ୍ତୁ ରାଧାନାଥ ଭଳି ପିତୃବିୟୋଗର ଯନ୍ତ୍ରଣା ଓ ଅଶାନ୍ତି ଘେନି ମୁଁ ଦେବଦର୍ଶନକୁ ଯାଇଥିଲି । ଏକାଗ୍ରତା ନ ଥିଲା । ମୁଁ ଦେଖି ଆସିଅଛି-ଗଛ, ପଥର, ନିର୍ଝର ଏବଂ କଙ୍କର; ଦେବତାର ବାହ୍ୟ ସଜ୍ଜା ମୁଁ ଦେଖିଲି; ଏହା ମଧ୍ୟରେ ଯେ କେତେ ପ୍ରେମ, କେତେ ସ୍ନେହ, କେତେ ସତ୍ୟ, କେତେ ଜ୍ଞାନ ଏବଂ କେତେ ଅମୃତ ଲୁକ୍କାୟିତ ରହିଅଛି, ସେ ସବୁ ମୁଁ କିଛି ଦେଖି ପାରି ନାହିଁ । ଏହା ହେଲେହେଁ ମାଲ୍ୟଗିରି ସମ୍ବନ୍ଧରେ କିଛି କହିବାର ଆକାଂକ୍ଷା ମୋହର କେବେହେଁ ମେଣ୍ଟିବ ନାହିଁ । ଏତେବେଳେ ଯେଉଁ ଦିନ ସଂସାରସଂଗ୍ରାମରେ କ୍ଷତବିକ୍ଷତ ହୋଇ କ୍ଳାନ୍ତହୃଦୟରେ ସହରର କୋଳାହଳ ଛାଡ଼ି ନଦପଠାରେ ଯାଇ ବସିଥାଏଁ, ସେତେବେଳେ ମଧ୍ୟ କେଜାଣି କାହା ଆଦେଶରେ ମାଲ୍ୟଗିରି ମୋହ ସମ୍ମୁଖରେ ଦଣ୍ଡାଇମାନ ହୁଏ ଏବଂ ମୁଁ ବିସ୍ମୟବିସ୍ଫାରିତ ମନଶ୍ଚକ୍ଷୁରେ ସେହି ଦୃଶ୍ୟ ଆଡ଼କୁ ଚାହିଁ ରହିଥାଏ !

 

କି ବିଶାଳ ଓ ବିରାଟ ମୂର୍ତ୍ତି ! କି ଅପାର ଓ କି ମହାନ୍‌ ! ଏହି ପାଷାଣ୍ଡିସ୍ତୂପ ମଧ୍ୟରେ କଣ ନାହିଁ ? ଏହି ସକାଶେ କବିବର ୰ ରାଧାନାଥ ତାହାଙ୍କ ଟିପାଖାତାରେ ଲେଖି ରଖିଥିଲେ, ‘‘ମାଲ୍ୟଗିରି ମହାଭାରତ ପରି । ଯାହା ଭାରତର ନାହିଁ, ତାହା ଭାରତରେ ନାହିଁ । ଯାହା ମାଲ୍ୟଗିରିରେ ନାହିଁ, ତାହା ଓଡ଼ିଶାରେ ନାହିଁ ।’’ ଜୀବନତତ୍ତ୍ୱାନୁସନ୍ଧାନୀ ସକାଶେ ମାଲ୍ୟଗିରି କେତେ ଯୁଗଯୁଗାନ୍ତ ବ୍ୟାପି କେତେ ଜୀବର କଙ୍କାଳ ସପତ୍ନରେ ହୃଦୟ ମଧ୍ୟରେ ଗୋପନ କରି ରଖିଅଛନ୍ତି, ପ୍ରକୃତିଙ୍କ ସହିତ ସେହି ଜୀବ-କଳ୍ପନାସମୂହ ବହନ କରୁଅଛନ୍ତି । ଉଦ୍ଭିତତତ୍ତ୍ୱ-ଜିଜ୍ଞାସୁଙ୍କ ପାଇଁ କେତେ ତରୁ, ଲତା, ଗୁଳ୍ମ, ଶୈବାଳ, ଫୁଲ, ଫଳ ଧାରଣ କରି ରହିଅଛନ୍ତି, ଆଉ ଯେତେବେଳେ ଜ୍ଞାନପିପାସୁ ସେଆଡ଼କୁ ଅଗ୍ରସର ହେଉଅଛନ୍ତି, ସେତେବେଳେ ଶାଖା-ବାହୁ ହଲାଇ ତାହାଙ୍କୁ ସ୍ପଷ୍ଟଭାବରେ ଆହ୍ୱାନ କରୁଅଛନ୍ତି । ସଂସାରର ଚିତ୍ତବିନୋଦନ ସକାଶେ ସୁଦୀର୍ଘ ନାଗେଶ୍ୱର ବଣ (ସମଗ୍ର ଉତ୍କଳର ଅତୁଳନୀୟ) ପାଦଦେଶରେ ରଖିଅଛନ୍ତି । ଏକ ସ୍ଥାନରେ ସହସ୍ର ସହସ୍ର ନାଗେଶ୍ୱର ବୃକ୍ଷର ସଂସ୍ଥିତି ଉତ୍କଳର ଆଉ କାହିଁ ? ଖନିବିଦ୍ୟାବିଶାରଦ ସକାଶେ କୃପଣ ପ୍ରାୟ କେତେ ଧନ ରତ୍ନ ପାଷାଣଆବରଣରେ ରକ୍ଷା କରିଅଛନ୍ତି । ଆଉ ମୋହଭଳି କ୍ଷୁଦ୍ରଚେତା ଏବଂ ପରଶ୍ରୀକାତରପାଇଁ ଏହି ମାଲ୍ୟଗିରି ଏହି ଅଭ୍ରଭେଦୀ ଦେବତା ଦଣ୍ଡାୟମାନ ! କି ଉନ୍ନତି ଏହି ଦେବତାଙ୍କ ମସ୍ତକ, କେତେ ପ୍ରେମମନ୍ଦକିନୀ ଏହୀ ପାଷାଣହୃଦୟ ମଧ୍ୟରେ ପ୍ରବାହିତା କି ଉଦାର ଏବଂ ସହାନୁଭୂତିବୋଳା ଏହି ଦେବମୂର୍ତ୍ତି ! ଅଭ୍ରଂଲିହ ମାଲ୍ୟଗିରି ଆଡ଼କୁ ଚାହିଁଲେ ବୁଝିପାରେ, ମୁଁ କେଡ଼େ କ୍ଷୁଦ୍ର କ୍ଷୁଦ୍ରାଦପିକ୍ଷୁଦ୍ର ! ଏଡ଼େବଡ଼ ମାଲ୍ୟଗିରି ନୀରବରେ ନିସ୍ତବ୍ଧ ହୋଇ ଦଣ୍ଡାୟମାନ ଏବଂ ସ୍ୱୀୟ କାର୍ଯ୍ୟସମୂହ ନିଶ୍ଚଳରେ ସମ୍ପନ୍ନ କରୁଅଛନ୍ତି, ନୀରବରେ ବିଧାତାଙ୍କ ଆଜ୍ଞା ପ୍ରତିପାଳନ କରୁ ଅଛନ୍ତି । ଆଉ କ୍ଷୁଦ୍ର-ମୁଁ-ମୋହର ଆଗମନରେ, ମୋହର ଲମ୍ପ ଝମ୍ପରେ ପ୍ରତବେଶୀ ଅସ୍ଥିର; ମୋହର ଆତ୍ମମ୍ଭରିତାର ଗର୍ବରେ ବନ୍ଧୁବାନ୍ଧବ ସ୍ତମ୍ଭିତ; ମୋହର ସ୍ୱାର୍ଥପରତାର ଦୁର୍ଗନ୍ଧରେ ମନୁଷ୍ୟତ୍ୱ ନାମକ ପଦାର୍ଥ ନାକରେ ଲୁଗା ଦେଇ ବସିଅଛି । ଅବନତି ଆଉ କାହାକୁ କହନ୍ତି ।

 

ଚତୁର୍ଦ୍ଦିଗରେ ଅପୂର୍ବ ଦୃଶ୍ୟ । ଅତି ଦୁରସ୍ଥିତ ସିଂହଭୁମିର ପର୍ବତମାଳା, ଲହଡ଼ା, ବଣେଇ, ବାମୁଣ୍ଡା କେଉଁଝର, ତାଳଚେର ଏବଂ ଢେଙ୍କାନାଳ ରାଜ୍ୟର ପର୍ବତସମୂହ ପ୍ରକୃତିସମୁଦ୍ରର ବୀଚିମାଳା ପ୍ରାୟ ଘେରି ରହିଅଛନ୍ତି, କେତେକ କଜ୍ଝଟିକାରେ ଆବୃତ, କେତେକ ସୁସ୍ପଷ୍ଟ ପରିଦୃଶ୍ୟମାନ ! ଦୂରର ବୃହତ୍‌ଜଳାଶୟସମୂହ ସାମାନ୍ୟ ପଲ୍ୱଳାକାର ବୋଧ ହେଉଅଛି ଏବଂ ଗ୍ରାମ ସମୂହର ତାଳଗଛମାନ ସାମାନ୍ୟ ଦାନ୍ତକାଠିର ଭ୍ରମ ଜନ୍ମାଉଅଛି । ପାଳଲହଡ଼ା ରାଜ୍ୟର ପାବୁଡ଼ିର ପାହାଡ଼ଗୁଡ଼ିକ ତୃଣାଚ୍ଛାଦିତ ହିଡ଼ପରି ଦିଶୁଅଛନ୍ତି । ଏଗୁଡ଼ିକ ଉଚ୍ଚତାରେ ପ୍ରକାଣ୍ଡ ହେଲେହେଁ ମାଲ୍ୟଗିରି ତୁଳନାରେ କେଡ଼େ କ୍ଷୁଦ୍ର ଏବଂ କ୍ଷେତ୍ରସମୂହର ହିଡ଼ର ଭ୍ରମ ଜନ୍ମାଇ ଦେବା ସ୍ୱାଭାବିକ ।

 

ଆମ୍ଭେମାନେ ମେଘର ଊର୍ଦ୍ଧ୍ୱରେ । ନିମ୍ନରେ ଶ୍ୱେତ ଓ କୃଷ୍ଣ ମେଘସମୂହ ନିତାନ୍ତ କର୍ମହୀନ ପ୍ରାୟ ବୁଲୁଅଛନ୍ତି, କେତେବେଳେ ଅବା ବାରି-ବଦ୍ୟୁତ୍‌-ବ୍ୟାକୁଳ ମେଘରାଶି କୌଣସି କୌଣସି ପାହାଡ଼ ଆବୃତ କରୁଅଛି । ଯେଉଁଆଡ଼େ ଅନାଇଲେ ସେଆଡ଼େ ପାହାଡ଼ । କିଛିକ୍ଷଣ ଦେଖୁଁ ଦେଖୁଁ ମନରେ ହେଲା- ଚତୁର୍ଦ୍ଦିଗରେ ବିଶାଳ ସମୁଦ୍ର । ପର୍ବତର ହରିତ୍‌ ମସ୍ତକସମୂହ ଉର୍ମିମାଳା ପ୍ରାୟ ସ୍ତରେ ସ୍ତରେ ସଜ୍ଜିତ, ଆଉ ମଧ୍ୟେ ମଧ୍ୟେ ପର୍ବତଗାତ୍ରରେ ଶ୍ୱେତ କୁଜ୍ଝଟିକା ଲହରୀ ଘର୍ଷଣରୁ ଉତ୍ଥିତ ଶ୍ୱେତ ଫେନପୁଞ୍ଜ ପ୍ରାୟ ଅତ୍ୟନ୍ତ ସୁନ୍ଦର । ସେହି ପର୍ବତସମୁଦ୍ରର ପରପାରରେ କେନ୍ଦୁଝର ମହିମାର ନିଦର୍ଶନରୂପେ ଗନ୍ଧମାର୍ଦନ ଗିରି ସଗୌରବରେ ଦଣ୍ଡାୟମାନ । ଅନ୍ୟ ଦିଗରେ ତାଳଚେର ରାଜ୍ୟର ବାରୁଆଁ ପର୍ବତ ଦୀର୍ଘ ଉର୍ମିରୂପେ ଏବଂ ବାମଣ୍ଡାର ଚୁଳିଆ ପର୍ବତ ଦୂରସ୍ଥିତ ଉର୍ମିମାଳା ମଧ୍ୟରୁ ପ୍ରକାଣ୍ଡ ସର୍ପଫଣା ଭଳି ଉନ୍ନତ ଦିଶୁଅଛି । କବିର ଲେଖନୀ ଓ ଚିତ୍ରକରର ତୁଳିକା ଏଗୁଡ଼ିକର ମହିମା କୀର୍ତ୍ତନ କରି ଶେଷ କରିବା ଦୁରୂହ ।

 

କିୟତ୍‌କ୍ଷଣ ହେଲା ପୁର୍ବଦିଗ ଲୋହିତ ହୋଇ ଉଠୁଥିଲା । ନାନାବର୍ଣ୍ଣର ଘନ ମେଘମାଳ ମଧ୍ୟରୁ ସୂର୍ଯ୍ୟ ଟିକିଏ ଉହୁଙ୍କି ଦେଖିଲେ । ଯେପରି ପାଟଳ ପରଦା ଆଢ଼ୁ ଆଳରେ ଲୋହିତାମ୍ବରୀ ସୁନ୍ଦରୀ ! ଟିକିଏ ଟିକିଏ ପରଦା ଉଠାଇ ଅବଶେଷରେ ଲଜ୍ଜା ସରମ ବିସର୍ଜନ ଦେଇ ହଠାତ୍‌ ଆକାଶରେ ଡେଇଁ ପଡ଼ିଲେ । ଚତୁର୍ଦ୍ଦିଗରେ ଅସୀମ ସୌନ୍ଦର୍ଯ୍ୟ ବିଞ୍ଚି ଦେଇ ଆମ୍ଭମାନଙ୍କୁ ଲଜ୍ଜାରେ ଅଭିଭୂତ କରି ଦେଲେ । ପର୍ବତସମୁଦ୍ର ଉପରେ ଗୋଟିଏ ସ୍ୱର୍ଣ୍ଣଧାର ତରଙ୍ଗିଣୀ ବହି ଗଲା । ଏକଆଡ଼େ କୋମଳ ଶୀତଳ ପ୍ରଭାତର ଉନ୍ମେଷ, ଅନ୍ୟଆଡ଼େ ନିର୍ମମ, ଉଷ୍ଣ ଅଗ୍ନିର ଜ୍ୱାଳାବିକାଶ । ଜଗତର ସର୍ବତ୍ର ଏହିରୂପ । ଏକାଧାରରେ କୋମଳ ଓ କଠୋର ଶୀତଳ ଓ ଉଷ୍ଣ, ସୁଖ ଓ ଦୁଃଖର ସମାବେଶ ! ସେହିହେତୁରୁ ବୋଧହୁଏ ଅଧିକାଂଶ ଲୋକେ ଜଗତକୁ ରହସ୍ୟମୟ କହିଥାନ୍ତି ସିନା-?

 

ପାହାଡ଼ ପରେ ପାହାଡ଼ଶ୍ରେଣୀ ବିଚଳିତ ସମୁଦ୍ରର ସଂଖ୍ୟାତୀତ ତରଙ୍ଗରୂପରେ ଶ୍ୟାମା ପ୍ରକୃତିରାଣୀଙ୍କ କ୍ରୋଡ଼ରେ କି ମହତ୍‌ ଦୃଶ୍ୟ ! ପବନ ତାଳରେ ନୃତ୍ୟପରାୟଣ ପୁଷ୍ପିତବଲ୍ଲରୀ-ବିଜଡ଼ିତ ବନସ୍ପତିଦଳ; ସେହି ଧରଣୀଚୂଡ଼ାବତ ଅସମୋଚ୍ଚ ଶୈଳ-ରେଖା ମଧ୍ୟେ ମଧ୍ୟେ ପ୍ରକୃତିର ବୀଣା-ସପ୍ତତନ୍ତ୍ରୀରେ ନାନା ରାଗିଣୀର ଝଙ୍କାର ତୋଳି ଉତ୍ପଳି-ବ୍ୟଥିତଗତି ସ୍ରୋତସ୍ୱିନୀ ବହମାନା । ସେହି ସୌନ୍ଦର୍ଯ୍ୟରାଜ୍ୟର ପୁର୍ବ ତୋରଣରେ ରାଗିଣୀମୟ ଏବଂ ସଙ୍ଗୀତ ସ୍ୱପ୍ନମଗ୍ନା ପ୍ରକୃତିଙ୍କର ଯେତେବେଳେ ଉଷାର କନକମୁକୁଟବିଭା ଫୁଟି ଉଠେ ଏବଂ ସନ୍ଧ୍ୟାରେ ଯେତବେଳେ ନିବିଡ଼ ନୀଳ ଆକାଶର ସ୍ତରେ ସ୍ତରେ ବିଭିନ୍ନ ବର୍ଣ୍ଣ ପ୍ରକାଶିତ ହୁଏ, ସେତେବେଳେ ହୃଦୟ ସ୍ୱତଃ ଭକ୍ତିଭରେ ଅବନତ ହୋଇ ପଡ଼େ ଏବଂ ଏହି ନିଖିଳ ସୌନ୍ଦର୍ଯ୍ୟର ସେହି ଅଦ୍ୱିତୀୟ ନିୟାମକଙ୍କ ଚରଣରେ କୋଟି କୋଟି ପ୍ରଣାମ କରିବାକୁ ହୁଏ ।

 

ସମତଳପ୍ରଦେଶରେ ଅବସ୍ଥାନ ସୌଦାମିନୀସଂବୃତ ଯେଉଁ ଜଳଦମାଳାକୁ ମସ୍ତକୋପରି କେତେ ଉର୍ଦ୍ଧ୍ୱରେ ନୀରିକ୍ଷଣ କରୁଥିଲେ, ଆଜି ସେଗୁଡ଼ିକ ଆମ୍ଭମାନଙ୍କୁ ସାଦର ଆଲିଙ୍ଗନ କରିବାକୁ ସବୁବେଳ ବ୍ୟସ୍ତ । ତଳେ ଉପରେ, ଚତୁର୍ଦ୍ଦିଗରେ ମେଘରାଶି ଭିନ୍ନ ଭିନ୍ନ ସ୍ତରବିନ୍ୟାସ ଏଠାରେ ସର୍ବଦା ପ୍ରାୟ ସୁଲଭ । କେହି କେହି ଭଦ୍ରତାର ସୀମା ଲଙ୍ଘନ କରି ଆମ୍ଭମାନଙ୍କ ଆବାସକୁଟୀର ମଧ୍ୟରେ ପଶି ଯାଉଅଛନ୍ତି । ଏକାଧାରରେ ଏଭଳି ପ୍ରାଣ ବିମୋହନ କୋମଳ ସୌନ୍ଦର୍ଯ୍ୟ ଏବଂ ଏଭଳି ହୁତ୍କମ୍ପକାରୀ ଭୟାବହ ବିସ୍ମୟୋତ୍ପାଦକ ଦୃଶ୍ୟ ଉତ୍କଳର ଅନ୍ୟତ୍ର ଦୁର୍ଲଭ ।

 

ପ୍ରକୃତି ! ତୁମ୍ଭେ କଣ, ତୁମ୍ଭ କିଏ ? ଜନ୍ମାବଧି ତୁମ୍ଭଙ୍କୁ ଦେଖି ଆସୁଅଛି-ପଞ୍ଚମଭୂତମୟ ଦେହ ସହିତ ଆମରଣ ସମ୍ବନ୍ଧ, ଅନ୍ତରଙ୍ଗ ସମ୍ପର୍କ, -ତୁମ୍ଭେ କିଏ ମୋତେ କହିଦିଅ । ପ୍ରତି ମୁହୂର୍ତ୍ତରେ ତୁମ୍ଭ ପ୍ରେମରେ ଲାଳିତ ପ୍ରେମରେ ଲାଳିତ ହେଉଅଛି-ଜୀବନରେ ପାର୍ଥିବ ଅଭାବସମୂହ ତୁମ୍ଭେ ବିଦୂରିତ କରୁଅଛ, ଅଥଚ ଜାଣେ ନାହିଁ, ତୁମ୍ଭର ପ୍ରକୃତି କଣ ? ତୁମ୍ଭର ଗତିବିଧି ଆଲୋଚନା କରୁଁ କରୁଁ କେତେ ମହାତ୍ମ୍ୟ ଜୀବନଲୀଳା ଶେଷ କରିଅଛନ୍ତି-କିନ୍ତୁ ତୁମ୍ଭର ଅନ୍ତ ପାଇ ନାହାନ୍ତି । ମହାଜ୍ଞାନୀ ନିଉଟନ ତୁମ୍ଭର ଶିଷ୍ୟ ହୋଇ ମାନବସମାଜକୁ କେତେ ବହୁମୂଲ୍ୟ ସତ୍ୟରତ୍ନ ଉପହାର ଦେଇଥିଲେ, କିନ୍ତୁ ଯେତେବେଳେ ତୁମ୍ଭର ପ୍ରିୟସନ୍ତାନ ଏହି ରଙ୍ଗଭୂମିରୁ ବିଦାୟ ଘେନି ଚାଲିଗଲେ, ସେତେବେଳେ କହିଗଲେ, ‘‘ହାୟ ! ଏ ଜୀବନରେ କେବଳ ସିନ୍ଧୁ ତୀରସ୍ଥ ଉପଳଖଣ୍ଡ ସଂଗ୍ରହ କଲି ମାତ୍ର- ସମ୍ମୁଖରେ ଅନନ୍ତପରସାରିତ ଜ୍ଞାନ-ସମୁଦ୍ର ଅନାବିସ୍କୃତ ରୂପେ ପଡ଼ି ରହିଅଛି ।’’ ତୁମ୍ଭର ଅତଳସ୍ପର୍ଶ ସମୁଦ୍ରରୁ କେତେଜଣ କେତୋଟି ସତ୍ୟରତ୍ନ ଉଦ୍ଧାର କରିବାକୁ ସମର୍ଥ ହୋଇଅଛନ୍ତି ? ତୁମ୍ଭେ କି ଅନନ୍ତ ! ତୁମ୍ଭ ସମୀପରେ ବସିଲେ ଅକୂଳରେ କୂଳ ପାଏ ନାହିଁ ! ସେହି ଅନନ୍ତ ଜ୍ଞାନବାନ୍‍ ପରମ ପୁରୁଷଙ୍କ ଜ୍ଞାନ-କୌଶଳ ତୁମ୍ଭଠାରେ ପ୍ରତିଫଳିତ-ତାହାଙ୍କ ପବିତ୍ରତା, ଆନନ୍ଦ, ଶାନ୍ତି ତୁମ୍ଭଠାରେ ଉଦ୍ଭାସିତ ! ସ୍ତମ୍ଭିତ ହୋଇ ପଚାରୁଅଛି, ତୁମ୍ଭେ କଣ ? ତୁମ୍ଭେ ଜଡ଼-ଅଥଚ ସେହି ମହାଚୈତନ୍ୟର ଚେତନାରେ ତୁମ୍ଭେ ଜାଗ୍ରତ ! ତୁମ୍ଭର ନିଜର ସ୍ୱାଧିନ ଅସ୍ତିତ୍ୱ ନାହିଁ, -ତୁମ୍ଭେ ଶୂନ୍ୟ, କେବଳ ସେହି ଅଦ୍ୱିତୀୟ ନିୟାମକଙ୍କ ସତ୍ତାରେ ତୁମ୍ଭେ ପୂର୍ଣ୍ଣ ! ତୁମ୍ଭେ ତାହାଙ୍କ ପ୍ରକାଶରେ ଜୀବନ୍ତ ଛାୟା ସିନା ? ତୁମ୍ଭଙ୍କୁ ଭଲକରି ବୁଝି ପାରିଲି ନାହିଁ । ଯେଉଁ ଜ୍ଞାନର ଅହଙ୍କାରରେ ଛାତି ଫୁଲାଇ ବୁଲୁଥାଏଁ, ସେହି ଜ୍ଞାନ ବିସ୍ତୃତ ସିନ୍ଧୁବକ୍ଷରେ ଅନ୍ଧକାରର ଛାୟାସ୍ଥିତ କ୍ଷୁଦ୍ର ପ୍ରଦୀପର ଆଲୁଅ ପ୍ରାୟ ବୁଡ଼ି ଯାଉଅଛି । ବିଜ୍ଞାନ ପରୀକ୍ଷା ଏବଂ ପରିଚୟ ଘେନି ଉନ୍ମତ୍ତ ! ମାତ୍ର ତୁମ୍ଭେ କଣ, ସେ କହି ପାରେ ନାହିଁ ।

 

ପ୍ରକୃତି ! ତୁମ୍ଭ ନିକଟକୁ ଆସିଲେ ମନୁଷ୍ୟର ଦାମ୍ଭିକ ଜ୍ଞାନର ଉନ୍ନତ ମସ୍ତକ ସ୍ୱତଃ ଅବନତ ହୋଇଯାଏ । ତୁମ୍ଭେ ଯେବେ ତାହାକୁ ଥରେ ବିଶାଳ ତରଙ୍ଗାକୁଳ ଗର୍ଜନମୟ ସିନ୍ଧୁ ସୈକତକୁ ଘେନିଯାଅ, -ସେହି ଆକାଶୋପମ ଅନନ୍ତବତ୍‌ ବିସ୍ତୃତ,–ସେହି ଦୃଷ୍ଟିର ପ୍ରାନ୍ତରେଖାରେ ଜଳାକାଶ ମିଶାମିଶି କି ଏକ ଗମ୍ଭୀର କାଣ୍ଡ ଦେଖି ତାହାର ମନ ସ୍ତମ୍ଭିତ ହେବ,–ଅନନ୍ତ ଭାବର ଛାୟା ଧୀରେ ଧୀରେ ତାହାର ଚେତଦନାଶକ୍ତିରେ ଆସି ମିଶିଯିବ । ତୁମ୍ଭେ ଯେବେ ଥରେ ଏହି କ୍ଷୁଦ୍ରତ୍ୱର ଅହଙ୍କାରପୂର୍ଣ୍ଣ ସଂସାରମୁଗ୍ଧ ମାନବକୁ ତୁମ୍ଭରି କବିତ୍ୱ ଏବଂ ଗାମ୍ଭୀର୍ଯ୍ୟର ଲୀଳାସ୍ଥଳୀ ମେଘସ୍ପର୍ଶୀ ଗିରିଶଖରକୁ ଘେନିଯିବ, କେତେ ସୁରମ୍ୟ ଦୃଶ୍ୟ ଦେଖି ସେ ଆଉ ସଂସାରକୁ ଫେରାଇବାକୁ ମନ ବଳାଇବ ନାହିଁ ! ଏହି ରୂପରେ ତୁମ୍ଭେ କେତେ ପାଷାଣ୍ଡ ସନ୍ତାନଙ୍କୁ ନିଜର ଶୋଭା ଦେଖାଇ ଭଗବାନଙ୍କ ଆଡ଼କୁ ଟାଣି ନେଇଅଛ ! ଧନ୍ୟ ତୁମ୍ଭର ଆକର୍ଷଣୀ ଶକ୍ତି ! ତୁମ୍ଭର ମୋହିନୀଶକ୍ତି ! ତୁମ୍ଭେ କି ଅଦୃଶ୍ୟ ଆକର୍ଷଣରେ ମୋହ ଭଳି ପାପିଷ୍ଠକୁ ଏଠାକୁ ଆଣି ଗଭୀର ଚିନ୍ତାରେ ବୁଡ଼ାଇ ଦେଇଅଛ !

 

ଆଜି ପ୍ରଭାତରେ ତୁମ୍ଭର ଶାନ୍ତିଦାୟିନୀ କ୍ରୋଡ଼କୁ ଆସିଅଛି । ପ୍ରଭାତର ସୌନ୍ଦର୍ଯ୍ୟ ଦେଖିବି ବୋଲି ଧୀରେ ଧୀରେ ତୁମ୍ଭ ସାକ୍ଷାତରେ ବସି ରହିଅଛି । ପ୍ରଭାତ ଭଳି ମଧୁର ଆଉ କଣ-? ସମସ୍ତଙ୍କର ପ୍ରଭାତହିଁ ସୁନ୍ଦର, ଜୀବନର ଆରମ୍ଭହିଁ ମନୋହର ! ଶିଶୁର ଜୀବନ-ଉଷା କି ଶୋଭାମୟ ! ସେହି ପ୍ରଫୁଲ୍ଲ-ମୁଖ-ଜ୍ୟୋତି, ସେହି ନବହାସ୍ୟବିକାଶ, ସେହି ହସ୍ତ ପଦ ସଞ୍ଚାଳନ, ଜୀବନର ପ୍ରଥମ ଲକ୍ଷଣ, ପ୍ରଥମ ଉଦ୍ୟମ, ପ୍ରଥମ ଉତ୍ସାହ ଦେଖି କାହାର ପ୍ରାଣ ଆନନ୍ଦରେ ଉତ୍‌ଫୁଲ୍ଲ ନ ହୁଏ ? ଶିଶୁର ରହସ୍ୟମୟ ଜୀବନ-କାବ୍ୟର ପ୍ରଥମ ସର୍ଗର ପ୍ରଥମ ଛନ୍ଦୁ ପଢ଼ୁଁ ପଢ଼ୁଁ କି ଗଭୀର ବିସ୍ମୟରେ ହୃଦୟ ସ୍ତମ୍ଭିତ ହୁଏ ! ଯାହାର ଆଦି-ଅନ୍ତ ଜଣା ନାହିଁ, ସେହି ଭଗ୍ନାଂଶଟିକି ସହସା ଦେଖି ମନ ମଧ୍ୟରୁ କି ବିପ୍ଳବ ଉଠେ ! କେଉଁଠାରୁ ଆସିଲା ଜାଣେ ନାହିଁ-କେଉଁଠାକୁ ଯିବ, କଣ ହୋଇ ଛିଡ଼ା ହେବ,-ଏହା ମଧ୍ୟ ଭବିଷ୍ୟତର ତିମିର-ଗର୍ଭରେ!

 

କ୍ରମବିକାଶର ପ୍ରଥମ ସ୍ତରହିଁ ସୌନ୍ଦର୍ଯ୍ୟର ଏବଂ ଗାମ୍ଭୀର୍ଯ୍ୟର ଆଧାର । ଏହି ଜଗତ୍‍ ଯେତେବେଳେ କାଳର ଆଦିରେ ପ୍ରଥମ ସୃଷ୍ଟି ହୋଇଥିଲା, ସେତେବେଳେ ସେହି ଅନନ୍ତ କ୍ରମବିକାଶଶାଳୀ ସୃଷ୍ଟିବୀଜର ପ୍ରଥମ ବିକାଶ କଳ୍ପନାରେ ସର୍ବଦର୍ଶୀ ଦୃଷ୍ଟିରେ ଅନୁଭବ କରିବାକୁ ଗଲେ ଏକାବେଳେକ ଉନ୍ମତ୍ତ ହୋଇଯାଏଁ । ସେହି ଆଦି ସୌନ୍ଦର୍ଯ୍ୟର ଅନନ୍ତ-ଗମ୍ଭୀର ପ୍ରତିଭା ମାନବର ଶିଶୁଜ୍ଞାନକୁ ଏକାବେଳକେ ଅନନ୍ତ ମଧ୍ୟରେ ବୁଡ଼ାଇଦିଏ-କଳ୍ପନା, ଜ୍ଞାନ, ବିଶ୍ୱାସ, ଧାରଣା ସମସ୍ତ ପରାସ୍ତ ହୋଇଯାଏ ! ସେହି ଅନନ୍ତ ଭାବ-ସମୁଦ୍ରରୁ ଆଉ କେବେ ଉଠି ପାରନ୍ତି ନାହିଁ । ମାନବଜ୍ଞାନର ଅତୀତ ଯାହା, ତାହାର କଳ୍ପନା,- ତାହାର ଚିନ୍ତାରେ ମନୁଷ୍ୟ ନିଜକୁ ହରାଇ ଦିଏ ।

 

ଚତୁର୍ଦ୍ଦିଗରେ ଯେ ଅନନ୍ତ ସୌନ୍ଦର୍ଯ୍ୟ ବିକଶିତ ବିଶ୍ୱବ୍ରହ୍ମାଣ୍ଡ ଦେଖୁଅଛି, ଏହାର ଅନନ୍ତ ଶୋଭା ପରମେଶ୍ୱରଙ୍କ ଆଦି ଶୋଭା ପ୍ରଭାତ-ଗାମ୍ଭୀର୍ଯ୍ୟ ନିକଟରେ ଅତି ତୁଚ୍ଛ ! ଗୋଟିଏ ପ୍ରସ୍ଫୁଟିତ ଫୁଲର ମଧୁର ସୁସମା, ସ୍ନିଗ୍ଧ ଜ୍ୟୋତିଃ ଏବଂ ସେହି ଫୁଲଟି ଯେତେବେଳେ କଢ଼ରୁ ଈଷତ୍‌ ଫୁଟି ବାହାରୁଅଛି, ସେତେବେଳର ଗମ୍ଭୀର ସୌନ୍ଦର୍ଯ୍ୟ, - ଏହି ଉଭୟର ତୁଳନା କଲେ ପ୍ରଭେଦ ବୁଝି ହୁଏ; ଯାହାଙ୍କ ପ୍ରାଣ କବିତ୍ୱପୂର୍ଣ୍ଣ, ସେ ନିଶ୍ଚୟ କୁସୁମକୋରକକୁ ଆଦରଣୀୟ ମରିବେ । ଯୌବନର ପ୍ରଥମ ବିକାଶ ଏବଂ ପରିଣତ ଏ ଦୁହିଙ୍କ ମଧ୍ୟରେ ପ୍ରଥମ ବିକାଶରେହିଁ ପ୍ରକୃତ କବିତ୍ୱମୟ ସୌନ୍ଦର୍ଯ୍ୟଖେଳ ରହିଥାଏ । ଆଭାସରେହିଁ ସୌନ୍ଦର୍ଯ୍ୟର ବିକାଶ, ପ୍ରକାଶରେ ତେତେ ନାହିଁ ପରା ? ଯେତେବେଳେ ଶୈଳଦେହରେ ନିର୍ଝରମାଳା ମିଶି ଏକସ୍ଥଳରେ ଗୋଟିଏ କ୍ଷୁଦ୍ର ସ୍ରୋତସ୍ୱିନୀର ଉତ୍ପତ୍ତି ସାଧିଅଛି,-ସେତେବେଳେ ସେହି ନିର୍ଜନରେ ଅଲକ୍ଷିତରେ ଚତୁର୍ଦ୍ଦିଗରେ ନୀରବ ଗାମ୍ଭୀର୍ଯ୍ୟ ମଧ୍ୟରେ ସେହି ଭବିଷ୍ୟତ୍‍ ଭୀଷଣ ନଦୀର ଜନ୍ମ ଦେଖିଲେ ଜୀବନର ଆନନ୍ଦ ଓ ବିସ୍ମୟ ଉଛୁଳି ଉଠେ ! ଏହି ଶିଶୁ ସ୍ରୋତସ୍ୱିନୀ ଭବିଷ୍ୟତରେ କେଉଁ ଦେଶ ମଧ୍ୟରେ କେଉଁ ପ୍ରାନ୍ତର ଉର୍ବର କରି, କେଉଁ ଦିଗ ଭାଙ୍ଗି ପକାଇ ପ୍ରବାହିତା ହେବ,- କେତେ ତରଙ୍ଗ, ଆବର୍ତ୍ତ ଭୀଷଣ ଭାବରେ ଏହା ହୃଦୟକୁ ସମ୍ୟକ୍‌ ନିପୀଡ଼ିତ କରିବ,-ଏ ସମସ୍ତ ଭବିଷ୍ୟତ୍‌ ଚିନ୍ତାରେ ନିମଗ୍ନ ହେଲେ ମନୁଷ୍ୟ ସ୍ତମ୍ଭିତ ହୋଇ ବିଶ୍ୱେଶ୍ୱରଙ୍କ ଶକ୍ତି ଉପଲବ୍ଧି କରି ପାରେ । ଯେତେବେଳେ ବଟବୃକ୍ଷର କ୍ଷୁଦ୍ର ବୀଜ ମୃତ୍ତିକାଗର୍ଭରେ ନିହିତ ହୋଇ ଅଙ୍କୁର ଉତ୍ପାଦନ କରେ ସେତେବେଳେ ତାହାର ଭବିଷ୍ୟତ୍‌ ବିଶାଳ କାଣ୍ଡ, ଦୂର-ପ୍ରସାରିତ ଶାଖାପ୍ରଶାଖା, ଘନନିବିଷ୍ଟ ପତ୍ରରାଜି, ଅଂସଖ୍ୟ ଫଳ, ଶତ ଶତ ପକ୍ଷିଙ୍କ ଆଶ୍ରୟ ଏବଂ ଆହାରର ସଂସ୍ଥାନ କରିବ, କେତେ ପରିଶ୍ରାନ୍ତ ରୌଦ୍ରତପ୍ତ ପଥିକଙ୍କୁ ସୁଶୀତଳ ଛାୟା ଦାନ କରିବ,- ଏ ସମସ୍ତ ଭାବିଲେ କିଏ ସ୍ୱୀକାର ନ କରିବ, ଏହି ଜଗତ୍‌ ଗୋଟିଏ ଅନ୍ତରାଳବର୍ତ୍ତିନୀ ମହାଶକ୍ତିର ଲୀଳା ! କ୍ଷୁଦ୍ରଠାରୁ ବୃହତ୍‌ ଏକଠାରୁ ଅନେକ, ଆଭାସଠାରୁ ଶକ୍ତି ରହିଅଛି । କଳ୍ପନା ଯେଉଁଠାରେ ସ୍ୱାଧୀନ ବିହାରକ୍ଷେତ୍ରେ ଲାଭ କରେ, ସେହିଠାରେ ଆମ୍ଭମାନଙ୍କ ସୌନ୍ଦର୍ଯ୍ୟବୋଧର ସ୍ଫୂର୍ତ୍ତି; ସେହି ସକାଶେ ପରିଣତ ଅପେକ୍ଷା ଉତ୍ପତ୍ତିକାଳ-ବୃକ୍ଷ ଅପେକ୍ଷା ବୀଜ ଅଧିକ ଚିତ୍ତାକର୍ଷକ ।

 

ଯେଉଁଠାରେ ରହସ୍ୟ ଉଦ୍ଭେଦ କରି ହୁଏ ନାହିଁ, ସେହିଠାରେ ଅନନ୍ତରେ ଭାବ ଉପସ୍ଥିତ ହୁଏ, କି ଏକ ଗଭୀର ସୌନ୍ଦର୍ଯ୍ୟର ଅଦୃଶ୍ୟ ପ୍ରସ୍ରବଣ ଫିଟିଯାଏ ! ‘‘ଜାଣେ ନାହିଁ’’ ସହିତ ସୌନ୍ଦର୍ଯ୍ୟର ସମ୍ପର୍କ । ଯାହା ଆମ୍ଭେମାନେ ଆୟତ୍ତ କରି ପାରୁଁ, ଭଲରୂପେ ବୁଝି ପାରୁଁ, ତାହା ମଧ୍ୟରେ ଆଉ ସେ ପ୍ରଭାତ ସୌନ୍ଦର୍ଯ୍ୟର ଆଭାସ ଈଷତ୍‌ ଜ୍ୟୋତିର୍ମୟ ହାସ୍ୟ ଦେଖିବାକୁ ମିଳେ ନାହିଁ । ଯେଉଁଠାରେ ସୌନ୍ଦର୍ଯ୍ୟ ମୃତ, ସେଠାରେ ଆକର୍ଷଣ ନାହିଁ । ଆମ୍ଭମାନଙ୍କ ଦୈନିକ ଜୀବନର ସୌନ୍ଦର୍ଯ୍ୟ ଆମ୍ଭମାନଙ୍କ ଚକ୍ଷୁରେ ଶୀଘ୍ର ଲିଭିଯାଏ, କ୍ଷୁଦ୍ର ଘଟନା ସହିତ ସହାନୁଭୂତିର କୋମଳ ସମ୍ବନ୍ଧ ଚାଲିଯାଏ । ଏହି ସକାଶେ ଯେଉଁଠାରେ ନୂତନତ୍ୱର ଜ୍ୟୋତିଃ ଖେଳୁଥାଏ, ସେହିଠାକୁ ତୃଷିତ ପ୍ରାଣ ଆଶାନ୍ୱିତ ହୋଇ ଧାଇଁଯାଏ । ଗୋଟିଏ ନୂତନ କିଛି ଜାଣିବା ଶୁଣିବା କିମ୍ବା ଉପଭୋଗ କରିବା ସକାଶେ ମାନବର ଦୁର୍ବଳ ହୃଦୟ ସର୍ବଦା ବ୍ୟସ୍ତ । ପୁରାତନର ମଳିନ ଏବଂ ପ୍ରବୀଣ ଛାୟା ପଡ଼ିଲେ ପ୍ରାଣର ଉତ୍ସାହ ଏବଂ ଉଦ୍ୟମ ଶୀଘ୍ର ନିଦ୍ରିତ ହୋଇ ପଡ଼େ । ପ୍ରାଚୀନତ୍ୱ ସହିତ ଚିନ୍ତାଶୀଳତାର ଏବଂ ଯୌବନ ସହିତ କାର୍ଯ୍ୟଶୀଳତାର ପ୍ରାଣଗତ ସମ୍ବନ୍ଧ । କୌଣସି ଝରଣା ମୁଖରୁ ପାଷାଣ ଅପସୃତ ହୋଇ ଭିତରୁ ନବ ତେଜରେ ବାରିଧାରା ଧାଇଁ ଆସିଲେ ତାହାର ଯେପରି ରମଣୀୟତା ସେହିଭଳି ଯେତେବେଳେ ସଂସାର-ମୋହର ପାଷାଣ ହୃଦୟଉତ୍ସର ଉପରିଭାଗରୁ ଫିଟିଯାଏ, ସେତେବେଳେ ସେହି ଯୌବନ ତେଜରେ କାର୍ଯ୍ୟରାଶି ପ୍ରାଣମୁଗ୍ଧକର ଶୋଭା ଧାରଣ କରେ ।
 

ନୂତନତ୍ୱ କିଛି ଆବଶ୍ୟକ । କିନ୍ତୁ ସଂସାରର ଅନ୍ଧକାରରେ ପଡ଼ି ଜୀବନର ଅର୍ଦ୍ଧାଂଶ ନ ଯାଉଣୁ ଆମ୍ଭମାନଙ୍କ ମଳିନ ଚକ୍ଷୁ ପୃଥିବୀର ସମସ୍ତ ପୁରାତନ ଜୀବନହୀନ ପରିଚ୍ଛେଦ ଧାରଣ କରେ । ସେତେବେଳେ ମନେ ହୁଏ, ଏ ପ୍ରାତ୍ୟହିକ ଜଗତରେ କିଛି ନୂତନ, କିଛି ଆଶ୍ଚର୍ଯ୍ୟଜନକ ନାହିଁ । ଆମ୍ଭେମାନେ ଚାରିଆଡ଼େ ବୁଲୁଧାଉଁ,–ଅଥଚ ଥରେ ଭ୍ରମରେ ସୁଦ୍ଧା ମନେ ହୁଏ ନାହିଁ ସେ ଏକ ବିଚିତ୍ର ଅନନ୍ତ ସୌନ୍ଦର୍ଯ୍ୟରେ ଉଦ୍ଭାସିତ ବ୍ରହ୍ମାଣ୍ଡରେ ବାସ କରିଅଛୁଁ । ଆମ୍ଭମାନଙ୍କ ନିତ୍ୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଚକ୍ଷୁ ସମକ୍ଷରେ ଶତ ସୁଷମା ଫୁଟି ଉଠୁଅଛି-ପ୍ରତ୍ୟେକ ପରମାଣୁ ସେହି ପରମଜ୍ଞାନମୟ ପୁରୁଷଙ୍କ ଗୁଣକୀର୍ତ୍ତନରେ ବ୍ୟସ୍ତ । ଆମ୍ଭେମାନେ ଅତି ଶୀଘ୍ର ସଂସାର ଧୂଳିରେ ଅନ୍ଧ ହୋଇଯାଉଁ । ସ୍ୱଚ୍ଛ କାଚ ଉପରେ ଜଳୀୟ ବାଷ୍ପର ଘନୀଭୂତ ଛାୟା ପଡ଼ିଗଲେ ଯେପରି ସେଥିରେ ଅନ୍ୟ ବାହ୍ୟ ବସ୍ତୁର ଶୋଭା ପ୍ରତଫଳନ ହୁଏ ନାହିଁ ସେହିଭଳି ଆମ୍ଭମାନଙ୍କ ସରଳତାମୟ ପବିତ୍ର ପ୍ରାଣ ଉପରେ ସଂସାରର ଦୂଷିତ, ମଳିନ ପାପ-ବାଷ୍ପ ଲାଗିଗଲେ ତାହାର ସ୍ୱଚ୍ଛତା ନଷ୍ଟ ହୁଏ । ଆତ୍ମା ମଧ୍ୟ ଜଡ଼ଭାବାପନ୍ନ ହୋଇଯାଏ, ଇନ୍ଦ୍ରିୟ ଉପରେ ଜଡ଼ ପ୍ରକୃତି ଜଡ଼ଭାବରେ କାର୍ଯ୍ୟ କରେ, ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ ଉପଲବ୍ଧି କରିବାର ସୁଯୋଗ ହୁଏ ନାହିଁ । ଧର୍ମଭାବ ଯେତେବେଳେ ଶୁଷ୍କପ୍ରାଣରେ ଅଙ୍କୁରିତ ହୁଏ, ସେତେବେଳେ ଗଛ, ପତ୍ର, ଆକାଶ, ନଦୀ, ପର୍ବତ–ଆମ୍ଭମାନଙ୍କ ପ୍ରତ୍ୟକ୍ଷୀଭୂତ ସମସ୍ତ ବିଷୟ ନବସଜ୍ଜାରେ ସଜ୍ଜିତ ହୋଇ ହୃଦୟରେ ନବଭାବରେ ଉଦୟ କରିଦିଏ, ମୃତପ୍ରାୟ ଦେହରେ ନବଜୀବନର ସଞ୍ଚାର କରେ । ସେତେବେଳେ ଏହି ମାନବଜୀବନର ନିଗୂଢ଼ ରହସ୍ୟ ମନଶ୍ଚକ୍ଷୁ ନିକଟରେ ଫିଟିଯାଏ ।

 

ପ୍ରକୃତି ! ତୁମ୍ଭେ ପୁରାତନ, କିନ୍ତୁ ନୂତନ । ସାଂସାରିକମାନେ ତୁମ୍ଭଙ୍କୁ କେତେବେଳେ ଜୀବନର ଚକ୍ଷୁରେ ଦେଖନ୍ତି ନାହିଁ । ତୁମ୍ଭେ ସେମାନଙ୍କ ନିକଟରେ ଚିରକାଳ ପୁରାତନ ଏବଂ ଶ୍ରୀହୀନ । ପ୍ରେମିକ ନ ହେଲେ କେହି ତୁମ୍ଭର ତରଙ୍ଗିଣୀର ତରଙ୍ଗରଙ୍ଗ ସହିତ ନିଜର ହୃଦୟ-ତରଙ୍ଗୋଚ୍ଛ୍ୱାସର ତୁଳନା ଦେଇ ନ ପାରେ । ଭାବୁକ ନ ହେଲେ ତୁମ୍ଭ ରଚିତ ସାନ୍ଧ୍ୟକାଶରେ ଜଳଦଛବିର ସୌନ୍ଦର୍ଯ୍ୟରେ ପ୍ରେମାଙ୍କିତ ରେଖା ଦେଖି ପାରେ ନାହିଁ । ଯାହାଙ୍କ ଚକ୍ଷୁ କେବେହେଁ ତୁମ୍ଭ ଆଡ଼କୁ ଆକୃଷ୍ଟ ହୋଇ ନାହିଁ, ସେ ପ୍ରକୃତରେ ଭାଗ୍ୟହୀନ ସିନା ?

 

ମାଲ୍ୟଗିରି ! ଉତ୍କଳରେ ତୁ ପ୍ରକୃତି-ପୂଜାର ପୁଣ୍ୟ ପ୍ରୟୋଗ । ଏହି ପ୍ରଭାତରେ ତୋହର ଶାନ୍ତିଆଶ୍ରମରେ ବସି ସଂସାରତାପକ୍ଳିଷ୍ଟ ଉତ୍ତପ୍ତ ହୃଦୟରେ ଶାନ୍ତିର ଶୀତଳ ଛାୟା ଅନୁଭବ କରୁଅଛି । ଯେତେବେଳେ ସଂସାରର ଅଳିଆଗଦାରେ ବିଚରଣ କରୁଁ କରୁଁ ସୁଖ-ମରୀଚିକାମାୟାରେ ପ୍ରତାରିତ ହୋଇ ଦୁର୍ବଳ ପ୍ରାଣ ନିରାଶାରେ ଭାଙ୍ଗି ପଡ଼ୁଥିଲା, ସେତେବେଳେ ତୁ ଏହି ନିରାଶ୍ରୟର ଆଶ୍ରୟ-ଭୂମି, ତୋହ କୋଳରେ ବସି ଯାତନାରେ ଶାନ୍ତି ହେଉଅଛି । ଭଗ୍ନ ହୃଦୟକୁ ସାନ୍ତ୍ୱନା ଦେବାକୁ ତୋହ ପରି ଆଉ କାହାରି କ୍ଷମତା ନାହିଁ । ସଂସାର ଯାହାକୁ ତଡ଼ିଦିଏ, ତୁ ତାହାକୁ ତୋହର ଅମୂଲ୍ୟ ସହାନୁଭୂତିରେ ଜୀବିତ ରଖିଥାଉ । ସଂସାରର ଚିନ୍ତାଭାର ତୋହ କୃପାରୁ ଏଠାରେ ଅପସୃତ ହୋଇଅଛି, ନିରାଶାରେ ଏବଂ ଅଶାନ୍ତିରେ ବିବୃତ ହୋଇ ତୋହର ପ୍ରଶାନ୍ତଆଶ୍ରୟରେ ରହିଅଛି ଏବଂ ମୋହର ପରମପୂଜନୀୟ ୰ ପିତୃଦେବଙ୍କ ଭାଷାରେ ତାର ସ୍ୱରରେ ଚିତ୍କାର କରି କହୁଅଛି-

 

‘‘ଶାସ୍ତ୍ରେ ନ ଥିଲେ ହେଁ ତୋ ନାମକୀର୍ତ୍ତନ,

ତୁହି ମାଲ୍ୟଗିରି ତୀର୍ଥ ସନାତନ ।’’

Image

 

କପିଳାସରେ ପ୍ରଭାତ

 

ମାନବର ହୃଦୟ-ମନ ଉପରେ ପ୍ରାକୃତିକ ଦୃଶ୍ୟରେ ଯେ ଅଦୃଶ୍ୟ ଅଥଚ ନିଶ୍ଚିତ ପ୍ରଭାବ ରହିଅଛି,ତାହା କେବଳ କବିଗଣଙ୍କ ବଚନରୁ ଶୁଣାଯାଏ । କବିଗଣ ପ୍ରକୃତିରେହିଁ ଉନ୍ମତ୍ତ, କବିଙ୍କ ନିକଟରେ ସାମାନ୍ୟ ଫୁଲର ସୌନ୍ଦର୍ଯ୍ୟ, ଚନ୍ଦ୍ରମାର ହାସ୍ୟ କେତେ ଭାବ ଆଣିଦିଏ, ତାହା ଭାଷାରେ ପ୍ରକାଶ ହେବା ଦୁରୂହ; କିନ୍ତୁ କବିଙ୍କ ପ୍ରତି ସମସ୍ତଙ୍କର ଆସ୍ଥା ନାହିଁ । ଅନେକ ଲୋକେ କବିମାନଙ୍କୁ କେବଳ ‘‘ସ୍ୱପ୍ନପ୍ରିୟ’’ ବୋଲି ଗଣନାର ବାହାରେ ପକାଇ ଦିଅନ୍ତି। ତୀକ୍ଷ୍ଣବୁଦ୍ଧି ଜଡ଼ବାଦୀ ବୈଜ୍ଞାନିକଙ୍କ ନିକଟରେ କବି ‘‘କଳ୍ପନାରେ ଉପାସକ’’ ବୋଲି ସର୍ବଦା ଉପାହାସରେ ପାତ୍ର । କବି କ୍ଷୁଦ୍ରକୁ ବୃହତ୍‌ ଏବଂ ସାମାନ୍ୟକୁ ମହତ୍‌ ବୋଲି ବ୍ୟାଖ୍ୟା କରନ୍ତି; ତାହାଙ୍କ ଚକ୍ଷୁ ସ୍ୱତନ୍ତ୍ର । କିନ୍ତୁ ଆମ୍ଭେମାନେ ପ୍ରକୃତିଙ୍କର ଯେଉଁ ସବୁ ଦୃଶ୍ୟରେ ଅଭ୍ୟସ୍ତ, ଏହାର ଅତିରିକ୍ତ ଯେ ଆହୁରି ଅଗଣିତ ଦୃଶ୍ୟାବଳୀ ରହିଅଛି, ତାହା ଆମ୍ଭେମାନେ ଜାଣି ଶୁଣି ସୁଦ୍ଧା ଅଜ୍ଞ । ପ୍ରକୃତିଙ୍କର ଏଭଳି କ୍ଷମତା ଅଛି ଯେ କୌଣସି ବିଶେଷ ସ୍ଥଳରେ ଏବଂ ବିଶେଷ କାଳରେ ମାନବର ମନ ମୁଗ୍ଧ କରି ପାରନ୍ତି । ଲୋକାଳୟଶୂନ୍ୟ ବିଜନ ପ୍ରଦେଶରେ ଏଭଳି କେତେ ସୁରମ୍ୟ, କେତେ ବିସ୍ମୟକର, କେତେ ଭୟାବହ ଦୃଶ୍ୟ ଅଲକ୍ଷିତରେ ରହିଅଛି, ଯାହା ଦେଖିଲେ ଘୋର ବିଷୟାସକ୍ତ ମନୁଷ୍ୟ କ୍ଷଣକାଳ ସକାଶେ ନିଜକୁ ହରାଇ ବସେ ଏବଂ ନୀରସ କଠୋର, ହୃଦୟହୀନ ପାଷାଣଠାରୁ ମଧ୍ୟ କବିତ୍ୱର ପ୍ରସ୍ରବଣ ବାହାର ପଡ଼େ ।

 

କପିଳାସ ଗିରିମେଖଳସ୍ଥିତ ଚନ୍ଦ୍ରଶେଖର ସ୍ଥିତ ଦେବ ମନ୍ଦିର ଉପକଣ୍ଠରେ ଆଜି ମୋହର ନୀରସ ଜୀବନ ମଧ୍ୟରୁ କଣ ବାହାରି ପଡ଼ୁଅଛି, କହି ପାରୁନାହିଁ । ଚନ୍ଦ୍ରଶେଖର ଦେବଙ୍କ ପ୍ରଭାତ ଆରତିର ଘଣ୍ଟାଧ୍ୱନିରେ ଜାଗ୍ରତ ହେଲି-ଉଷା ପ୍ରଭାତରେ ପରିଣତ ହୋଇଗଲା । ଶୀତଳ ସମୀରଣ ବୃକ୍ଷପତ୍ର ଆନ୍ଦୋଳିତ କରି ଝରଝର ଶବ୍ଦରେ ପ୍ରବାହିତ ହେଲା । ଅନ୍ଧକାର ଏତେ ବେଳେ ଭୟଚକିତ ହୋଇ ପତ୍ରାନ୍ତରାଳରେ ଉହୁଙ୍କୁଅଛି ଏବଂ ତାହାର ରାଜ୍ୟନାଶ ଅବଶ୍ୟମ୍ଭାବୀ ବୁଝି ପତ୍ରମର୍ମରେ ଛଳରେ ବିଳାପ କରୁଅଛି । ଏହି ସମୟରେ କପିଳାସ ଶିଖରାରୋହଣ କରିବାର ଲୋଭ ସମ୍ବରଣ କରି ପାରିଲା ନାହିଁ ।

 

‘‘ସୀତାର ଅନ୍ତୁଡ଼ିଶାଳ’’ ନାମର ଗହ୍ୱର ପାର ହୋଇ କପିଳାସର ଶିଖରଦେଶସ୍ଥିତ ‘‘ବିଲଙ୍କା’’ ନାମକ ସ୍ଥାନକୁ ଆସିଲେ ଚକ୍ଷୁ କେତେ ଆଡ଼କୁ ଧାଇଁବ ? ଚତୁର୍ଦ୍ଦିଗରେ ଅନନ୍ତ ଶୋଭା ଭଣ୍ଡାର ଉନ୍ମୁକ୍ତ, କେଉଁଆଡ଼େ ଛାଡ଼ି କେଉଁଆଡ଼କୁ ଅନାଇବି ? ଏଣେ ପୁଣି ପୂର୍ବାକାଶ ପରିଶୋଭିତ କରି ପ୍ରଭାତସଞ୍ଚିତ ସ୍ତର ବିନ୍ୟସ୍ତ ଲୋହିତାଭ ମେଘରାଶି ପଶ୍ଚାତରୁ ଦିନମଣି ଉଠିଲେ । ଦୂରସ୍ଥିତ ଅଗ୍ନିଦାହବତ୍‌ ସେହି ମେଘମାଳା ପ୍ରଥମେ ଧୀରୋଜ୍ଜ୍ୱଳବର୍ଣ୍ଣ ଧାରଣ କଲା, କ୍ରମେ ଯେପରି ଆଭ୍ୟନ୍ତରୀଣ ଅଗ୍ନିପ୍ରଦାହରେ ସେହି ଭାବର ପରିବର୍ତ୍ତନ ହୋଇ ଘୋର ଆରକ୍ତ ହୋଇ ଉଠିଲ । କ୍ରମଶଃ ସେଥିରେ ଧୀରେ ଧୀରେ ସମୁଜ୍ଜ୍ୱଳ ସୁବର୍ଣ୍ଣରେଖା ବାହାରିଲା । ସେହି ରେଖା କ୍ରମେ କ୍ରମେ ଉଜ୍ଜ୍ୱଳ ଅଗ୍ନିବର୍ଣ୍ଣରେ ପରିବର୍ତ୍ତିତ ହୋଇ ସେହି ଜ୍ୟୋତିର୍ମୟ କିରଣରଶ୍ମି ଦୂରଦୂରାନ୍ତର ଆକାଶ ପ୍ରାନ୍ତରେ ବିଞ୍ଚି ହୋଇ ଯାଇ ସମସ୍ତ ଗଗନମଣ୍ଡଳକୁ ଏକାବେଳକେ ଉଜ୍ଜ୍ୱଳ କରି ଦେଲା ।

 

ଏକ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀର କ୍ଷୀଣ ରେଖା, ଅପର ପାର୍ଶ୍ୱରେ ମହାନଦୀର ଅଳ୍ପବିସ୍ତୃତ ରେଖା ସୁସ୍ପଷ୍ଟ ଦିଶୁଅଛି । ବ୍ରାହ୍ମଣୀ ନଦୀର ଅପରପାର୍ଶ୍ୱସ୍ଥିତ କେନ୍ଦୁଝର ସୀମାବ୍ୟାପି ଢେଙ୍କାନାଳ ରାଜ୍ୟର ଅଗଣିତ ଶୈଳ ଓ ଗିରିମାଳା, ଏତେ ଶ୍ୱେତ ସୈକତ ପୁଳିନବାହିନୀ ନୀଳସଲିଳା ମହାନଦୀର ଅପରପାର୍ଶ୍ୱରେ କଟକ ନଗରର ପରସ୍ପରସଂଲଗ୍ନ ବୃକ୍ଷରାଜି, ଏହି ବୃକ୍ଷରାଜି ମଧ୍ୟରୁ ‘ଯୋବରାଘଟ’ର ଉଚ୍ଚ ଧୂମନଃସରଣ ସ୍ତମ୍ଭ (chemeny) ସଗର୍ବରେ ଦଣ୍ଡାୟମାନ ଏବଂ ଗୋରାକବରର (cemetery) ଶୁକ୍ଳବର୍ଣ୍ଣ କାନ୍ଥଟି ନଦୀରେ ଧୋବାମାନେ ଲୁଗା ଶୁଖାଇଲା ପ୍ରାୟ ସ୍ପଷ୍ଟ ଦିଶୁଅଛି। ଅଦୂରେ ବିଡ଼ାନାସୀର ‘ଏକୁଟିଆ ଆମ୍ବଗଛ’ ସମ୍ପୂର୍ଣ୍ଣ ଅଲଗା ହୋଇ ଦିଶୁଅଛି । ବ୍ରାହ୍ମଣୀର ଅପର ପାର୍ଶ୍ୱସ୍ଥିତଦୂରବର୍ତ୍ତୀ ପର୍ବତଗାତ୍ରସ୍ଥିତ ସୌରକରୋଜ୍ଜ୍ୱଳ ଧୂସରବନଶ୍ରେଣୀର ସୌନ୍ଦର୍ଯ୍ୟ ଦେଖି ନିଜର ଅକିଞ୍ଚିତ୍‌କର ଜୀବନ ନିଜକୁ ରହସ୍ୟମୟ ବୋଧ ହେଉଥିଲା । ଅନ୍ୟ ଆଡ଼େ ଗାଢ଼-ନୀଳବର୍ଣ୍ଣ-ପ୍ରଭା ଭୀଷଣଦର୍ଶନ ସନ୍ତଶଯ୍ୟା ପର୍ବତ ଏବଂ ତଳେ ଅସଂଖ୍ୟ କ୍ଷୁଦ୍ର ଶୈଳମାଳା ମଧ୍ୟରୁ ଆଠଗଡ଼ ରାଜ୍ୟର ସର୍ବୋଚ ଶୈଳ ‘ଶଙ୍ଖପୋଇ’ ମସ୍ତକ ଉତ୍ତୋଳନ କରିଥିଲା ଏବଂ ସମସ୍ତଙ୍କର ଅନିର୍ବଚନୀୟ ଶୋଭାମୟ ଅଧିତ୍ୟକାଗୁଡ଼ିକ ରବିରଶ୍ମିରେ ଉଦ୍ଭାସିତ ହୋଇ ନୟନ ସାର୍ଥକ କରି ଦେଉଥିଲା !

 

ଖୁକୁଣ୍ଡିଆ ଲତାକୁଞ୍ଜରେ ଶିଶିରସିକ୍ତ କୁସୁମପୁଞ୍ଜ ପ୍ରସ୍ଫୁଟିତ ହୋଇ କେଡ଼େ କମନୀୟ ଦିଶୁଥାଏ । ଖୁକୁଣ୍ଡିଆ ଫୁଲର ଗଛ ଯେଉଁମାନେ ଦେଖି ନାହାନ୍ତି, ସେମାନଙ୍କ ନୟନ ଗୋଟିଏ ପ୍ରଧାନ ଦର୍ଶନୀୟ ବସ୍ତୁରୁ ବଞ୍ଚିତ । ସ୍ଥାନେ ସ୍ଥାନେ ଅତଣ୍ଡି ବୃକ୍ଷ-ଶାଖାସ୍ଥିତ ଧବଳିତ ପତ୍ରଗୁଚ୍ଛର ସୁଦୃଶ୍ୟସ୍ତବକ ହରିତ୍‌ ବନଭୂମିକୁ ଚିତ୍ରିତ କଲାଭଳି ବୋଧ ହେଉଥାଏ । ବୃକ୍ଷଶାଖାସ୍ଥିତ ବିହଙ୍ଗମକୁଳ ସବୁ ଦିଗରେ ହର୍ଷକୋଳାହଳ ଆରମ୍ଭ କରିଅଛନ୍ତି । ଏହି ଅମ୍ଳାନୋଜ୍ଜ୍ୱଳ ରବିକରପ୍ରଦୀପ୍ତ ମେଘ-କୁହେଳିକାଶୂନ୍ୟ ବସନ୍ତ-ପ୍ରଭାତରେ ସୁଦ୍ଧା ଧୀରସମୀର ଚାଳିତ ଜଳଭାରାକୀର୍ଣ୍ଣ ଦୁଇଖଣ୍ଡ ମେଘ ଶିଖରଦେଶର କିଞ୍ଚିତ୍‌ ନିମ୍ନରେ ଇତସ୍ତତଃ ବିଚରଣ କରି ବୁଲିଲା ।

 

ପ୍ରକୃତିଙ୍କ ଏହି ରମଣୀୟ ରାଜ୍ୟ ଦେଖୁଁ ଦେଖୁଁ ଗୋଟିଏ ଅପାର ସୌନ୍ଦର୍ଯ୍ୟ ସମୁଦ୍ରରେ ପ୍ରାଣ ବୁଡ଼ିଗଲା । ଅନନ୍ତ ନୀଳିମା କୋଳରେ ଶ୍ୟାମଳ ପରିଚ୍ଛେଦରେ ସୁସଜ୍ଜିତ ହୋଇ ପର୍ବତ ଉପରେ ପର୍ବତ, ଶିଖର ଉପରେ ଶିଖର ମସ୍ତକ ଉତ୍ତୋଳନ ପୂର୍ବକ କେତେ ସହସ୍ର ବର୍ଷ କେତେ ଯୁଗାନ୍ତଯୁଗାନ୍ତରରୁ ଦଣ୍ଡାୟମାନ ରହିଅଛି ! ନିଜ ନିଜର ସୁବିସ୍ତୃତ ଦେହରେ ମହାନ୍‌ ସୌନ୍ଦର୍ଯ୍ୟରାଶିର ଅନନ୍ତ ଭଣ୍ଡାର ମୁକ୍ତ କରିଦେଇ କେତେକାଳ ହେଲା ସୌନ୍ଦର୍ଯ୍ୟପିପାସୁ ପ୍ରକୃତିଙ୍କ ଉପାସକ ମାନବ ପ୍ରାଣକୁ ଉନ୍ମତ୍ତ କରି ଦେଉଅଛନ୍ତି ! ବିଶ୍ୱନିୟନ୍ତାର ଅପାର ମହିମାର ଏବଂ ଅସୀମ ଶକ୍ତିର ଅତ୍ୟୁଜ୍ଜ୍ୱଳ ନିଦର୍ଶନରୂପେ କେତେ ଲକ୍ଷ ଲକ୍ଷ ବର୍ଷ ହେଲା ଧରଣୀ-ବକ୍ଷରେ ବିରାଜିତ ହୋଇଅଛନ୍ତି ! ଏହି ଅପାର ସୌନ୍ଦର୍ଯ୍ୟସାଗରରେ ନିଜର ପିପାସା-କ୍ଳିଷ୍ଟ ପ୍ରାଣକୁ ବୁଡ଼ାଇଦେଇ ମୁଁ ଆଜି ଧନ୍ୟ ! ରମଣୀୟ ପ୍ରକୃତିର ଅମୃତସେଚନରେ ଅଭିଷିକ୍ତ ହୋଇ ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ହୃଦୟରେ ଆତ୍ମବିସ୍ମୃତ ହୋଇଗଲି !

 

ପ୍ରକୃତି ! ତୁମ୍ଭେ ଶାନ୍ତିର ଆଶ୍ରମ । ତୁମ୍ଭ କୋଳରେ ବସିଲେ ସଂସାର ତାପରେ ଉତ୍ତପ୍ତହୃଦୟ ନରନାରୀଙ୍କୁ ଶାନ୍ତିର ଶୀତଳ ଛାୟା ମିଳେ । ଯେତେବେଳେ ସଂସାରର ଶୁଷ୍କ ମରୁଭୂମିରେ ବିଚରଣ କରୁଁ କରୁଁ ସୁଖ-ମରୀଚିକା-ମାୟାରେ ପ୍ରତାରିତ ହୋଇ ଦୁର୍ବଳ ପ୍ରାଣ ନିରାଶାରେ ଅବସନ୍ନ ହୋଇଯାଏ, ସେତେବେଳେ ଏକାବେଳକେ ସମସ୍ତ ବିସ୍ତୃତ ହୋଇ ଯେବେ ତୁମ୍ଭ ଶୋଭା ମଧ୍ୟରେ ବସିପାରେଁ, ତାହା ହେଲେ ଯାତନାର ଶାନ୍ତି ହୁଏ, ତୁଚ୍ଛ ସଂସାରବିଷୟଗୁଡ଼ିକ କେଉଁଠାରେ ବୁଡ଼ିଯାଏ । ନିରାଶ୍ରୟର ଆଶ୍ରୟ-ଭୂମି ତୁମ୍ଭର କୋଳ । ଭଗ୍ନ ହୃଦୟକୁ ସାନ୍ତ୍ୱନା ପ୍ରଦାନରେ ତୁମ୍ଭ ଭଳି ଆଉ କାହାରି କ୍ଷମତା ନାହିଁ । ଜଗତର ଯେତେ ଶୁଷ୍ପ; ଦଗ୍ଧ ଏବଂ ହତାଶ ହୃଦୟ ରହିଅଛି, ତୁମ୍ଭେ ସମସ୍ତଙ୍କର ଶାନ୍ତିଦାୟିନୀ ଜନନୀ । ସେମାନଙ୍କ ପ୍ରାଣର ଭାବ ତୁମ୍ଭ ଭାବରେ ମିଶି ଯାଇଅଛି । ଯେଉଁ ମାନଙ୍କର ସଂସାରରେ କେହି ନାହାନ୍ତି ଯେ କାହାରି ନିକଟରୁ ସ୍ନେହର ଆଶା ରଖି ନାହାନ୍ତି ସେମାନଙ୍କୁ ତୁମ୍ଭେ ସମାଦର କରି କୋଳରେ ବସାଇ ଦିଅ । ତୁମ୍ଭେ ସ୍ନେହମୟୀ ଜଗଜ୍ଜନନୀଙ୍କ ପ୍ରଣିଧି ହୋଇ ସ୍ନେହ-ଭିକ୍ଷୁକକୁ କେତେବେଳେ ସ୍ନେହରୁ ବଞ୍ଚିତ କର ନାହିଁ । ସଂସାର ଯାହାକୁ ତଡ଼ିଦିଏ, ତାହାକୁ ତୁମ୍ଭର ସହାନୁଭୂତିରେ ତୁମ୍ଭେ ସର୍ବଦା ଜୀବିତ ରଖିଥାଅ-। ତୁମ୍ଭର ପ୍ରଶାନ୍ତ ଆଶ୍ରୟରେ ଆସି ପହଞ୍ଚିଅଛି । ମୋହର ଭଗ୍ନପ୍ରାଣରେ ତୁମ୍ଭର ମଧୁର ସହାନୁଭୂତିର କୋମଳ ହସ୍ତ ବୁଲାଇ ଦିଅ ।

 

ପ୍ରକୃତି ! ତୁମ୍ଭେ ଯେ ମଧୁର ପ୍ରାତଃକାଳରେ ଏତେ ସୁଧା ବିତରଣ କର, ଏତେ ସୌନ୍ଦର୍ଯ୍ୟର ଜାଲ ବିସ୍ତୃତ କରି ମାନବକୁ ଭଗବାନଙ୍କ ପ୍ରେମରେ ବୁଡ଼ାଇବାପାଇଁ ଏତେ ଚେଷ୍ଟା କରିଥାଅ-ଏହା ଜାଣି ନ ଥିଲି- ଜାଣିସୁଦ୍ଧା ଭଲ ବୁଝି ନ ଥିଲି ! ଏହି ମଳିନ ପୃଥିବୀରେ ପୁଣି ଏଭଳି ନିର୍ମଳ ସୁଖ ମିଳେ ? ତେବେ ମନୁଷ୍ୟ କାହିଁକି ଅସାର ଶାରୀରିକ ସୁଖ ସକାଶେ ଲାଳାୟିତ ହୋଇ ବୁଲୁଥାଏ ? ସୌନ୍ଦର୍ଯ୍ୟହିଁ ପ୍ରାଣର ସ୍ଫୂର୍ତ୍ତି ସିନା ? ଗଗନବିହାରୀ ପକ୍ଷୀ କିପରି ନବାଲୋକର ତରଳ ସ୍ରୋତରେ ଆନନ୍ଦରେ ଖେଳି ବୁଲେ ? ପବିତ୍ର ସୌନ୍ଦର୍ଯ୍ୟରେ ବୁଡ଼ି ରହିଲେହିଁ ଆତ୍ମାର ଉନ୍ନତି । ସୌନ୍ଦର୍ଯ୍ୟହିଁ ଆତ୍ମାର ଆହାର-ଏହି ବିଶ୍ୱସଂସାରରେ ସୌନ୍ଦର୍ଯ୍ୟର ଜୟ ସର୍ବତ୍ର । ସୌନ୍ଦର୍ଯ୍ୟରେ ଯେ ନିଜର ପ୍ରାଣକୁ ଛାଡ଼ି ଦେଇ ନାହିଁ, ତାହାର କୌଣସି ଆଡ଼େ ଉନ୍ନତି ନାହିଁ ।

 

ପ୍ରକୃତି ! ପ୍ରତିଦିନ ପ୍ରଭାତରେ ଦରବାର ଖୋଲି ତୁମ୍ଭେ ମନୁଷ୍ୟକୁ କେଡ଼େ ସୁନ୍ଦର ଶିକ୍ଷା ଦିଅ । ତୁମ୍ଭର ପବିତ୍ର ଶିକ୍ଷା ପ୍ରଭାବରୁ ସଂସାରାସକ୍ତ ହୃଦୟ ଉନ୍ନତ ରାଜ୍ୟରେ ବିଚରଣ କରେ । ତୁମ୍ଭ ଭଳି ସରଳ, ପବିତ୍ର, ସାଧୁଭାବର ଉଦୟ ଆଉ କେହିତ କରାଇଦେଇ ପାରେ ନାହିଁ । ପ୍ରେମମୟ ପରମେଶ୍ୱର ମନୁଷ୍ୟକୁ ସତ୍‌ମାର୍ଗରେ ଆଣିବା ନିମିତ୍ତ ତୁମ୍ଭଙ୍କୁ ଏପରିଭାବରେ ସଜାଇ ଅଛନ୍ତି ଯେ, ତୁମ୍ଭ ନିକଟକୁ ଆସିଲେ ହୃଦୟର ସୁପ୍ତ ସାଧୁଭାବ ସମୂହ ଜାଗିଉଠେ- ପବିତ୍ରତାର ହିଲ୍ଲୋଳରେ ଜୀବନ ନୃତ୍ୟ କରୁଥାଏ । ତୁମ୍ଭର ପ୍ରଭାତ ଉପଦେଶ କିଭଳି ଜୀବନ୍ତ । ଶତ ଗ୍ରନ୍ଥ ଅଧ୍ୟୟନ କଲେ ଯେଉଁ ଜ୍ଞାନ ହୁଏ ନାହିଁ, ନିବିଷ୍ଟ ଚିତ୍ତରେ ପ୍ରତ୍ୟହ ପ୍ରତ୍ୟୁଷରୁ ତୁମ୍ଭର ଶିକ୍ଷା ଗ୍ରହଣ କଲେ ଅଧିକ ଉପକାର ହୁଏ । ପୁସ୍ତକ-ପ୍ରଦତ୍ତ ଜ୍ଞାନ ପରୋକ୍ଷ,-ପ୍ରକୃତିଙ୍କ ନିକଟରୁ ସମସ୍ତ ଜ୍ଞାନ ପ୍ରତ୍ୟକ୍ଷ ଭାବରେ ଲାଭହୁଏ । ପ୍ରତ୍ୟକ୍ଷ ଜ୍ଞାନର ବଳ ଶତଗୁଣ ଅଧିକ । ଯେତେବେଳେ କୌଣସି ସତ୍ୟ ପ୍ରତ୍ୟକ୍ଷ ଭାବରେ ହୃଦୟକୁ ଆଘାତ କରେ, ସେତେବେଳେ ମନୁଷ୍ୟ ତାହାର ତେଜରେ ପୃଥିବୀକୁ ମୁଗ୍ଧକରେ । ପ୍ରତ୍ୟକ୍ଷ ସତ୍ୟ ଯେଉଁମାନେ ପାଇଅଛନ୍ତି, ସେହିମାନେ ଏହି ସଂସାରରେ ପ୍ରତିଭାଶାଳୀ ବୋଲି ବିଖ୍ୟାତ ।

 

ମୋହର ବଡ଼ ଉଚ୍ଛା-ମୋହ ଜୀବନରେ ଏହିଭଳି ପ୍ରଭାତ ଆସୁ । ହୃଦୟର ତମୋରାଶି ଦୂର ହୋଇ ଥରେ ଉଷାର ବିଦ୍ୟୁତ୍‌ ହାସ୍ୟ ଚମକିଉଠୁ । ଅଜ୍ଞାନ, ସଂଶୟ ଓ ବିଷାଦର ତିମିରଜାଲ ଭେଦ କରି ସତ୍ୟ ଓ ଆନନ୍ଦର ପ୍ରଭାତକିରଣ ପ୍ରକାଶିତ ହେଉ । ଆଉ ଥରେ ଶୈଶବର ସରଳ ଉତ୍ସାହରେ ଖେଳି ବୁଲିବାକୁ ବଡ଼ ଆଶା ହୁଏ । ଯେତେବେଳେ ପ୍ରଭାତ ଆସିଥିଲା, ହେଲାରେ ହରାଇଲି-ଏତେବେଳେ ମଧ୍ୟାହ୍ନରେ ପୁଣି ସେହି ପ୍ରଭାତ କାମନା କରୁଅଛି । ଆହା ! ମୋହର ଧର୍ମଜୀବନର କେବେ ପ୍ରଭାତ ହେବ ? ବାଟ ଚାଲୁଁ ଚାଲୁଁ କ୍ରମାଗତ ଅନ୍ଧକାରରେ ବୁଡ଼ି ଯାଉଅଛି-କେବେ ଏହି ଅନ୍ଧକାର ଦୂରହେବ ? ଯେ ଅନ୍ଧକାରରେ ବୁଡ଼ି ରହିଅଛି, ତାହା ଏତେ ଅଭ୍ୟସ୍ତ ଯେ ଆଲୋକ ଦେଖିବାର ଆଉ ଉପାୟ ନାହିଁ- ସାମର୍ଥ୍ୟ ମଧ୍ୟ ନାହିଁ । ଆଲୋକ ନ ପାଇଲେ ଏହି ଜଡ଼ତା କିପରି ଘୁଞ୍ଚିବ ?

 

ଆଲୋକ ସହିତ ଜୀବନ ଏବଂ କାର୍ଯ୍ୟର ସମ୍ବନ୍ଧ,-ଅନ୍ଧକାର ମୃତ୍ୟୁ ଏବଂ ବିଶ୍ରାମର ଚିହ୍ନ-। ସମସ୍ତ ରାତ୍ରିର ଅନ୍ଧକାର ଉତ୍ତାରୁ ଯେବେ ନବରବିଙ୍କ ପ୍ରାଣପୂର୍ଣ୍ଣ ଜ୍ୟୋତି ପ୍ରକାଶିତ ନ ହୁଅନ୍ତା, ତାହାହେଲେ ନିଦ୍ରିତ ପ୍ରାଣିଜଗତ୍‌ ନିଶାନ୍ତର ନବତେଜରେ ଜାଗି ଉଠନ୍ତା କି ? ଆଲୋକ ଜାଗ୍ରତ ଜୀବନର ଦୂତସ୍ୱରୂପ । ସୂର୍ଯ୍ୟ ଯେପରି ସୌରଜଗତର ପ୍ରାଣସ୍ୱରୂପ-ସୂର୍ଯ୍ୟ ନ ଥିଲେ ଯେପରି ଜୀବନ ଜୀବନଧାରଣ ଅସମ୍ଭବ,-ପ୍ରାଣିଜଗତରେ ସେହିପରି ଅନନ୍ତ କୋଟି ପ୍ରଭାକର ଅପେକ୍ଷା ଅନନ୍ତ ଗୁଣ ତେଜଃଶାଳୀ ବିଶ୍ୱପତି ପ୍ରାଣର ପ୍ରାଣସ୍ୱରୂପ ହୋଇ ରହିଅଛନ୍ତି । ସୂର୍ଯ୍ୟ ଯେପରି ସ୍ୱତଃ ପରତଃ ଏହି ଜଗତରେ ଗତି, ଶକ୍ତି ଏବଂ ସ୍ଥିତି ଉତ୍ପନ୍ନ କରୁଅଛନ୍ତି, ପରମେଶ୍ୱର ସାକ୍ଷାତ୍‌ଭାବରେ ସେହିପରି ଆତ୍ମାର ସ୍ଥିତି, ଶକ୍ତି ଏବଂ ଉନ୍ନତିର କାରଣ ଏବଂ ଆଶ୍ରୟରୂପେ ବିଦ୍ୟମାନ । ତାହାଙ୍କ ସତ୍ତାରେହିଁ ଜୀବାତ୍ମା ଅନୁପ୍ରାଣିତ । ଏହି ଅନ୍ତରତମ ସମ୍ବନ୍ଧ ଭଲକରି ଉପଲବ୍ଧି କଲେ ଧର୍ମଜୀବନର ପ୍ରଭାତ ହୁଏ ।

 

ମାନବଜୀବନ ସହିତ ଗୋଟିଏ ଦିବସର ଅନେକ ସାଦୃଶ୍ୟ । ଜନ୍ନ-ଉଷା, ଶୈଶବ- ପ୍ରାତଃକାଳ, ଯୌବନ-ମଧ୍ୟାହ୍ନ, ପ୍ରୌଢ଼ାବସ୍ଥା-ଅପରାହ୍ନ, ବାର୍ଦ୍ଧକ୍ୟ- ସନ୍ଧ୍ୟା ଏବଂ ମୃତ୍ୟୁ-ରାତ୍ରି ଏଗୁଡ଼ିକ ଯେପରି ଏକ ତନ୍ତ୍ରୀରେ ବନ୍ଧା,-ଗୋଟିଏ ମନେ ହେଲେ ଅପରର ଛାୟା ଆସି ସମ୍ମୁଖରେ ଦଣ୍ତାୟମାନ ହୁଏ । ଦିବସର ଆରମ୍ଭ ରାତ୍ରିର ଅବସାନରେ,-ପ୍ରକାଶର ପୂର୍ବାବସ୍ଥା ଗାଢ଼ ତିମିରରେ ଆବୃତ,-ଶିଶୁର ଜନ୍ମ ପୂର୍ବରୁ କଣ ଗୋଟିଏ ରହସ୍ୟମୟ ପ୍ରହେଳିକା ଆମ୍ଭମାନଙ୍କ ସମସ୍ତ ଜ୍ଞାନ ଘୋଡ଼ାଇ ରଖିଅଛି । କେଉଁଠାରୁ ଏହି ଆଶ୍ଚର୍ଯ୍ୟ ଜୀବନ ଆସେ-ଅବଶେଷରେ କେଉଁଠାକୁ ଚାଲିଯାଏ, ଏପର୍ଯ୍ୟନ୍ତ କୌଣସି ମନୁଷ୍ୟବୁଦ୍ଧିକୁ ଆସିଲା ନାହିଁ ! ଶୀତକାଳର ପ୍ରତ୍ୟୁଷରେ ଯେତେବେଳେ ଆମ୍ଭେମାନେ ଭ୍ରମଣରେ ବହିର୍ଗତ ହେଉଁ, ସେତେବେଳେ ଚତୁର୍ଦ୍ଦିଗ କୁହେଳୀରେ ଆଚ୍ଛନ୍ନ ଥିବା ପ୍ରଯୁକ୍ତ ଯେତେ ବାଟ ଚାଲୁଁ, ସେତିକି ଦେଖୁଥାଉଁ,-ଅଗ୍ରପଶ୍ଚାତ୍‌ରେ କିଛିହିଁ ଦୃଷ୍ଟିଗୋଚର ହୁଏ ନାହିଁ- ସେହିପରି ଏହି ଅସୀମ ରହସ୍ୟମୟ ସଂସାରରେ ମନୁଷ୍ୟ ଚତୁର୍ଦ୍ଦିଗରେ ଅଭେଦ୍ୟ ଅନ୍ଧକାର ଦେଖେ, ଜୀବନର ବର୍ତ୍ତମାନ ମୁହୂର୍ତ୍ତ ଅତିକ୍ରମ କଲେ କିଛିହିଁ ତାହାର ସୀମାବଦ୍ଧ ଦୃଷ୍ଟିର ଅଧିକାରକୁ ଆସେ ନାହିଁ,-ଅତୀତ କୁହୁଡ଼ିରେ ବୁଡ଼ିଯାଏ,-ଭବିଷ୍ୟତ୍‌ ଆହୁରି ଅନ୍ଧକାର ରାଜ୍ୟରେ ଅବସ୍ଥିତି କରେ । ଯେଉଁ ପରିମାଣ ଚାଲୁଅଛୁଁ, ସେହି ଅଳ୍ପ ପଥରେହିଁ ଆଲୋକ, ଯାହା ଛାଡ଼ି ଆସିଲୁଁ, ତାହା ଉପରେ ଅସ୍ପଷ୍ଟ ତିମିରର ଆବରଣ ପଡ଼ିଯାଏ- କେବଳ ସ୍ମୃତିରେ ତାହାର ଚିହ୍ନ ରହିଯାଏ ।

 

ଦିବସର ପ୍ରାରମ୍ଭ ପ୍ରାୟ, ଶୈଶବାବସ୍ଥା କମନୀୟ, କୋମଳ ଏବଂ ମଧୁର । ଶୈଶବର ସରଳତା, ପୁଷ୍ପ ପ୍ରାୟ ପବିତ୍ରତା ପ୍ରଭାତକୁ ସ୍ମରଣ କରାଇଦିଏ । ପ୍ରତ୍ୟହ ପ୍ରକୃତିରାଜ୍ୟରେ ଯାହା ଅଭିନୀତ ହୁଏ,-ଏ ସଂସାରର ବିସ୍ତୃତ ନାଟ୍ୟଶାଳାରେହିଁ ନିୟତ ତାହାର ପ୍ରତ୍ୟଭିନୟ ହେଉଅଛି । ଫୁଲ ଫୁଟିଲେ ତାହା ଯେପରି ସ୍ୱତଃ ନୟନାନନ୍ଦକର ହୁଏ, ପରିବାର ମଧ୍ୟରେ ଶିଶୁର ଜନ୍ମ ସେହିପରି ସ୍ୱଭାବତଃ ସମସ୍ତଙ୍କର ଆନନ୍ଦବର୍ଦ୍ଧକ । ମଧୁର ପ୍ରାତଃକାଳର ଶୋଭାରାଶି ମଧ୍ୟରେ ଯେ ନିଜର ମନଃପ୍ରାଣକୁ ପବିତ୍ରତାରସରେ ବୁଡ଼ାଇଅଛନ୍ତି, ସେ ଶୈଶବର ସରଳତା ଓ ପବିତ୍ରତା ମଧ୍ୟରେ ପବିତ୍ରସ୍ୱରୂପ ପରମେଶ୍ୱରଙ୍କୁ ଉପଲବ୍ଧି କରି ପାରିବେ । ଉଭୟର ସନ୍ଦର୍ଶନରେ ହୃଦୟର ଗତି ସେହି ସୃଷ୍ଟିକର୍ତ୍ତାଙ୍କ ଆଡ଼କୁ ଚାଳିତ ହୁଏ । ପ୍ରଭାତ ଓ ଶୈଶବରେ ମାଧୁର୍ଯ୍ୟହିଁ ପ୍ରବଳ; କିନ୍ତୁ ଯେତେବେଳେ ଦିନ ବଢ଼ୁଁ ବଢ଼ୁଁ ମଧ୍ୟାହ୍ନ ଆସି ପହଞ୍ଚେ, ସେତେବେଳେ ପୂର୍ବ ଭାବ ତିରୋହିତ ହୋଇ ଓଜସ୍ୱିତାର ପ୍ରାଦୁର୍ଭାବ ହୁଏ । ଆଉ ସେ ଉଷାର ପବିତ୍ର, ମଧୁର ଜ୍ୟୋତିଃ ଦୃଷ୍ଟିଗୋଚର ହୁଏ ନାହିଁ,-ତାହା ପରିବର୍ତ୍ତରେ ଗାମ୍ଭୀର୍ଯ୍ୟ ଏବଂ ତେଜଃପୂର୍ଣ୍ଣ ମଧ୍ୟାହ୍ନର ସୂର୍ଯ୍ୟ ପ୍ରବଳପ୍ରତାପରେ ରାଜତ୍ୱ କରୁଅଛନ୍ତି । ଶୈଶବର ସେହି ଅକପଟ ମନୋହର ହାସ୍ୟର ସୌନ୍ଦର୍ଯ୍ୟ ଏତେବେଳେ ଲିଭି ଯାଇଅଛି,–ଚିନ୍ତାଶୀଳ ଗମ୍ଭୀର, କୁଟିଳ ଏବଂ ତେଜସ୍ୱୀ ଯୌବନ ପ୍ରଖର ପ୍ରଭାରେ ବର୍ତ୍ତମାନ ଉଦୀୟମାନ । ଅପରାହ୍ଣରେ ରୌଦ୍ର ଅବସାନ ହୁଏ,–ପ୍ରୌଢ଼ାବସ୍ଥାରେ ଯୌବନର ଚାଞ୍ଚଲ୍ୟ ଚାଲିଯାଏ । ସେତେବେଳେ ସ୍ଥିର ବୁଦ୍ଧି ଏବଂ ପରିଦର୍ଶନ ଶକ୍ତି ମାନବ ଅନ୍ତରରେ ପ୍ରବଳ ହୁଏ । ଅବସନ୍ନ ରୌଦ୍ରର ଶୟାନ ଛାୟାନ୍ୟାୟ ଉଦ୍ୟମ ଓ ଉତ୍ସାହ ପଡ଼ିଯାଏ, ଆଳସ୍ୟ, ବିଶ୍ରାମ ଏବଂ ଶାନ୍ତିପୂର୍ଣ୍ଣ ନୀରବତାରେ ଜୀବନ ଅତିବାହିତ ହେଉଥାଏ । ସନ୍ଧ୍ୟାର ମଳିନ ଛାୟା କ୍ରମଶଃ ଦିବସକୁ ଗ୍ରାସ କରି ପକାଏ, ପ୍ରବୀଣ ବାର୍ଦ୍ଧକ୍ୟ ଅବଶେଷରେ ମାନବକୁ ଆୟତ୍ତ କରେ । ସମସ୍ତ ଜୀବନସଞ୍ଚିତ ସଂସାରର କଳୁଷରାଶିର ମଳିନତା ସନ୍ଧ୍ୟାର ଅନ୍ଧକାର ପ୍ରାୟ ପ୍ରତୀୟମାନ ହୁଏ । ଆଲୋକ ଳିଭି ଯାଉଅଛି; ଅନ୍ଧକାର ଦିଗ ଅଧିକାର କରି ପକାଉଅଛି । ଜୀବନ ଅସ୍ତ ଆଡ଼କୁ ଯାଉଅଛି, ମୃତ୍ୟୁର ରାଜ୍ୟ ଧୀରେ ଧୀରେ ଅଗ୍ରସର ହେଉଅଛି । ଗଭୀର ନୈଶ ତିମିର ତୁଲ୍ୟ ମୃତ୍ୟୁର କରାଳ ଛାୟା ଅବଶେଷରେ ସମସ୍ତ ଆବୃତ କରି ପକାଇଲା ।

 

‘‘ଝର-ଉପବୀତଧାରୀ କପର୍ଦିସେବିତ’’ କପିଳାସ । ନୀଳକାଚପ୍ରତିମା ସ୍ୱଚ୍ଛ ସଫେନ ଜଳପ୍ରବାହରେ ଅସଂଖ୍ୟ ଜୀବକୁଳକୁ ସ୍ନିଗ୍ଧ କରି ବସନ୍ତସମୀରଣ-ସଂସ୍ପର୍ଶ-ଚଞ୍ଚଳା କୁସୁମକୁନ୍ତଳା ବନଲତାରେ ଭୂଷିତ ହୋଇ ଏବଂ ବିହଙ୍ଗକୁଳର କମନୀୟ କଣ୍ଠନିଃସୃତ ସ୍ୱରଲହରୀ ସର୍ବଦା ଘେନି ଛିଡ଼ା ହୋଇଥାଅ । ତୁମ୍ଭର ଶ୍ୟାମଳପଲ୍ଲବ-ଦଳଶାଳୀ ସମୁନ୍ନତଶୀର୍ଷ ବୃକ୍ଷରାଜିରୁ ରବିକର-ସମୁଜ୍ଜ୍ୱଳ ଯୌବନ-ସ୍ୱପ୍ନ-ମଗ୍ନ ପ୍ରସ୍ଫୁଟିତ ପୁଷ୍ପରାଷି ଘେନି ବ୍ରହ୍ମାଣ୍ତନାଥଙ୍କ ପୂଜାରେ ନୀରବରେ ଅର୍ପଣ କରୁଥାଅ ! ବଣର ମାଳତୀ ଫୁଲ ବଣେ ଫୁଟି ଝଡ଼ିଲା’’ ଏହା କହି ଦୁଃଖିତ ହେବାର କାରଣ ନାହିଁ; କାରଣ ଏହି ପୁଷ୍ପରାଶି ତୁମ୍ଭେ କାହା ଉଦ୍ଦେଶ୍ୟରେ ଉପହାର ଦେଉଅଛ, ତୁମ୍ଭେ ଭଲ କରି ଜାଣ । ମୋହର ଅନୁମାନ ବ୍ୟର୍ଥ, ଚିନ୍ତା ପରାସ୍ତ ଏବଂ ସିଦ୍ଧାନ୍ତ ଉପେକ୍ଷିତ ।

Image

 

ଚକ୍ରଶୈଳରେ ପ୍ରଭାତ

 

ତାଳଚେର ରାଜ୍ୟସ୍ଥିତ ସମଲ ଗ୍ରାମ ନିକଟସ୍ଥ ବନଭୂମି ବିଜନ ହିଂସ୍ରଜନ୍ତୁପୂର୍ଣ୍ଣ ଓ ଭୟଙ୍କର, କିନ୍ତୁ ତହିଁରେ ସ୍ୱଭାବର ଅତୁଳନୀୟ ଶୋଭା ସମ୍ପତ୍ତି ବିଦ୍ୟାମାନ । ନବୀନ ମେଘ ସଦୃଶ ସୁନ୍ଦର ଆକାଶସ୍ପର୍ଶୀ, ନୀଳିମା, ବୃକ୍ଷବଲ୍ଲରୀନିଚୟର ଶ୍ୟାମଳ ଶୋଭା, ବିହଙ୍ଗମଗଣର ସୃସ୍ୱରଲହରୀ ଏବଂ କେଉଁଠାରେ ମଧୁରଝଙ୍କାରିଣୀ ନିର୍ଝରିଣୀସମୂହର ଝର୍ଝରନିନାଦମୁଖରିତ ଗିରିକନ୍ଦର ପ୍ରଭୃତି ଏହି ବନଭୂମିକୁ ଅନନ୍ତ ସୌନ୍ଦର୍ଯ୍ୟରେ ସୁସଜ୍ଜିତ କରି ରଖିଅଛି ।

 

ଏହି ବନଭୂମି ମଧ୍ୟରେ ପ୍ରାୟ ଏକଶତ ଫୁଟ ଉଚ୍ଚ ଖଣ୍ତିଏ ପ୍ରକାଣ୍ତ ପ୍ରସ୍ତର, ଏହି ପ୍ରସ୍ତରର ନାମ ଚକ୍ରଶୈଳ । ରଣପୁର ରାଜ୍ୟସ୍ଥିତ ଗଉଣିଆ ପର୍ବତର ଅଗ୍ରଭାଗରେ ଥିବା ପ୍ରକାଣ୍ତ ‘‘ଗଉଣି’’ ପ୍ରାୟ ପ୍ରସ୍ତରଖଣ୍ତ କିମ୍ବା ମୟୂରଭଞ୍ଜ ଅନ୍ତର୍ଗତ କପ୍ତିପଦା ‘‘ଶମୀବୃକ୍ଷ’’ ନାମକ ବିଶାଳ ଉପଳଖଣ୍ତ ପରି ଏହା ବୃହତ୍‌ ନ ହେଲେ ମଧ୍ୟ ବନବେଷ୍ଟିତ କ୍ଷୁଦ୍ର ଦୁର୍ଗ ପ୍ରାୟ ଚକ୍ରଶୈଳର ଅଧିଷ୍ଠାନ ଏବଂ ଏହି ଚକ୍ରଶୈଳ ତାଳୁରେ କର୍ମୀ ତାଳଚେରାଧୀଶ ଶ୍ରୀ କିଶୋରଚନ୍ଦ୍ରଙ୍କ ନିର୍ମିତ ଗୋଟିଏ କ୍ଷୁଦ୍ର ବଙ୍ଗଳା ବିଦ୍ୟମାନ । ଏହି ବଙ୍ଗଳାରେ ଅବସ୍ଥାନଲାଭର ସୁବିଧା ପାଇ ମୁଁ କୃତାର୍ଥ ହୋଇଥିଲି ।

 

ନୀରବରେ ମୁମୂର୍ଷୁ ନୈଶ ଅନ୍ଧକାର ଅପସୃତ ହେଲାଣି । ନିଦ୍ରିତ ବିଶ୍ୱକୁ ଅଳ୍ପେ ଅଳ୍ପେ ଉଠାଉଅଛି କିଏ ? କେଉଁ ଶକ୍ତି ବଳରେ ମୃତକଳ୍ପ ଜଗତର ଚେତନା ସଞ୍ଚାରିତ ହେଉଅଛି ? ପ୍ରଭାତ ! ତୁମ୍ଭର ନବୀନ ଆଲୋକଚ୍ଛଟାର ପ୍ରତ୍ୟେକ କିରଣରେ ଗୋଟିଏ କିପରି ଜୀବନ୍ତ ଉତ୍ସାହ ମିଶ୍ରିତ ଥାଏ- ଯାହାର ଶରୀର ସ୍ପର୍ଶ କରେ, ତାହାକୁ ଏକାବେଳକେ ଜାଗ୍ରତ କରିଦିଏ ମଧୁର ବିମଳ ହାସ୍ୟ ଶୋଇ ପଡ଼ିଥିଲା-ଉଷାର ସ୍ଥରଭି ଅନିଳ ସ୍ପର୍ଶରେ ପୁନଶ୍ଚ ଚେଇଁ ଉଠିଲାଣି । ଆକାଶ, ବୃକ୍ଷ, ଲତା, ଫଳ, ଫୁଲ, ଜଳ, ପ୍ରାନ୍ତର ପ୍ରକୃତିରେ ଅର୍ଦ୍ଧବିକଶିତ ଲଳିତ ହାସ୍ୟ ଫୁଟି ଉଠିଲାଣି । ଚତୁର୍ଦ୍ଦିଗରେ ନୂତନ ଜୀବନ ନବପ୍ରସୂତ ଶିଶୁକୁସୁମ ଭଳି ହସି ଖେଳି କ୍ରୀଡ଼ା କରୁଅଛି ! ଏ ପବିତ୍ର ପ୍ରଶାନ୍ତ କାଳରେ ପ୍ରକୃତି, ତୁମ୍ଭର ନିଭୃତ ଆଶ୍ରମରେ ମୁଁ ନବୋତ୍ସାହର ବିମଳାନନ୍ଦ ଉପଭୋଗ କରୁଅଛି ।

 

ଗଗନୋପାନ୍ତନିମଗ୍ନ-ସୂର୍ଯ୍ୟରଶ୍ମି ପ୍ରତିଭାତ ମୁଦ୍ରିତା ଉଷାର ସୁମଧୁର, ସୁଶୀତଳ ଓ ସୁସ୍ନିଗ୍ଧ ରୂପ କ୍ରମଶଃ ଫୁଟି ଉଠୁଅଛି । ପ୍ରାଚୀ-ଲଲାଟରେ ଉଷାର ହିରଣ୍ମୟ ମୁକୁଟ ଉଜ୍ଜ୍ୱଳ ହୋଇ ଉଠିଲାଣି । ସର୍ବଜନ ମନୋହାରିଣୀ ଉଷାଙ୍କର ହୃଦୟଶୋଷକ ପତତ୍ରୀକୁଳର କଳନାଦରେ ଚତୁର୍ଦ୍ଦିଗର ବନଭୂମି ପୂର୍ଣ୍ଣ ହୋଇ ସମ୍ମିଳିତ-ତାନରେ ଗିରିକନ୍ଦରସମୂହ ପ୍ରତିଧ୍ୱନିତ ହେଉଅଛି ।

 

ପ୍ରତ୍ୟୁଷରୁ ଆଳସ୍ୟର ଗହ୍ୱର ଛାଡ଼ି ସଂସାର ପ୍ରଲୋଭନକୁ ଅତିକ୍ରମ କରି ଏଠାରେ ବସିଅଛି ! ଏହି ପ୍ରଭାତରେ ପ୍ରକୃତି, ତୁମ୍ଭର କି ଆନନ୍ଦ-ଆଶ୍ରମ ଖୋଲିଅଛ ! କେତେ ସୁକଣ୍ଠ ବିହଙ୍ଗମ ସୁଲଳିତ ତାନରେ ଗୀତ ଗାନ କରି ବିଶ୍ୱଦେବଙ୍କ ସ୍ତୁତିପାଠରେ ନିମଗ୍ନ ! ସେମାନଙ୍କ କ୍ଷୁଦ୍ର ହୃଦୟର ଆନନ୍ଦ ଏହି ନବୋଦିତ ତରୁଣ ଅରୁଣର କନକକିରଣରେ ଉଛୁଳି ପଡ଼ିଅଛି ! ସ୍ୱର-ଲହଦୀ ଆଲୋକ-ଲହରୀକୁ ଆଲିଙ୍ଗନ କରୁଅଛି ! କେତେ ସୁନ୍ଦର ସୁନ୍ଦର ପୁଷ୍ପସମୂହ ପ୍ରଭାତର ସୁଧାପୂର୍ଣ୍ଣ ଆହ୍ୱାନରେ ହସି ପକାଉଅଛନ୍ତି-ସେମାନଙ୍କର ସୌରଭ ଘେନି ସୁମନ୍ଦ ଗନ୍ଧବହ ଚାରିଆଡ଼େ ଆନନ୍ଦ ବିତରଣ କରୁଅଛି ! ରବିକର-ସ୍ପର୍ଶ ସେମାନଙ୍କ ସୁକୋମଳ ସୁଷମା ଘେନି କ୍ରୀଡ଼ା କରୁଅଛି ଏବଂ ତରଳ ଆନନ୍ଦ ଢାଳି ଦେଉଅଛି ! କି ଆନନ୍ଦର ମେଳା ! ସମସ୍ତେ କିପରି ଆନନ୍ଦରେ କେତେ କଥା କହି ପକାଉଅଛନ୍ତି !

 

ଅଳ୍ପ ଦୂରରେ ‘‘ଚକ୍ରବାକିନୀ ବ୍ରାହ୍ମଣୀ ’’ ନଦୀ ତଟଦେଶରେ ବାରୁଆଁ ପର୍ବତର ନୀଳ-କୃଷ୍ଣ ଦୁର୍ଲଂଘ୍ୟ ପ୍ରାଚୀର ଏବଂ ବିସ୍ତୃତ ଆମ୍ରକାନଭୂଷିତ ହୋଇ ନିଜ ଗନ୍ତବ୍ୟପଥରେ ଚାଲିଅଛି । ସହସ୍ର ସହସ୍ର ତାଳଗଛ ନଦୀକୂଳାସ୍ଥିତ ଗ୍ରାମ ଏବଂ ପ୍ରାନ୍ତରସମୂହରେ ପୂର୍ଣ୍ଣ । ଉତ୍କଳର ଗଡ଼ଜାତ ସମୂହ ମଧ୍ୟରେ ତାଳଚେର ରାଜ୍ୟ ନିଜ ନାମ ଏହିରୂପେ ସାର୍ଥକ କରିଅଛି ।

 

ବାରୁଆଁ ପର୍ବତର ତାଳୁରେ ବଙ୍ଗଳାର ଚାଳ କ୍ଷୁଦ୍ର ଗୁଳ୍ମ ମଧ୍ୟରୁ ଅନାଇ ରହିଅଛି । ସମୟ ସମୟରେ ମନୁଷ୍ୟର ଅବସ୍ଥାନ ଏଥିରେ ହେଲେ ମଧ୍ୟ ପ୍ରକୃତି-ପ୍ରାଣିମାନଙ୍କର ଏହି ବଙ୍ଗଳାଟି ସଦା ବିହାରସ୍ଥଳୀ-ଭଲ୍ଲୁକ ଏବଂ ବ୍ୟାଘ୍ରଶାବକଙ୍କ ସୂତିକାଗୃହରୂପରେ ଏହା ସମୟ ସମୟରେ ପରିଣତ ହୋଇଥାଏ । ବାରୁଆଁ ପର୍ବତର ଅପର ପାର୍ଶରେ ଆକାଶସ୍ପର୍ଶୀ ମାଲ୍ୟଗିରିର ଅସ୍ପଷ୍ଟ ନୀଳିମା ରୁଦ୍ରସୁନ୍ଦର ଭାବର ପରିଚୟ ପ୍ରଦାନ କରୁଅଛି, ଅନ୍ୟ ଆଡ଼େ ତାଳଚେର ରାଜ୍ୟର ‘‘କହ୍ନେଇ-ଜେନା’’ ପର୍ବତଶ୍ରେଣୀର ଅବର୍ଣ୍ଣନୀୟ ଲାବଣ୍ୟରାଶିରେ ହୃଦୟ ପୂର୍ଣ୍ଣ ହୋଇଯାଏ । ଏହି କହ୍ନେଇଜେନାର କନ୍ଦରସମୂହ ନାନାବିଧ ବନ୍ୟପଶୁର ଅବିରାମ ବିହାରସ୍ଥଳୀ-ଫଳତଃ ପ୍ରକୃତିର ପ୍ରାଣିବାଟିକା (Zoo) କହିଲେ ଅତ୍ୱୁକ୍ତି ହେବ ନାହିଁ । ବ୍ୟାଘ୍ରର ଗର୍ଜନ, ଭଲ୍ଲୁକର ନାସିକାଧ୍ୱନି, ହରିଣ ଏବଂ ଶମ୍ବରଗୁଡ଼ିକର କୁହାଟ ପ୍ରଭୃତି ଏହି ଚକ୍ରଶୈଳ ଉପରୁ ସୁସ୍ପଷ୍ଟ ଅନୁଭୂତ ହେଉଥାଏ । ଚତୁର୍ଦ୍ଦିଗର କିଶଳୟ ଏବଂ କୁସୁମସୁଶୋଭିତ ନାନାବିଧ ପାଦପସମୂହ ବସନ୍ତ-ଲକ୍ଷ୍ମୀଙ୍କ ସୌଭାଗ୍ୟ ବିସ୍ତାର କରୁଅଛନ୍ତି । ଚକ୍ରଶୈଳ ଶ୍ୟାମାୟମାନ ସ୍ପୃହଣୀୟ କାନନରେ ବେଷ୍ଟିତ ହୋଇ ଲୋଭନୀୟ ଫଳପୁଷ୍ପଶାଳୀ ଓ ମଧୁର କୁହୁରବସମ୍ପନ୍ନ ବନସ୍ପତିବିଭୂଷିତ । ଏଠାରୁ ବ୍ରାହ୍ମୀ ନଦୀର ହିଲ୍ଲୋଳକଲ୍ଲୋଳ ଶ୍ରବଣତୃପ୍ତିକର ଏବଂ ଦୂରସ୍ଥିତ ଗ୍ରାମ୍ୟ କୁଟିରସମୂହ ନୟନାନନ୍ଦକର ।

 

କ୍ଷୁଦ୍ର ଏବଂ ସାମାନ୍ୟ ପଦାର୍ଥରୁ ଉଚ୍ଚ ଏବଂ ମହତ୍‌ ଭାବ ଗ୍ରହଣ କରିବା ସମସ୍ତଙ୍କୁ ଆସେ ନାହିଁ-ସେହି ତୀକ୍ଷ୍ଣ ଅତୀନ୍ଦ୍ରିୟ ବୋଧଶକ୍ତି-ମାନବ ମଣ୍ତଳୀରେ ସୁଲଭ ନୁହେ । ଯେଉଁଠାରେ ସାଧାରଣ ମନୁଷ୍ୟ ଅନ୍ଧ, ସେହିଠାରେ କବିଙ୍କର ସର୍ବୋତୋଭଦ୍ର ଅଧିକାର । କିନ୍ତୁ ପ୍ରକୃତି ମଧ୍ୟରେ ଯାହା ବିଶାଳ ଓ ପ୍ରକାଣ୍ତ ତାହା ସହିତ ପ୍ରତ୍ୟେକ ମାନବ ହୃଦୟର ନିତ୍ୟସମ୍ବନ୍ଧ ସର୍ବଥା ଅନୁଭୂତ ହୁଏ । ଆମ୍ଭମାନଙ୍କ ଦୃଷ୍ଟିଶକ୍ତି ଯେଉଁଠାରେ ଧାଇଁ ଧାଇଁ ଅବଶେଷରେ କ୍ଳାନ୍ତ ଏବଂ ପରାସ୍ତ ହୋଇଯାଏ, ସେଠାରେ ଆମ୍ଭେମାନେ ବିସ୍ମୟରେ ନିମଗ୍ନ ହେବାକୁ ଆଉ ଆପତ୍ତି କରୁ ନାହିଁ । ଦିଗନ୍ତପ୍ରସାରିତ ସମୁଦ୍ର ଏବଂ ଅଭ୍ରଭେଦୀ ଗିରିଶିଖର ଦର୍ଶକମାନଙ୍କର ଇନ୍ଦ୍ରିୟ-ବୋଧକୁ ସ୍ତମ୍ଭିତ ଏବଂ କମ୍ପିତ କରିଦିଏ । ବିସ୍ତାର ଏବଂ ଉଚ୍ଚତାର ପରିମାଣ ଉପରେ ପ୍ରାକୃତିକ ଦୃଶ୍ୟର ଗାମ୍ଭୀର୍ଯ୍ୟ ଓ ମହତ୍ତ୍ୱ ନିର୍ଭର କରେ । ଉର୍ଦ୍ଧ୍ୱରେ ଆମ୍ଭେମାନେ ଚକ୍ଷୁ ଚାଳନା କରି ଦେଖୁଁ, ମେଘ ସ୍ପର୍ଶ କରିବାର କୌଣସି ସୌଧଚୂଡ଼ ଆଜି ପର୍ଯ୍ୟନ୍ତ ନରଶିଳ୍ପର ସାଧ୍ୟାୟତ୍ତ ହୋଇ ନାହିଁ । କିନ୍ତୁ ପ୍ରକୃତି-ରାଜ୍ୟର ଶତ ଶତ ସ୍ଥାନ ମେଘରାଶି ଅତିକ୍ରମ କରି ଉଠିଅଛି । ଏଭଳି କେତେ ଅତ୍ୟୁଚ୍ଚ ପର୍ବତଶୃଙ୍ଗ ଧରାପୃଷ୍ଠରେ ବିଦ୍ୟାମାନ, ଯେଉଁଠାକୁ ଉଠିବାକୁ ଗଲେ ମନୁଷ୍ୟର ଶ୍ୱାସ ପ୍ରଶ୍ୱାସ କଷ୍ଟକର ହୁଏ ଏବଂ ଯାହାର ଶେଷସୀମା ଆରୋହଣ ଅସାଧ୍ୟ ଏବଂ ଯେଉଁ ଠାରେ ଚିର-ହିମାନୀ ବିରାଜିତ । ଏହିଭଳି ପର୍ବତପାଦଦେଶରେ ଦଣ୍ତାୟମାନ ହୋଇ ବୈଜ୍ଞାନକଙ୍କ ଜ୍ଞାନଗର୍ବ, ଅବିଶ୍ୱାସିଙ୍କ ସଂଶୟ, ସଂସାରିଙ୍କ ବିସ୍କୃତିଶୀଳତା କେଉଁ ଆଡ଼େ ତିରୋହିତ ହୋଇ ଯାଏ-ମାନବାତୀତ ଏକ ମହାଶକ୍ତିର ଅଦ୍ଭୂତ ଲୀଳା ଦେଖି ସମସ୍ତଙ୍କର ପ୍ରାଣ ସ୍ତମ୍ଭିତ ଏବଂ ରସନା ଜଡ଼ୀଭୂତ ହୋଇଯାଏ ।

 

ଆମ୍ଭେମାନେ ଇନ୍ଦ୍ରିୟଜ୍ଞାନର ଗର୍ବରେ ଉନ୍ମତ୍ତ; ଆମ୍ଭେମାନେ ମନେ କରୁଁ, ଯାହା ଆମ୍ଭମାନଙ୍କ ଇନ୍ଦ୍ରିୟର ଗୋଚର, କେବଳ ସେତିକି ସମଗ୍ର ବିଶ୍ୱ । ପ୍ରକୃତିରେ ଆଉ କିଛି ନାହିଁ, ଯାହା ମାନବ ଜ୍ଞାନର ଆୟତ୍ତକୁ ଆସି ନାହିଁ ! କିନ୍ତୁ ପ୍ରକୃତିଙ୍କ ଯେଉଁ ରୂପ ନିକଟରେ ଆମ୍ଭମାନଙ୍କ ଇନ୍ଦ୍ରିୟଶକ୍ତି ଖର୍ବ ହୁଏ, ଯେଉଁ ଠାରେ ଆମ୍ଭେମାନେ ସହସ୍ର ବ୍ୟାକୁଳତା ପ୍ରକାଶ କରି ପ୍ରକୃତିକୁ ଆୟତ୍ତ କରିବାକୁ ଅକ୍ଷମ ହେଉଁ-ସେହିଠାରେ ପ୍ରତ୍ୟକ୍ଷ ପ୍ରମାଣ ପାଇ ଆମ୍ଭେମାନେ ସ୍ୱୀକାର କରୁଁ, ଜଗତ୍‌ ଯେଉଁ ପରିମାଣରେ ଦୃଷ୍ଟ, ତାହା ଅପେକ୍ଷା ଅଦୃଷ୍ଟହିଁ ଅଧିକ, ଯେତିକି ଶ୍ରୁତ, ତାହା ଅପେକ୍ଷା ଅଶ୍ରୁତହିଁ ବେଶି, ଯେତିକି ସ୍ପୃଷ୍ଟ, ତାହା ତୁଳନାରେ ଅସ୍ପୃଷ୍ଟ ଭାଗହିଁ ଅଧିକ । ସମଗ୍ର ପ୍ରକୃତି ଯେବେ ଗୋଟିଏ ପ୍ରକାଣ୍ତ ବୃତ୍ତ ହୁଏ, ତାହାହେଲେ ଆମ୍ଭେମାନେ ସେହି ବୃତ୍ତ-ପରିଧିର ଗୋଟିଏମାତ୍ର ବିନ୍ଦୁ ଇନ୍ଦ୍ରୟର ଗୋଚରକୁ ଆଣିଅଛୁଁ । ଅନନ୍ତ ଦେଶକାଳର ସମୁଦ୍ର ବକ୍ଷରେ ସମଗ୍ର ମାନବଜାତି ଯେପରି ବିନ୍ଦୁବତ୍‌ ଦୃଶ୍ୟମାନ ଗୋଟିଏ କ୍ଷୁଦ୍ର ତରଣୀ ମାତ୍ର । ଏହାର ଚତୁର୍ଦ୍ଦିଗରେ ମହାଶକ୍ତିର ଅନନ୍ତ ଜ୍ଞାନ ବ୍ୟାପି ରହିଅଛି ।

 

ହିରଣ୍ମୟ କିରଣମାଳୀ ପ୍ରଭାତ ସର୍ବତ୍ର ମନୋହର ଏବଂ ସ୍ନିଗ୍ଧୋଜ୍ଜ୍ୱଳ ହୋଇ ଆକାଶ ଏବଂ ପୃଥିବୀକୁ ହସାଇ ଦିଏ ନାହିଁ- ସମସ୍ତ ମାନବଜୀବନର ପ୍ରାରମ୍ଭ ମଧ୍ୟ ସୁଖଦର୍ଶନ କିମ୍ବା ଆଶାପ୍ରଦ ହୁଏ ନାହିଁ । ପ୍ରକୃତି ଯେପରି ପରିବର୍ଦ୍ଧନଶୀଳ ରୂପରାଶି ଘେନି ହୃଦୟକୁ ସୌନ୍ଦର୍ଯ୍ୟ ଏବଂ ଗାମ୍ଭୀର୍ଯ୍ୟରେ, ଭୟ ଏବଂ ବିସ୍ମୟରେ, ହର୍ଷ ଏବଂ ବିଷାଦରେ ପୂର୍ଣ୍ଣ କରନ୍ତି, ଏହି ସଂସାରାକାଶରେ ମାନବ-ଜୀବନର ପ୍ରକୃତି ମଧ୍ୟ ସେହିପରି ଚଞ୍ଚଳା, ପରିବର୍ତ୍ତନମୟୀ ଏବଂ ରହସ୍ୟମୟୀ !

 

କେବେ କେବେ ପ୍ରଭାତକାଳୀନ ଉଦୀୟମାନ ସୂର୍ଯ୍ୟର ସ୍ୱର୍ଣ୍ଣକିରଣରେ ସୂପ୍ତୋର୍ଥିତ ଜୀବନ୍ତ ନୟନ ମନ ପୁଲକିତ ହୁଏ ନାହିଁ; ଗଭୀର ମେଘରାଶି ପୂର୍ବାକାଶର ସୌନ୍ଦର୍ଯ୍ୟ ନଷ୍ଟ କରିଥାଏ ! ପ୍ରକୃତି ଜଡ଼ ବସ୍ତୁଠାରୁ ମଧ୍ୟ ଜଡ଼ତର ଭାବାପନ୍ନ ବୋଧ ହୁଅନ୍ତି; ପବନ ମଧ୍ୟ ଫୁଲର ସୁଗନ୍ଧ ଘେନି, ଆଲୋକତରଙ୍ଗ ଘେନି ମୃଦୁଭାବରେ ପ୍ରବାହିତ ହୁଏ ନାହିଁ,-ସ୍ନିଗ୍ଧ କୋମଳତା ଉପଲବ୍ଧ ହୁଏ ନାହିଁ- କେବଳ ଚତୁର୍ଦ୍ଦିଗରେ ନିଷ୍ଠୁର ନୀରବତା, ପ୍ରାଣହୀନ ନିଶ୍ଚଳତା ଲକ୍ଷିତ ହେଉଥାଏ । ମନୁଷ୍ୟର ଦୁଃଖମୟ ଜୀବନରେ ଏ ଭଳି ଦୃଶ୍ୟ ବିରଳ ନୁହେ । କେତେ ମେଘାନ୍ଧକାର-ବିଷାଦମୟ ପ୍ରଭାତରେ ହୃଦୟାକାଶ ଗଭୀର ତିମିରାଚ୍ଛନ୍ନ ହୋଇଅଛି । କେତେ ଚିନ୍ତା, କେତେ ସଂଗ୍ରାମ, କେତେ ନିରାଶାର ଉଦୟ ଏବଂ ଅସ୍ତ ହୋଇଅଛି । ଜୀବନର ଅବସ୍ଥା, ଅତୀତର ଗ୍ଳାନିମୟ ଅନ୍ଧକାର, ଭବିଷ୍ୟତର ଆଶାମୟ ଅଦୃଷ୍ଟ-ଆସକ୍ତି, ଅଧୀନତା, ସ୍ନେହ ପ୍ରଭୃତିକୁ ବିଷାଦର ମଳିନ ଆଲୋକରେ ଚିନ୍ତା କରିବାକୁ ବସିଅଛି ! ପ୍ରକୃତି ! ତୁମ୍ଭେ ଯେତେବେଳେ ବିଷର୍ଣ୍ଣ ହୁଅ, ସେତେବେଳେ ମୋହର କ୍ଷୁଦ୍ର ହୃଦୟ ପୃଥିବୀର ଆମୋଦ-ପ୍ରମୋଦର ଉନ୍ମତ୍ତ ଚିନ୍ତାରୁ ପଳାୟନ କରି ବହୁଦୂରସ୍ଥିତ ତୁମ୍ଭର ନିଭୃତ କୋଳରେ ଆଶ୍ରୟ ଅନ୍ୱେଷଣ କରୁଥାଏ । ସେହି ସମୟରେ ତୁମ୍ଭର ନୀରବ ଶିକ୍ଷା ଅଲକ୍ଷିତ ଭାବରେ ମୋହ ଜୀବନରେ ପ୍ରବେଶ କରେ ।

 

ଯାହାର ଯେରୂପ ଚକ୍ଷୁ, ସେ ସେହିପରି ଦେଖେ । ସଂସାର ଯାହାଙ୍କ କଳ୍ପନାରେ ସୁଖର ସ୍ଥାନ, ପ୍ରତ୍ୟେକ ନିଶାନ୍ତରେ ତାହାଙ୍କ ହୃଦୟ ପ୍ରଫୁଲ୍ଲିତ ହୋଇ ନବ ଦିବସକୁ ଆଲିଙ୍ଗନ କରେ । ପ୍ରତ୍ୟେକ ଦିନର ପ୍ରାରମ୍ଭ ତାହାଙ୍କ ପକ୍ଷରେ ପ୍ରିୟଦର୍ଶନ, ପ୍ରତ୍ୟେକ ପ୍ରଭାତରେ ଦରଫୁଲ୍ଲ କମଳକାନନର ସୌରଭସମ୍ଭାର ମନ୍ଥର ମନ୍ଦାନିଳ ଭବିଷ୍ୟତ୍‌ ସୁଖର ଆଶା-ନିଶ୍ୱାସବତ୍‌ ମନୋହାରୀ, କିନ୍ତୁ ପୃଥିବୀରେ ଯାହାର ଜୀବନ ଚିର-ଦୁଃଖରେ ଅତିବାହିତ ହେଉଅଛି, ଦାରିଦ୍ର୍ୟ, ରୋଗ, ଶୋକ, ପାପତାପରେ ଯାହାର ଜୀବନ ଦୁର୍ବହ ହୋଇ ରହିଅଛି, ପ୍ରଭାତରେ ତାହାର ଚିତ୍ତ-ପ୍ରଫୁଲ୍ଲତା କେଉଁ ଠାରୁ ଆସିବ ? ଯାହା ସହ୍ୟ କରିଅଛି, ତାହାର ଫଳ ଏବଂ ତାହାର ସ୍ମୃତିରେ ସେ ନିରନ୍ତର ଅସ୍ଥିର; ଏହା ପରେ ନୂତନ ଦିବସରେ କେତେକ ଅଭାବନୀୟ ବିପଦ, ଦୁଃଖ, ଯନ୍ତ୍ରଣା ନୂତନ ବେଶରେ ଆକ୍ରମଣ କରି ପାରେ । ପଲକ ମଧ୍ୟରେ ପ୍ରଳୟ ହୋଇ ପାରେ ! ଅସ୍ଥାୟୀ ସୁଖ ସମ୍ପଦ, ଧନ ଜନ ଯୌବନ ସମସ୍ତ ନିମେଷରେ ଚାଲି ଯାଉଅଛି । ଏ ଅବସ୍ଥାରେ କେଉଁ ଦୀନ ହତଭାଗ୍ୟ ଆଶାପ୍ରଫୁଲ୍ଲ ପ୍ରାଣରେ ନୂତନ ଦିବସର ଅଭ୍ୟର୍ଥନାକରିବ ? ସମୁଦ୍ର-ସୈକତରେ ବାଲୁକାଗୃହ ରଚନା କରି କିଏ ନିଶ୍ଚିନ୍ତ ଏବଂ ନିରୁଦ୍ବେଗ ଭାବରେ ତରଙ୍ଗରେଖା ଗଣିବାକୁ ସାହସୀ ହୁଏ ? ଅଲକ୍ଷିତରେ ଏବଂ ଆଚମ୍ବିତରେ ଗୋଟି ଗୋଟି ହୋଇ ଆଶା, ସୁଖ, ସୌଭାଗ୍ୟ ଭାସି ଯାଉଅଛି, ସଂସାରର ପାପୀ ତାପୀ ଗୃହହୀନ ମନୁଷ୍ୟ କିପରି ମୁକ୍ତ ପ୍ରାଣରେ ସୌନ୍ଦର୍ଯ୍ୟମଗ୍ନ ହେବ-?

 

ଏହି ସଂସାରର ଗତି ଦେଖି ବୋଧହୁଏ ଯେ ବାସ୍ତବିକ ପ୍ରତ୍ୟେକ ଉଷାକାଳ ଗମ୍ଭୀର୍ଯ୍ୟ ଏବଂ ଗୁରୁତ୍ୱରେ ପୂର୍ଣ୍ଣ । ନିଦ୍ରୋଥିତ ହୋଇ ନିବିଷ୍ଟ ଭାବରେ ଚିନ୍ତା କଲେ ପ୍ରାଣର ଅତି ନିଭୃତ ସ୍ଥାନରେ କଣ ଗୋଟାଏ ଅସ୍ପଷ୍ଟ ବିଭୀଷିକା ଉପସ୍ଥିତ ହୁଏ ଯାହା ପ୍ରକାଶର କ୍ଷମତାତୀତ । ଏହି ଜଗଦ୍‌ବାସୀ କୋଟି କୋଟି ଜୀବଙ୍କ ଭାଗ୍ୟରେ ପରମୁହୂର୍ତ୍ତରେ କଣ ଘଟିବ, ତାହା ଭାବିଲେ ହୃତ୍‌କମ୍ପ ଉପସ୍ଥିତ ହୁଏ । ଗୋଟିଏ ଅଚିନ୍ତ୍ୟ ଘଟଣାଚକ୍ରର ଆବର୍ତ୍ତନରେ ସଂସାର ଭ୍ରମଣ କରୁଅଛି,-ମନୁଷ୍ୟ ଘଟନାର କ୍ରୀଡ଼ାପୁତ୍ତଳୀ,-ନିୟମର ଶୃଙ୍ଖଳ ସେହି ମହାଚକ୍ରିଙ୍କ ହସ୍ତରେ ।

 

ପ୍ରକୃତି ! ପ୍ରତିଦିନର ବିଚିତ୍ର ଏବଂ ବିଭିନ୍ନ ଘଟନା-ବିମ୍ବଦ୍ୱାରା ତୁମ୍ଭେ ମାନବକୁ ଅସ୍ଥାୟିତ୍ୱର ଉପଦେଶ ଦେଉଅଛ । ନିତାନ୍ତ ଚିନ୍ତାହୀନ ଅଥବା ବିଷୟୋନ୍ମତ୍ତନ ହେବେ ମନୁଷ୍ୟ ତୁମ୍ଭର ଅବିଶ୍ରାନ୍ତ ଉପଦେଶରେ ଅନାସ୍ଥା ପ୍ରଦର୍ଶନ କରି ନ ପାରେ । ଘଟନା-ବୈଚିତ୍ର୍ୟ ଏବଂ ରଚନା-ବୈଚିତ୍ର୍ୟହିଁ ତୁମ୍ଭ ଜୀବନର ମୂଳମନ୍ତ୍ର । ବିଶ୍ୱାସୀ ହୋଇ ନ ପାରିଲେ କାହିଁରେହିଁ ସୁଖ ନାହିଁ-। ଅସ୍ଥିରତା ସୁଖର ପ୍ରତିବନ୍ଧକ । ଚପଳ-ଚିତ୍ତ ପକ୍ଷରେ କବିତାମାଧୁରୀ ସୁଖକରୀ ନୁହେ, ସ୍ୱଭାବର ଅନନ୍ତ ସୌନ୍ଦର୍ଯ୍ୟ ମଧ୍ୟ ତାହା ପକ୍ଷରେ ସଂକଟକଣ୍ଟକାୟିତ । ସଂସାରର ସମ୍ପଦ ଯୌବନ ଏବଂ ଅସ୍ଥାୟୀ ପ୍ରେମ ମଧ୍ୟରେ ଶାନ୍ତି ନାହିଁ । ସୁଖର ଶତ-ଚେଷ୍ଟା ସତ୍ତ୍ୱେ ଅବିଶ୍ୱାସୀ ମାନବ-ପ୍ରକୃତି ସୁଖଶାନ୍ତିର ଆସ୍ୱାଦ ପାଇବ ନାହିଁ ।

 

ଚକ୍ରଶୈଳ ! ପକ୍ଷିକୂଜନ ଏବଂ ପ୍ରସ୍ରବଣର ମୃଦୁତାନରେ ସର୍ବଦା ମୁଖରିତ ଶୈଳମାଳାବେଷ୍ଟିତ ହୋଇ ପଡ଼ି ରହିଥାଅ । ମୌନମୁଗ୍ଧ ଦୀପ ମଧ୍ୟାହ୍ନର ନୀରବତାରେ କୁରରୀର କରୁଣଧ୍ୱନି ଏବଂ ରୌଦ୍ରତପ୍ତ ଶୁଷ୍କ ପତ୍ରସମୂହର ମର୍ମରଧ୍ୱନି ତୋହର ଶାନ୍ତିଭଙ୍ଗ କଲେହେଁ ଭାବୁକ ହୃଦୟରେ ଗୋଟିଏ ସ୍ୱପ୍ନର ଜ୍ୱର ସୃଷ୍ଟି କରେ । ଅସ୍ତଗାମୀ ସୂର୍ଯ୍ୟର ହିରଣ୍ମୟ କିରଣ ଯେତେବେଳେ ଚାରିଆଡ଼େ ବିଞ୍ଚି ହୋଇଯାଏ ସେତେବେଳେ ଶ୍ୱେତ-ନୀଳ-ପୀତ-ଲୋହିତ ରଙ୍ଗରେ ବର୍ଣ୍ଣଚିତ୍ର-ମାଧୁରୀ ତୋହ ଉପରେ ଆଶ୍ରୟ ନେଇଥିବା ଦର୍ଶକକୁ କୌଣସି ଗୋଟିଏ ଅଜାଣିତ ଦେଶକୁ ଘେନିଯାଏ । ଜଗତର ସମସ୍ତ ଝଞ୍ଜାବାତ ଭୂଲି ମନ ସେତେବେଳେ ପବନର ଗୀତ, ପକ୍ଷି-କଳରବ, ମେଘର ବର୍ଣ୍ଣ-ବୈଚିତ୍ର୍ୟ ମଧ୍ୟରେ ନିଜକୁ ବିସର୍ଜନ ଦେବାକୁ ନିତାନ୍ତ ଉନ୍ମୁଖ ହୋଇଥାଏ ।

Image

 

ମୁଟୁଙ୍ଗାରେ ସନ୍ଧ୍ୟା

 

ଅନୁଗୋଳ ସଡ଼କର ପାର୍ଶ୍ୱବର୍ତ୍ତୀ ଢେଙ୍କାନାଳ ରାଜ୍ୟର ମୁଟୁଙ୍ଗା ନାମକ ସ୍ଥାନଟି ଦୂରାଗତ ପଥିକଙ୍କର ବିଶ୍ରାମସ୍ଥଳୀ । ବ୍ରାହ୍ମଣୀର ଉପନଦୀ ଲିଙ୍ଗରା ଏହାର ପାଦଦେଶ ଧୌତ କରୁଅଛି ଏବଂ ଲିଙ୍ଗରାତଟ ଆମ୍ରବୃକ୍ଷରେ ପରିପୂର୍ଣ୍ଣ । ଢେଙ୍କାନାଳ ରାଜ୍ୟର ମୁଟୁଙ୍ଗାସ୍ଥିତ ବଙ୍ଗଳାରେ ଅବସ୍ଥାନର ସୁଯୋଗ ପାଇ ଏଠାର ସାନ୍ଧ୍ୟ ଦୃଶ୍ୟରେ ମୁଗ୍ଧ ହୋଇଥିଲି ।

 

ଏ ସ୍ଥାନର ପ୍ରାକୃତିକ ଅବସ୍ଥାନ ଅତ୍ୟନ୍ତ ମନୋମୁଗ୍ଧକର । ଚତୁର୍ଦ୍ଦିଗରେ ମୁକ୍ତ ଜନତାର ଅବିରାମ ପ୍ରବାହ ଶାନ୍ତିର ସୁଖପ୍ରାପ୍ତି ଭଙ୍ଗ କରି ନାହିଁ । ସଂସାରର ଦ୍ୱେଷ ହିଂସା ଏହି ସ୍ଥାନର ପବିତ୍ରତା କଳଙ୍କିତ କରି ନାହିଁ । ଯାହା ଅଛି, ତାହା ସାଧାରଣଙ୍କର ଉପଭୋଗ୍ୟ ଏବଂ ପ୍ରୀତିପ୍ରଦ ହେବ ନାହିଁ ସତ୍ୟ, ମାତ୍ର ବିଶେଷଜ୍ଞର ହୃଦୟହାରୀ ହେବ, ଏଥିରେ ସନ୍ଦେହ ନାହିଁ ।

 

ସମ୍ମୁଖରେ ଅନୁଗୋଳର କନ୍ଦରସ୍ଥିତ ଗିରିମାଳାର ଗାଢ଼ ନୀଳ ବକ୍ରରେଖାଗୁଡ଼ିକ ଭୀଷଣତାର ପରିଚୟ ଦେଉଅଛି ଏବଂ ହିନ୍ଦୋଳ ରାଜ୍ୟର କନକଗିରିଶ୍ରେଣୀ-ସଂଲଗ୍ନ କ୍ଷୁଦ୍ର କ୍ଷୁଦ୍ର ଶୈଳମାଳା ହରିତ୍‌ଶୋଭାର ପ୍ରଦର୍ଶନୀ ଫିଟାଇ ରଖିଅଛି । ଅନ୍ୟ ପ୍ରାନ୍ତର ପାର୍ଶ୍ୱ ବିଶାଳ ପ୍ରାନ୍ତରବେଷ୍ଟିତ; ଏହି ପ୍ରାନ୍ତର ଏକାବେଳକେ ତିନି ଚାରି ଶତ ବର୍ଗମାଇଲରୁ ଊଣା ନୁହେ ଏବଂ ପ୍ରାନ୍ତର ମଧ୍ୟସ୍ଥିତ ଅସଂଖ୍ୟ ଗର୍ତ୍ତ, କ୍ଷୁଦ୍ର ଗୁଳ୍ମ ଏବଂ ଲତାରେ ପରିପୂର୍ଣ୍ଣ । କ୍ଷୁଦ୍ର ପାଦପସମୂହ ଅସଂଲଗ୍ନ ହୋଇ ଦୂରେ ଦୂରେ ଦଣ୍ତାୟମାନ । ଫଳତଃ ସମଗ୍ର ଉତ୍କଳରେ ଯୁଦ୍ଧକ୍ଷେତ୍ରର ଉପଯୋଗୀ ସ୍ଥାନ ଏହା ଭଳି ଆଉ ଦ୍ୱିତୀୟ ନାହିଁ । ଏକଆଡ଼େ ତାଳଚେର ଗଡ଼ ବ୍ରାହ୍ମୀନଦୀ ପର୍ଯ୍ୟନ୍ତ ଏବଂ ଅନ୍ୟ ଆଡ଼େ ଅନୁଗୋଳର ଅନେକାଂଶ ଏହି ପ୍ରାନ୍ତର ଅଧିକାର କରି ରହିଅଛି । ଏହି ପ୍ରାନ୍ତର ଭେଦ କରି ଅନୁଗୋଳର ସୁଦୀର୍ଘ ରାସ୍ତା ସର୍ପଗତି ପ୍ରାୟ କଟକରୁ ଆଠଗଡ଼ ଓ ଢେଙ୍କାନାଳ ରାଜ୍ୟ ମଧ୍ୟ ଦେଇ ଚାଲି ଯାଇଅଛି । ରାସ୍ତାରେ ଅସଂଖ୍ୟ ଗୋଶକଟ ଏବଂ ପଥିକ ନିଜ ନିଜ ଗନ୍ତବ୍ୟ ପଥରେ ଅଗ୍ରସର । ମାତ୍ର ମୁଟୁଙ୍ଗା ବଙ୍ଗଳାର ଅନତିଦୂରସ୍ଥିତ ଲିଙ୍ଗରା ତଟର ଆମ୍ରକୁଞ୍ଜ ଏବଂ ସାମାନ୍ୟ ଗୋଟିଏ ଯୋଡ଼ିଏ ଦୋକାନଘର ଏମାନଙ୍କ ବିଶ୍ରାମସ୍ଥଳ ।

 

ଅପରାହ୍ନରେ ବିଭ୍ରଷୁ ରବିକର ଶୀତଳ ହୋଇଗଲା । ଗୋ-କ୍ଷୁର-କ୍ଳିଷ୍ଟ ଜୀର୍ଣ୍ଣ ଦୀର୍ଣ୍ଣ ଗ୍ରାମ୍ୟପଥରେ କେତେଦୂର ଯାଇ ଲିଙ୍ଗରାତଟସ୍ଥ ଆମ୍ରୋଦ୍ୟାନରେ ପହଞ୍ଚିଲି । ଅଳ୍ପକ୍ଷଣ ପୂର୍ବେ ମୁଟୁଙ୍ଗା ବଙ୍ଗଳା ନିକଟସ୍ଥ ଭୂମିକୁ ହିଂସା ଓ ଦ୍ୱେଷ କଳଙ୍କିତ କରି ନାହିଁ ବୋଲି ଭାବିଥିଲି, ମାତ୍ର ଏଠାରେ ଦିଓଟି ଘଟନା ଦେଖି ମନ ନିତାନ୍ତ କ୍ଳିଷ୍ଟ ହେଲା ।

 

ଗୋଟିଏ ଆମ୍ବଗଛ ମୂଳରେ ଗୋଟିଏ ଘୋଡ଼ା ମରି ପଡ଼ିଅଛି ଏବଂ ଅନେକ ଲୋକ ଏହାକୁ ଘେରି ରହିଅଛନ୍ତି । କେତେକ ବ୍ୟବସାୟୀ ଘୋଡ଼ା ବିକ୍ରୟ କରିବାକୁ ନେଉଥିଲେ, ମାତ୍ର ଗୋଟିଏ ଘୋଡ଼ାର ଗୋଡ଼ ଅକର୍ମଣ୍ୟ ହୋଇ ଯିବାରୁ ପ୍ରାୟ ଅଧଘଣ୍ଟା ପୂର୍ବେ ଗୁଳିରେ ତାହାର ପ୍ରାଣ ନେଇ ଅଛନ୍ତି ଏବଂ ଅବଶିଷ୍ଟ ତିନୋଟି ଘୋଡ଼ାଙ୍କୁ ଘେନି ଗନ୍ତବ୍ୟପଥରେ ଅଗ୍ରସର ହେଉଅଛନ୍ତି । ଘୋଡ଼ାଟି ଅକର୍ମଣ୍ୟ ହେବାରୁ ବନ୍ଧୁକର ଗୁଳିରେ ତାହାର ପ୍ରାଣ ଚାଲିଗଲା ! ପ୍ରତୀଚ୍ୟ ଦୟା, ପଶୁ ପକ୍ଷିଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବାକୁ ଅତ୍ୟନ୍ତ ବ୍ୟଗ୍ର ! କିନ୍ତୁ ନିଜ ନିଜ ଯନ୍ତ୍ରଣାର ଅବସାନ କରିବାର ପକ୍ଷପାତୀ ନୁହନ୍ତି ! ପ୍ରାଚ୍ୟ ଉପଦେଶ-‘‘ଆତ୍ମବତ୍ ସର୍ବଭୁତେଷୁ ।’’ ଏହି ସକାଶେ ଆମ୍ଭେମାନେ ବୃଦ୍ଧା କୁକ୍କୁରୀ ଏବଂ ଜରତୀ ଗାଭୀର ରୋଗରେ ଚିକିତ୍ସା, ପଥ୍ୟ ଏବଂ ସେବାର ବ୍ୟବସ୍ଥା କରୁଁ, ବନ୍ଧୁକ ପ୍ରଭୃତି ପ୍ରୟୋଗ ଭାରତୀୟ ଉପଦେଶର ସମ୍ପୂର୍ଣ୍ଣ ବିରୁଦ୍ଧ ।

 

ପ୍ରତ୍ୟାବର୍ତ୍ତନ ସମୟରେ ଆସାମର ଚା ବଗିଚାକୁ କେତେକ ପୁରୁଷ ଏବଂ ସ୍ତ୍ରୀ କୁଲି ନୀତ ହେଉଥିବାର ଦେଖିଲି । କୁଲିପ୍ରେରଣ ପ୍ରଥାରୂପ ଉତ୍କଟ ବ୍ୟାଧି, ସମାଜ ଓ ଦେଶ ପକ୍ଷରେ କଦାପି ମଙ୍ଗଳଜନକ ନୁହେ । ଏହାର ନିଦାନ ନିର୍ଣ୍ଣୟରେ ଅନେକ ଲୋକ ଉଦ୍‌ଗ୍ରୀବ । ମାତ୍ର ପୁରାଣ-ବର୍ଣ୍ଣିତ ଗୟାସୁରର ପିଣ୍ଡ ବନ୍ଦ ହେଲେ ସେ ଯେପରି ଚଞ୍ଚଳ ହୋଇ ଉଠେ ଏବଂ ତାହାର ଅଙ୍ଗସଞ୍ଚାଳନରେ ଯେପରି ଭୂଧର ପ୍ରାନ୍ତର କମ୍ପମାନ ହେଉଥାଏ, ସେହିପରି ଏହି ଅତିକାୟ ଗୟାପୁର ନିୟତ ପିଣ୍ଡପ୍ରାପ୍ତି ସକାଶେ ତାହାର ବିପୁଳ ବଦନ ବ୍ୟାଦାନ କରିବାରେ ସର୍ବଦା ଉନ୍ମୁଖ । ଦାରିଦ୍ର୍ୟଭୂଧର ଚାପରେ ଅସ୍ଥିର ହୋଇ କୃଷକକୁଳ ସର୍ବଦା ମ୍ରିୟମାଣ; ତେଣେ ସେମାନଙ୍କର ତଥାକଥିତ ହିତୈଷିମାନେ ପ୍ରଲୋଭନ ଦେଖାଇ ସେମାନଙ୍କୁ ଦୂରଦେଶକୁ ପ୍ରେରଣରେ ଅଗ୍ରସର । ଏହି ଭୀଷଣ ବ୍ୟାଧି ହସ୍ତରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଚେଷ୍ଟା ପ୍ରତ୍ୟେକ ସମାଜ-ହିତୈଷୀ ପକ୍ଷରେ ଅବଶ୍ୟ କର୍ତ୍ତବ୍ୟ । ପ୍ରବର୍ଦ୍ଧମାନ ଅଭାବର ଶତ ବୁଶ୍ଚିକଦଂଶନ ଯନ୍ତ୍ରଣାରୁ ସେମାନଙ୍କୁ ରକ୍ଷା କରିବା ମହାପୁଣ୍ୟର କାର୍ଯ୍ୟ ।

 

ଅବସନ୍ନ ହୃଦୟରେ ବଙ୍ଗଳାକୁ ପ୍ରତ୍ୟାବର୍ତ୍ତନ କରି ପ୍ରାନ୍ତରସ୍ଥିତ ଗୋଟିଏ ଉଚ୍ଚସ୍ଥାନ ଉପରୁ ପ୍ରକୃତିଙ୍କ ପ୍ରଦୋଷ-ଦୃଶ୍ୟ ନିରୀକ୍ଷଣ କଲି । ଏଠାରେ ଆମଲକୀ ବୃକ୍ଷର ଶ୍ୟାମାଞ୍ଚଳରେ ପ୍ରାନ୍ତରର କେତେଦୂର ଶ୍ୟାମାଭ, କୋମଳ ଗନ୍ଧରେ ଶୀତ-ଗୋଧୂଳିର ଅଳସ ବାୟୁସ୍ତର ଭାରାକ୍ରାନ୍ତ-। ବୈଚିତ୍ର୍ୟପୂର୍ଣ୍ଣ ଦୃଶ୍ୟାବଳୀ ମଧ୍ୟରେ ପରମନିର୍ଜନତା କବିଜନ-ଲୋଭନୀୟ ପରି ବୋଧ ହେଉଥିଲା । ଢେଙ୍କାନାଳ ରାଜ୍ୟର ନିମିଧା ପାହାଡ଼ଟି କାନ୍ଧରେ ଗୋଟିଏ ବରୁଣ ବୃକ୍ଷ ଘେନି ଚିରପରିଚିତ ପ୍ରାୟ ଛିଡ଼ା ହୋଇଅଛି । ଏହି ପର୍ବତଗାତ୍ର କେଉଁଠାରେ ଶ୍ୟାମକାନ୍ତି, କେଉଁଠାରେ ଅବା ମରୁବତ୍ । ସୂର୍ଯ୍ୟାସ୍ତର କିଞ୍ଚିତ୍ ପୂର୍ବରୁ ସ୍ଥାନେ ସ୍ଥାନେ ଦୃଷ୍ଟ ହେଲା, ପର୍ବତଗାତ୍ରରେ ପକ୍ୱତୃଣ ଅସ୍ତଗମନୋନ୍ମୁଖ ସୂର୍ଯ୍ୟରଶ୍ମିର ଉଜ୍ଜ୍ୱଳବର୍ଣ୍ଣ ଏବଂ ଲମ୍ବ ଗହ୍ୱର ଏବଂ ଖୋଲ ସମୂହରେ ଛାୟାର ଦୀର୍ଘ କାଳିମା-ରେଖା । ବୋଧ ହେଲା, ପର୍ବତଟି ଯେପରି ବିରାଟ ବ୍ୟାଘ୍ରଚର୍ମରେ ଶରୀର ଆବୃତ କରି ବସିଅଛି । ଏ ଅପୂର୍ବ ଶୋଭା ଦର୍ଶନରେ ହୃଦୟ ପୁଲିକିତ ହୁଏ ଏବଂ ନୟନ ନିମେଷଶୂନ୍ୟ ହୋଇ ଉଠେ ! ଏହି ନିର୍ଜନସ୍ଥଳହିଁ ଚିନ୍ତାର ସୁଖମୟ ଶଯ୍ୟାରୂପେ ପ୍ରତୀୟମାନ !

 

କୌଣସି ବିଷୟର ସୂତ୍ର କିମ୍ୱା ବିନ୍ଦୁ ଧାରଣ କରି ଜ୍ଞାନରାଜ୍ୟରେ ପ୍ରବେଶ କଲେ ଏହି ଜଗତ୍‍କୁ ଦୁଇ ଭାଗରେ ବିଭକ୍ତ କରିବାକୁ ହୁଏ । ସେହି ଭାଗରେଖାର ଏକ ପାର୍ଶ୍ୱରେ ସତ୍‌, ଅପର ପାର୍ଶ୍ୱରେ ଅସତ୍‌,-ଏକଆଡ଼େ ଜ୍ଞାତ ଏବଂ ଜ୍ଞେୟ ଅପର ଆଡ଼େ ଅଜ୍ଞାତ ଏବଂ ଅଜ୍ଞେୟ । ଏକଆଡ଼େ ଭାବ, ଅନ୍ୟ ଆଡ଼େ ଅଭାବ । ଭାବକୁ ଜାଣିବାକୁ ହେଲେ ଅଭାବ ମଧ୍ୟ ଦେଇ ଯିବାକୁ ହୁଏ । ଗୋଟିଏ ମନରେ ହେଲେ ଅପରର ସାକ୍ଷାତ୍‌ ଅଥବା ପ୍ରତ୍ୟକ୍ଷ ଛବି ମନରେ ଉଦିତ ହେବ । ଏଭଳି ସମ୍ପର୍କ ଯେ, ଭାବବସ୍ତୁ ଅଭାବ ବସ୍ତୁକୁ ଛାଡ଼ି ମାନବ-ଜ୍ଞାନ-ରାଜ୍ୟରେ ବାସ କରି ପାରେ ନାହିଁ ।

 

ଗୋଟିଏ ଜଡ଼ ପଦାର୍ଥର ବିସ୍ତୃତି କହିଲେ ଯେପରି ଦୁଇ ପୃଷ୍ଠ ବୁଝାଏ-ଏକ ପୃଷ୍ଠ ବୁଝାଇଲେ ତାହାର ବିପରୀତ ପୃଷ୍ଠର ଅସ୍ତିତ୍ୱ ଯେପରି ଅବଶ୍ୟମ୍ଭାବୀ, ସେହିପରି ସୁଖ କହିଲେ ଦୁଃଖର ଅସ୍ତିତ୍ୱ ଅଛି, ଆଲୋକ କହିଲେ ତାହାର ବିୀପରୀତ ଅନ୍ଧକାର ଅଛି-ଏହି ସ୍ୱତଃସିଦ୍ଧ ସତ୍ୟ । ଦୃଶ୍ୟ ଏବଂ ଭାବର ଏଭଳି ବୈଚିତ୍ର୍ୟହିଁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟର ଜୀବନ । ମାନବ ଅନ୍ତରରେ ଯେତେ ସାଧୁଭାବ ଅଛି, ଏହି ବିଚିତ୍ର ରମଣୀୟ ପ୍ରକୃତି ସେ ସମସ୍ତଙ୍କୁ ଜାଗ୍ରତ ଏବଂ ପରିପୁଷ୍ଟ କରିଥାନ୍ତି । ଆମ୍ଭେମାନେ ଆତ୍ମଚିନ୍ତାର ସର୍ବପ୍ରକାର ଅବସ୍ଥାରେ ପ୍ରକୃତି ଦେବୀଙ୍କ ସହାନୁଭୂତି ପାଇବାକୁ କ୍ଷମ ହେଉଁ ।

 

ପ୍ରକୃତି କେବେହେଁ ତାଙ୍କର ଏକ ଦିଗ ଦେଖାଇ କ୍ଷାନ୍ତ ହୁଅନ୍ତି ନାହିଁ, ତାହାଙ୍କର ବୈଚିତ୍ର୍ୟ ଏତିକି, ତାହାଙ୍କ ଉପଦେଶପୂର୍ଣ୍ଣ ଅର୍ଦ୍ଧାଂଶ ଦେଖାଇଲେ ଅପରାର୍ଦ୍ଧ ପ୍ରଦର୍ଶନ ନିଶ୍ଚିତ । ପ୍ରକୃତି ପୂର୍ଣ୍ଣ ଏକତ୍ୱର ନିତାନ୍ତ ପକ୍ଷପାତୀ । ସେ ଗୋଟିଏ ଅର୍ଦ୍ଧ ଘେନି ଅପରାର୍ଦ୍ଧ ସହିତ ମିଶାଇ ପୂର୍ଣ୍ଣ କରି ଦିଅନ୍ତି । ମାନବର କଳ୍ପନା ମଧ୍ୟ ମିଳନମନ୍ତ୍ରରେ ଦୀକ୍ଷିତା । ଏ ଜଗତ ପୂର୍ଣ୍ଣତ୍ୱର ନିୟମାନୁସାରେ ହିଁ ଚାଲୁଅଛି । ଯେଉଁଠାରେ ଭଗ୍ନାଂଶ ରହିଅଛି ସେଠାରେ ପୂର୍ଣ୍ଣ କରି ଦେବାହିଁ କଳ୍ପନାର ଧର୍ମ । ମାନବର ଚିନ୍ତାସୂତ୍ର ଏପରି ଭାବରେ ଜଡ଼ିତ ଯେ, କେତେବେଳେ ଆଂଶିକ ଜ୍ଞାନରେଖା ମଧ୍ୟରେ ବଦ୍ଧ ରହି ପାରେ ନାହିଁ । ବୃତ୍ତର କୌଣସି ଅଂଶ ଦେଖିଲେ ଅବଶିଷ୍ଟ ଅଂଶ ସ୍ୱତଃ ମାନସପଟରେ ଅଙ୍କିତ ହୁଏ । ଜ୍ଞାନର ବିଷୟୀଭୂତ ଜଗତର ପ୍ରତ୍ୟେକ ବସ୍ତୁ ସହିତ ଅପରାପର ବସ୍ତୁ ନିଚୟର ଅସ୍ତିତ୍ୱ ଏକସୂତ୍ରରେ ବଦ୍ଧ । କୌଣସି ବିଶେଷ ଜ୍ଞେୟ ପଦାର୍ଥ ଜାଣିବାକୁ ହେଲେ ଏହାର ବିପରୀତ ଜାଣିବାକୁ ହେବ । କେବଳ ଏତିକି ନୁହେ, ଏହା ସଙ୍ଗରେ ତାହାର ଆଧାରରୂପୀ ଅବସ୍ଥା ଏବଂ ଘଟନାର ସମଷ୍ଟି ଏହି ଜଗତ୍‌କୁ ଜାଣିବାକୁ ହେବ । ବିଶେଷ କାଳ ଏବଂ ବିଶେଷ ସ୍ଥାନ, ବିଶେଷ ଜ୍ଞାନର ନିୟମ । ଗୋଟିଏ ଅମେୟ ବୃତ୍ତରେଖା ଆମ୍ଭମାନଙ୍କ ଜ୍ଞାନର ଯାବତୀୟ ବିଷୟ ଆୟତ୍ତ କରି ରଖିଅଛି, ଆମ୍ଭେମାନେ ଯେ କୌଣସି ବୃତ୍ତାଂଶ ଦେଖୁଁ ଆମ୍ଭମାନଙ୍କ କଳ୍ପନା ସମୁଦାୟ ବୃତ୍ତରେଖା ସ୍ମୃତିକୁ ଆଣି ଦେବ । ପ୍ରତ୍ୟକ୍ଷ ଜ୍ଞାନର ଭବିଷ୍ୟତ୍‌ ସନ୍ତତିର ସମଷ୍ଟି ଘେନି ସ୍ମୃତି । ଯେତେବେଳେ ଭାବଯୋଗର ନିୟମାନୁସାରେ କୌଣସି ଗୋଟିଏ ଅତୀତ ଘଟନାର ଛାୟା ଆସି ଉପସ୍ଥିତ ହୁଏ, ସେତେବେଳେ ସେହି ଗୋଟିଏ କଥାରୁ କେତେ କଥା ମନେ ପଡ଼ିଯାଏ-! ଯେତେବେଳଯାଏ ଆମ୍ଭମାନଙ୍କ କଳ୍ପନା ଚିତ୍ରଖଣ୍ଡିକ ପୂର୍ଣ୍ଣଭାବରେ ଅଙ୍କିତ ନ କରେ, ସେତେବେଳ ପର୍ଯ୍ୟନ୍ତ ସେହି ଭାବ-ଯୋଗର ବିଚ୍ଛେଦ ହୁଏ ନାହିଁ ।

 

ଅତି ସାମାନ୍ୟ ସୂତ୍ରକୁ ଅବଲମ୍ୱନ କରି ଅତୀତର ସମାଧିରୁ ମୃତ ମାନସିକ ଅବସ୍ଥାସମୂହ ପୁନରୁଥାନ କରେ । କୌଣସି ପରିଚିତ ବନ୍ଧୁଙ୍କ କଣ୍ଠସ୍ୱର ଭଳି କାହାର ଟିକିଏ କଣ୍ଠସ୍ୱର ସହସା କାନରେ ପଶିଗଲା, ସେହିକ୍ଷଣି କଳ୍ପନା ସେହି ପ୍ରିୟ ସହୃଦଙ୍କ ସମ୍ପର୍କୀୟ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଯାବତୀୟ ବିଷୟ ଚିତ୍ରିତ କରିଦେଲା ! କେଉଁଠାରେ କାହାର ଅଦୃଷ୍ଟପୂର୍ବ ମୁଖର କୌଣସି ଗୋଟିଏ ଚିହ୍ନ ସହିତ ମୋର କୌଣସି ପରିଚିତ ବ୍ୟକ୍ତିଙ୍କ ମୁଖର ସେହି ଅଂଶର ଗଠନ ମିଶିଗଲା, ହଠାତ୍‌ ସେହି କ୍ଷୁଦ୍ର ସୂତ୍ର ଧରି ନାନା ଭାବରାଶି ଆସି ମନ ଅଧିକାର କରି ପକାଇଲା ! କୌଣସି ବିଶେଷ ସ୍ଥାନରେ ଭ୍ରମଣ କରୁ କରୁ ଅତର୍କିତ ଭାବରେ କୌଣସି ଏକ ସୁଦୂର ଅତୀତର ଗୋଟିଏ ଲୀନ ତରଙ୍ଗରେଖା ମନେ ପଡ଼ିଗଲା,-ଆଉ ସମ୍ଭାଳି ହୁଏ ନାହିଁ- ଜୁଆର ପାଣି ପରି କେତେ ଆଶା, କେତେ ସଙ୍ଗୀତ, କେତେ କବିତା ମନ ଉପରଦେଇ ବୋହିଗଲା ! କେତେଦିନ ଭୁଲି ଯାଇଥିଲି, ଆଚମ୍ୱିତରେ ପ୍ରକୃତିର ଶୋଭା ରାଶିର କୌଣସି ବିଶେଷ ସୌନ୍ଦର୍ଯ୍ୟରେଖା ଦେଖି ସେହି ପୂର୍ବକାଳର ସଦ୍ଭାବ ଜାଗ୍ରତ ହୋଇ ଉଠିଲା ! ଆମ୍ଭେମାନେ ଯାହାକୁ ହରାଇଅଛୁଁ ବୋଲି ମନେ କରୁଁ, ହୁଏ ତ ଏହି ଅପରିମେୟ ପ୍ରାକୃତିକ ଦୃଶ୍ୟର କୌଣସି ଗୋଟିଏ ନିଭୃତ ଅଜ୍ଞାତ କୋଣରେ ସେ ଲୁକ୍କାୟିତ ଅଛନ୍ତି ! ହୁଏତ କୌଣସି ବୃକ୍ଷର ନବୀନ ପଲ୍ଲବାଗ୍ରରେ, କୌଣସି କୁସୁମର ଅଯାଚିତ ପରିମଳ ବିତରଣରେ, କୌଣସି ନଦୀର ତରଙ୍ଗ ରେଖାରେ, ଆମ୍ଭମାନଙ୍କ ପ୍ରିୟ ସଦ୍ଭାବ ସମୂହ ଲୁଚି ରହିଅଛି ! ଜନନୀଙ୍କ ଭଳି ପ୍ରକୃତି ଅବୋଧ ଶିଶୁଙ୍କ ହଜିବା ପଦାର୍ଥଗୁଡ଼ିକ ଲୁଚାଇ ରଖିଅଛନ୍ତି-ସନ୍ତାନ ବ୍ୟଗ୍ର ହୋଇ ମାଗିଲେ ପୁଣି ଅଲକ୍ଷିତଭାବରେ ସେଗୁଡ଼ିକ ଫେରାଇ ଦିଅନ୍ତି ।

 

ପ୍ରଦୋଷ ବଡ଼ ରମଣୀୟ-ଅଥଚ ଭୀତିମୟ । ଏହି ସୌନ୍ଦର୍ଯ୍ୟରେ ଆମ୍ଭେମାନେ ଆତ୍ମବିସ୍ମୃତ ହୋଇ ନ ପାରୁଁ,-ତାହାର ବିଷର୍ଣ୍ଣ ମଳିନ ମୁଖ ଦେଖିଲେ ଦୃଷ୍ଟି ଅନ୍ତର୍ମୁଖୀ ହୁଏ । ସେତେବେଳେ ମନେ ହୁଏ, କଣ ହରାଇ ଦେଲିଣି, କିମ୍ୱା କଣ ମାଗି ମାଗି ପାଉ ନାହିଁ ! ସଂସାରର ଅପୂର୍ଣ୍ଣତା ଏବଂ ଜୀବନର ଅତୃପ୍ତିହିଁ ମନେ ପଡ଼ିଯାଏ । ସନ୍ଧ୍ୟାର ଶାନ୍ତିମୟୀ ମୁଖଶ୍ରୀ ଯେପରି ପ୍ରାଣସ୍ପର୍ଶୀ ଅତୃପ୍ତିର ପରିଶ୍ରାନ୍ତ ରେଖାରେ ଅଙ୍କିତ । ପ୍ରଭାତାଲୋକ ଯେପରି ଆଶା ଏବଂ ଆକାଂକ୍ଷା ବୁଝାଇ ଦିଏ, ସନ୍ଧ୍ୟାର ଅନ୍ଧକାର ସେହିପରି ସଂସାରର ଅନିତ୍ୟତା, ବାସନାର ଅତୃପ୍ତ ଆକ୍ଷେପ-ଶ୍ୱାସ ଏବଂ ନିରାଶର ଭଗ୍ନସ୍ୱର ସ୍ମରଣ କରାଇଦିଏ । ସନ୍ଧ୍ୟାରେ ନିର୍ଜନ ଅବସ୍ଥାରେ ରହିଲେ ଯାହାଙ୍କ ମନରେ ପ୍ରଶାନ୍ତି, ଈଷତ୍‌ ବିଷାଦ ଏବଂ ଗାମ୍ଭୀର୍ଯ୍ୟର ଭାବ ଆସେ ନାହିଁ, ସେ କେବେହେଁ ପ୍ରକୃତିଙ୍କ ଶିଷ୍ୟତ୍ୱ ଗ୍ରହଣ କରି ନାହାନ୍ତି । ପୃଥିବୀର ଜଣେ ପ୍ରାଚୀନ ସମ୍ରାଟ ଦିନାନ୍ତରେ ଥରେ ଆକ୍ଷେପ କରି କହିଥିଲେ, ‘‘ବୃଥାରେ ଏହି ଦିନଟି ଚାଲିଗଲା !’’ ଏହି ଆକ୍ଷେପଧ୍ୱନି କି ପ୍ରତ୍ୟେକ ନର ନାରୀଙ୍କ ଜୀବନରେ ନିୟତ ପ୍ରତିଧ୍ୱନିତ ହେଉ ନାହିଁ ? ଯାହାଙ୍କର ଶୁଣିବାର ଇଚ୍ଛା ଅଛି, ସେ ତାହା ଶୁଣୁଅଛନ୍ତି । ସନ୍ଧ୍ୟାର ସମୀରଣ ଏହି ବିଶାଳ ପୃଥିବୀର କୋଟି କୋଟି ନର ନାରୀଙ୍କର ଆକ୍ଷେପ ସୁଚକ ଦୀର୍ଘ ନିଶ୍ୱାସରେ ପୂର୍ଣ୍ଣ ରହିଅଛି !

 

ପ୍ରଦୋଷର ଛବି ଏବଂ ମାନବର ମୃତ୍ୟୁଶଯ୍ୟାର ଚିତ୍ର ଏକବର୍ଣ୍ଣରେ ପ୍ରତିଫଳିତ । ସନ୍ଧ୍ୟାର ଗୀତ ଓ ଶ୍ମଶାନର ଶୋକଶ୍ୱାସ, ଦିନାନ୍ତ ଓ ଜୀବନାନ୍ତ ସମାନ ବସ୍ତୁ । ଦିନ ଉତ୍ତାରୁ ରାତ୍ରି, ରାତ୍ରି ଉତ୍ତାରୁ ଦିନ । ଜୀବନ ଉତ୍ତାରୁ ମୃତ୍ୟୁ, ମୃତ୍ୟୁ ଉତ୍ତରୁ ନୂତନ ଜୀବନ । ମୃତ୍ୟୁ ସନ୍ଧିସ୍ଥଳରେ-ଇହକାଳ ଏବଂ ପରକାଳର ସେତୁସ୍ୱରୂପ ହୋଇ ଯେ ଚିର ବର୍ତ୍ତମାନ, କେବଳ ସେହି ପରାତ୍ପରଙ୍କ ବ୍ୟତୀତ ଏ ସନ୍ଧିରହସ୍ୟ ଆଉ କେହି ବୁଝି ପାରେ ନାହିଁ-ଏ ଯବନିକା କାହାରି ଭେଦ କରିବାର ସାମର୍ଥ୍ୟ ନାହିଁ । ଅସଂଖ୍ୟ ଯାତ୍ରୀ ନିୟତ ଏହି ଅନ୍ଧକାର-ପାରାବାରର ପରପାରକୁ ଯାଉଅଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ପ୍ରାଣୀ ମଧ୍ୟ ଫେରିଲେ ନାହିଁ ! ପରକାଳର ପରଲୋକ-ରହସ୍ୟ ମାନବଜ୍ଞାନରୁ ଚିରଦିନ ଅନ୍ତରାଳରେ ରହିଅଛି !

 

ମଧୁରତା, ପବିତ୍ରତା ଏବଂ ଶାନ୍ତିଶୀତଳତାର ଆବାସଭୂମି ମୁଟୁଙ୍ଗା ପ୍ରାନ୍ତର ! ପୂର୍ବକାଳର କବିବର୍ଣ୍ଣିତ ବିଶେଷଣ ଯୁକ୍ତ ଦେଶର ସମକକ୍ଷ ନୋହୁ । ସେ ‘‘ହଂସ କାରଣ୍ଡ-ବିଘଟିତ-ବୀଚି-ମାଳିନୀ, କାଦମ୍ୱସାରସକୁଳାକୁଳିତ ତୀରଶୋଭିନୀ, କମଳ-ରେଣୁସଞ୍ଚାରିଣୀ ତଟିନୀ, ଅଥବା ଶେଫାଳିକା କୁସୁମ ମନୋହରା, ସମ୍ପନ୍ନଶାଳିନି-ଚୟାବୃତା, ମରକତମଣିଭାସା ପ୍ରାନ୍ତରଭୂମି’’ ଆଉ କାହିଁ ? ବର୍ତ୍ତମାନ ମୁଁ ତୋତେ ବାତୋଦ୍ଗତରେଣୁମଣ୍ଡଳା ପରଶୁଷ୍କଲତା-ପଲ୍ଲବା, ପ୍ରଚଣ୍ଡ ମାର୍ତ୍ତଣ୍ଡତାପତପ୍ତା ମରୁଭୂମି ପ୍ରାୟ ଦେଖୁଅଛି ସିନା ।

Image

 

କୈଳାଶରେ ଅନ୍ଧକାର

 

କୈଳାଶ ! ତୋତେ ପାସୋରିଯିବା ସମ୍ପୂର୍ଣ୍ଣ ଅସମ୍ଭବ । ବାମଣ୍ଡା ରାଜ୍ୟରେ ଭୀମକାନ୍ତ ଦୃଶ୍ୟର ତୁ ଏକ ବୃହତ୍‌ ପ୍ରଦର୍ଶନୀ ଫିଟାଇ ରଖିଅଛୁ । ତୋହର ଦୁର୍ଲଙ୍ଘ୍ୟ ପର୍ବତମାଳାର ପ୍ରାଚୀର ମଧ୍ୟରେ ଗୋଟିଏ ରାତ୍ରି ବାସ କରି ମୁଁ ଯେପରି ଧନ୍ୟ ହୋଇଅଛି, ତାହା ପ୍ରକାଶର କ୍ଷମତା ନାହିଁ-ଟିକିଏ ଆଭାସ ଦେବାକୁ ଅଗ୍ରସର ହୋଇଅଛି । ମାତ୍ର ସେଥିରେ ସୁଦ୍ଧା କୃତକାର୍ଯ୍ୟ ହେବାର ଆଶା ନାହିଁ । ପୂର୍ବରେ ଗୋଇଡ଼େଗା, ଏକପାଦୀ, ଦେଉଳକାନି ଏବଂ ଜରେଇକଳା ଉପରିସ୍ଥ ଅନ୍ଧାରି ନାମକ ପର୍ବତସମୂହ, ଦକ୍ଷିଣରେ ଅସୁରଖୋଲ ପର୍ବତ, ପଶ୍ଚିମରେ ବିଷପାଣି ଏବଂ ଅମଳିପାଣି ପର୍ବତର ପ୍ରାଚୀର ଏବଂ ଉତ୍ତରରେ ପ୍ରକାଣ୍ଡ ପର୍ବତର ବିରାଟ ଦେହରେ ତୋହର ଉପତ୍ୟକା ସଜ୍ଜିତ-। ପୀତ ହରିତ୍‌ ଶୋଭା ସହିତ ଆକାଶର ଗାଢ଼ ନୀଳିମାର ଏକତ୍ର ସମବାୟ ! ଚକ୍ଷୁଶୀତଳ କରିବାର ଉତ୍କୃଷ୍ଟ ଉପାଦାନରେ ଦିଗ୍‌ବଳୟ ଭୂଷିତ !

 

ଉପାଦାନରେ ପୂର୍ଣ୍ଣ ରହି ସୁଦ୍ଧା ଅନାବିଷ୍କୃତ ଓ ଅନାଦୃତଭାବରେ ପଡ଼ି ରହିଥିଲୁ । ବାମଣ୍ଡାର ଯୁବରାଜ ଶ୍ରୀ ଦିବ୍ୟଶଙ୍କରଙ୍କର ଅପୂର୍ବ ପସନ୍ଦ ତୋତେ ଲୋକଚକ୍ଷୁର ସମୀପବର୍ତ୍ତୀ କରି ତୋହ ନିକଟକୁ ସୁଗମ ମାର୍ଗ ଫିଟାଇ ଦେଇଅଛି, ଏଣୁ ତୋହର ରଜତଧାରା ସମ ଝରଣା ନିକଟସ୍ଥ ଅଧିତ୍ୟକ ବର୍ତ୍ତମାନ ଶଙ୍କରାଶ୍ରମ ନାମରେ ସୁପରିଚିତ । ତୋହର ଝରଣା ଅସଂଖ୍ୟ ପ୍ରପାତ ସୃଷ୍ଟି କରିଅଛି, ସାନ ବଡ଼ ଅନେକଗୁଡ଼ିଏ ସ୍ଫଟିକରୁପୀ ପ୍ରପାତଶବ୍ଦରେ ତୋହର କନ୍ଦରସମୂହ ସର୍ବଦା ମୁଖରିତ । ଏହି ଝରଣା ହେତୁରୁ ତୋହର କ୍ରୋଡ଼ ଏଡ଼େ ଶୀତଳ ଓ ସ୍ନିଗ୍ଧ । ଦେବଦୁର୍ଗର ଦୁଃସହ ଗ୍ରୀଷ୍ମ ଯେ ଅନୁଭବ କରିଅଛି, ତୁ ଦେବଦୁର୍ଗରୁ ପ୍ରାୟ ପାଞ୍ଚ କ୍ରୋଶ ବ୍ୟବଧାନରେ ଥାଇ ସୁଦ୍ଧା ତାହାକୁ ତୋହ କୋଳର ଶୈତ୍ୟ ଓ ସ୍ନିଗ୍ଧଭାବ ବୁଝାଇ ଦେବାକୁ ସର୍ବଦା ଟାକି ବସିଅଛୁ ।

 

ବାମଣ୍ଡା ରାଜ୍ୟର ପର୍ବତସମୂହସ୍ଥିତ ବହୁସଂଖ୍ୟାକ ଉପତ୍ୟକା ଓ ଅଧିତ୍ୟକାର ନୟନମନମୋହନ ଶୋଭା ନିରୀକ୍ଷଣ କରୁଁ କରୁଁ ସୂର୍ଯ୍ୟାସ୍ତ ପୂର୍ବରୁ ତୋହ ନିକଟରେ ଉପସ୍ଥିତ ହୋଇଥିଲି । ସେତେବେଳେ ତୋହର ବେଗବତୀ ନିର୍ଝରିଣୀରେ ସୂର୍ଯ୍ୟଦେବଙ୍କ କ୍ଷୀଣରଶ୍ମି ପଡ଼ି ସ୍ଥାନେ ସ୍ଥାନେ ଧୂମଳବର୍ଣ୍ଣ ଦିଶୁଥିଲା । ପର୍ବତର ଦୁର୍ବାଦଳକଳିତ-ଶିଖରସମୂହ ‘‘ହରିତ ହେଲାଣି ପରିଣତ ନୀଳେ’’ର ସାର୍ଥକତା ବୁଝାଇଥିଲା । ଅଦୂରସ୍ଥିତ ନିରବଚ୍ଛିନ୍ନ ଗିରିଶ୍ରେଣୀର ବିରାଟ ଛାୟା ଚତୁର୍ଦ୍ଦିଗ ଗ୍ରାସ କରିବାକୁ ଉନ୍ମୁଖ । କୈଳାଶ ନିର୍ଝରିଣୀରେ ଅପର ଦିଓଟି ନିର୍ଝରିଣୀ ଅଳ୍ପଦୂରରେ ମିଶି ବଡ଼ଯୋର ନାମକ ଗୋଟିଏ ବେଗବତୀ ତଟିନୀ ସୃଷ୍ଟି କରିଅଛି । ଦେବଦୁର୍ଗର ପ୍ରବେଶଦ୍ୱାରରୂପରେ ଏହା ଉପରେ ବାମଣ୍ଡାଧୀଶ ରାଜା ସଚ୍ଚିଦାନନ୍ଦଙ୍କ କର୍ତ୍ତୃକ ଗୋଟିଏ ସେତୁ ନିର୍ମିତ । ଏହି ତଟିନୀ ଜରେଇକଳା ନଦୀ ନାମରେ ପରିଚିତ ଏବଂ ଏହା କୈଳାଶର ନିତାନ୍ତ ନିକଟରେ ଅନବରତ ବୋହି ଯାଉଅଛି ।

 

ଜରେଇକଳାର ଗିରିନଦୀ ଠିକ୍‌ ନଦୀ ନୁହେ । ଏହା ବିସ୍ତୃତକାୟା ନୁହେ, କିନ୍ତୁ ଖରସ୍ରୋତା । ସ୍ଥୂଳତଃ ଏହାକୁ ବୃହତ୍‌-କାୟା ନିର୍ଝରିଣୀ କହିଲେ ସଙ୍ଗତ ହେବ । ଉପଳ-ବନ୍ଧୁର ବକ୍ଷ ଭେଦ କରି ନିର୍ମଳ ସଲିଳରାଶି ଫେନମୟ କଳହାସ୍ୟ ତରଙ୍ଗରେ ପ୍ରାଣର ସମସ୍ତ ବାସନା ଭସାଇ ନେଇ ଅଧୀରପ୍ରବାହନାଦରେ ତଟଭୂମି ଝଙ୍କାରିତ କରି ଅନବରତ ଧାବମାନା ! କେଉଁଠାରେ ଆବର୍ତ୍ତ, କେଉଁଠାରେ ଜଳରାଶି ପାଷାଣ ଅବରୋଧ ଲଙ୍ଘନ କରି ପ୍ରପାତ ପ୍ରାୟ ସଶବ୍ଦରେ ଝରି ପଡ଼ୁଅଛି । ଗତିର ବିରାମ ନାହିଁ, ବାଧା ପ୍ରତି ଲକ୍ଷ୍ୟ ନାହିଁ, ଭକ୍ତର ନିଷ୍ଠା, ସାଧୁର ପବିତ୍ରତା, ସନ୍ୟାସିର ବୈରାଗ୍ୟ ଏବଂ ପ୍ରବାସିର ଗୃହନୁରାଗ ସଦୃଶ ତାହା ଏକାନ୍ତ ଏକାଗ୍ରତାପୂର୍ଣ୍ଣ !

ନିର୍ଝରିଣୀତଟରେ ଦଣ୍ଡାୟମାନ ରହି ଆତ୍ମବିସ୍ମୃତ ହୋଇ ତାହାର ରଜତ-ପ୍ରବାହ ଆଡ଼କୁ ଚାହିଁ ରହିଲି-ତାହାର ଅସ୍ଫୁଟ ମର୍ମକାହାଣୀ ଯେପରି ଏକ ଅର୍ଥହୀନ ରହସ୍ୟ-ଭାଷ ସଦୃଶ ମୋହ କର୍ଣ୍ଣରେ ପ୍ରବେଶ କଲା । ଏହି ପ୍ରସନ୍ନସଲିଳା ତରଙ୍ଗିଣୀ ଭଳି ଜୀବନର ଉଭୟ କୁଳ ପ୍ଳାବିତ କରି, ଚିରପ୍ରେମର ଅନନ୍ତ ପରାବାରରେ, କୃପାସିନ୍ଧୁର ବିଶାଳତାରେ ଳନିଜର ଏହି କ୍ଷୁଦ୍ର ଅସ୍ତିତ୍ୱ ବିଲୁପ୍ତ କରି ଦିଅନ୍ତି ! ହାୟ ! ସେ ମୋହର ସାଧ୍ୟାତୀତ ସାହାସ ନିତାନ୍ତ ସାମାନ୍ୟ, ବିଶ୍ୱାସ ନିତାନ୍ତ ଅଳ୍ପ, ଅନନ୍ତନିର୍ଭରତା ପ୍ରତି ନିର୍ଭରଶକ୍ତିର ଏକାନ୍ତ ଅଭାବ । ଦୀର୍ଘନିଶ୍ୱାସ ତ୍ୟାଗ କରି ମୁଁ ସେହି ତୀରପଥରେ ଆବାସ-କୁଟୀରକୁ ଅଗ୍ରସର ହେଲି । ପ୍ରବାହିଣୀ ମୋହର ଦୁର୍ବଳତା ଦେଖି ଆତ୍ମସମ୍ମାନଭାରରେ ସ୍ପର୍ଦ୍ଧାନିତ୍ୱା, ଗୌରବ ଓ ତରଳତାରେ ଝଙ୍କାରମୟୀ, ବିପୁଳ ସୌନ୍ଦର୍ଯ୍ୟ-ଗର୍ବିତା, ବିଶ୍ୱବିମୋହିନୀ ପ୍ରାୟ ତାହାର ଶୁଭ୍ର ତରଙ୍ଗର ପଣନ୍ତ ଦୋହଲାଇ ମୋତେ ବିଦ୍ରୂପ କରୁଁ କରୁଁ ଗନ୍ତବ୍ୟ ପଥରେ ଚାଲିଗଲା !

ଆବାସ-କୁଟୀରକୁ (କୈଳାଶ-କୁଟୀର) ପ୍ରତ୍ୟାବର୍ତ୍ତନ କରି ବାମଣ୍ଡା ରାଜ୍ୟର ଆଦିମଜାତି ‘କିଷାଣ’ ମାନଙ୍କ ଗୀତ ଶୁଣିଲି । ଏମାନଙ୍କ ସ୍ୱରଲହରୀ ପ୍ରକୃତିକ ଉପାଦାନରେ ଗଠିତ-ସେଥିରେ କୃତ୍ରିମତାର ସତ୍ତା ନାହିଁ । ଗୋଟିଏ ଗୀତରେ ସମ୍ୱଲପୁରର ଐତିହାସିକ ସତ୍ୟ ନିହତ ଅଛି ବୋଲି ଅବିକଳ ଏଠାରେ ପ୍ରଦତ୍ତ ହେଲା :–

‘‘ଜୟପୁରିଆ ଜମିଦାର ଝାରିଘାଟେ

ଭାଲା ଲଡ଼ାଇ କରେ,

ସାହେବକା ପଲଟନ୍‌ଏକ ତୋପ ଦିଆଲେ

ଗଣ୍ଡଭାୟା ଭେଡ଼ି ଭାଗନ୍‌ ଭାଗଲେ,

ରୂପ ସିଂ ବାବୁ କୁଲାବିରା ଗଡ଼େ

ଧୁନି ଲଗାଇଦେଲେ ।’’

ବାମଣ୍ଡା ରାଜ୍ୟର ଆଦିମନିବାସିଙ୍କ ମଧ୍ୟରେ ପୁରୁଷ ଏବଂ ସ୍ତ୍ରୀମାନଙ୍କ ନାମରେ ଶବ୍ଦଗୁଡ଼ିକ ଅତି ସ୍ୱାଭାବିକ । ପୁରୁଷମାନଙ୍କ ନାମ ମଧ୍ୟରେ ଶବ୍ଦଗୁଡ଼ିକ ଅତି ସ୍ୱାଭାବିକ । ପୁରୁଷମାନଙ୍କ ନାମ ମଧ୍ୟରେ ରେଙ୍ଗୁଟୁ, ଠିବୁରୁ, ପେଟରା, ଡାମରା, ଚେମଟୁ, ଖାଡ଼ି ପ୍ରଭୃତି ଏବଂ ସ୍ତ୍ରୀମାନଙ୍କ ନାମ ମଧ୍ୟରେ ଚାଖଁରୀ, କେର୍କେଟୀ, ଚିଲୀ, ସାହେବାଣୀ, ବାଇଗଣୀ, ଦୋଅଣୀ, ଆଠଣୀ ପ୍ରଭୃତି ଶବ୍ଦଗୁଡ଼ିକ ସଭ୍ୟସମାଜରେ ଅନାଦୃତ ହେଲେହେଁ ସମସ୍ତଙ୍କ ପକ୍ଷରେ ଚିତ୍ତାକର୍ଷକ-। ଏ ଶବ୍ଦଗୁଡ଼ିକର ସଂସ୍କୃତ ମୂଳ ଶବ୍ଦ ଖୋଜି ପ୍ରାତ୍ନତତ୍ତ୍ୱକଠୋରତାର ଆବଶ୍ୟକତା ନାହିଁ, ଏହା ପ୍ରକୃତିଙ୍କ ସ୍ୱାଭାବିକ ଭାଷା । ଅସ୍ୱଭାବିକ ଭାଷାସମ୍ୱଳିତ ନାମସମନ୍ୱୟର ସୃଷ୍ଟି କେବଳ ସଭ୍ୟତାର ଅଙ୍ଗ ସିନା ?

ଧୀରେ ଧୀରେ ଅନ୍ଧକାର ମାଡ଼ି ଆସିଲା । ଚରାଚରବ୍ୟାପୀ ଅନ୍ଧାକାରକ୍ରୋଡ଼ରେ ସମୁନ୍ନତ ଗିରିଶୃଙ୍ଗସମୂହ ଲୁପ୍ତ ହେଲା-ଊର୍ଦ୍ଧ୍ୱରେ ଅନନ୍ତ ବିସ୍ତୀର୍ଣ୍ଣ କୋଟି ନକ୍ଷତ୍ରଖଚିତ ନୀଳାକାଶ-ସ୍ତବ୍ଧତାର ଦିଗନ୍ତବ୍ୟାପୀ ମହାସମୁଦ୍ର-ଚତୁର୍ଦ୍ଦିଗର ଶିଖରି ସମୂହରେ ନାନାଜାତୀୟ ବନୌଷଧି ମାଧବଙ୍କ ନୀଳବକ୍ଷରେ କୌସ୍ତୁଭ ସଦୃଶ ଶୋଭା ବିକୀର୍ଣ୍ଣପ୍ରୟାସୀ । ବିଚିତ୍ରବର୍ଣ୍ଣର ପ୍ରସ୍ତରଖଣ୍ଡରୁ ବିଚିତ୍ରପ୍ରଭା ଫୁଟି ଉଠୁଥିଲା । ମନେ ହେଲା, ବିଶ୍ୱର ଅନାଦି ଦେବତା ତାହାଙ୍କ ଅନନ୍ତ ରୂପକୁ ସାନ୍ତ କରି, ତାହାଙ୍କ ଅସ୍ତିତ୍ୱର ଅସୀମତାକୁ ସୀମାବଦ୍ଧ କରି ଏହି ସୀମାହୀନ ନୈଶ ନିସ୍ତବ୍ଧତା ମଧ୍ୟରେ ଯୋଗମଗ୍ନ ମହେଶ୍ୱର ପରି ଦଣ୍ଡାୟମାନପୂର୍ବକ ପର୍ବତବିହାରୀ ଭକ୍ତଗଣର ଭକ୍ତି-ପୁଷ୍ପାଞ୍ଜଳି ଗ୍ରହଣ କରୁଅଛନ୍ତି । ନାନା ବର୍ଣ୍ଣର ପୁଷ୍ପ ଦ୍ୟୁତିମାନ୍‌ ହୀରକଖଣ୍ଡ ପ୍ରାୟ ହାର ଆକାରରେ କଣ୍ଠବିଲମ୍ୱିତ ଅର୍ଘ୍ୟସଦୃଶ ଚରଣୋ ପାନ୍ତରେପ୍ରସାରିତ ! ଏହି ଦୁର୍ଭେଦ୍ୟ ଅନ୍ଧକାର-ଯବନିକାରେ ପ୍ରତ୍ୟେକ ପ୍ରାଣିର ଭବିଷ୍ୟତ୍‌ ଆଚ୍ଛନ୍ନ ସିନା ?

ପରିବର୍ତ୍ତନର ଚଞ୍ଚଳ ସ୍ରୋତ ମଧ୍ୟରେ ବର୍ତ୍ତମାନ ଯାହାକୁ ଦେଖୁଅଛି ପରିକ୍ଷଣରେ ସେ ଅଦୃଶ ! ସମସ୍ତ ହିଁ କ୍ଷୟ ପ୍ରାପ୍ତ ହେଉଅଛି । ଗତି ହିଁ ବିଶ୍ୱର ନିୟମ । ଆଲୋକ ଚାଲି ଯାଇଅଛି ଅନ୍ଧକାର ସକାଶେ । ଦିବା ଅବସାନ ହୋଇଅଛି–ରଜନୀ ଆସିବ ବୋଲି । ଏହିରୂପେ ସୌର ଜଗତ୍‌ ଅପ୍ରତିହତ ଗତିରେ ଧାବମାନ । ଅବିଶ୍ରାନ୍ତ ପରିବର୍ତ୍ତନ, ଅଥଚ ଶାନ୍ତିଭଙ୍ଗ ନାହିଁ । ଏକ ଅନନ୍ତ ମଙ୍ଗଳ ନିୟମ ସମସ୍ତ ଶାସନ କରୁଅଛି । ଯାହା ପରେ ଯାହା, ଠିକ୍‌ ସେତିକି ଘଟୁଅଛି । ମନୁଷ୍ୟ ବୁଝିପାରୁ ବା ନ ପାରୁ ଯେଉଁ କାର୍ଯ୍ୟର ଯେଉଁ ଫଳ, ଯେଉଁ କାରଣର ଯେ କାର୍ଯ୍ୟ କେବେହେଁ ତାହାର ତିଳମାତ୍ର ବ୍ୟତିକ୍ରମ ଘଟୁ ନାହିଁ । ଘଟନାଶୃଙ୍ଖଳ ଅଖଣ୍ଡ ନିୟମରେ ବଦ୍ଧ ରହିଅଛି ।

ସେହି ଅଖଣ୍ଡ ନିୟମରେହିଁ ଏହି ଜଗତରେ ଦିନ ଉତ୍ତାରୁ ରାତ୍ରି ଆସୁଅଛି । ଅନ୍ଧକାର ! ଅନ୍ଧକାର କହିଲେ କି ଭାବ ମନରେ ଉଦିତ ହୁଏ । କି ବିଭୀଷିକାମୟ ଅଜ୍ଞାତ ରାଜ୍ୟର କେତେ ଅସ୍ପଷ୍ଟ ଆଭାସ କଳ୍ପନା-ଚକ୍ଷୁରେ ଆବିର୍ଭୂତ ହୁଏ ! ହୃଦୟ ସ୍ତମ୍ଭିତ ହୁଏ, ଇନ୍ଦ୍ରିୟସମୂହ ନିଶ୍ଚଷ୍ଟ ହୋଇ ପଡ଼େ । ଦର୍ଶନେନ୍ଦ୍ରିୟଦ୍ୱାରା ଆମ୍ଭେମାନେ ବାହ୍ୟଜଗତର ଅଧିକାଂଶ ବିଷୟ-ଜ୍ଞାନ ଉପଲବ୍ଧି କରିଥାଉଁ, ମାତ୍ର ଅନ୍ଧକାର ନିସ୍ତବ୍ଧ ଭାବରେ ଆସି ଆମ୍ଭମାନଙ୍କ ସେହି ସ୍ୱାଭାବିକ ଅଧିକାର ହରଣ କରେ । ଚକ୍ଷୁରୂପ ଜ୍ଞାନଦ୍ୱାରା ରୁଦ୍ଧ ନ ହେଲେ ଆମ୍ଭେମାନେ ଅସହାୟ ଅବସ୍ଥା ଅନୁଭବ କରିବାକୁ ସମର୍ଥ ହେଉଁ । ଆମ୍ଭମାନଙ୍କ ଇନ୍ଦ୍ରୟଗୋଚର ବିଷୟ ଉପରେ ଅନ୍ଧକାର କଣ ଗୋଟିଏ ମାୟାମୟ ଆବରଣ ପକାଇ ଦିଏ, ଆମ୍ଭମାନେ ସେଥିରେ ସମ୍ପୂର୍ଣ୍ଣ ନିଶ୍ଚେଷ୍ଟ ହୋଇଯାଉଁ ।

ସ୍ୱଭାବ-ସରଳ ଶିଶୁ-ମାନବ-ପ୍ରାଣ ପ୍ରଥମ ଆଲୋକ ଦେଖି ଯେପରି ଦିବାକରଙ୍କ ଉପାସକ ହୋଇଥିଲା, ସେହିପରି ପ୍ରଥମ ଅନ୍ଧକାର ଦେଖି ସେ ନିଜ ଭାଗ୍ୟଲିପିର ଅନିଶ୍ଚିତ ଭବିଷ୍ୟତ୍‌ ଭାଳି ଚମକି ଉଠିଥିଲା ! ନବପ୍ରଭାତରେ ସେ ଯେପରି ନବଜୀବନରେ ଉଲ୍ଲସିତ ହୋଇଥିଲା, ସେହିପରି ଆଦି ଅନ୍ଧକାର ମୁଖରେ ପଡ଼ି ସେ ମୃତ୍ୟୁର ଇଷତ୍ ଚିତ୍ର ଦେଖି ଆତଙ୍କରେ ସ୍ତମ୍ଭିତ ହୋଇଥିଲା ! ଆଲୋକ ଓ ଅନ୍ଧକାର ଦୁହିଙ୍କୁ ଏକସଙ୍ଗେ ଦେଖି ଜଗତର ଦ୍ୱିତ୍ୱରେ ଏକତ୍ୱ ଭାବ ତାହାର ଜ୍ଞାନ-ଗୋଚର ହୋଇଥିଲା ।

ଯେତେବେଳେ ସୂର୍ଯ୍ୟ ନ ଥିଲା, ଗ୍ରହନକ୍ଷତ୍ର ନ ଥିଲା, ସୁଧାକର ନ ଥିଲା-ଏହି ସୁରମ୍ୟ ବିଶ୍ୱର କିଛି ହିଁ ନ ଥିଲା, ସେତେବେଳେ ସୃଷ୍ଟିର ଆଦିରେ ଅନନ୍ତ, ଅଗାଧ, ଦିକ୍‌ଶୂନ୍ୟ, ଅସ୍ତିତ୍ୱଶୂନ୍ୟ ଅନ୍ଧକାର ପୂର୍ଣ୍ଣ୍ୟ ରହିଥିଲା । ଅନ୍ଧକାର ‘‘ନାସ୍ତି’’ର ନାମାନ୍ତର ସିନା ?

ମନୁଷ୍ୟ ‘‘ଅନ୍ଧକାର’’ କୁ ପାର୍ଥିବ ଜୀବନର କେତେ ଭାବ ସହିତ ତୁଳନା କରି ଦେଇଅଛି-! ସମସ୍ତ ସଭ୍ୟଜାତିଙ୍କ ସାହିତ୍ୟରେ ଆଲୋକ ଓ ଅନ୍ଧକାର ଏହି ଦିଓଟି ପ୍ରକୃତିକ ଅବସ୍ଥା ବିବିଧ ମନୋଭାବରେ ରୂପକ ରୂପେ ବ୍ୟବହୃତ ହୋଇଅଛି । ପରସ୍ପର ବିପରୀତ କେତେ ଭାବ ଏହି ଉଭୟ ଶବ୍ଦ ସାହାଯ୍ୟରେ ସହଜବୋଧ୍ୟ ହୋଇଯାଏ ।

ପ୍ରକୃତିଙ୍କର ଯେପରି ଅନ୍ଧକାର, ମାନବ ପ୍ରକୃତିରେ ସେହିପରି ‘‘ଅଭାବ’’ । ଏହି ଉଭୟର ଜ୍ଞାନ ଅନେକ ପରିମାଣରେ ସମାନ । ମନୁଷ୍ୟ ମନରେ ନାନାପ୍ରକାର ଅଭାବ ଉପଲବ୍ଧି ହୁଏ । ଅଜ୍ଞାନ, ମୋହ, ବିଶାଦ, ଶୋକ, ପାପ, ନିରାଶା, ବିଚ୍ଛେଦ, ବିସ୍ମୃତି, ଦୁଃଖ, ମୃତ୍ୟୁ, ପରକାଳ, ଅନନ୍ତ ପ୍ରଭୃତି ଭାବସମୂହ ଅନ୍ଧକାରର ରୂପକରେ ବୋଧଗାମ୍ୟ ହୁଏ । ଆମ୍ଭେମାନେ ଯେତେବେଳେ ଅନ୍ଧକାର-ସମୁଦ୍ର କୂଳରେ ବସି ଗଭୀରଭାବରେ ଜୀବନ-ଚିନ୍ତାରେ ନିଯୁକ୍ତ ହେଉଁ, ସେତେବେଳେ ଦେଖୁଁ, ବାହାରର ପ୍ରତ୍ୟେକ ତମସ୍ତରଙ୍ଗ ହୃଦୟର ଅନୁଭୂତ ଗୋଟିଏ ଗୋଟିଏ ଗଭୀର ଅଭାବର ପ୍ରତିରୂପ । ସେତେବେଳେ ବହିଃପ୍ରକୃତି, ଅନ୍ତଃପ୍ରକୃତି ଯେପରି ଏକୀଭୂତ ହୋଇଯାଏ । ଆମ୍ଭେମାନେ ଅନ୍ଧକାରର ଜୀବ । ପରିମିତ ସମସ୍ତହିଁ ଅନ୍ଧକାରରୂପୀ, ଏକମାତ୍ର ପରମାତ୍ମାହିଁ ଜ୍ୟୋତିଃସ୍ୱରୂପ ।

କେହି ଅନ୍ଧକାର ଦେଖିଅଛନ୍ତି ? ଅନ୍ଧକାର କଣ ? କେହି କେବେ ଅନ୍ଧାରକୁ ସ୍ପର୍ଶ କରିଅଛନ୍ତି କି ? ତେବେ ଅନ୍ଧାରକୁ ଚିହ୍ନିଲେ କିପରି ? ଆଲୋକ ଇନ୍ଦ୍ରିୟ-ଗ୍ରାହ୍ୟ; ଅନ୍ଧକାର କେଉଁ ଇନ୍ଦ୍ରିୟଦ୍ୱାରା ଜଣାଯାଏ ? ବିଶ୍ୱର ଜଡ଼ପରମାଣୁରାଶି ଅନନ୍ତ କମ୍ପନଶୀଳ, ଆକାଶର କମ୍ପନରେ ଆଲୋକର ଉତ୍ପତ୍ତି ଓ ଗତି । ଉତ୍ତାପ ଏବଂ ଆଲୋକ ଏକ କାରଣଶୃଙ୍ଖଳାର ଯୋଡ଼ିଏ ଫଳ । ଜ୍ୱଳନ୍ତ ଲୌହପିଣ୍ଡରୁ ଏକସମୟରେହିଁ ଉତ୍ତାପ ଏବଂ ଆଲୋକ ଉଦ୍ଭୂତ ହୁଏ-ପରମାଣୁସମଷ୍ଟିର ଉଗ୍ର କମ୍ପନ, ସଞ୍ଚାଳନ ଏବଂ ଘର୍ଷଣ ଫଳରୁ । କିନ୍ତୁ ଅନ୍ଧକାରର ଉତ୍ପତ୍ତି କିପରି ? ଅନ୍ଧକାର ଗତିହୀନତା, ବିଶ୍ରାମ । ଅନ୍ଧକାର ପରମାଣୁ କମ୍ପନର ଅଭାବ ଅଥବା ବିରଳତା । ମୂଳରେ ଅଭାବ ନ ଥିଲେ ଅନ୍ଧକାର ହୁଏ ନାହିଁ; ଅଭାବହିଁ ଏହାର ପ୍ରକୃତି । ଅନ୍ଧକାର ଏହି ସକାଶେ ଶୀତଳ-ଜଡ଼ ପରମାଣୁର ସଞ୍ଚଳନ ଏବଂ ଆଘାତ ନିବୃତ୍ତ ନ ହେଲେ ଶୈତ୍ୟ ସମ୍ଭବପର ନୁହେ ।

ମାନବ-ଜୀବନ ମଧ୍ୟ ଆତ୍ମାର ଗତି ଭିନ୍ନ ଆଉ କଣ ? ଜୀବନ ଆତ୍ମ-ପରମାଣୁ ସମଷ୍ଟିର ଅନନ୍ତ କମ୍ପନ । ସେହି କମ୍ପନର ବିଶ୍ରାମୁହିଁ ମୃତ୍ୟୁ । ଜଡ଼ ଦେହ କମ୍ପନର ବିରାମରେହିଁ ମୃତ୍ୟୁମୁଖରେ ପତିତ ହୁଏ । କିନ୍ତୁ ଆତ୍ମାର ଗତି ସମ୍ପୂର୍ଣ୍ଣରୂପେ ପ୍ରତିହତ ହୁଏ ନାହିଁ, ଆତ୍ମାର କମ୍ପନ ଓ ଗତି ଅନନ୍ତକାଳ ଚାଲୁଥାଏ ।

ଅନନ୍ତ ସ୍ୱରୂପଙ୍କ ତୁଳନାରେ ‘ମୁଁ କିଛି ନୁହେଁ’ ଏ ଭାବ ଯେବେ କେହି ପ୍ରତ୍ୟକ୍ଷ କରିବାକୁ ଇଚ୍ଛା କରନ୍ତି, ତାହାହେଲେ ସେ ଥରେ ଅନ୍ଧକାର ନିକଟରେ ଯାଇଁ ବସନ୍ତୁ । ଅନ୍ଧକାରର ଶିକ୍ଷାକୁ ନିଜ ଜୀବନ ସହିତ ମିଳାଇ ନିଅନ୍ତୁ । ଏକାକୀ ତିମିରସାଗରରେ ବୁଡ଼ି ଦେଖନ୍ତୁ, ନିଜର ଅସୀମ ଅଭାବ ପରିସ୍ଫୁଟଭାବରେ ଉପଲବ୍ଧି କରି ପାରିବେ । ଅନ୍ଧକାର ଗମ୍ଭୀରସ୍ୱରରେ କହୁଅଛି, ‘‘କିଛି ନୁହେ, କିଛି ନୁହେ, ସୃଷ୍ଟ ଜୀବ କିଛି ନୁହେ ! ଅସହାୟ, ଅପଦାର୍ଥ ! ଜୀବର ଦମ୍ଭ, ଅଭିମାନ, ସ୍ୱାତନ୍ତ୍ର ମୁଁ ସମସ୍ତଙ୍କୁ ଗ୍ରାସ କରିବି–ମୋହର ବିଶାଳ ଉଦର ମଧ୍ୟରେ ସମସ୍ତ ଲୀନା ହୋଇଯିବ !’’

‘ଅତୀତ କାଳ’ ଏହି ଅନ୍ଧକାର-ରୂପୀ । ‘ଅତୀତ’ ସମସ୍ତଙ୍କୁ ଗ୍ରାସ କରିଅଛି; ସୁଖ, ଦୁଃଖ, ଶୋକ, ପାପ, ହର୍ଷ, ବିଷାଦ, ଆଶା, ଆକାଂକ୍ଷା, ସମସ୍ତେ ଦେଖୁଁ ଦେଖୁଁ ଅତୀତର ଭୀଷଣ ଅନ୍ଧକାରରେ ମିଶି ଯାଉଅଛି, ଆଉ ଫେରିବାକୁ ନାହିଁ । ଅତୀତର ବିଭୀଷିକାମୟ ତମଃସିନ୍ଧୁର ଅପର ପାଖ ଏହି ମରଚକ୍ଷୁରେ ପ୍ରତୀୟମାନ ହୁଏ ନାହିଁ, କେବଳ ଯେଉଁ ପାଖ ବର୍ତ୍ତମାନ ଦିଗକୁ, ସେତିକି ଦୃଷ୍ଟ ହୁଏ । କିନ୍ତୁ ସେଆଡ଼େ ମଧ୍ୟ କ୍ଷଣେ କ୍ଷଣେ ଭାଙ୍ଗି ଯାଉଅଛି- ଏହି ଭଙ୍ଗା ନିବାରଣ କରିବାର ସାଧ୍ୟ କାହାରି ନାହିଁ-ଭାଙ୍ଗି ଆସୁଁ ଆସୁଁ କ୍ରମଶଃ ଯାହା ଅଳ୍ପ ପୂର୍ବେ ଭବିଷତ୍‌ ଥିଲା, ସେ ରାଜ୍ୟ ମଧ୍ୟ ଆକ୍ରମଣ କରୁଅଛି !

ତାମସ ଭବିଷ୍ୟତର ଅନ୍ତରତମ ପ୍ରଦେଶରେ ଜାଗତିକ ନିୟତିର କି ବ୍ୟବସ୍ଥା ପରିସ୍ଥାପିତ ରହିଅଛି, ତାହା କିଏ ଜାଣେ ? ମାନବ ! ତୁମ୍ଭେ ଯେଉଁ ଆଶାରେ, ଯେଉଁ ଚିନ୍ତାରେ ସଂସାର ସାଗରରେ ସନ୍ତରଣ କରୁଅଛ, କିଏ ଜାଣେ ତାହାର ପରିଣାମ କଣ ହେବ ? ଯେ ଆକାଂକ୍ଷାରେ ମାନବ, ତୁମ୍ଭେ ଜଳଧି ଜଳରେ ବୁଡ଼ି ଯାଉଅଛି, କିଏ ଜାଣେ ସେ କାର୍ଯ୍ୟର ପୁରସ୍କାର କଣ ହେବ ?

ମାନବୀୟ ଘଟଣା କାହାର ଗୂଢ଼ ଇଙ୍ଗିତରେ ପରିଚାଳିତ ହୁଏ, ଏହା ନିର୍ଣ୍ଣୟ ବା ଅନୁମାନ କରିବାର ଶକ୍ତି ଏ ପର୍ଯ୍ୟନ୍ତ ମାନବର ଜନ୍ମି ନାହିଁ । ଯେଉଁମାନେ ଜଡ଼ଜଗତର ଗୋଟିଏ ଯୋଡ଼ିଏ କାର୍ଯ୍ୟ-କାରଣ-ସମ୍ବନ୍ଧର ନିର୍ଣ୍ଣୟ କରି ଅଥବା କାର୍ଯ୍ୟର କୋରକ ଅବସ୍ଥାକୁହିଁ ତାହାର କାରଣ ବୋଲି ଭ୍ରମ କରି ବୈଜ୍ଞାନିକସମାଜରେ ପ୍ରଶଂସା ପାଉଅଛନ୍ତି, ସେମାନେ ଯାହାକୁ ଆକସ୍ମିକ ବ୍ୟାପାର (accident) ବୋଲି ଉଡ଼ାଇ ଦେବାକୁ ଚେଷ୍ଟା କରାନ୍ତି-ତାହା ଅନ୍ତରାଳରେ ଯେ ଗୋଟିଏ ଦୁର୍ନିରୀକ୍ଷ ସୂକ୍ଷ୍ମ କାରଣ-ସୂତ୍ର ନାହିଁ, ଏହା କିଏ କହି ପାରେ ? ଅନେକ ସମୟରେ ଦୃଷ୍ଟ ହୁଏ, ଗୋଟିଏ ଅତି ସାମାନ୍ୟ ଓ ନଗଣ୍ୟ ବ୍ୟାପାରରୁ ଗୁରୁତର ବ୍ୟାପାରର ଅବିର୍ଭାବ ହୋଇଥାଏ । ଯେଉଁମାନେ ଭଗବଦ୍‌ବିଧାନରେ ବିଶ୍ୱାସୀ, ସେମାନେ ଏ କଥା ଏକବାକ୍ୟରେ ସ୍ୱୀକାର କରିବେ । ବିଶ୍ୱର କୌଣସି ବିରାଟ ବ୍ୟାପାରରେ, କେବଳ ବିରାଟ ବ୍ୟାପାର କାହିଁକି, ଅତି ସାମାନ୍ୟ ବ୍ୟାପାରରେ ସୁଦ୍ଧା ମାନବର କିଛିମାତ୍ର କର୍ତ୍ତୃତ୍ୱ ନାହିଁ । ଅହଙ୍କାରର ଆବେଶରେ ମନୁଷ୍ୟ କେବଳ ନିଜର କର୍ତ୍ତୃତ୍ୱଶକ୍ତିର ଗୁରୁତ୍ୱ କଳ୍ପ କରିଥାଏ ।

‘‘ତ୍ୟାଗବଳଂ ପରଂ ବଳଂ’’ ଏ ଉପଦେଶ କେବଳ ହିନ୍ଦୁଧର୍ମର ଉପଦେଶ ନୁହେ-ଏହା ସର୍ବ ଧର୍ମର ସାର ଉପଦେଶ । ଆମ୍ଭେମାନେ ‘‘ଐହକାଳିକତା’’ ପାଇଁ ପରକାଳର କଥା ବିସ୍ମୃତ ହୋଇଅଛୁଁ । ଧର୍ମର ପାରଲୌକିକ ଶିକ୍ଷା ଆମ୍ଭମାନଙ୍କ ମାନସକ୍ଷେତ୍ରରେ ଯେଉଁ ପ୍ରଭାବ ବିସ୍ତୃତ କରିଥିଲା, ନବ୍ୟଯୁଗର ଜଡ଼ବାଦ ତାହା ପ୍ରାୟ ବିନଷ୍ଟ କରି ଦେଇଅଛି-ଏହି ହେତୁରୁ ସ୍ୱାର୍ଥସନ୍ଧାନରେ ଆମ୍ଭମାନେ ସର୍ବଦା ଲାଳାୟିତ !

ଅନ୍ଧକାର ସହିତ ପରିଚିତ ହେବାର ଉଚିତ । ଅନ୍ଧକାର ନିଜର ଅସୀମ ଶୂନ୍ୟତା ଦେଖାଇ ଆମ୍ଭମାନଙ୍କ ଜୀବନର ଅନ୍ତଃ-ସାରଶୂନ୍ୟତା ପ୍ରମାଣ କରିଦିଏ । ଅନ୍ଧକାରର ନୀରବ ଉପଦେଶ ଶୁଣିଲେ ହୃଦୟ ଚମକି ଉଠି ନିଜ ଆଡ଼କୁ ଅନାଏ, ଅନାଇ ବିଷମ ବିଭୀଷିକାରେ ଅସ୍ଥିର ହୋଇଯାଏ । ଅନ୍ଧକାରକୁ କିଏ ଜୟ କରି ପାରେ ? ଆଲୋକ । ଅଭାବକୁ ଭାବଦ୍ୱାରା ଜୟ କରି ହୁଏ । ନବରବିର ପ୍ରକାଶ ନିଶାର ତିମିର ହରଣ କରେ–ମାନବ ହୃଦୟର ଦାରୁଣ ଅନ୍ଧକାର ସେହି ପରମାତ୍ମାଙ୍କ ଜ୍ଞାନ-ପ୍ରକାଶ ଭିନ୍ନ ଆଉ କୌଣସି ଦ୍ରବ୍ୟରେ ଘୁଞ୍ଚିବ ନାହିଁ । ପ୍ରକୃତି ଏହି ସ୍ଥଳରେ ଧର୍ମର ପ୍ରୟୋଜନୀୟତା ଦେଖାଇ ଦିଅନ୍ତି ।

ଦିବସ ଉତ୍ତାରୁ ରାତ୍ରି-ପ୍ରକୃତିଙ୍କ ନିୟମ; କର୍ମ ଉତ୍ତାରୁ ବିଶ୍ରାମ, ସୁଖ ଉତ୍ତାରୁ ଦୁଃଖ, ଜାଗରଣ ଉତ୍ତାରୁ ନିଦ୍ରା ମାନବ ପ୍ରକୃତିର ନିୟମ । ପ୍ରକୃତି ଯେ ନିୟମରେ ଚଳନ୍ତି, ଜୀବକୁ ସେହି ନିୟମରେ ଚାଲିବାକୁ ଉପଦେଶ ଦିଅନ୍ତି । ଏହି ଶିକ୍ଷା ସମସ୍ତେ ଗ୍ରହଣ କରିବାକୁ ବାଧ୍ୟ । ଅବାଧ୍ୟ ହେଲେ ଶାସ୍ତି ଭୋଗ ଅନିବାର୍ଯ୍ୟ । ପ୍ରକୃତିଙ୍କ ଶିକ୍ଷା ଅବହେଳା କରି ନିର୍ବିଘ୍ନରେ ଜୀବନ ଯାପନ କରିବାକୁ କାହାରି ସାଧ୍ୟ ନାହିଁ । ଜଡ଼ଜଗତରେ ଏବଂ ଆତ୍ମଜଗତରେ ପ୍ରାକୃତିକ ଶକ୍ତିସମୂହ ସୃଷ୍ଟିକର୍ତ୍ତାଙ୍କ ଅଙ୍ଗୁଳି ନିର୍ଦେଶରେ ଅନବରତ କାର୍ଯ୍ୟକାରଣ-ଶୃଙ୍ଖଳା ରକ୍ଷା କରୁଅଛନ୍ତି ।

ଅନ୍ଧକାରରେ ଏକାକୀ ପ୍ରକୃତି-ସମୀପରେ ହୃଦୟଦ୍ୱାର ଉଦ୍‌ଘାଟନ କଲେ ଅନେକ ବେଦନାର ଉପଶମ ହୁଏ । ପ୍ରକୃତିଙ୍କ ସହାନୁଭୂତି ଶାନ୍ତିର ଗୋଟିଏ ବିଶେଷ ଉପାୟ । ଶତ ସଂସାରଜ୍ୱାଳାରେ ବିବ୍ରତ ହୋଇ ପ୍ରକୃତିଙ୍କ ପ୍ରଶାନ୍ତ କ୍ରୋଡ଼ରେ ଆଶ୍ରୟ ନିଅ,-ହୃଦୟରେ ନିଶ୍ଚୟ ଶାନ୍ତି ଉପସ୍ଥିତ ହେବ । ମାନବର ବାଚନିକ ସମବେଦନା ବୋଧ ହୁଏ ତେତେଦୂର ହୃଦୟସ୍ପର୍ଶୀ ନୁହେ । ଯେତେବେଳେ ଜୀବନ ସଂଗ୍ରାମରେ ପରାଜିତ ହେଉଁ ହେଉଁ ପରିଶ୍ରାନ୍ତ ହୋଇ ପଡ଼ିବ, ନିଦାରୁଣ ନିରାଶା ହୃଦୟ ଗ୍ରାସ କରି ପକାଇବ, ସେତେବେଳେ ପ୍ରକୃତିଙ୍କ ଅନ୍ଧକାର ବକ୍ଷରେ ଆଶ୍ରୟ ନିଅ–ନିଶ୍ଚୟ ଆଶା, ବଳ ଓ ସାହାସ ଆସିବ ମନୁଷ୍ୟ ବ୍ୟତୀତ ଜଗତରେ ଯେ ଅପର ଶକ୍ତି କାର୍ଯ୍ୟ କରୁଅଛି ଏବଂ ସେହି ଶକ୍ତି ଯେ ଅଜେୟ, ତାହା ବିଶ୍ୱାସ କରି ଚିତ୍ତ ଶାନ୍ତ ହେବ । ସମସ୍ତ ବିରକ୍ତି ଏବଂ ସକଳ ପ୍ରକାର ଅଶାନ୍ତିର ଔଷଧ ପ୍ରକୃତ ଏଠାରେ ମିଳେ । ଦେଶଭେଦ ଏବଂ କାଳ ଭେଦରେ ସମସ୍ତ ମାନସିକ ବ୍ୟାଧିର ଉପଶମ ହୁଏ ।

ସମସ୍ତ ଦିବସ ଆଲୋକରେ ପରିଶ୍ରମ କରି ଟିକିଏ ଅନ୍ଧକାର ଯେବେ ପାଇ ନ ଥାନ୍ତି, ତାହାହେଲେ କି ଦୁରବସ୍ଥା ହୁଅନ୍ତା ! ଆଲୋକ ଆମ୍ଭମାନଙ୍କୁ ବହିର୍ଜଗତର ବିଷୟରେ ଲିପ୍ତ କରି ରଖେ, ଅନ୍ଧକାରରେ ଆମ୍ଭେମାନେ ନିଜକୁ ନିଜ ନିକଟରେ ଫେରି ପାଉଁ । ସଂସାରର କୋଳାହଳରେ, ଜୀବନର କାର୍ଯ୍ୟକ୍ଷେତ୍ରରେ, ଘଟନା-ଚକ୍ରର ଆବର୍ତ୍ତନ ମଧ୍ୟରେ ଆମ୍ଭେମାନେ ଦିବସ ମଧ୍ୟରେ ନିଶ୍ୱାସ ପକାଇବାର ସମୟ ପାଉ ନାହିଁ-ହୃଦୟର ଭାର ହୃଦୟରେ ଘୋଡ଼ାଇ ରଖି, ନୟନର ଅଶ୍ରୁ ନୟନରେ ଲୁଚାଇ ଆମ୍ଭେମାନେ ବ୍ୟସ୍ତ ରହିବାକୁ ବାଧ୍ୟ ହୋଇଥାଉଁ । ଅନ୍ଧକାର ଆମ୍ଭମାନଙ୍କ ବିଶ୍ରାମର ସମୟ ଜଡ଼ ଦେହ ଯେପରି ବିଶ୍ରାମ କରେ, ଆତ୍ମା ମଧ୍ୟ ସେହିପରି ସକଳ ପ୍ରକାର ବାହ୍ୟ ବିଷୟରୁ ମୁକ୍ତ ହୋଇ ପରମାର୍ଥ ଚିନ୍ତାରେ ବ୍ୟାପୃତ ରହିବାକୁ ଅବସର ପାଇଥାଏ । କେତେ ଆତ୍ମଗ୍ଳାନିର ତୀକ୍ଷ୍ଣ ଜ୍ୱାଳା, କେତେ ଶୋକ-କାତର ହୃଦୟର ଦୀର୍ଗଶ୍ୱାସ, କେତେ ସନ୍ତପ୍ତ ପ୍ରାଣର ଅଶ୍ରୁ, କେତେ ଆର୍ତ୍ତନାଦ କେତେ ବିଳାପଧ୍ୱନି ପ୍ରତି ରଜନୀର ଅନ୍ଧକାର-ସମୁଦ୍ରରେ ଆଶ୍ରୟ ନେଇଥାଏ, ତାହା କିଏ ଜାଣି ପାରିବଁ ? କେତେ ସଂସାର-ବିରାଗୀ ସାଧକ ସାଧନର ଧନ ପରମାତ୍ମାଙ୍କୁ ଲାଭ କରିବା ସକାଶେ ଏହି ଅନ୍ଧକାରରେ କେତେ ପ୍ରକାର ତପସ୍ୟା କରିଥାନ୍ତି । ଯେ ବ୍ୟକ୍ତିଙ୍କର ଯାହା ବାସନା, ତାହା ପୂର୍ଣ୍ଣ କରିବା ସକାଶେ ସମସ୍ତେ କେତେ ନୀରବ ପ୍ରାର୍ଥନା ଜଣାଇ ପ୍ରକୃତିଙ୍କ ପ୍ରଦତ୍ତ ଶାନ୍ତିରସରେ ଅଭିଷିକ୍ତ ହୁଅନ୍ତି ! ଅନ୍ଧକାରର ଯେବେ ଅନନ୍ତ ଚକ୍ଷୁ ଥାନ୍ତା, ତାହାହେଲେ ସେ ଅନନ୍ତ,-ଗମ୍ଭୀର ମାନବ-ହୃଦୟ ଦୃଶ୍ୟ ଦେଖି ସ୍ତମ୍ଭିତ ହୁଅନ୍ତା ! ଦିବାଲୋକ ଅତ୍ୟନ୍ତ ନିଷ୍ଠୁର, ଦିବସରେ ସାଂସାରିକ କାର୍ଯ୍ୟ-ବ୍ୟସ୍ତ ମନୁଷ୍ୟ ଆହୁରି ନିଷ୍ଠୁର । ଗଭୀର ନିରାଶରେ ସଂସାରର କଳରବ ଶାନ୍ତି ଦେଇ ନ ପାରେ; କିନ୍ତୁ ଅନ୍ଧକାରରେ ପ୍ରକୃତିଙ୍କ ନୀରବ ପ୍ରଶାନ୍ତଭାବ, ନୈଶ ସମୀରସ୍ନିଗ୍ଧତା ଶତ ଦଗ୍ଧ ହୃଦୟରେ ମଧ୍ୟ ସହାନୁଭୂତିର କରୁଣ ହସ୍ତ ବୁଲାଇ ଦିଏ । ପ୍ରକୃତିଙ୍କ ଅନ୍ତରାଳବର୍ତ୍ତିନୀ ମହାଶକ୍ତି ଯାଦୁକର ଭଳି ଅଦୃଶ୍ୟ ରହି ଅନ୍ଧକାର ମଧ୍ୟରେ ପ୍ରାଣକୁ ସ୍ପର୍ଶ କରିଥାନ୍ତି ।

କୈଳାଶ ! ତୋହର ପାଦପ-ଶାଖା-ପରିମଣ୍ଡିତ ଖଦ୍ୟୋତ ପଂକ୍ତିରେ ବିଭୂଷିତ ହୋଇ ତୁ କି ସୁନ୍ଦର ଦିଶୁଅଛୁ । ଏହି ଅବସ୍ଥାରେ ପୁଣି ତୁ ନକ୍ଷତ୍ର-ହାସ୍ୟ-ତରଙ୍ଗ-ପ୍ରଭାସିତ ଗଗନ-ପ୍ରାଙ୍ଗଣକୁ ଅନାଇ ରହିଅଛୁ ! ତରଳ-ତାରକା-ଗୁମ୍ଫିତ ନଭୋମଣ୍ଡଳର ଚାକଚିକ୍ୟ ସହିତ ତୋହ ଦେହସ୍ଥିତ ଲକ୍ଷ ଲକ୍ଷ ଖଦ୍ୟୋତମଣ୍ଡଳୀର ଔଜ୍ଜ୍ୱଲ୍ୟ ମିଶି ତୋହର ଅବତମସାଚ୍ଛନ୍ନ ଉପତ୍ୟକା ଏବଂ ଗହ୍ୱରସମୂହ ଅବତମସାଚ୍ଛନ୍ନ ହୋଇଅଛି ଏବଂ ତୋହର ପ୍ରବାହିଣୀ-ତରଙ୍ଗ-ଶୀତଳ ସମୀରଣରେ ପୂର୍ଣ୍ଣ ଶୈତ୍ୟ ଅନୂଭୂତ ହେଉଅଛି । କେତେ ଯୁଗ ବ୍ୟାପି ଏହିପରି ସଦର୍ପରେ ଦଣ୍ଡାୟମାନ ରହି ସୃଷ୍ଟି ବ୍ୟାପାରର ଅଦ୍ଭୁତ ପ୍ରହେଳିକାର ପରିଚୟ ଦେଉଅଛୁ, ତୁ ଜାଣୁ । ମୁଁ ଛାର କଣ ବୁଝିବି ? କେବଳ ତୋହ ନିକଟରୁ ବିଦାୟ ଘେନିଲାବେଳେ ମନେ ହେଉଅଛି, ଯେପରି ପ୍ରକୃତ ସ୍ୱର୍ଗଭ୍ରଷ୍ଟ ହେଉଅଛି । ତୋହ କୋଳରେ ବନ ବୀଥିକାରୂପେ ଜନ୍ମ ଗ୍ରହଣ କଲେ ଜୀବନ ସାର୍ଥକ ହୋଇଥାନ୍ତା ସିନା ।

Image

 

ସାତକୋଶିଆରେ ଅନ୍ଧକାର

 

ସାତକୋଶିଆ ! ତୋତେ କେତେ ଥର ଦେଖିଅଛି, ମାତ୍ର ତୁ ଚିର-ନୂତନ, ସମଗ୍ର ଉତ୍କଳରେ ତୋହ ପରି ଲଳିତ-ଭୀଷଣ ଦୃଶ୍ୟ ଆଉ କେହି ଦେଖାଇବାକୁ କ୍ଷମ ନୁହନ୍ତି । ଆକାଶ-ଚନ୍ଦ୍ରତପ ତଳେ ଦୁଇପାର୍ଶ୍ୱସ୍ଥିତ ବିଶାଳ ହରିତ୍‌ ପର୍ବତଶୃଙ୍ଗ, ମଧ୍ୟସ୍ଥିତା ବୀଜ-ଜଳ-ପୂର୍ଣ୍ଣ । ମହାନଦୀର ସପ୍ତକ୍ରୋଶବ୍ୟାପୀ କି ବିରାଟ, କି ଭୀଷଣ, କି ମହାନ୍‌ ଚିତ୍ର ପରମେଶ୍ୱର ପ୍ରତିଷ୍ଠିତ ପବିତ୍ର ନିୟମାନୁସାରେ ତୁ ସଜାଇ ରଖିଅଛୁ ! ବାସ୍ତବରେ ତୁ ପ୍ରଫୁଲ୍ଲତାର ରଙ୍ଗଭୂମି, ସରଳତାର ଆକର, ପବିତ୍ରତାର ଜନ୍ମଭୂମି, ନିର୍ମଳତାର ଆଧାର ଏବଂ ସୌନ୍ଦର୍ଯ୍ୟର କଳ୍ପବୃକ୍ଷ । ତୋହର ସହସ୍ର ପ୍ରକାରରେ ବର୍ଣ୍ଣନା କଲେ ମଧ୍ୟ ବର୍ଣ୍ଣନା-ସାଫଲ୍ୟର ଅଧିକାର କାହାରି ନାହିଁ । ତୋହର ସୌନ୍ଦର୍ଯ୍ୟ କେବଳ ଅନୁଭବ ଯୋଗ୍ୟ ।

 

ଏକ ପାର୍ଶ୍ୱରେ ଦଶପଲ୍ଲାର ବଡ଼ମୂଳଠାରୁ ବଉଦର ଡିମିରିଆ ପର୍ଯ୍ୟନ୍ତ ଏବଂ ଅପର ପାର୍ଶ୍ୱରେ ଦଶପଲ୍ଲାର ଯୋଡ଼ମୁହଁଠାରୁ ଆଠମଲ୍ଲିକର ବିନକେଇ ଠାକୁରାଣୀ ପର୍ଯ୍ୟନ୍ତ ସ୍ୱଳ୍ପ-ପରିସର-ବିଶିଷ୍ଟା ମହାନଦୀର ଉଭୟ ପାର୍ଶ୍ୱସ୍ଥିତ ବିରାଟ ପର୍ବତଶ୍ରେଣୀର ପ୍ରାଚୀର; ଉପରେ ନୀଳାକାଶ, ତଳେ ନୀଳ ଜଳରାଶି, ଉଭୟ ପାର୍ଶ୍ୱରେ ଚିରହରିତ୍ ପର୍ବତମାଳା ! ପ୍ରକୃତି ଦେବୀଙ୍କ ଶୂନ୍ୟଛାତର ବିରାଟ ଆବାସ । ଏହି ପର୍ବତମାଳା ଉପରେ ବିଶାଳ କଡ଼ିକାଠ ପକାଇ ଦେଲେ ପ୍ରକାଣ୍ଡ ଛାତ ପ୍ରସ୍ତୁତ ହେବାର ସମ୍ଭାମନା । ଏ ପର୍ଯ୍ୟନ୍ତ ଏଭଳି କଡ଼ିକାଠ ଜଗତରେ ସୃଷ୍ଟି ହୋଇ ନାହିଁ-ତେବେ ସାନ୍ତ୍ୱନାର ବିଷୟ ଏତିକି, ପ୍ରକୃତି ଦେବୀଙ୍କ ଗୃହର ଛାତ ଅନନ୍ତ ନୀଳ ଆକାଶ; ଆମ୍ଭମାନଙ୍କ ଭଳି ଅପଦାର୍ଥମାନଙ୍କରହିଁ କଡ଼ିକାଠର ପ୍ରୟୋଜନ ସିନା !

 

ଏକ ପାର୍ଶ୍ୱରେ ଦଶପଲ୍ଲାର ଗୋହାଳଡିହ ଏବଂ ବଉଦର ସୁନାକଣିଆ ପର୍ବତଶ୍ରେଣୀ, ଅପର ପାର୍ଶ୍ୱରେ ଦଶପଲ୍ଲାର ବାଇଗଣି ଏବଂ ଅନୁଗୋଳର ଟିକରପଡ଼ା ଅଞ୍ଚଳର ପର୍ବତଶ୍ରେଣୀ ଚିରହରିତ୍ ସମ୍ଭାରରେ ସୁସଜ୍ଜିତ । ନୀଳ ଜଳଠାରୁ ନୀଳ ଆକାଶ ପର୍ଯ୍ୟନ୍ତ ପ୍ରକୃତିଙ୍କର ବିଶାଳ ମାରକତ ଶୋଭା ! ପ୍ରକାଣ୍ଡକାୟ ଶାଳବୃକ୍ଷରାଜି ପରସ୍ପରର ଆଲିଙ୍ଗନ-ପାଶରେ ଆବଦ୍ଧ ହୋଇ ସ୍ୱ ସ୍ୱ ପାଦଭୂମିସମୂହ ଛାୟାସମାଜଚ୍ଛନ୍ନ କରି ନୀରବରେ ଦଣ୍ଡାୟମାନ ! ଅନ୍ୟାନ୍ୟ ଅସଂଖ୍ୟ ପ୍ରକାର ବୃକ୍ଷ ଏବଂ ଗୁଳ୍ମରାଜି ଏହି ଶାଳଅରଣ୍ୟ ସହିତ ସଂଶ୍ଳିଷ୍ଟ, କେବଳ ସୁନାକୋଣିଆ ନିକଟରେ କେତେକ ତାଳ ବୃକ୍ଷ ଦୃଷ୍ଟ ହୁଏ । ତମାଳ ବୃକ୍ଷ ତ ରହିଅଛି । ଫଳତଃ ପ୍ରାଚୀନ କବି-ରସନା-ନିଃସୃତ ‘‘ଶାଳ-ତାଳ-ତମାଳ’’ର ଦୃଶ୍ୟ ଉପଭୋଗ କରିବାର ସ୍ଥାନ ଏହି ସିନା ? ଅପର୍ଯ୍ୟାପ୍ତ ପୁଷ୍ପରାଶି ଘେନି ଲତାକୁଞ୍ଜମାନ ମହାନଦୀ ଜଳୋପରି ପ୍ରସାରିତ ଏବଂ ଏହିହେତୁରୁ କବିଙ୍କର ବର୍ଣ୍ଣନା-

 

‘‘ନିର୍ଜନେ ଦିଅନ୍ତି ବନଦ୍ରୁମାବଳୀ

ଜଳଦେବତାଙ୍କୁ ଯହିଁ ପୁଷ୍ପାଞ୍ଜଳି ।’’

 

ଏଠାରେ ସମ୍ପୂର୍ଣ୍ଣ ସାର୍ଥକ । ଏଠାରେ ଚିହଙ୍ଗର କଳଗୀତି, ସମୀରଣର ଅବ୍ୟାହତ ଗତି, ବୃକ୍ଷ ପତ୍ରର ଶର୍‌ଶର୍ ଶବ୍ଦ, କଳ୍ପନାମୁଖର କୃତଜ୍ଞ ହୃଦୟର ଉକ୍ତି-ଉଚ୍ଛ୍ୱାସସ୍ୱରୂପ କବିଙ୍କର ସୁମଧୁର ଭାଷାରେ ମହିମାମୟୀ ପ୍ରକୃତି ଦେବୀଙ୍କ ପରିଚୟ ପ୍ରଦାନରେ ସର୍ବଦା ବ୍ୟାପୃତ ରହିବାକୁ ଇଚ୍ଛା ହୁଏ ଏବଂ ଏହି ଇଚ୍ଛା ଅବଲୀଳାକ୍ରମେ କବିଙ୍କୁ ସୀମାତୀତ ରାଜ୍ୟକୁ ଘେନିଯାଏ ! ଦୂର ନଦୀବକ୍ଷରୁ ମନେ ହୁଏ, ଅନନ୍ତ ଆକାଶର ଅନନ୍ତ ଅଜ୍ଞେୟତା ଚିତ୍ରୋତ୍ପଳା-ସଲିଳ-ସଂଲଗ୍ନ ପର୍ବତଶ୍ରେଣୀର ଅଜ୍ଞାତ ପବିତ୍ରତାରେ ମିଶି ଯାଇଅଛି !

 

ପର୍ବତ କାଟି ଯେଉଁ ମାର୍ଗ ସୋନପୁର ପର୍ଯ୍ୟନ୍ତ ଯାଇ ଅଛି, ତାହା ଠିକ୍ ମହାନଦୀ ଧାରରେହିଁ ଅବସ୍ଥାପିତ । ଏକଆଡ଼େ ପର୍ବତଶ୍ରେଣୀ ଆପାଦମସ୍ତକ ବୃକ୍ଷଲତାପୂର୍ଣ୍ଣ ଗଭୀର ଅରଣ୍ୟରେ ପରିପୂର୍ଣ୍ଣ, ତଳେ ମହାନଦୀ ଗର୍ଭର ଅତଡ଼ା ! ସ୍ଥାନେ ସ୍ଥାନେ ଏହି ଗଭୀର ଅରଣ୍ୟ ଭେଦ କରି ନିର୍ଝରିଣୀ ଶ୍ରୁତିମଧୁର କଳନାଦରେ ଉପତ୍ୟକାର ଗଭୀରଗର୍ଭରେ ନିପତିତ ହେଉଅଛି । ନିର୍ଳନ ବନଭୂମିର ଅନ୍ତରାଳରୁ ଫେନରାଶି ଉଦ୍ଗୀରଣ କରୁଁ କରୁଁ ନିର୍ଝରର ନିର୍ମଳ ସଲିଳ-ପ୍ରବାହ ବିଂଶହସ୍ତ ନିମ୍ନରେ ପତିତ ହୋଇ ଗଭୀର ଆବର୍ତ୍ତ ଉତ୍ପାଦନ କରୁଅଛି; କିନ୍ତୁ ସେହି ଅନାବିଳ ଆବର୍ତ୍ତକୁ ଉଲ୍ଲମ୍ଫନରେ ଅତିକ୍ରମ କରି ମହାନଦୀର ପଡ଼ୁଅଛି । ପଦ୍ମତୋଳା ଘାଟି ନିକଟସ୍ଥ ପାର୍ବତ୍ୟ ତରୁମୂଳରେ ଶିଖିଦଳର ସଂସ୍ଥିତି ଏବଂ ସମୟ ସମୟରେ ମୁକ୍ତପୁଚ୍ଛ ହୋଇ ନୃତ୍ୟ ଦର୍ଶନର ସୁବିଧା ପ୍ରାୟ ସୁଲଭ । ‘ସପ୍ତକ୍ରୋଶୀ’ର ଠିକ୍ ମଧ୍ୟସ୍ଥଳରେ ଗଭର୍ଣ୍ଣମେଣ୍ଟଙ୍କ କୋତରି ଡାକ ବଙ୍ଗଳା ଏବଂ ବଙ୍ଗଳାରୁ ପ୍ରାୟ ଅର୍ଦ୍ଧମାଇଲ ବ୍ୟବଧାନରେ ଶିକ୍ଷା-ରଶ୍ମି-ହୀନ ନିଭୃତ ପଲ୍ଲୀ । କି ପବିତ୍ର ଏହି ପାର୍ବତ୍ୟ ନିର୍ଜନ ପଲ୍ଲୀ ! ଏଠାରେ ଐଶ୍ୱର୍ଯ୍ୟର ମାଦକତା ନାହିଁ, ଏଠାରେ ଉଚ୍ଚାଶାର ଉନ୍ମତ୍ତତା ନାହିଁ, ଏଠାରେ ଦ୍ୱେଷ, ହିଂସା, କୃତଘ୍ନତା ପ୍ରଭୃତି ମହାପାପ ନାହିଁ, ଏଠାରେ ଅନ୍ତର୍ବିଦ୍ରୋହ, ପରପୀଡ଼ନ ନାହିଁ । ପ୍ରକୃତିଙ୍କ ସୁସନ୍ତାନମାନେ ପ୍ରକୃତିଙ୍କ ସ୍ନେହାଲିଙ୍ଗନରେ ସର୍ବଦା ଆବଦ୍ଧ, ପର୍ବତ ଉପତ୍ୟକାରେ ପରମାନନ୍ଦରେ ମୃଗୟା କରି ବୁଲନ୍ତି, ପର୍ଣ୍ଣକୁଟୀରରେ ଜୀବନଯାପନ କରି ପ୍ରକୃତି-ପଦରେ ନିୟତ ମସ୍ତକ ଅବନତ କରିଥାନ୍ତି ! ଏହି ଦିବ୍ୟ ପୁଷ୍ପାଭରଣଭୂଷିତ, ଶ୍ୟାମାଞ୍ଚଳ-ମଣ୍ଡିତ, ନଦୀନିର୍ଝରସମାକୁଳ ଅନନ୍ତ ପ୍ରକୃତିଙ୍କ ପୁଣ୍ୟାଙ୍କଶୋଭୀ ପବିତ୍ର ପର୍ଣ୍ଣମାଳା ନିକଟରେ ନଗରର ସୌଧାବଳୀର ମୋହାଙ୍କିତ ନଶ୍ୱର ସୌନ୍ଦର୍ଯ୍ୟ କେଡ଼େ ମ୍ରିୟମାଣ !

 

କୋତରି ବଙ୍ଗଳାରେ ଅବସ୍ଥାନ କରି ସୌନ୍ଦର୍ଯ୍ୟ-ଭୀଷଣତାର ପୂର୍ଣ୍ଣ ବିକାଶ ଅବଲୋକନ କଲି । ତିନିଆଡ଼େ ପର୍ବତଶ୍ରେଣୀ–ଏହି ପର୍ବତଶ୍ରେଣୀ ବିବିଧ ବୃକ୍ଷରାଜି-ସମାକୀର୍ଣ୍ଣ, ହିଂସ୍ର-ଜନ୍ତୁନିନାଦିତ ନିବିଡ଼ ଅରଣ୍ୟରେ ପୂର୍ଣ୍ଣ । ସମ୍ମୁଖରେ ମହାନଦୀର ବାରିରାଶି ପର୍ଯ୍ୟନ୍ତ କ୍ଷୁଦ୍ରାରଣ୍ୟଭୂଷିତ ଉନ୍ମୁକ୍ତ ଭୂମିଖଣ୍ଡ । ଅସ୍ତମିତ ପ୍ରାୟ ତପନର ହିରଣ୍ମୟ ରଶ୍ମିଜାଲ ପର୍ବତର ଅନ୍ତରାଳରୁ ଦୂରସ୍ଥ ଗିରଚୂଡ଼ା ଏବଂ ବୃକ୍ଷଶୀର୍ଷ ଆଲୋକିତ କରି ପ୍ରତି ମୁହୂର୍ତ୍ତରେ ଦୀପ୍ତିହୀନ ହେଉଥିଲା ଏବଂ ପକ୍ଷିମାନଙ୍କର ଦିଗନ୍ତ କାକଳିରେ ପ୍ରଦୋଷ ସୂଚିତ ହେଉଥିଲା ।

 

ସନ୍ଧ୍ୟାର ଛାୟାରେ ପକୃତି ସମାଚ୍ଛନ୍ନ ହେଲେ । ବୃକ୍ଷସମୂହରେ ଦଳବଦ୍ଧ ଖଦ୍ୟୋତ ଦୀପିକାର ପୁଚ୍ଛଜ୍ୟୋତି ଏବଂ ଚତୁର୍ଦ୍ଦିଗସ୍ଥ ଝିଲ୍ଲୀସ୍ୱନ ଯଥାକ୍ରମେ ନୟନ ଏବଂ କର୍ଣ୍ଣକୁ ଉପହାର ଦେଉଥିଲା । ଚତୁର୍ଦ୍ଦିଗ ଭୟଙ୍କର ନିସ୍ତବ୍ଧ ଏବଂ ସମଗ୍ର ବିଶ୍ୱପ୍ରକୃତି ଯେପରି ଏହି ଅନନ୍ତ ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କ ଧ୍ୟାନରେ ସମାହିତଚିତ୍ତ । ସେହି ମୌନ, ଶାନ୍ତି, ସ୍ତବ୍ଧ ସନ୍ଧ୍ୟାରେ ବିଶ୍ୱପ୍ରକୃତିଙ୍କ ଅନିର୍ବଚନୀୟ ସୌନ୍ଦର୍ଯ୍ୟ ସନ୍ଦର୍ଶନ କଲି ।

 

ଅନ୍ଧକାରର ଏକପ୍ରକାର ସୌନ୍ଦର୍ଯ୍ୟ ଅଛି, ଯାହା ଭାବୁକ ଏବଂ ବିନ୍ତାଶୀଳ ବ୍ୟକ୍ତି ମାତ୍ରେହିଁ ଉପଲବ୍ଧ କରି ପାରିବେ । ଅନ୍ଧକାରକୁ ମୁଁ ବାସ୍ତବିକ ସୁଖ ପାଏଁ, କାହିଁକି ତାହା ମୁଁ ଜାଣେ ନାହିଁ । ଅନ୍ଧକାର କ୍ରୋଡ଼ରେ ବସିଗଲେ ମନେହୁଏ, ସଂସାରର ଜ୍ୱାଲା କିଂବା ଯନ୍ତ୍ରଣା ଆଉ ଭୋଗିବାକୁ ହେବ ନାହିଁ ପରା ? ଅନ୍ଧକାରରେ ମୁଁ ନିଜକୁ ପ୍ରକୃତଭାବରେ ଚିହ୍ନିପାରେଁ ଏବଂ ଭବିଷ୍ୟତ୍‍ର ପଥ ଯେପରି କିଛି କିଛି ଦେଖେଁ । ମୋହର ମନେ ହୁଏ ଏ ବିଶ୍ୱରେ ଯାହାର କେହି ନାହାନ୍ତି, ଅନ୍ଧକାରହିଁ ତାହାର ଏକମାତ୍ର ଆଶ୍ରୟ । ହୃଦୟର ବ୍ୟାକୁଳତାରେ ଅନ୍ଧକାରରେ ବୁଡ଼ିଗଲେ ପୃଥିବୀର ଦୁଃଖ, କଷ୍ଟ, ଅଭାବ ଆଉ ସ୍ମରଣ ହୁଏ ନାହିଁ । ଅନ୍ଧକାରର ଅନ୍ଧରୂପ କେତେ କାବ୍ୟର ଉତ୍ପତ୍ତ ସାଧନା କରିଅଛି, କେତେ ଅକବିଙ୍କୁ କବି କରାଇଅଛି । ଏହି ସୌନ୍ଦର୍ଯ୍ୟର ଈଷତ୍ ସ୍ପଷ୍ଟ ଆଭାସ ପାଇ କେତେ ପ୍ରାଣ ସଂସାରର ଭୋଗସୁଖର ମାୟା ବିସର୍ଜନ କରିଅଛି । ଅନ୍ଧକାରର ମର୍ଯ୍ୟଦା ଯେ ବୁଝିଅଛନ୍ତି, ସେ ନିଶ୍ଚୟ କହିବେ, ସଂସାର ଅନିତ୍ୟତା ମଧ୍ୟରେ ତୃପ୍ତି ନାହିଁ । ଅନ୍ଧକାରରେ ବସି କେତେ ନିରାଶ ହୃଦୟ ନୂତନ ପ୍ରତିଜ୍ଞାର ବଳ ଲାଭ କରିଅଛି, ତାହାର ସଂଖ୍ୟା କିଏ କହିବ ?

 

ମାନବର ପ୍ରକୃତିଭେଦରେ ପ୍ରକୃତିଙ୍କ ଭିନ୍ନ ଭିନ୍ନ ଚିତ୍ର ଲୋକର ଅନୁରାଗ ଆକର୍ଷଣ କରେ । ପ୍ରଫୁଲ୍ଲତା, ଆଶା, ସୁଖପ୍ରବୃତ୍ତ ଯାହାଙ୍କର ଅଧିକ, ସେ ଆଲୋକଭକ୍ତ । ଯାହାଙ୍କ ପ୍ରକୃତି ବିଷାଦ, ନିରାଶା ଏବଂ ଅତୃପ୍ତିରେ ଗଠିତ, ସେ ନିଶ୍ଚୟ ଅନ୍ଧକାରର ଉପାସକ । ଆଲୋକ-କାର୍ଯ୍ୟ ଓ ଉତ୍ସାହ; ଅନ୍ଧକାର-ବିଶ୍ରାମ ଓ ଆତ୍ମଚିନ୍ତା । ଆମ୍ଭେମାନେ ଆଲୋକର ଦୃଢ଼ଭିତ୍ତି ଉପରେ ଛିଡ଼ା ହୋଇ ଜୀବନର ଦିଗନ୍ତ ସୀମା ପର୍ଯ୍ୟବେକ୍ଷଣପୂର୍ବକ ଆମ୍ଭମାନଙ୍କ କର୍ତ୍ତବ୍ୟ ନିରୂପଣ କରି ପାରୁଁ । କିନ୍ତୁ ଅନ୍ଧକାରରେ ଆମ୍ଭେମାନେ ଏ ସମସ୍ତ ସାଂସାରିକ ଗଣନାରୁ ବଞ୍ଚିତ ହୋଇଥାଉଁ; ଅନ୍ଧକାରରେ ବାହ୍ୟଜଗତ୍ ଲୁଚିଯାଏ, କେବଳ ଚିନ୍ତାଜଗତ୍ ଥାଏ । ଏହି ଅନ୍ତର୍ଜଗତର ସୀମା ନାହିଁ, ଅନ୍ଧକାରର ମଧ୍ୟ ସୀମା ନାହିଁ । ଅନ୍ଧକାରରେ ଆମ୍ଭେମାନେ ଆତ୍ମଶକ୍ତି ଉପରେ ନିର୍ଭର କରି ନ ପାରୁଁ, ଆମ୍ଭେମାନେ ଯେ ନିତାନ୍ତ ଅସହାୟ, ଏହି ଧାରଣା କ୍ରମେ କ୍ରମେ ହୃଦୟରେ ବଦ୍ଧମୂଳ ହୁଏ । ଅନ୍ଧକାରର ବିଭୀଷିକାମୟ ସୌନ୍ଦର୍ଯ୍ୟ ପ୍ରଭାବରେ ଆମ୍ଭମାନଙ୍କ ଜୀବନର ପ୍ରକୃତ ଉପକାର ହୁଏ ।

 

ଅନ୍ଧକାରରେ ଅନନ୍ତତ୍ୱର ଅତି ସୁନ୍ଦର ଉପଲବ୍ଧି ହୁଏ । ସସୀମ ହୋଇ ଆମ୍ଭେମାନେ ଏହି ତିମିରାଚ୍ଛାଦିତ ପ୍ରାକୃତିକ ଶୋଭାରେ ଅସୀମ କଣ, ତାହା ବୁଝି ନେଉଁ । ସେତେବେଳେ ସ୍ଥାନ ଆଉ ଦୃଷ୍ଟିକୁ ଅବରୁଦ୍ଧ କରି ପାରେ ନାହିଁ । ମୃତ୍ୟୁ ପରକାଳ ପ୍ରଭୃତି ଚିନ୍ତାରାଜ୍ୟ ଆକ୍ରମଣ କରେ । ଏକପ୍ରକାର ଅଜ୍ଞାତ ଭୟ ଏବଂ ଅଟଳ ନିୟତି ଜୀବନର ଭିତ୍ତି ଉପରେ ସବଳରେ ଆଘାତ କରୁଥାଏ । ଯାହା ମନୁଷ୍ୟ କେବେହେଁ ଶିଖି ପାରିବ ନାହିଁ–ଯେ ତତ୍ତ୍ୱ ଜାଣିଲେ ମନୁଷ୍ୟ ତ୍ରିକାଳଜ୍ଞ ହୋଇଯିବ–ସେହି ମରଣାନ୍ତ ତତ୍ତ୍ୱ ଭେଦ କରିବାକୁ ହୃଦୟ ବିଦ୍ରୋହୀ ହୁଏ; ସେତେବେଳେ ଦେଶ ଓ କାଳର ଯେ ଅଭେଦ୍ୟ ଶୃଙ୍ଖଳ ଆମ୍ଭମାନଙ୍କୁ ପୃଥିବୀରେ ବାନ୍ଧି ରଖିଅଛି, ତାହା ଛିଣ୍ଡାଇଦେବା ସକାଶେ ନିର୍ଭୀକ ଉଦ୍ୟମ ଆସି ଉପସ୍ଥିତ ହୁଏ !

 

ନିଶୀଥର ଅନ୍ଧକାର ସ୍ତୂପ ମଧ୍ୟରେ ବସି ନକ୍ଷତ୍ରପୁଞ୍ଜ ଆଡ଼କୁ ଚାହିଁ ବସିବାକୁ କାହାକୁ ଭଲ ନ ଲାଗେ ? ଏହି ନିର୍ମଳ ଜ୍ୟୋତିର୍ମୟ ପଦାର୍ଥସମୂହକୁ କିଏ କେତେ ପଦାର୍ଥ ସହିତ ତୁଳନା କରିଅଛନ୍ତି–ଫୁଲ, ରତ୍ନ, ହୀରକଚୂର୍ଣ୍ଣ, ସ୍ୱର୍ଗଦୀପ, ମୃତ-ମାନବ-ନୟନ ପ୍ରଭୃତି,–କିନ୍ତୁ କାହାରି କିଛିରେହିଁ ତୃପ୍ତି ନାହିଁ ! କେବଳ ସେମାନଙ୍କୁ ଦେଖି ଏଡ଼େ ଆନନ୍ଦ ! ସେମାନଙ୍କର କେଡ଼େ ମଧୁର, ଗମ୍ଭୀର, ନିର୍ମଳ ଦୀପ୍ତି ଏବଂ ମୃଦୁହାସ୍ୟ ! କି ନୀରବ ଭାଷାରେ ସେମାନେ ସୃଷ୍ଟିକର୍ତ୍ତାଙ୍କ ଅନନ୍ତ ଶକ୍ତିକାହାଣୀ କହିଦିଅନ୍ତି ! ଆମ୍ଭେମାନେ ସେମାନଙ୍କ ନିକଟକୁ ଯାଇ ପାରିବୁଁ ନାହିଁ ବୋଲି ସେମାନେ ଏତେ ଆକର୍ଷଣ କରନ୍ତି ! ଆମ୍ଭେମାନେ କେବେହେଁ ପାଇବୁଁ ନାହିଁ ବୋଲି ସେମାନେ ଏଡ଼େ ପ୍ରିୟ ! ସେମାନେ କେବେହେଁ ପରିଶ୍ରାନ୍ତ ବୋଧ ହୁଅନ୍ତି ନାହିଁ, ସେହି ସକାଶେ ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଦେଖି ପରିଶ୍ରାନ୍ତ ହେଉ ନାହିଁ । ବରଂ ନକ୍ଷତ୍ରର ସ୍ଥିର ପ୍ରଶାନ୍ତି ଆମ୍ଭମାନଙ୍କ ଚଞ୍ଚଳ ଧମନୀକୁ ପ୍ରଶାନ୍ତ କରାଇଦିଏ । ଚିରକାଳ ଏହି କ୍ଷୁଦ୍ର ଜ୍ୟୋତିଷ୍କପୁଞ୍ଜ ମାନବଜୀବନରେ ଶାନ୍ତି, ବଳ ଏବଂ ଉତ୍ସାହ ବିଞ୍ଚାନ କରୁଅଛନ୍ତି । ପ୍ରକୃତି ଏହି ଉପାୟଦ୍ୱାରା ମାନବର ଗଭୀର ଅନ୍ତଃସ୍ଥଳ ସ୍ପର୍ଶ କରି ପାରନ୍ତି ।

 

ତାରକାକୁଳ କିପରି ସୁନିୟମର ବଶବର୍ତ୍ତୀ ହୋଇ କେଡ଼େ ତୀବ୍ରଗତିରେ ସ୍ୱ ସ୍ୱ କକ୍ଷପଥରେ ଚିରକାଳ ପରିଭ୍ରମଣ କରୁଅଛନ୍ତି–ଟିକିଏ ସୁଦ୍ଧା ପଥଭ୍ରଷ୍ଟ ହେବାକୁ ନାହିଁ ! ବିଧାତାଙ୍କ ଆଜ୍ଞାର ସୁନ୍ଦର ବ୍ୟବହାର ସିନା ? ଶ୍ରାନ୍ତି ନାହିଁ, ବିରାମ ନାହିଁ–ବିଶ୍ୱଚକ୍ର ଚାଲିଅଛି, ପ୍ରକୃତିଙ୍କ କାର୍ଯ୍ୟଶୃଙ୍ଖଳା ଭଙ୍ଗ ହେବାର ନୁହେ । ପ୍ରକୃତିଙ୍କ ଏହି ନିୟମ-ଏହି ଶୃଙ୍ଖଳା ଦେଖି ମନେ ହୁଏ, ମନୁଷ୍ୟ ଏହିପରି ପ୍ରଶାନ୍ତଭାବରେ ଅମ୍ଳାନମୁଖରେ ଈଶ୍ୱରଙ୍କ ଆଦେଶମାନ୍ୟ କରି ସ୍ୱୀୟ ଜୀବନପଥରେ ଚାଲିଲେ ସଂସାରରେ ବିରୋଧ, ଅଶାନ୍ତି, ଦୁଃଖ ପ୍ରଭୃତି କିଛିହିଁ ରହିବ ନାହିଁ । ସଂସାର ସେହି ନକ୍ଷତ୍ରଶୋଭିତ ନଭୋଦେଶ ପରି ଈଶ୍ୱରଙ୍କ ଅନନ୍ତ ମହିମା କୀର୍ତ୍ତନ କରି ସ୍ୱର୍ଗରେ ପରିଣତ ହୋଇ ପାରେ ! ଏହିପରି ବିବେକବାଣୀର ଆଜ୍ଞାଧୀନ ଏବଂ ନିଷ୍ଠାପରାୟଣ ହୋଇ ନ ଚାଲିଲେ ମାନବସମାଜରେ ଶାନ୍ତି ଆସିବ କେଉଁଠାରୁ ?

 

ସାତକୋଶିଆ ! ଏହି ଭୀଷଣ ଅନ୍ଧକାର ମଧ୍ୟରେ ତୁ ମୋତେ ଯାହାଙ୍କୁ ପୂଜା କରିବାକୁ ଶିଖାଇ ଦେଉଅଛୁ, ତାହାଙ୍କୁ ପୂଜା କରିବାର ଶକ୍ତି ମୋହର ନାହିଁ, ନୋହି ପାରେ । ମୋହର ପରମାରାଧ୍ୟ ପିତୃଦେବ ତୋତେ ଭଲ କରି ଚିହ୍ନି ତୋହର ରୂପ ବର୍ଣ୍ଣନାରେ ଶକ୍ତି ନିୟୋଗ କରିଥିଲେ, ସୁତରାଂ ତାହାଙ୍କ ସ୍ମୃତି ଘେନି ମୁଁ ସେହି ବ୍ରହ୍ମାଣ୍ଡସାଇଁଙ୍କ ପୂଜା କରିବି । ମୋହର ଅଦ୍ୱିତୀୟ ଅବଲମ୍ବନ ସ୍ୱରୂପ ୰ପିତୃଦେବଙ୍କୁ ଧରି ନ ପାରିଲେ ସେ ପର୍ଯ୍ୟନ୍ତ ଯିବା ମୋହ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ ସିନା ?

 

ତୁମ୍ଭେ ପ୍ରଭୋ ଜଗତ୍ପାତା, ତୁମ୍ଭ ପୂଜାରେ ମୋହର ସର୍ବସ୍ୱ ଅର୍ପଣ କରୁଅଛି, ତୁମ୍ଭର ଉଦ୍ବୋଧନରେ ମୋହର ସର୍ବଶକ୍ତିର ବିନିୟୋଗ କରୁଅଛି । ମୋହର ଇହକାଳରେ ସର୍ବସ୍ୱ, ପରକାଳର ଅବଲମ୍ବନ, ମୋହର ଜାତିର ଆଧାର, ଧର୍ମର ପରମାରାଧ୍ୟସ୍ୱରୂପ ତୁମ୍ଭର କଲ୍ୟାଣକର ଉବ୍ଦୋଧନରେ ଜଗତ୍ କଲ୍ୟାଣକର ହେଉ । ଅନନ୍ତ କାଳର ଏକ ପ୍ରାନ୍ତରେ ବ୍ୟାସ, ବିଶିଷ୍ଠ, ଭୃଗୁ, ଭାର୍ଗବ, ଶାଣ୍ଡିଲ୍ୟ, ଭରଦ୍ୱାଜ ପ୍ରଭୃତି ରହିଅଛନ୍ତି, ଆଉ ସମ୍ମୁଖରେ ଅନନ୍ତ ଭବିଷ୍ୟତ୍‌ର ଆଶା ଭରସା ରହିଅଛି-ମଧ୍ୟରେ ମୁଁ; ଏହି ମୋହର ଅହଂତ୍ୱର ବ୍ୟାପ୍ତି ଓ ସଂହତି ଯହିଁରେ ତୁମ୍ଭଠାରେ ପର୍ଯ୍ୟବସିତ ହୁଏ, ସେହି ହେତୁରୁ ଆଜି ଅନନ୍ତ ଅତୀତର ଉଦ୍‌ବୋଧନ କଲି; ସ୍ମୃତିର ଅଗ୍ନିସ୍ଫୁଲିଙ୍ଗରେ ବିସ୍ମୃତିର ସ୍ତୂପକୁ ଭସ୍ମସାତ୍ କରୁଅଛି ; ତୁମ୍ଭେ ପ୍ରସନ୍ନ ହୋଇ ମୋହର ଘଟପଟରେ ଅବତୀର୍ଣ୍ଣ ହୁଅ, ମୋହର ମାନବଜନ୍ମ ଲାଭ ସଫଳ ହେଉ ।

Image

 

Unknown

ବଡ଼କୂଳରେ ଜ୍ୟୋତ୍ସ୍ନା

 

‘‘ନୀଲାମ୍ବୁ ଚିଲିକା’’ ର ପୂର୍ଣ୍ଣ ସୌନ୍ଦର୍ଯ୍ୟ ଉପଲବ୍ଧିର ସ୍ଥାନହିଁ ବଡ଼କୂଳ । ରାଜନୈତିକ ଉତ୍କଳ-ପ୍ରାନ୍ତର ପ୍ରାୟ ଏକକ୍ରୋଶ ବ୍ୟବଧାନରେ ଏହା ଅବସ୍ଥିତ । ମାନ୍ଦ୍ରାଜ ସଡ଼କ (Madras Trunk Road) ବଡ଼କୂଳ ଗ୍ରାମ ଏବଂ ସରକାରୀ ଡାକବଙ୍ଗଳା ସହିତ କଟକକୁ ଯୋଗ କରିଅଛି, ତେଣେ ରେଳ ଲାଇନର ବାଲୁଗାଁ ଷ୍ଟେସନରୁ ମଧ୍ୟ ଏହା ଦୁଇମାଇଲ ବାଟ ।

 

ଏହି ବଡ଼କୂଳକୁ ମାନ୍ଦ୍ରାଜ ସଡ଼କ ମାର୍ଗରେ କେତେ ଥର ଆସିଅଛି ! ଏହି ଚିର ପରିଚିତ ଚିଲିକାକୁ ରେଳ ପଥରେ କେତେ ଥର ଦେଖିଗଲି ! ମାତ୍ର ଏହି ଦୃଶ୍ୟସମୂହ ପୁଣି ପୂର୍ବସ୍ମୃତି ଜଗାଇଦେଲା । କୈଶୋରର ସରଳ, କୋମଳ, ନିଃଶଙ୍କ, ନିରୁଦ୍ବେଗ ନିସର୍ଗ-ସୌନ୍ଦର୍ଯ୍ୟ-ମଧୁପାନୋନ୍ନତ୍ତ ଚଞ୍ଚଳ ହୃଦୟର କେତେ ଆଶା, ଆକାଂକ୍ଷା, ତୃପ୍ତି କଥା ମନେ ପଡିଗଲା ।

 

ସେ ଦିନ ଗଲାଣି । ଚିଲିକାର ସେହି ଶାନ୍ତିପୂର୍ଣ୍ଣ ନିର୍ଜନ ତଟଦେଶ ବର୍ତ୍ତମାନ ଲୌହଚକ୍ରର ଘର୍ଘର ଶବ୍ଦରେ ଅନବରତ ମୁଖରିତ । ଚିଲିକାର କଂସାରି ଏବଂ ଶାଳିଆ ପ୍ରଭୃତି ଝଙ୍କୃତିମୟୀ ରଜତସଲିଳା ଗିରିନଦୀସମୂହ ଲୌହସେତୁଶୃଙ୍ଖଳିତା ହେଲେଣି, ‘‘ସୋଲରି’’ ପର୍ବତର କନ୍ଦରସ୍ଥିତ ହିଂସ୍ର ଜନ୍ତୁମାନେ ଆବାସ ତ୍ୟାଗ କରି ଭିତର ବଣକୁ ପଳାଇଲେଣି । ଯାହା କେବଳ ଦୃଶ୍ୟ-ବୈଚିତ୍ର୍ୟରେ ପୂର୍ଣ୍ଣ ଥିଲା ତାହା ଆଜିକାଲି କର୍ମବୈଚିତ୍ର୍ୟର ଲୀଳାଭୂମି ହୋଇଅଛି । ଅପାର୍ଥିବ ଶୋଭାଭଣ୍ଡାର ସର୍ବଦା ସମସ୍ତଙ୍କ ସକାଶେ ଉନ୍ମୁକ୍ତ ରଖିଥିଲେହେଁ ସେହି ଚିଲିକା ଆଜି ଉତ୍କଳର ପ୍ରଧାନ ବାଣିଜ୍ୟସ୍ଥଳୀ !

 

ରେଲ ପଥରେ ଏହି ଚିଲିକା ସନ୍ଦର୍ଶନରେ ଆସିଲେ କୌଣସି ସଦୃଦୟ ଦର୍ଶକଙ୍କ ପ୍ରାଣ ଗୋଟିଏ ବ୍ୟଥା ଅନୁଭବ କରିବାକୁ ବାଧ୍ୟ । ତାହା ରେଳ ପଥସମୂହରେ ଗରିବଙ୍କର ଲାଞ୍ଛନା ! ଯେଉଁମାନଙ୍କ ପଇସାରେ ରେଲମାର୍ଗ ପୁଷ୍ଟ ହୁଏ, ସେମାନଙ୍କୁ ଅପମାନ କରିବାର ପ୍ରବୃତ୍ତି କେବଳ କୃତଘ୍ନତା-ପରିଚାୟକ ନୁହେ, ତାହା ଭଦ୍ରତାର ମଧ୍ୟ ପରିପନ୍ଥୀ ।

 

ବଡ଼କୂଳ ବଙ୍ଗଳାରୁ ଚିଲିକାର ଦୃଶ୍ୟାବଳୀର ସମ୍ୟକ୍ ବର୍ଣ୍ଣନା ମୋହର ସାମନ୍ୟ ଲେଖନୀର ସାଧ୍ୟାତୀତ । ‘‘ଗୁଳ୍ମଜଟାଧର ଜଟିଆ’’ ସଂଲଗ୍ନ ଭାଲେରି ପର୍ବତର ସୁଦୀର୍ଘ ନୀଳ ପ୍ରାଚୀର ପ୍ରକାଣ୍ଡ ଦୈତ୍ୟ ପ୍ରାୟ ସମ୍ପ୍ରସାରିତ । ଦୂରରେ ବାଣପୁର ମାଳର ଶୈଳସମୂହରୁ ଘଣ୍ଟିଶିଳା ପାହାଡ଼ ସୁସ୍ପଷ୍ଟ ଦିଶୁଅଛି । ଏହାର ପଶ୍ଚାତରେ ଘୁମସର ମାଳର ପର୍ବତମାଳା ମଧ୍ୟରୁ ଖଣ୍ଡାହଣା ପର୍ବତର ‘‘କରିମୁଣ୍ଡାକୃତି’’ ନୟନ ସମକ୍ଷରେ ପ୍ରତିଭାତ । ସୋଲରି ପର୍ବତର ବିଶାଳ କାନ୍ତି ଏବଂ ରଣପୁର ରାଜ୍ୟର ଧାନୋଇ, ମୈନାକ ଏବଂ ଗଉଣିଆ ପ୍ରଭୃତି ଏକତ୍ର ମିଶିଯାଇ ହରିତ୍ ଏବଂ ନୀଳ ବକ୍ର ରେଖାର ବିରାଟ ସମଷ୍ଟରେ ଗଗନ ମୁଦ୍ରିତ କରିଅଛି । ଚିଲିକା କୂଳସ୍ଥ ‘‘ତାରାଦେବୀଙ୍କ’’ ହାତୀଆ ଶୈଳଟି ପ୍ରକୃତି ଦେବୀଙ୍କ ପ୍ରକାଣ୍ଡ ହସ୍ତୀ ପ୍ରାୟ ଚିଲିକା ଜଳ ଆଡ଼କୁ ଉହୁଙ୍କି ପଡ଼ିଅଛି । ମାମୁ ଭଣଜା ପ୍ରଭୃତି ଗଣ୍ଡଶୈଳଶ୍ରେଣୀ ପରସ୍ପର ସଜ୍ଜୀକୃତ । ବଙ୍ଗଳା ତଳେ ‘‘ବିଶ୍ୱଲକ୍ଷ୍ମୀଙ୍କ ବିଶାଳ ଦର୍ପଣରୂପ’’ ଚିଲିକାର ନୀଳ ଜଳରାଶି ମଧ୍ୟରୁ ଚଢ଼େଇଗୁହା ଶୈଳ ନୀଳ ସରୋବରରେ ଶ୍ୱେତ କମଳ ଭାସିଲା ପ୍ରାୟ ଦିଶୁଅଛି । ଦୂରରେ କାଳୀଜାୟୀ ଦେବୀଙ୍କ ମନ୍ଦିର ସୂର୍ଯ୍ୟକିରଣରେ ଝକ୍ ଝକ୍ କରୁଅଛି । ମୋହର ୰ପିତୃଦେବ ଚିଲିକାର ଯେଉଁ ବର୍ଣ୍ଣନା କରିଅଛନ୍ତି, ତାହାର ଶତାଂଶରୁ ଏକାଂଶ କରି ପାରିଲେ ମୁଁ ଧନ୍ୟ ହୋଇଥାନ୍ତି; ମାତ୍ର ତାହା ମୋଭଳି ପିପୀଲିକା ପକ୍ଷରେ ଗିରିଚାଳନର ବାସନା-ସୁତରାଂ ଏତିକିରେ କ୍ଷାନ୍ତ ରହିଲି ।

 

ଅପରାହ୍ନରେ ଭ୍ରମଣ ଉଦ୍ଦେଶ୍ୟରେ ବଡ଼କୂଳ ଗ୍ରାମ ଆଡ଼କୁ ଗଲି । ମାର୍ଗରେ ଯୋଡ଼ିଏ ସମବୟସ୍କ ଯୁବକ ପରସ୍ପର କାନ୍ଧରେ ହାତ ପକାଇ ଯାଉଥିଲେ ଏବଂ ଗଳ୍ପଲହରୀରେ ଉଭୟେ ଏଡ଼େ ମଗ୍ନଥିଲେ ଯେ ମୁଁ ବିପରୀତ ଆଡ଼ରୁ ଆସୁଥିବାର ସେମାନେ ନ ଜାଣି ହଠାତ୍ ମୋହ ଦେହରେ ଲାଗିଗଲେ । ସେମାନେ ଟିକିଏ ଅପ୍ରସ୍ତୁତ ହେଲେ ସତ୍ୟ, ମାତ୍ର ମୋହର ମନ ସେମାନଙ୍କ ପ୍ରଗାଢ଼ ବନ୍ଧୁତ୍ୱ ଦର୍ଶନରେ ଏକାବେଳକେ ତରଳିଗଲା । ପ୍ରକୃତ ବନ୍ଧୁତ୍ୱ ଯେପରି ଗୋଟିଏ ଆତ୍ମାର ଯୋଡ଼ିଏ ପରସ୍ପର ବିଚ୍ୟୁତ ଅଂଶର ଏକତ୍ର ସମ୍ମିଳନ ବୋଧ ହେଲା । ପୃଥିବୀରେ ପ୍ରିୟତମ ବନ୍ଧୁଙ୍କ ଅକପଟ ସ୍ନେହ ଅପେକ୍ଷା ପ୍ରୀତିକର ସୁଧାମୟ ପଦାର୍ଥ ଆଉ କଣ ହୋଇ ପାରେ-? ସ୍ୱାର୍ଥପର ପୃଥିବୀରେ ଏଭଳି ବନ୍ଧୁଙ୍କ ସଂଖ୍ୟା ଅଧିକ ନୁହେ । ଆମ୍ଭେମାନେ ଏକାଳରେ ଯାହାକୁ ବନ୍ଧୁତ୍ୱ କହିଥାଉଁ, ତାହା ସାମାନ୍ୟ ପରିଚୟର ନାମାନ୍ତର ମାତ୍ର, ତାହା ମଧ୍ୟରେ ସହୃଦୟତା ଅଥବା ସହାନୁଭୂତି ଥାଇ ପାରେ, କିନ୍ତୁ ନିଜର ସୁଖ ଦୁଃଖ ପ୍ରତି ଉଦାସୀନ ହୋଇ ଆତ୍ମତ୍ୟାଗର ମହତ୍ତ୍ୱଦ୍ୱାରା ତାହା ପୂତ ନୁହେଁ ।

 

ସଡ଼କରେ ଆସି ବଡ଼କୂଳ ଗ୍ରାମର ସମ୍ମୁଖସ୍ଥ ପୋଲ ନିକଟରେ ପହଞ୍ଚିଲି । ଏଠାରେ ଦେଖିଲି, ୧୦।୧୫ ଜଣ ଲୋକ ବସିଅଛନ୍ତି ଏବଂ ଏଥିରୁ ୫।୭ ଜଣ ଲୋକ ଜଣେ ପୃଥୁଳକାୟ ବ୍ୟକ୍ତିଙ୍କୁ ଅନେକ ସାଧ୍ୟ ସାଧନା କରୁଅଛନ୍ତି । ପୃଥୁଳକାୟ ବ୍ୟକ୍ତିଙ୍କ ଗଳାରେ ସୁନା ଡେଉଁରିଆ ମାଳି ଏବଂ ଅଣ୍ଟାରେ ତିନିସରିଆ ଅଣ୍ଟାସୁତା, ହାତରେ ୨।୩ ଗୋଟି ସୁନାମୁଦି ଶୋଭା ପାଉଅଛି । ଅନେକ ସାଧ୍ୟ ସାଧନାରେ ସୁଦ୍ଧା ଏହାଙ୍କ ମନ ତରଳି ଯାଉ ନାହିଁ, ଏ ମହାଶୟ ସାଧ୍ୟସାଧନାରେ ଅଧିକ ତର୍ଜନ କରୁଅଛନ୍ତି । ଏ ଭିନ୍ନଗ୍ରାମନିବାସୀ ଜଣେ ପ୍ରସିଦ୍ଧ ମହାଜନ, ଛତ୍ରଗଡ଼ ଗ୍ରାମର ଦୁଇଜଣ କୃଷକ ଏହାଙ୍କଠାରୁ ଟଙ୍କା କରଜ ନେଇଥିଲେ, ସୁଧ ଏବଂ ଅସଲ ପ୍ରାୟ ସମସ୍ତ ପରିଶୋଧ କରିଅଛନ୍ତି, ମାତ୍ର ଅତି ସାମାନ୍ୟ ବାକୀ ଆଦାୟ ସକାଶେ ଛତ୍ରଗଡ଼ ଯାଉଥିଲେ, ବାଟରେ ଜଣେ ଖାତକଙ୍କୁ ଭେଟିବାରୁ ଏ ମହାଶୟ ପୋଲ ଉପରେ ବସିଲେ ଏବଂ ଖାତକଙ୍କ ପକ୍ଷରେ ୫।୭ ଜଣ ଏହାଙ୍କୁ ନାନା ଅନୁରୋଧ କରୁଥିଲେ । ଏହି ଖାତକ ଉପରେ ଅସଲ ସୁଧ ମିଶି ଟ ୨୭।୨ ହୋଇଥିଲା, ଖାତକ ଅନେକ ଚେଷ୍ଟା କରି ଟ ୨୬୧ ଦେଇଥିଲା, ବାକୀ ଟ ୧।୨ ସକାଶେ ଅନେକ ସାଧ୍ୟ ସାଧନା ଚାଲିଥିଲା । ମୁଁ ପହଞ୍ଚି ମଧ୍ୟ ଏହି ଅନୁରୋଧରେ ଯୋଗ ଦେଲି । ହଠାତ୍ ମହାଜନେ କହି ଉଠିଲେ, ‘‘ତମ ଘର କେଉଁଠି ହେ, ଏତେ ଭଲଲୋକି କରୁଛ ? ଏଡ଼େ ଦୟା ଥିଲେ ବାକୀତକ ଦିଅ । ମୁଁ କଡ଼ାଏ ଛାଡ଼ିବି ନାହିଁ ।’’ ମୋହ ସଙ୍ଗରେ ଥିବା ଭୃତ୍ୟଟି ନିକଟରେ ଟ ୧ ଥିଲା, ସେତିକି ଦେଲି, ବାକୀ ଟ ୩ କେଉଁଠାରୁ ଆସିବ ଭାବି ବଙ୍ଗଳାକୁ ଜଣେ ମନୁଷ୍ୟ ପଠାଇବାକୁ କହିଲି । ବସିଥିବା ସମସ୍ତେ ମୋହ ପକ୍ଷରେ ରହି ଏକାବେଳକେ କହି ଉଠିଲେ, ‘‘ଆପଣ ତ ସବୁ ଦେଲଣି ଆଉ ତିନିଅଣା ପଇସା ମହାଜନେ ଛାଡ଼ିଦେବେ ଯେ ।’’ କିନ୍ତୁ ଦୁର୍ଭାଗ୍ୟବଶତଃ ମହାଜନେ ସେତେବେଳେ ଗରମ ଅଛନ୍ତି, ସୁତରାଂ ତିନିଅଣା ଛାଡ଼ି ଦେବାକୁ ସୁଦ୍ଧା ସମ୍ପୂର୍ଣ୍ଣ ଅସ୍ୱୀକୃତ ହେଲେ । ତହୁଁ ଅଗତ୍ୟା ବାଧ୍ୟ ହୋଇ ମୋତେ ପୁନଶ୍ଚ ବଙ୍ଗଳା ଆଡ଼କୁ ଫେରିବାକୁ ହେଲା ଏବଂ ବଙ୍ଗଳାରେ ଉପସ୍ଥିତ ହୋଇ ମୋହ ସହିତ ଆସିଥିବା ଲୋକ ହାତରେ ବାକୀ ତିନିଅଣା ଦେଲି । ସେହି ଲୋକ ନିକଟରୁ ବୁଝିଲି; ମହାଜନେ କେବଳ ଅର୍ଥ ସଞ୍ଚୟରେ ସବୁବେଳେ ବ୍ୟସ୍ତ, ଅଗାଧ ସମ୍ପତ୍ତି କରିଅଛନ୍ତି, ମାତ୍ର ପଇସାଟିଏ କାହାକୁ ଦେବାକୁ ନିତାନ୍ତ କୁଣ୍ଠିତ ଏବଂ ଯାହାକୁ ଅର୍ଥପିଶାଚ କହନ୍ତି, ଏ ମହାଜନ ସେହି ଶ୍ରେଣୀରୁ ବାହାର ନୁହନ୍ତି ।

 

ଏ ସଂସାରରେ ଅର୍ଥଗର୍ବରେ ଅଧିକାଂଶ ଲୋକ ଗର୍ବିତ, ଟଙ୍କା-ଗରମରେ ଗରିବ ଆଡ଼କୁ ଫେରି ଚାହିଁବାକୁ ସମସ୍ତେ କାତର । ଅଧିକାଂଶ ଲୋକେ କାଞ୍ଚନ-କୌଳିନ୍ୟର କ୍ରୀତଦାସ । ସୁବର୍ଣ୍ଣ ତ ଅନେକଙ୍କର ଏକମାତ୍ର ଆରାଧ୍ୟ ଦେବତା-ଗଡ୍, ଆଲ୍ଲା, ଜିହୋଭା, ବୁଦ୍ଧ, ଜଗନ୍ନାଥ, ସବୁ-। ବଡ଼ ବଡ଼ ସହରରେ ପୁଣି କୋମ୍ପାନୀ କାଗଜର ମାପରେ ଅନେକ ଯୁବରାଜ ଅଙ୍ଗଦଙ୍କ ଲାଞ୍ଜର ଲମ୍ବ ମାପି ଥାନ୍ତି । ସିନ୍ଧୁକର ଟଙ୍କା ଯେତେବେଳେ ପର ସକାଶେ ବାହର କରି ପାରନ୍ତି ନାହିଁ, ସେତେବେଳେ ବଡ଼ଲୋକ ବୋଲି ଗର୍ବ ପ୍ରକାଶ ସମୀଚୀନ ଟିକି ?

 

ପ୍ରସଙ୍ଗରୁ ବାଧ୍ୟ ହୋଇ ବହୁଦୂର ଚାଲି ଆସିଲି । ଏହି ବିଦ୍ୟଲାବଣ୍ୟପରିଶୋଭିତ ସ୍ଥଳରେ ଏଭଳି କ୍ଳଷ୍ଟ ବିଷୟର ଅବତାରଣା କେବଳ ଦୈବପ୍ରତିକୂଳତାର ନିଦର୍ଶନ ମାତ୍ର ।

 

ସୂର୍ଯ୍ୟଦେବ ସମସ୍ତ ଆକାଶକୁ ଆଲୋକିତ କରି ଅସ୍ତ ଯାଉଅଛନ୍ତି-ଅମ୍ବର ପଥ ସ୍ୱର୍ଣ୍ଣରେଣୁରେ ଅବଲିପ୍ତ ପ୍ରାୟ ଦିଶୁଅଛି । ନିସ୍ତରଙ୍ଗ, ଅକମ୍ପିତ, ପ୍ରସନ୍ନ ଚିଲିକା ମୁମୂର୍ଷୂ ରବିକିରଣରେ ସେତେବେଳେ ଉଜ୍ଜ୍ୱଳ–ଯେପରି ଗୋଟିଏ ପ୍ରକାଣ୍ଡ ସମୁଜ୍ଜ୍ୱଳ ଧାତୁପାତ୍ର ପ୍ରାୟ ପଡ଼ି ରହିଅଛି । ଦୂରର ଶୃଙ୍ଗବହୁଳ ଗିରିଶ୍ରେଣୀ ପଶ୍ଚିମର ପାଣ୍ଡୁଲୋହିତ ନଭୋଦେଶରେ ନିଜର କୃଷ୍ଣଚିତ୍ର ଅଙ୍କିତ କରିଥିଲା ଏବଂ ପ୍ରକୃତି ଦେବୀଙ୍କ ସାନ୍ଧ୍ୟ ପରିଚ୍ଛଦ ପ୍ରଚ୍ଛଦପଟର (Title page) ପାଦଟୀକା (Foot note) ସ୍ୱରୂପ ବୋଧ ହେଉଥିଲା !

 

ବିମଳା କରଜାଳରେ ଧରାମଣ୍ଡଳ ଧବଳିତ କରି ଶୁକ୍ଳା ଚତୁର୍ଦ୍ଦଶୀର ଚନ୍ଦ୍ର ଚିଲିକାରୁ ବାହାରିଲେ । ଏହାଙ୍କ ମନୋହର ଜ୍ୟାତିଃ ସୁବିସ୍ତୃତ ଚିଲିକା ସଲିଳ ଓ ତଦୀୟ ତଟରେ ପରମ-ରମଣୀୟ ଶୋଭା ପ୍ରକାଶ କଲା । ଚତୁର୍ଦ୍ଦିଗ ସ୍ନିଗ୍ଧ ହୋଇଗଲା ଏବଂ ଚିଲିକା ପାଣି ଜ୍ୟୋତ୍ସ୍ନାମଣ୍ଡିତ ହୋଇ କଣ ଦିଶିଲା, ତାହା ଅନୁଭବର ଯୋଗ୍ୟ, ବର୍ଣ୍ଣନାରେ ଲେଖନୀ ଧାରଣା ବୃଥା ମାତ୍ର । ଚନ୍ଦ୍ରକରପ୍ଳାବିତ ଅରଣ୍ୟକୁଞ୍ଜରୁ ଟିଟ୍ଟିଭର ଦୂରଶ୍ରୁତ ହୃଦୟୋଚ୍ଛ୍ୱାସ ଚତୁର୍ଦ୍ଦିଗରେ ସଞ୍ଚାରିତ ହେଲା । ଝିଲ୍ଲିମୁଖରିତ ଯାମିନୀର ସ୍ୱପ୍ନାଳସ ସଂସ୍ପର୍ଶରେ ନିଖିଳ ବିଶ୍ୱ ସ୍ୱପ୍ତିମଗ୍ନ ହୋଇ ପଡ଼ୁଥିଲା । ମନେ ହେଲା, କରୁଣାମୟ ପରମପିତାଙ୍କ ମହିମା ଚନ୍ଦ୍ରମାର ଅନୁପମ ଅମୃତ ରସ ସର୍ବସ୍ଥାନରେ ପରିଲିପ୍ତ ହୋଇ ତାହାଙ୍କ ଅନିର୍ବଚନୀୟ କୀର୍ତ୍ତି ପ୍ରକାଶରେ ବ୍ୟଗ୍ର !

 

ଆକାଶର ଚନ୍ଦ୍ର ମାନବ-ସୌନ୍ଦର୍ଯ୍ୟର ଉପମାସ୍ଥଳ । ଅତି ପ୍ରାଚୀନ କାଳରୁ କବିଗଣ ଚନ୍ଦ୍ରରେ କି ଅନୁପମ ମାଧୁରୀ, କୋମଳତା ଏବଂ ସୌନ୍ଦର୍ଯ୍ୟ ଦେଖିଅଛନ୍ତି, ତାହା ପ୍ରତ୍ୟେକ ଉନ୍ନତ ଭାଷାରେ ପ୍ରକାଶିତ ରହିଅଛି । ମନୁଷ୍ୟର ମୁଖ ଯେବେ ସୁନ୍ଦର ହୁଏ, ତାହାହେଲେ ସେହି ମୁଖ ସହିତ ଚନ୍ଦ୍ରର ନାମ ମଧ୍ୟ ବିଜଡ଼ିତ ହୋଇଯାଏ । ଜ୍ୟୋତ୍ସ୍ନାଲୋକରେ ଯେଉଁ ଶାନ୍ତି ପବିତ୍ରତା, ସ୍ନିଗ୍ଧଭାବ, କମନୀୟତା ଅନୁଭୂତ ହୁଏ-ଯେଉଁ ପୁରୁଷର ବା ଯେଉଁ ନାରୀର ମୁଖଜ୍ୟୋତିଃ ସେହି ସବୁ ଭାବର ଉଦ୍ରେକ କରିଦିଏ, ସେ ପ୍ରକୃତ ସୁନ୍ଦର ଅଥବା ସୁନ୍ଦରୀ । ପ୍ରକୃତିଙ୍କର ଆଉ କୌଣସି ବସ୍ତୁ ଏତେ ଘନିଷ୍ଠ ଭାବରେ ମାନବୀୟ ସୌନ୍ଦର୍ଯ୍ୟ ସହିତ ମିଶି ନାହିଁ । ସୁଧାଂଶୁ ଯେପରି ଆମ୍ଭମାନଙ୍କ ‘ଘରଲୋକ’-ତାହାଙ୍କ ଭଳି ସୁନ୍ଦର କିନ୍ତୁ ଆମ୍ଭେମାନେ ଆଉ ଦେଖି ନାହୁଁ ।

 

ସୁଧାଂଶୁ ସୁନ୍ଦର, କିନ୍ତୁ ଅହଙ୍କାରୀ ନୁହନ୍ତି । ଯେତେବେଳେ କୌମୁଦୀମାଳା ବିସ୍ତାର କରନ୍ତି, ସେତେବେଳେ ହସି ହସି ଢଳି ପଡ଼ନ୍ତି ! ଏଭଳି ସହାନୁଭୂତି ଆଉ କାହାରିଠାରୁ ମିଳେ ନାହିଁ-। ଯେଉଁଠାରେ ଯେତେ ପ୍ରାଣୀ ସନ୍ତାପରେ ଦଗ୍ଧ ହେଉଥାନ୍ତି, ସମସ୍ତେ ଚନ୍ଦ୍ର ଆଡ଼କୁ ଚାହିଁ ଅଶ୍ରୁ ବିସର୍ଜନ କାହିଁକି କରନ୍ତି ? କବି ତାହାର ହାସ୍ୟ ଦେଖି ସଂସାରର ନିର୍ମମତା କାହିଁକି ବିସ୍ମୃତ ହୁଅନ୍ତି-? ବୋଧ ହୁଏ, ଚନ୍ଦ୍ରଙ୍କ କିରଣମାଳାରେ ରୋଗୋପଶମକାରିଣୀ ଶକ୍ତି ରହିଅଛି । ଯାହାଙ୍କର ଯେଉଁଭଳି ରୋଗ, ତାହାଙ୍କୁ ସେଭଳି ଔଷଧ ମିଳେ । ସମସ୍ତଙ୍କ କରୁଣା ଏବଂ ସ୍ନେହରୁ ବଞ୍ଚିତ ଓ ପ୍ରପୀଡ଼ିତ ମନୁଷ୍ୟ ସୁଦ୍ଧା ଜ୍ୟୋତ୍ସ୍ନାଲୋକରେ ଟିକିଏ ଆଶା, ମଧୁର ଶାନ୍ତିର ଆଭାସ ପାଇଥାଏ !

 

ଚନ୍ଦ୍ରୋଦୟରେ ପୃଥିବୀର ଶୋଭା ହୁଏ, ପ୍ରେମ-କିରଣରେ ଅନୁରଞ୍ଜିତ ହେଲେ ମାନବହୃଦୟର ମଧ୍ୟ କାନ୍ତି ବୃଦ୍ଧି ହୁଏ । ଜ୍ୟୋତ୍ସ୍ନାର ଖେଳରେ ଏବଂ ପ୍ରେମର ଲୀଳାରେ ଯେପରି କିଛି ସମ୍ବନ୍ଧ ରହିଅଛି । ପ୍ରେମହିଁ ଆମ୍ଭମାନଙ୍କ ଜୀବନର ନିୟମ ଏବଂ ଗତି । କେବଳ ଆମ୍ଭମାନଙ୍କର କାହିଁକି, ପ୍ରେମ ବିଶ୍ୱର ନିୟମ । ପ୍ରେମର ମତ୍ତତା ଚନ୍ଦ୍ରକିରଣରେ ବିଜଡ଼ିତ । କଳ୍ପନାଦେବୀଙ୍କର ପାଶ୍ଚାତ୍ୟ ଉପାସକଗଣ ସୁଧାକରଙ୍କ ସୁଧାରେ ମାଦକତା ଆରୋପ କରିଅଛନ୍ତି-। ଚନ୍ଦ୍ରକରାହତ ହେଲେ ମନୁଷ୍ୟ ପାଗଳ (Lunatic) ହୋଇଯାଏ, ଏହାହିଁ ପୂର୍ବର ଧାରଣା ଥିଲା-। ଉନ୍ନତ୍ତତାର କାରଣ ଯାହା ହେଉ ପଛକେ ଜ୍ୟୋତ୍ସ୍ନା ପାନ କରି ଅନେକ ସହୃଦୟ କବି ପ୍ରମତ୍ତ ହୋଇଯାନ୍ତି, ଏହା ସତ୍ୟକଥା; ତେବେ ଏମାନଙ୍କ ମସ୍ତିଷ୍କ ବିକୃତ ହୁଏ ନାହିଁ । ଶୁଭ୍ର ଜ୍ୟୋତ୍ସ୍ନାମୟୀ ରଜନୀରେ ପ୍ରତ୍ୟେକ ପ୍ରାଣରେ ପ୍ରେମର ଲହରୀ ଉଠୁଥାଏ ଏବଂ ପଡ଼ୁଥାଏ, ଏହା କିଏ ଅସ୍ୱୀକାର କରିବେ ?

 

ପରିଶ୍ରମ ଏବଂ ବିଶ୍ରାମ ଜଗତର ନିୟମ । ମାନବର ବିଶ୍ରାମ ସମୟରେ ଚନ୍ଦ୍ର ଆନନ୍ଦ ବିତରଣ କରନ୍ତି । ଆନନ୍ଦସ୍ୱରୂପ ବିଶ୍ୱବିଧାତାଙ୍କ ଆନନ୍ଦ ଶୋଭନ ପ୍ରକୃତି ଛବିରେ ପ୍ରତିଫଳିତ । ପ୍ରକୃତି ଅକ୍ଳାନ୍ତଭାବରେ କାର୍ଯ୍ୟ କରି ଅମ୍ଳାନ ବଦନରେ ଆଦିପୁରୁଷଙ୍କ ଆନନ୍ଦ ଉପଭୋଗ କରୁଅଛନ୍ତି । ଜ୍ୟୋତ୍ସ୍ନାତରଙ୍ଗ ମଧ୍ୟଦେଇ ଆନନ୍ଦଧାରା ବହି ଯାଉଅଛି । ଦିବାଲୋକରେ ବିଷୟ, ଶ୍ରମ-ଚନ୍ଦ୍ରାଲୋକରେ ବିରାମ ଏବଂ ଆନନ୍ଦ; ଦିନରେ କଳରବ-ରାତ୍ରିରେ ନୀରବତା । ଦିବାଲୋକର ଯେ ଭଳି ପ୍ରୟୋଜନୀୟତା, ଜ୍ୟୋତ୍ସ୍ନାର ମଧ୍ୟ ଅଧିକାଂଶ ସେହିରୂପ-ଆନନ୍ଦ ନ ମିଳିଲେ ପରିଶ୍ରମ ଅସାଧ୍ୟ ହୁଏ । ସୂର୍ଯ୍ୟ ମନୁଷ୍ୟକୁ ଆହ୍ୱାନ କରନ୍ତି-କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ କରିବା ସକାଶେ; ଚନ୍ଦ୍ରଙ୍କ ଆହ୍ୱାନ ଆସେ-ବିଶ୍ରାମ, ଶାନ୍ତି ଏବଂ ଆନନ୍ଦ ପାଇଁ । ସୂର୍ଯ୍ୟ କାର୍ଯ୍ୟଶୀଳ, ଚନ୍ଦ୍ର ପ୍ରେମିକ ଏବଂ ଭାବୁକ ।

 

ସୂର୍ଯ୍ୟ ଶକ୍ତି, ଚନ୍ଦ୍ର ପ୍ରୀତି । ପ୍ରାଚୀନ କାଳରୁ ଉଭୟେହିଁ ଦେବତା ବୋଲି ପୂଜା ପାଉଅଛନ୍ତି । ସଂସାରରେ ଦୁଇ ଶ୍ରେଣୀର ଉପାସକ ଦୃଷ୍ଟ ହୁଅନ୍ତି । ଏକ ଶ୍ରେଣୀର ଲକ୍ଷ୍ୟ ଶକ୍ତି, ତେଜଃ, ପ୍ରଭୃତ୍ୱ-ଆଉ ଏକ ଶ୍ରେଣୀର ଲକ୍ଷ୍ୟ ପ୍ରୀତି, କୋମଳତା, ସେବା ପ୍ରିୟଦର୍ଶନ ଚନ୍ଦ୍ର ମାନବହୁଦୟାକାଶର ସୌନ୍ଦର୍ଯ୍ୟ ଏବଂ ପ୍ରୀତିର ପ୍ରତିକୃତି ମାତ୍ର ।

 

‘ପ୍ରକୃତିର ଚାରୁ ଆଲେଖ୍ୟ-ଶାଳିକା’ ଚିଲିକା ! ବାସନ୍ତୀ-ଜ୍ୟୋତ୍ସ୍ନାମଣ୍ଡିତ ଲାବଣ୍ୟୋଜ୍ଜ୍ୱଳ କାନ୍ତି ଘେନି ମଳୟ-ହିଲ୍ଲୋଳରେ ତରଙ୍ଗାୟିତ ହୋଇ ସୃଷ୍ଟିକର୍ତ୍ତାଙ୍କ ପ୍ରଶଂସା ଘୋଷଣା କରୁଥାଅ । ଅନନ୍ତ ସର୍ପଶ୍ରେଣୀପରି ବେଷ୍ଟିତ ବୈନତେୟ ପ୍ରାୟ ଗିରିମାଳାପରିବୃତ ହୋଇ ପଡ଼ି ରହିଥାଅ । ତୁମ୍ଭର ଶୋଭା ସନ୍ଦର୍ଶନରେ ମୁଗ୍ଧ ହୋଇ ମୋହର ଭାବ ଏବଂ ଭାଷା ମୁକ୍ତପଥ ତଡ଼ାଗର ଜଳ ପରି ନାନା ଆଡ଼େ ବହି ଯାଉଅଛି, ସଞ୍ଚୟ କରିବାର ସାମର୍ଥ୍ୟ ନାହିଁ ! ତୁମ୍ଭେହିଁ କେବଳ ତୁମ୍ଭର ଉପମା ମାତ୍ର !

Image

 

ଇନ୍ଦ୍ରଭବନରେ ଜ୍ୟୋତ୍ସ୍ନା

 

ଇନ୍ଦ୍ରଭବନ ! ଇନ୍ଦ୍ରାଳୟ-ବିଜୟୀ ରାଜ ପ୍ରାସାଦଠାରୁ ତୋହର ଶୋଭା ରମଣୀୟ ବୋଧ ହେଉଅଛି । ଲୋକମନମୋହନ ଦୃଶ୍ୟରାଜି ତୋହର ଚତୁର୍ଦ୍ଦିଗରେ ସ୍ୱୀୟ ଅଖଣ୍ଡ ପ୍ରତିଭାରେ ଉଜ୍ଜ୍ୱଳ ହୋଇ ତୋହର ରଚକର ଜୟ ଘୋଷଣା କରୁଅଛି । ସରଳତା ଓ ସାଧୁତାର ଆଧାର ନରସିଂହପୁରାଧୀଶ୍ୱର ରାଜା ୰ସାଧୁଚରଣଙ୍କ ଆନୁକୂଲ୍ୟରେ ସୌନ୍ଦର୍ଯ୍ୟ-ଗ୍ରାହକ ଏବଂ ଚିରଉନ୍ନତିଶୀଳ ଦେବାନ ଦାମୋଦରଙ୍କ ବୁଦ୍ଧିକୌଶଳରେ ନଭୋମଣ୍ଡଳ-ମଧ୍ୟସ୍ଥିତ ସମ୍ପୂର୍ଣ୍ଣମଣ୍ଡଳ ଶଶଧରପ୍ରାୟ ତୁ ନରସିଂହପୁର ରାଜ୍ୟର ଆକାଶରେ ଶୋଭା ପାଉଅଛୁ ।

 

ପୂର୍ବରେ ନରସିଂହପୁର ରାଜ୍ୟର ନଗଣ୍ୟ ଖଣ୍ଡଶୈଳସମୂହ, ଆର ପାଖରୁ ବଡ଼ମ୍ବା ରାଜ୍ୟର ଭଲ୍ଲୂକଖଟ୍ୱାୟିତ କୁମାରଙ୍ଗପର୍ବତ ଅତି ଦୂରରେ କ୍ଷୁଦ୍ର ନୀଲାଭ ପିରାମିଡ଼ ପ୍ରାୟ ବାଙ୍କିର ମହାପର୍ବତ ଏବଂ ହସ୍ତିଶୟନାକାରରେ ବୈଦ୍ୟେଶ୍ୱରର ବୈଦ୍ୟନାଥଙ୍କ ପର୍ବତ ଏବଂ ପ୍ରସାରିତ ଗୋଶୃଙ୍ଗାକୃତି ଖଣ୍ଡପଡ଼ା ରାଜ୍ୟର ଗୋଶିଙ୍ଗ ପର୍ବତ, ଦକ୍ଷିଣରେ ଗୁଳ୍ମଚ୍ଛାଦିତ ଶୈଳମାଳାର ଅପରପାର୍ଶ୍ୱରେ ମହାନଦୀର ବାଲୁକାରାଶି ମଧ୍ୟସ୍ଥିତ ସ୍ୱଚ୍ଛ ସଲିଳରାଶି, ତହିଁ ଆର ପାଖରେ ଦଶପଲ୍ଲା ରାଜ୍ୟର ସିଧାମୂଳା ପାହାଡ଼ ଦଣ୍ଡାୟମାନ; ଏହି ଦିଗର ତୃତୀୟା ସ୍ତରରେ ଖଣ୍ଡପଡ଼ାର ରାଜଗିରି ପର୍ବତ ଲମ୍ବଭାବରେ ଦିଗନ୍ତ ଅଧିକାର କରିଅଛି, ଚତୁର୍ଥ ସ୍ତରରେ ନୟାଗଡ଼ର ପ୍ରକାଣ୍ଡ ଶୂଳିଆ ପର୍ବତ ମୁଣ୍ଡ ଟେକିଅଛି । ଦକ୍ଷିଣ-ପଶ୍ଚିମ କୋଣରୁ ମହନଦୀର ଅପରପାର୍ଶ୍ୱର ଭୀଷଣଦର୍ଶନ ମଣିଭଦ୍ରା ପର୍ବତ ଏବଂ ସାତକୋସିଆ ପ୍ରବେଶଦ୍ୱାରର ଗୋୟାଳଡ଼ିହ ଏବଂ ବାଇଗଣି ପର୍ବତମାଳାରେ ଦନ୍ତୁରିତ । ଉତ୍ତର ଏବଂ ପଶ୍ଚିମ ଦିଗ ବଡ଼ମ୍ବା ଏବଂ ନରସିଂହପୁର ରାଜ୍ୟର ନୀଳ ପର୍ବତମାଳାରେ ସଜ୍ଜୀକୃତ-ମଧ୍ୟରେ ନରସିଂହପୁରର ବୁଢ଼ାବୁଢ଼ୀ ଘାଟିର ପ୍ରସିଦ୍ଧ ପର୍ବତଶ୍ରେଣୀ । ଠିକ ତଳେ ନରସିଂହପୁର ଗଡ ଆମ୍ରୋଦ୍ୟାନ, ଅଟ୍ଟାଳିକା ଏବଂ ଗୃହସମଷ୍ଟିର ଚିତ୍ର ଏବଂ ପୂର୍ଣ୍ଣ ଧାନ୍ୟକ୍ଷେତ୍ରରେ କୋମଳ ହରିତ୍ ଶୋଭା । ଏହି ଶୋଭାସମ୍ଭାର-ପରିବୃତ ହୋଇ ଇନ୍ଦ୍ରଭବନ ନିଜ ନାମ ସାର୍ଥକ କରୁଅଛି !

 

ଉତ୍ତର ଏବଂ ପଶ୍ଚିମ ଦିଗର ପୁଞ୍ଜୀଭୂତ ପର୍ବତମାଳା ମଧ୍ୟରେ ସ୍ରୋତଃପ୍ରବାହିତ ସୁଗଭୀର ଗର୍ତ୍ତସମୂହ; ସମତଳ ଭୂମି ପ୍ରାୟ ନାହିଁ, କେବଳ ପ୍ରସ୍ତରର ଅନନ୍ତ ତରଙ୍ଗ; ଗୁଳ୍ମପୁଞ୍ଜରେ ଏବଂ ସମୁଚ୍ଚ ଶାଳ, ପିଆଶାଳ, ଅସନ ପ୍ରଭୃତି ବୃକ୍ଷସମୂହର ଅଟବୀରେ ସମାଚ୍ଛନ୍ନ । ଜନଶୂନ୍ୟ ଭୂଖଣ୍ଡ; କ୍ୱଚିତ୍ ଗୋଟିଏ ଦିଓଟି ଗ୍ରାମ-ଯେପରି ଗୋଟିଏ ଗୋଟିଏ ପାହାଡ଼ ଉପରେ ଶିଳାସ୍ତୂପ । ଏହା ମଧ୍ୟରେ ଶିଳ୍ପ ନାହିଁ, ଅଥଚ ସରଳତା ଯଥେଷ୍ଟ ରହିଅଛି । ଖୋଦିତ କାଷ୍ଠଖଣ୍ଡ ଅଥବା ଭାସ୍କରଖଚିତ ପ୍ରସ୍ତର ଖଣ୍ଡିଏ ସେଠାରେ ମିଳିବା ସହଜ ନୁହେ; ପୂର୍ବତନ ଅଧିବାସିମାନଙ୍କ ସୁଶ୍ରୀ ଏବଂ ସୁନ୍ଦର ଦ୍ରବ୍ୟଜାତ ପ୍ରତି ଅନୁରାଗର ସାମାନ୍ୟ ଚିହ୍ନ ନାହିଁ କହିଲେ ଚଳେ । ଯେଉଁ ସମୟ ସୌନ୍ଦର୍ଯ୍ୟଚର୍ଚ୍ଚାକୁ ଆମ୍ଭେମାନେ ‘‘କଳା-ବିଦ୍ୟା’’ କହିଥାଉଁ, ସେଗୁଡ଼ିକ ଉପରେ ଚିରନ୍ତନ ଔଦାସୀନ୍ୟହିଁ ସେମାନଙ୍କ ପ୍ରକୃତିର ପରମାଶ୍ଚର୍ଯ୍ୟ ବିଶିଷ୍ଟତା ! ପାର୍ଥିବ ସୌନ୍ଦର୍ଯ୍ୟ-ଚର୍ଚ୍ଚାରେ ସେମାନେ ଅନଭିଜ୍ଞ ହେଲେହେଁ ନୈସର୍ଗିକ ସୌନ୍ଦର୍ଯ୍ୟଚର୍ଚ୍ଚାରେ ଏମାନଙ୍କ ଦିନ ଅତିବାହିତ ହେଉଅଛି, ସୁତରାଂ ଭାସ୍କର୍ଯ୍ୟ, କଳାବିଦ୍ୟା ପ୍ରଭୃତିରୁ ଏମାନେ କ୍ଷାନ୍ତ । ପ୍ରକୃତିର ଯେଉଁ ପ୍ରଭାବ ଏମାନଙ୍କ ଉପରେ ରହିଅଛି, ସେଥିରେ ଏମାନେ ସରଳ, ସତ୍ୟପ୍ରିୟ, ବିଶ୍ୱାସୀ ଏବଂ ନିର୍ଭୀକ,-ଅଥଚ ଆମ୍ଭମାନଙ୍କ ଭଳି ଶିକ୍ଷିତାଭିମାନୀ ଭୀବଙ୍କ ପରି କ୍ରୂର ଏବଂ ଖଳ ନୁହନ୍ତି ।

 

ଅପରାହ୍ନରେ ସଙ୍ଗୀତ-ରସିକ ଦେଓୟାନ ଦାମୋଦରଙ୍କ ସହିତ ଅନେକକ୍ଷଣ ସଙ୍ଗୀତ-ଚର୍ଚ୍ଚା ହୋଇଥିଲା । ଏ ମହାଶୟଙ୍କୁ ଉତ୍କଳୀୟ ସଙ୍ଗୀତ ଶିକ୍ଷାର ଜୀବନ୍ତ ଇତିହାସ ବୋଲାଯାଇ ପାରେ । ଏହାଙ୍କର ସଙ୍ଗୀତ-ସାଗର ସଙ୍କଳନ ଦିବସରୁ ଉତ୍କଳରେ ସଙ୍ଗୀତ-ଚର୍ଚ୍ଚା ପ୍ରକୃତରୂପେ ଆରମ୍ଭ ହୋଇଥିଲା ଏବଂ ପ୍ରାଚୀନ ସଙ୍ଗୀତସମୂହ ନୂତନ ବେଶରେ ସମସ୍ତଙ୍କ ମନ ଆକର୍ଷଣ କରିଥିଲା । ଜଗନ୍ନାଥ- ସଂକୀର୍ତ୍ତନ ନାମକ ପୁସ୍ତକଖଣ୍ଡିକ ଏହାଙ୍କର ପ୍ରଧାନ କୀର୍ତ୍ତି । ଉତ୍କଳରେ ବଙ୍ଗ ସଂକୀର୍ତ୍ତନ ସଙ୍ଗେ ଉତ୍କଳଭାଷାର ପଦଗୁଡ଼ିକ ମିଶାଇ ସର୍ବତ୍ର ଏକ ବିଚିତ୍ର ସଂକୀର୍ତ୍ତନ ଗୀତ ହୋଇଥାଏ । ମାତ୍ର ଖାଣ୍ଟି ଓଡ଼ିଆ ସଂକୀର୍ତ୍ତନ ଶୁଣିବାର ଉପାୟ ନ ଥିଲା । ଦାମୋଦର ବାବୁ ଏହି ରୀତିର ପ୍ରବର୍ତ୍ତକ ଏବଂ ପରିଚାଳକ ହୋଇ ଯଶସ୍ୱୀ ହାଇଅଛନ୍ତି ।

 

ଗୋଟିଏ ଗାୟକକଣ୍ଠନିଃସୃତ ସଙ୍ଗୀତ ଲହରୀରେ ନିତାନ୍ତ ଆକୃଷ୍ଟ ହେଲି । କିନ୍ତୁ ବର୍ତ୍ତମାନ ଯୁଗ ଓଲଟି ଯାଉଅଛି, ଆଉ ପ୍ରାଚୀନ ସଙ୍ଗୀତ ପ୍ରତି ଶିକ୍ଷିତସମାଜର ସେଭଳି ଆସ୍ଥା ନାହିଁ-। ‘‘ଏକା ନବଘନ ଶ୍ୟମ ବଂଶୀଧ୍ୱନ ନିଶୀଥରେ ଶୁଣାଯିବ’’ ଏ ସବୁ ସଙ୍ଗୀତର ଆଦର କମି ଗଲାଣି-। ଓଡ଼ିଆ ସଙ୍ଗୀତଗୁଡ଼ିକରେ ବଙ୍ଗଳା, ଇଂରାଜୀ ଏବଂ ହିନ୍ଦୀ ସଙ୍ଗୀତର ରାଗିଣୀଗୁଡ଼ିକ ମିଶି କିମ୍ଭୂତ କିମାକାର ହୋଇଗଲାଣି । ଛାନ୍ଦଗୁଡ଼ିକ ଉତ୍କଳର ନିଜ ସମ୍ପତ୍ତି, ମାତ୍ର ଏଗୁଡ଼ିକର ମଧ୍ୟ ଅବସ୍ଥା ଖରାପ ହୋଇଗଲାଣି । ଆମ୍ଭେମାନେ ଜାଣୁଁ, ଏହି ଜଗତହିଁ ପରିବର୍ତ୍ତନଶୀଳ । ନଶ୍ୱର ଜଗତରେ ‘‘ଚଳଚ୍ଚିତ୍ତଂ ଚଳଦ୍‌ବିତ୍ତଂ ଚଳଜ୍ଜୀବନ ଯୌବନମ୍‌ ।’’

 

ଗାୟକ ମହାଶୟ ସଙ୍ଗୀତ ଉତ୍ତାରୁ କେତକ ଛାନ୍ଦ ଆବୃତ୍ତି କଲେ । ମହାକବି ଉପେନ୍ଦ୍ର ଭଞ୍ଜ ଏବଂ ଅଭିମନ୍ୟୁ ସମାନ୍ତସିଂହାରଙ୍କ ଛାନ୍ଦସମୂହହିଁ ଉତ୍କଳଭାଷାର ପୂର୍ଣ୍ଣ ବିଶେଷତ୍ୱ । ଏମାନଙ୍କ ଛାନ୍ଦଗୁଡ଼ିକରେ ଶବ୍ଦ ସମୂହର ଅପୂର୍ବ ବ୍ୟାୟାମ କୌଶଳ ଏବଂ ‘‘ଦେଖି ନବ କାଳିକା ବକାଳିକାମାଳିକା ଆଳୀ କାଳିକାକାନ୍ତ ସ୍ମରି’’ ପ୍ରଭୃତି ଅନୁପ୍ରାସର ଅଟ୍ଟହାସ ଥିଲେ ହେଁ ଏଗୁଡ଼ିକ ଉତ୍କଳର ସ୍ଥାୟୀ ଭୂଷଣ ।

 

ଆମ୍ଭମାନଙ୍କ ପୂର୍ବପୁରୁଷମାନେ ରସର ସଫଳତା ଘେନି କାବ୍ୟ ସମୂହର ବିଚାରରେ ପ୍ରବୃତ୍ତ ହେଉ ନ ଥିଲେ ବୋଲି ଅନୁମିତ ହୁଏ । ଭାଷାର ଲୀଳାଚାତୁର୍ଯ୍ୟ ଏବଂ ବର୍ଣ୍ଣନଭଙ୍ଗିହିଁ ଏମାନଙ୍କର ପ୍ରକୃତ ବିଚାର ଥିଲା । ଆମ୍ଭେମାନେ କାବ୍ୟରେ ଦେଖୁଁ–ପ୍ରକାଶର ଅନ୍ତରାଳବର୍ତ୍ତୀ ପ୍ରଚ୍ଛନ୍ନ ଓ ଗୋପନ ରସସମୁଦ୍ର ଏବଂ ସେମାନେ ଦେଖୁଥିଲେ–ପ୍ରକାଶର ପ୍ରୋଜ୍ଜ୍ୱଳ ମହିମା ଭୂଷଣ-

 

ଇନ୍ଦ୍ରଭବନ ଯେଉଁ ଶିଖରୀ ଉପରେ ଅବସ୍ଥିତ, ତହିଁରୁ ଅବତରଣ କରି ଭିନ୍ନ ମାର୍ଗରେ ଅପର ଏକ ଶିଖରୀ ଉପରେ ଆରୋହଣ କଲି । ଏଠାରେ ସରସ୍ୱତୀଦେବୀଙ୍କର ଗୋଟିଏ ମନ୍ଦିର ଦାମୋଦର ବାବୁଙ୍କ କର୍ତ୍ତୃକ ପ୍ରତିଷ୍ଠିତ ହୋଇଅଛି । ଉତ୍କଳରେ ଏ ଦୃଶ୍ୟ ସମ୍ପୂର୍ଣ୍ଣ ନୂତନ । ଅନ୍ୟାନ୍ୟ ଦେବ ଦେବୀଙ୍କ ମନ୍ଦିର ସର୍ବତ୍ର, ମାତ୍ର ସରସ୍ୱତୀଙ୍କ ପ୍ରତିଷ୍ଠା କ୍ୱଚିତ୍‌ । ମାର୍ଗରେ ଯାଉଁ ଯାଉଁ ଗୋଟିଏ ଯୋଡ଼ିଏ କୃଷକଘର ବାଟରେ ପଡ଼ିଲା । ଗୋଟିଏ କୃଷକକୁମାରୀ ମାତୃ-ସମୀପରେ ଦଣ୍ଡାୟମନା । ମୁଣ୍ଡର ରୁକ୍ଷ କେଶରେ ଜୁଡ଼ା ମଧ୍ୟମସ୍ଥଳରେ ଉଚ୍ଚଭାବରେ ବନ୍ଧା, ପରିଧାନରେ ମଳିନ ବସ୍ତ୍ର, ଓଷ୍ଠ ଓ ଲଲାଟ ‘ଚିତାକୁଟା’ ଚିହ୍ନପରିଶୋଭିତ । ଏ ପୁଣି ଗୋଟିଏ ଅର୍ଦ୍ଧପକ୍ୱ କାକୁଡ଼ି ଦଂଷ୍ଟ୍ରା ସହାୟତାରେ ଉଦରସ୍ଥ କରିବାରେ ଲାଗିଅଛି । ଗୋଟିଏ ବର୍ଷକର ପିଲା ଅଚିରୋଦ୍ଗତ ଦନ୍ତାବଳି ଶୋଭିତ- ମୁଖ- ଚନ୍ଦ୍ରରେ ଟିକିଏ ହସି ତାହାର ମାତୃକ୍ରୋଡ଼ରୁ ଭଉଣୀ କୋଳକୁ ଝାମ୍ପି ପଡ଼ୁଅଛି ।

 

ଗଉଡ଼ମାନେ ଗୋରୁପଲ ଘେନି ବାହୁଡ଼ିଲେଣି । ଗୋରୁପଲ ମଧ୍ୟରୁ ଦୁଇ ଚାରୋଟି ଛେଳି ଅଥବା ମେଣ୍ଢାଛୁଆ ପଥଭ୍ରଷ୍ଟ ହୋଇ ଦୁଇ ଏକ ଥର ଡେଇଁ ଉଠୁଅଛନ୍ତି । ଏହି ଗ୍ରାମ୍ୟ ଦୃଶ୍ୟ ଗୁଡ଼ିକରେ ପ୍ରକୃତିର ସୁସନ୍ତାନମାନେ ଅଭ୍ୟସ୍ତ ହୋଇଥିଲେହେଁ ଆମ୍ଭମାନଙ୍କ ପକ୍ଷରେ କେଡ଼େ ମଧୁର ।

 

ସରସ୍ୱତୀମୁଣ୍ଡିଆର ଶିଖରଦେଶରେ ଉପସ୍ଥିତ ହେଲି । ବନ୍ୟ ଗୁଳ୍ମରେ ଶିଖରଦେଶ ପୂର୍ଣ୍ଣ । କବିବାଞ୍ଛିତ ସ୍ଥାନରେ ସରସ୍ୱତୀ ଦେବୀଙ୍କ ମନ୍ଦିର ଅବସ୍ଥିତ ।

 

ଦେଖୁଁ ଦେଖୁଁ ସୁଲୋହିତ ତପନ ସୁବୃହତ୍‌ ସ୍ୱର୍ଣ୍ଣଚକ୍ରର ଆକାର ଧାରଣ କରି ନରସିଂହପୁର ରଜ୍ୟ-ସୀମାନ୍ତ ଗିରିଶ୍ରେଣୀର ଅନ୍ତରାଳରେ ଅଦୃଶ୍ୟ ହେଉଥିଲେ । ଅସ୍ତମାନ ତପନର ପୀତରଶ୍ମି ସମ୍ପାତରେ ଆମ୍ରକୁଞ୍ଜ-ସମାବୃତ୍ତ ନରସିଂହପୁର ଗଡ଼ ମନୋହର ଶୋଭା ଧାରଣ କଲା । ନରସିଂହପୁର ରାଜବାଟୀର ଅଟ୍ଟାଳିକା ଏବଂ ଅଦୂରବର୍ତ୍ତୀ ଶୈଳଶୃଙ୍ଗସ୍ଥ ବିଶ୍ୱନାଥ ମନ୍ଦିରର ଚୂଡ଼ା ଆଲେକରେ ଜଳି ଉଠିଲା । ସରସ୍ୱତୀ ମନ୍ଦିର ନିକଟରେ ବସି ନାନା ଚିନ୍ତାରେ ହୃଦୟ ପୂର୍ଣ୍ଣ ହେଲା । ଶିକ୍ଷା ଓ ଜ୍ଞାନ ସମ୍ବନ୍ଧରେ ଅନେକ ଚିନ୍ତାରେ ହୃଦୟ ଆଲୋଡ଼ିତ ହେଲା । ଆମ୍ଭମାନଙ୍କ ବର୍ତ୍ତମାନ ଅବସ୍ଥା ଆଡ଼କୁ ଅନାଇଲେ ମନେ ହୁଏ, ପ୍ରତୀଚ୍ୟର ଅନୁବର୍ତ୍ତନ କରିବା ସକାଶେ ବୋଧହୁଏ ଧାତା ବିଶାଳ ପ୍ରାଚ୍ୟ ଦେଶର ସୃଷ୍ଟି କରିଅଛନ୍ତି । ଯେ ପ୍ରାଚ୍ୟଦେଶ ଏକକାଳରେ ଜ୍ଞାନାଲୋକ-ସମୁଜ୍ଜ୍ୱଳ ହୋଇ ସମସ୍ତ ଧରାବକ୍ଷ ଉଦ୍ଭାସିତ କରିଥିଲା, ଆଜି ସେହି ପ୍ରାଚ୍ୟହିଁ ନିବିଡ଼ ତମସରେ ସମାଚ୍ଛନ୍ନ ! କେବଳ ଅତୀତର ସ୍ମୃତି ମଧ୍ୟେ ମଧ୍ୟେ ମେରୁପ୍ରଭା ପ୍ରାୟ ଏହି ଗଭୀର ଅନ୍ଧକାର ମଧ୍ୟରେ ଏକପ୍ରକାର ଉତ୍କଟ ଆଲୋକ ବିକୀର୍ଣ୍ଣ କରୁଅଛି ।

 

ଶିକ୍ଷା ଉଦାରତାର ପ୍ରସୂତି । ମାତ୍ର ସମୟ ସମୟରେ ନିତାନ୍ତ ଦୁଃଖ ହୁଏ, ଏହି ଶିକ୍ଷା ସ୍ଥଳ-ବିଶେଷରେ ନିଷ୍ଠୁରତାର ଜନ୍ମଦାତ୍ରୀ ହୋଇଥାଏ । ମାତୃଦୁଗ୍ଧ ସହିତ ମାନବ ନିଜର ଭବିଷ୍ୟତ୍‌ ପ୍ରକୃତି ଲାଭ କରେ । ଏହି ସିନ୍ଧାନ୍ତକୁ ନିତାନ୍ତ ଅନୁମାନ ଭାଳି ଉପେକ୍ଷା କରିବା ଅନୁଚିତ । ଶିକ୍ଷାର ଆଲୋକ ବିକୀର୍ଣ୍ଣ ହେଲେ ଅବଶ୍ୟ ସଂକୀର୍ଣ୍ଣତା ଘୂଞ୍ଚିଯାଏ, ତନ୍ତ୍ର ସନ୍ଦେହୋନାସ୍ତି ।

 

ସାଧାରଣ ଶିକ୍ଷା ସହିତ ସଂଯମଶିକ୍ଷା ଏବଂ ଧର୍ମଶିକ୍ଷାର ବ୍ୟବସ୍ଥା ହେବା ସମ୍ପୂର୍ଣ୍ଣ ସଙ୍ଗତ-। ନିଷ୍ଠୁରତା, ଧୃଷ୍ଟତା, ପ୍ରବଞ୍ଚନା, ଶଠତା ଓ ମିଥ୍ୟା ପ୍ରଭୃତି ଶିକ୍ଷା ପ୍ରଭାବରୁ ବହୁଳ ପରିମାଣରେ ଆତ୍ମପ୍ରକାଶ କରୁଅଛି ସତ୍ୟ, ମାତ୍ର ଏହି ଦୋଷ ଉଚ୍ଚ ଶିକ୍ଷାର ନୁହେ, ଏହା କେବଳ ଧର୍ମହୀନ ନୀତିବର୍ଜିତ ଶିକ୍ଷାରହିଁ ଦୋଷ ବୋଲି ଅନୁମିତ ହୁଏ।

 

‘‘ଛାତ୍ରାଣାଂ ଅଧ୍ୟୟନଂ ତପଃ ।’’ ଅଧ୍ୟୟନହିଁ ଛାତ୍ରମାନଙ୍କ ତପସ୍ୟା । ଏହି ତପସ୍ୟାର ସିଦ୍ଧିଲାଭ କରିବାକୁ ହେଲେ ସଂଯମହିଁ ଏକାନ୍ତ ଆବଶ୍ୟକ । ବିଳାସିତା ଏହି ପବିତ୍ର ତପୋବିଘ୍ନ କାରିଣୀ ମାୟାବିନୀ ରାକ୍ଷସୀ; ସଂଯମ ଏହାର ଅମୋଘ ବ୍ରହ୍ମାସ୍ତ୍ର ସ୍ୱରୂପ ।

 

ଛାତ୍ରାବସ୍ଥାରେ ବିଳାସପରତନ୍ତ୍ର ହେଲେ ଯେ ଭବିଷ୍ୟତରେ କେବଳ ଅର୍ଥାଭାବର ସୂତ୍ରପାତ ହୁଏ, କେବଳ ଏତିକି ନୁହେ, ବିଳାସିତାର ପ୍ରବଳ ସ୍ରୋତରେ ଭାସି ଭାସି ଅନେକଙ୍କୁ ନରକ ଦ୍ୱାରରେ ଉପସ୍ଥିତ ହେବାକୁ ହୁଏ ଏବଂ ଜୀବନର ଯାହା ମଙ୍ଗଳମୟ ଉଦ୍ଦେଶ୍ୟ, ସେଥିରେ କ୍ରମଶଃ ଆଗ୍ରହର ଶୈଥିଲ୍ୟ ଉପୁଜେ । ଏହା ବ୍ୟତୀତ ସ୍ୱାସ୍ଥ୍ୟଭଙ୍ଗ ପ୍ରଭୃତି ଅନ୍ୟାନ୍ୟ ଅମଙ୍ଗଳ ସମୂହ ବିଳାସିତାର ବିଷମୟ ଫଳସ୍ୱରୂପ ।

 

ନୀତି ଓ ଚରିତ୍ର ପ୍ରକୃତ ମନୁଷ୍ୟତ୍ୱର ଭିତ୍ତିସ୍ୱରୂପ । ଏଗୁଡ଼ିକର ଅଭାବରେ ମନୁଷ୍ୟତ୍ୱର ସ୍ଥିତି ଆକାଶରେ ଅଟ୍ଟାଳିକା ନିର୍ମାଣ ପ୍ରାୟ ଅସମ୍ଭବ ହୋଇ ଉଠେ । ପ୍ରକୃତ ମନୁଷ୍ୟତ୍ୱ ବାହ୍ୟାଡ଼ମ୍ବରର ଅପେକ୍ଷା ରଖେ ନାହିଁ, ଏଥିରେ ଅନାହାରଶୀର୍ଣ୍ଣ ଜୀର୍ଣ୍ଣବେଶ ତରୁ-ତଳାଶ୍ରିତ ଭିକ୍ଷୁକଠାରୁ ସୁଧାଧବଳିତ ସପ୍ତତଳ ପ୍ରାସାଦୋପରି ଶୁଭ୍ର ସୁକୋମଳ ଶଯ୍ୟାଶାୟୀ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କରହିଁ ତୁଲ୍ୟାଧିକାର । ଛାତ୍ରାବସ୍ଥାହିଁ ଏହି ନୀତି ଓ ଚରିତ୍ର ଶିକ୍ଷାର ପ୍ରଶସ୍ତ ସମୟ । ବିଦ୍ୟାଭ୍ୟାସ ନ କରି କେବଳ ସରସ୍ୱତୀ ପୂଜା କଲେ ବିଦ୍ୟା ହୁଏ ନାହିଁ, ବିଦ୍ୟାଭ୍ୟାସ କରି ସୁଦ୍ଧା ନୀତି ଏବଂ ସଂଯମ ଶିକ୍ଷା ନ କଲେ ବିଦ୍ୟା ଭିନ୍ନ ପଥରେ ଚାଲିଯାଏ । ସରସ୍ୱତୀ ସମସ୍ତ ସଦ୍ଗୁଣର ଦେବୀ, ସୁତରାଂ ବିଦ୍ୟା ସହିତ ସମସ୍ତ ସଦ୍ଗୁଣର ସେବା କରିବାହିଁ ସରସ୍ୱତୀଙ୍କ ପୂଜା । ନାନା ବିଷୟ ହୃଦୟରେ ଆଲୋଚନା କରୁଁ କରୁଁ ସାୟାହ୍ନ ଉପସ୍ଥିତ ହେଲା, ସୁତରାଂ ସରସ୍ୱତୀ ଶିଖରରୁ ଅବତରଣ କରି ଇନ୍ଦ୍ରଭବନ ଶିଖରକୁ ଉଠିଲି । ଶୁକ୍ଳ ଦ୍ୱାଦଶୀର ଚନ୍ଦ୍ର ଗୋଟିଏ ଶୈଳର ଅନେକ ଉପରେ ରହିଥିଲେ, ସୁତରାଂ ଚନ୍ଦ୍ରକାଧୌତ ହୋଇ ନୀରବ ପ୍ରକୃତି ସ୍ମିତ ଭାବ ଧାରଣ କରିଥିଲା !

 

ଶୋଭାମୟୀ ଜ୍ୟୋତ୍ସ୍ନା ବର୍ତ୍ତମାନ ବିଶ୍ୱର ସ୍ୱତନ୍ତ୍ରବିଧ ରମଣୀୟତା ସଂବିଧାନ କରିଅଛି । ପ୍ରକୃତ ନିସ୍ତବ୍ଧ, ପ୍ରଶାନ୍ତ, ଘୋର ଏବଂ ଅଳସ । ପାହାଡ଼ ତଳର ଟିକିଏ ଦୂରରେ ଗୋଟିଏ କ୍ଷୁଦ୍ର ନିର୍ଝରିଣୀ ଶୈଳାଙ୍ଗ ଧୌତ କରି ଅସ୍ପଷ୍ଟ କଳନାଦରେ ସ୍ୱୀୟ ଗନ୍ତବ୍ୟପଥରେ ପ୍ରବାହିତା ।

 

ଜ୍ୟୋତ୍ସ୍ନାଲୋକରେ ଯେତେବେଳେ ଚିନ୍ତା କରିବାକୁ ଆରମ୍ଭ କରେ, ସେତେବେଳେ ମନେ ହୁଏ, ଯେପରି ସୌନ୍ଦର୍ଯ୍ୟର ଅନନ୍ତ ପିପାସା ଘେନି ଜନ୍ମଗ୍ରହଣ କରିଅଛି । ସେତେବେଳେ ଦୁଃଖ ହୁଏ, ଏହି ସୁନ୍ଦର ବିଶ୍ୱରେ ସୌନ୍ଦର୍ଯ୍ୟ ସମ୍ଭୋଗ କରିବାର ଅବସର ମିଳିଲା ନାହିଁ ପରା ? ମୋହର ବିଶ୍ୱାସ, ପ୍ରାଣ ପବିତ୍ର ନ ହେଲେ କେହି କେତେବେଳେ ସୌନ୍ଦର୍ଯ୍ୟର ପ୍ରକୃତ ଆସ୍ୱାଦ ପାଇ ପାରନ୍ତି ନାହିଁ । ମୋହର ହୃଦୟ ଯେଭଳି କଳୁଷିତ ତହିଁରେ ସୁନ୍ଦର ବସ୍ତୁର ସରଳ ପ୍ରତିବିମ୍ବ କେତେବେଳେ ପଡ଼ିବା ସମ୍ପୂର୍ଣ୍ଣ ଅସମ୍ଭବ । ମୁଁ ଗୋଟିଏ ଅର୍ଦ୍ଧବିକୃତ ଛାୟା ମାତ୍ର ଦେଖିଥାଏଁ । ସୁନ୍ଦର ନ ହେଲେ ସୌନ୍ଦର୍ଯ୍ୟ ବୁଝି ହୁଏ ନାହିଁ । ସୌନ୍ଦର୍ଯ୍ୟର ଧର୍ମ ଏହି ଯେ ଦର୍ଶକର ହୃଦୟ ଆକୃଷ୍ଟ କରି ଉନ୍ନତ୍ତ ଭାବରାଜ୍ୟକୁ ଓଟାରି ଘେନି ଯିବ । ସୌନ୍ଦର୍ଯ୍ୟ ଜଡ଼ବସ୍ତୁରେ ପ୍ରକାଶିତ, କିନ୍ତୁ ଜଡ଼ ଭିତର ଦେଇ ଏହା ମାନବ ପ୍ରାଣକୁ ଅତୀନ୍ଦ୍ରିୟ ସୁଖ ଏବଂ କଳ୍ପନାର ଅଧିକାରୀ କରେ । ଏହି ହେତୁରୁ ଶଶାଙ୍କର ଜ୍ୟୋତିଃ ଆମ୍ଭମାନଙ୍କ ପ୍ରତ୍ୟେକ ପ୍ରାଣରେ କେତେ ନୂତନ ନୂତନ ଭାବର ଫୁଲ ଫୁଟାଇଦିଏ ! ଆମ୍ଭେମାନେ କେବଳ ଏତିକି ଦେଖି କ୍ଷାନ୍ତ ହେଉ ନାହିଁ,–ଏହା ପଛରେ ଆହୁରି କିଛି ଅଜ୍ଞାତ ସୌନ୍ଦର୍ଯ୍ୟ ଏବଂ ଭାବର ଆଭାସ ପାଉଁ । ସୁନ୍ଦର ବସ୍ତୁ ସାକ୍ଷାତରେ ହୃଦୟର ବୃତ୍ତିସମୂହ ହିମୠତୁରେ ହୀନତେଜା ଅହି ପ୍ରାୟ ନିଷ୍ପ୍ରଭ ହୋଇଯାଏ । ଆତ୍ମବିସ୍ମୃତି-ଆତ୍ମସମର୍ପଣହିଁ ସୌନ୍ଦର୍ଯ୍ୟାନୁଭୂତିର ଫଳ ।

 

ଚନ୍ଦ୍ର ରବି-ରଶ୍ମି- ପ୍ରତିଘାତୀ ବୋଲି ଏହାର ଏଡ଼େ ସୌନ୍ଦର୍ଯ୍ୟ । ସୂର୍ଯ୍ୟ ନିକଟରୁ ଯେଉଁ ଆଲୁଅ ପାଏ, ତାହା ସମସ୍ତହିଁ ପ୍ରତ୍ୟର୍ପଣ କରେ ଏବଂ ତଦ୍ଦ୍ୱାରା ପୃଥିବୀର ଉପକାର ସାଧିତ ହୁଏ । ଦର୍ପଣ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯେପରି ପ୍ରତିଫଳିତ ହୁଏ, ଚନ୍ଦ୍ର ଉପରେ ପଡ଼ି ସୂର୍ଯ୍ୟାଲୋକ ପ୍ରତିହିତ ହୋଇ ପୃଥିବୀକୁ ଆସେ । ଚନ୍ଦ୍ର ନିଜପାଇଁ କିଛି ରଖେ ନାହିଁ, ଯାହା ପାଏ, ସମସ୍ତ ବାଣ୍ଟି ଦିଏ । ଆମ୍ଭେମାନେ ଚନ୍ଦ୍ରର ଯେତିକି ଦେଖୁଁ, ତାହା ସମସ୍ତ ସ୍ୱାର୍ଥତ୍ୟାଗ, ପରୋକାର । ଏହିଭଳି ନିଃସ୍ୱାର୍ଥ ବିତରଣ ତାହାର ଶୋଭାର କାରଣ ।

 

ମନୁଷ୍ୟ ଯେତେବେଳେ ଈଶ୍ୱରଙ୍କ ଦାନର ଏହିଭଳି ସଦ୍‌ବ୍ୟବହାର କରେ, ସେତେବେଳେ ତାହାର ପ୍ରକୃତ ସୌନ୍ଦର୍ଯ୍ୟ ବିକଶିତ ହୁଏ । ଆମ୍ଭେମାନେ ପ୍ରକୃତ ଚେଷ୍ଟା କଲେ ଏହିଭଳି ସୁନ୍ଦର ହୋଇ ପାରିବୁଁ । ଆମ୍ଭେମାନେ ବିଧାତାପ୍ରଦତ୍ତ ପ୍ରେମ ଏବଂ ସ୍ନେହର ସଦ୍‌ବ୍ୟବହାର କଲେ ଅର୍ଥାତ୍‌ ଲୋକହିତପାଇଁ ନିଃସ୍ୱାର୍ଥଭାବରେ ଉତ୍ସର୍ଗ କଲେ ପରମସୁନ୍ଦର ହେବୁଁ-। ପରାର୍ଥରେ ଜୀବନ ଧାରଣହିଁ ଲକ୍ଷ୍ୟ ହେଉ; ନିଃସ୍ୱାର୍ଥ ଜୀବନ ଯେଉଁଭଳି ଶୋଭାର ଆଧାର ଏପରି ଆଉ ସଂସାରରେ କିଛି ନାହିଁ । ପ୍ରତ୍ୟେକଙ୍କ ପକ୍ଷରେ ଏହି ସୌନ୍ଦର୍ଯ୍ୟଲାଭ ସ୍ୱାୟତ୍ତ-

 

ଇନ୍ଦ୍ରଭବନ ! ନିଜ ନାମ ସମ୍ପୂର୍ଣ୍ଣ ସାର୍ଥକ କରି ଉନ୍ନତମସ୍ତକରେ ନରସିଂହପୁରର ଭୂଷଣ ହୋଇ ରହିଥାଅ । ତୁମ୍ଭ କୋଳରେ ଆଶ୍ରୟ ଲାଭ କରି ଏବଂ ତୁମ୍ଭ ବିଷୟରେ ଚିନ୍ତା କରି ମୁଁ କୃତାର୍ଥ ହୋଇଅଛି । ମୋହଭଳି ଶତ ଶତ ଲୋକଙ୍କୁ କୋଳରେ ବସାଇ ସେମାନଙ୍କୁ ପ୍ରକୃତି-ପ୍ରେମରେ ବୁଡ଼ାଇ ଦିଅ !

Image

 

ବସନ୍ତ ନିବାସରେ ସନ୍ଧ୍ୟା

 

ମନୁଷ୍ୟର ଆସଙ୍ଗଲିପ୍ସା ନିରତିଶୟ ପ୍ରବଳ । ମନୁଷ୍ୟ କେବଳ ପ୍ରକୃତିଙ୍କର ନିର୍ଜନ ପ୍ରକୋଷ୍ଠ ମଧ୍ୟରେ ହିଂସ୍ର ଜନ୍ତୁପରିବୃତ ହୋଇ ଚିରକାଳ ରହି ପାରେ ନାହିଁ । କେବଳ ସଂସାର-ବିରାଗି-ମାନଙ୍କର ତହିଁରେ ପୂର୍ଣ୍ଣ ଅଧିକାର । ଗୃହସ୍ଥଙ୍କ ପକ୍ଷରେ ଗାର୍ହସ୍ଥ୍ୟ-ଧର୍ମ ସର୍ବତୋଭାବେ ପାଳନ କରି ସମୟ ସମୟରେ ନିର୍ଜନ ପ୍ରକୃତି ରାଜ୍ୟରେ ଚିନ୍ତା କରିବାହିଁ ଆବଶ୍ୟକ ।

 

ପ୍ରକୃତି-ଦତ୍ତ ଐଶ୍ୱର୍ଯ୍ୟର ନିରବଚ୍ଛିନ୍ନ ଗାମ୍ଭୀର୍ଯ୍ୟ ମଧ୍ୟରେ ମନୁଷ୍ୟ ହସ୍ତର ଅପୂର୍ବ-କୀର୍ତ୍ତି-ପ୍ରୟୋଗ-ସ୍ୱରୂପ ବାମଣ୍ଡାଧୀଶ୍ୱର ସଚ୍ଚିଦାନନ୍ଦଙ୍କ ବସନ୍ତ-ନିବାସ ରଚିତ ହୋଇଅଛି । ସଂସାରର କୋଳାହଳ ବିମୁକ୍ତ-ସ୍ଥଳୀରେ ନିର୍ମିତ ହୋଇ ସୁଦ୍ଧା ନିମ୍ନସ୍ଥ ସଂସାରକୁ ଏହା ଚାହିଁ ରହିଅଛି । ଦ୍ୱୈତଭାବ ଏଥିରେ ପୂର୍ଣ୍ଣମାତ୍ରାରେ ସନ୍ନିବିଷ୍ଟ ।

 

ଆଧୁନିକ ଉତ୍କଳର କବିଗୁରୁ ୰ରାଧାନାଥଙ୍କ ବର୍ଣ୍ଣିତ ‘‘ବୁଧହଂସକେଳିସରଃ’’ ରୂପ ‘‘ସାରସ୍ୱତତୀର୍ଥ’’ ଦେବଗଡ଼ର ଦୃଷ୍ଟି ବସନ୍ତ-ନିବାସ ଉପରେ ପଡ଼ିଅଛି । ଦେବଗଡ଼ର ଉତ୍ତରସ୍ଥିତ ପର୍ବତମାଳାର ସମୁନ୍ନତ ପ୍ରାଚୀରର କଟିଦେଶରେ ଏହା ଶୋଭା ପାଉଥିଲେହେଁ, ଦେବଗଡ଼ଠାରୁ ପ୍ରାୟ ଅର୍ଦ୍ଧମାଇଲ ଦୂରରେ ଅବସ୍ଥିତ । ଅଦୂରରେ ଭୀଷଣ ପ୍ରଧାନପାଟ ଜଳ-ପ୍ରପାତର ‘‘ନୀର-ଆସ୍ତରଣ’’ର ‘‘ହୀରକ-ଧିକ୍କାରୀ’’ ଶୋଭା ସ୍ପଷ୍ଟ ଦିଶୁଅଛି ଏବଂ ଏହାର ଅଶ୍ରାନ୍ତ କଲ୍ଲୋଳରେ ଏହି ବନଭୂମି ନିରନ୍ତର ବିଧୂନିତ ।

 

ଉତ୍ତରରେ ଅଗଣିତ ଶୃଙ୍ଗମାଳାଭୂଷିତ ବାମଣ୍ଡା ରାଜ୍ୟର ସର୍ବୋଚ୍ଚ କୋଇଦନ୍ତା ଗିରି ଦଣ୍ଡାୟମାନ । ଏହାର ଉଚ୍ଚତା ୨୬୩୪ ଫୁଟ । ଏହି ଶୃଙ୍ଗସମୂହ ସଂଲଗ୍ନଭାବରେ ନାନାସ୍ଥାନରେ ନାନା ନାମ ଧାରଣ କରି ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ହୋଇଅଛି । ବାମଣ୍ଡା ରାଜ୍ୟର ପ୍ରସିଦ୍ଧ ଚୂଳିଆ ପର୍ବତ, ତୁଡ଼ିଖୋଲ ଘାଟି, ଜରେଇକଳାର ପର୍ବତ ପ୍ରଭୃତି ସମସ୍ତ ଏହି ଶୃଙ୍ଗସମୂହର ଅନ୍ତର୍ଗତ । ଏହି ପର୍ବତମାଳାର ଦୈର୍ଘ୍ୟ ବୋଧ ହୁଏ ୪୦ ମାଇଲରୁ କମ ନୁହେ । କେତେ ଉପତ୍ୟକା, ଅଧିତ୍ୟକା, ଗହ୍ୱର, ନିର୍ଝରିଣୀ, ଗିରିନଦୀ ଏହା ମଧ୍ୟରେ ରହିଅଛି, ତାହା କଳନା କରିବା ଦୁଃସାଧ୍ୟ । ଉତ୍ତରରୁ ଏହା ଦକ୍ଷିଣ ବାଟେ ପୂର୍ବାଭିମୁଖରେ ବସ୍ତୃତ । ସେହିଭଳି ପର୍ବତମାଳା ସମ୍ବଲପୁର ସୀମାଠାରୁ ତାଳଚେର ସୀମା ପର୍ଯ୍ୟନ୍ତ ପ୍ରାୟ ୫୦ ମାଇଲ ଅଧିକାର କରିଅଛି । ଏହି ପର୍ବତମାଳା ଗୁଡ଼ିକ ନିରନ୍ଧ୍ର ନିବିଡ଼ ନବରାଜିରେ ଆଚ୍ଛନ୍ନ । ଏହି ପର୍ବତମାଳା ପଶ୍ଚିମରୁ ଦକ୍ଷିଣଆଡ଼କୁ ପ୍ରସାରିତ ହୋଇ ଯାଇଅଛି । ଦୂରରେ ଦକ୍ଷିଣପୂର୍ବ କୋଣକୁ ଗୋହିରା ଗିରିନଦୀ ଉପରର ବରାହଦନ୍ତରୂପୀ ଜଡ଼ାଗୋଳା ଶାସନର ଅଦୂରବର୍ତ୍ତୀ ପର୍ବତଟି ଛିଡ଼ା ହୋଇଅଛି । ଏହି ପର୍ବତର ଅପର ସ୍ତରରେ ବାମଣ୍ଡା ଓ ତାଳଚେର ସନ୍ଧିସ୍ଥଳର ଶୈଳମାଳା ।

 

ଦକ୍ଷିଣ-ପୂର୍ବରେ ନାନା ସ୍ମୃତି ଘେନି ବିଶାଳ ମାଲ୍ୟଗିରି ପରିଦୃଶ୍ୟମାନ । ଏହାର ଅସ୍ପଷ୍ଟ ନୀଳିମା ମନରେ କେତେ କଥା ଆଣି ଦେଉଅଛି । ପାଲଲହଡ଼ାର ପୂର୍ବ ନରପତି ୰ଦ୍ୱିତୀକୃଷ୍ଣ ଗଣେଶ୍ୱର ପାଳଙ୍କ କେତେ ଅନୁସ୍ମୃତି ଏଥିରେ ବିଜଡ଼ିତ ! ତାହାଙ୍କ ପ୍ରସାଦରୁ ଏହା ଦେଖିବାର, ଏଥିରେ ଅବସ୍ଥାନ କରିବାର କେତେଥର ସୁଯୋଗ ଲାଭ କରିଥିଲି, ମାତ୍ର ଦୁର୍ବାର ଭାଗ୍ୟସ୍ରୋତ ତାହାଙ୍କୁ ପରଲୋକକୁ ଟାଣି ନେଇଅଛି । ଲହଡ଼ାର ପ୍ରଜାବର୍ଗ ଦ୍ୱିତୀକୃଷ୍ଣରୂପ ବିଶାଳ ବନସ୍ପତିର ସ୍ନିଗ୍ଧ ଛାୟାରେ ଅବସ୍ଥାନ କରୁଥିଲେ–ବର୍ତ୍ତମାନ ନିୟତିର ନିର୍ଦ୍ଦେଶରେ ସେହି ବନସ୍ପତି ନନ୍ଦନର ଶୋଭା ବୃଦ୍ଧି କରିବା ସକାଶେ ମହାପ୍ରୟାଣ କରିଅଛି !

 

ପାଲଲହଡ଼ାର ଉଦାର ଏବଂ ମନସ୍ୱୀ ରାଜା ୰ଦ୍ୱିତୀକୃଷ୍ଣଙ୍କ ଉପରେ ଦୁର୍ଦିନର ଦ୍ରୁତ-ଦାରୁଣ ବର୍ଷଣ ପ୍ରାୟ ଦୁର୍ଘଟଣାସମୂହ ଅତ୍ୟଳ୍ପ ଦବିସ ମଧ୍ୟରେ ବର୍ଷିଗଲା । ଦୁଃଖ ପ୍ରାୟ ଏକାକୀ ଆସେ ନାହିଁ, ଏକ ସ୍ରୋତରେ ପ୍ଳାବନ କରି ଆସେ ଏବଂ ଦୁର୍ଦମନୀୟ ତେଜରେ କେତେ ସୁଖ ଚିତ୍ର ଭସାଇ ନେଇଯାଏ, ଶତ ଶତ ସୁରମ୍ୟ ଉଦ୍ୟାନକୁ ମରୁଭୂମିରେ ପରିଣତ କରେ । ଏକ ହାହାକାର ନିବୃତ୍ତ ନ ହେଉଣୁ ଅପର ଏକ ହାହାକାର ତାହାର ସ୍ଥାନ ଅଧିକାର କରେ; ଏକ ଦୁଃଖ ସ୍ମୃତି ଅପନୀତ ନ ହେଉଣୁ ଅନ୍ୟ ଏକ ଶୋକରେ କଠୋର ତାଡ଼ନା ଅନ୍ତରର ନୈରାଶ୍ୟକୁ ସଜୀବ କରିଦିଏ । ଏହାଙ୍କ ଭାଗ୍ୟରେ ଏହିପରି ଘଟିଗଲା ! ପ୍ରଥମେ ଏହାଙ୍କ ମହିଷୀ ବାମଣ୍ଡାଧୀଶ ୰ବାସୁଦେବ ସୁଢ଼ଳ ଦେବଙ୍କ କୁମାରୀ ପ୍ରିୟମ୍ବଦାଙ୍କ ଅକାଳମୃତ୍ୟୁ; କିଛିଦିନ ବ୍ୟବଧାନରେ ଅର୍ଥାତ୍‍ ମହିଷୀଙ୍କ ଆଦ୍ୟ ଶ୍ରାଦ୍ଧର ଶେଷରେ ପାଲଲହଡ଼ା ନବରରେ ବଜ୍ରପାତ ହେତୁ ପ୍ରାୟ ଏକଲକ୍ଷ ଟଙ୍କାର ସମ୍ପତ୍ତି ନାଶ; ଏହାର କିଛି ପରେ ଗୋ-ମହିଷ-ହସ୍ତୀ ପ୍ରଭୃତି ଅନେକଙ୍କର ପ୍ରାଣହାନି ଏବଂ ସର୍ବଶେଷରେ ମହିଷୀଙ୍କ ମୃତ୍ୟୁର ଠିକ୍‌ ‘‘ତିନି ମାସ, ତିନି ପକ୍ଷ, ତିନି ଦିନ’’ ରେ ଦ୍ୱିତୀକୃଷ୍ଣଙ୍କ ମହାପ୍ରସ୍ଥାନ ! ଇତିହାସରେ ଏଭଳି ଘଟନା ବିଶେଷତଃ ରାଜବଂଶରେ ନିଶ୍ଚୟ ବିରଳ ।

 

ମାଲ୍ୟଗିରି ସନ୍ଦର୍ଶନରେ ଏହି ସବୁ ସ୍ମରଣ ହେବାର ମୋହ ପକ୍ଷରେ ସ୍ୱାଭାବିକ । ଏହି ବିଶାଳ ଗିରିର ସୌନ୍ଦର୍ଯ୍ୟ ଅନୁଭବ କରିବା ସକାଶେ ରାଜା ଦ୍ୱିତୀକୃଷ୍ଣଙ୍କ କତ୍ତୃକ ଗିରିଶିଖରକୁ ଭଲମାର୍ଗ ସର୍ବପ୍ରଥମ ନିର୍ମିତ ହୋଇଥିଲା । ଏହି ମାଲ୍ୟଗିରିର ଅପର ପାର୍ଶ୍ୱରେ ଢେଙ୍କାନାଳ ରାଜ୍ୟର ୧୯୩୫ ଫୁଟ ଉଚ୍ଚର ସିକାସୁର ପର୍ବତର ବକ୍ର ନୀଳରେଖା ସ୍ପଷ୍ଟ ଦିଶୁଅଛି ।

 

ଶୈଳସୁନ୍ଦରୀଙ୍କ ଅଙ୍କଗତ ଆନନ୍ଦ-ନିକେତନ ‘‘ବସନ୍ତ-ନିବାସ’’ର ପ୍ରଥମ ଦର୍ଶନରେ ବାସ୍ତବିକ ଶରୀର ରୋମାଞ୍ଚିତ ଏବଂ ହୃଦୟ ଓ ମନ ଅପୂର୍ବ ଆନନ୍ଦରେ ପରିପୂର୍ଣ୍ଣ ହୋଇ ଉଠିବା ବିଚିତ୍ର ନୁହେ । ବାମଣ୍ଡାଧୀଶ ସଚ୍ଚିଦାନନ୍ଦ ଏଥିରେ ବହୁମୁଦ୍ରା ବ୍ୟୟକରି ସର୍ବଶୋଭାମୟ କରିଥିଲେହେଁ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଏହାକୁ ରଚନା କରି ପ୍ରକୃତ ପସନ୍ଦର ପରିଚୟ ଦେଇଅଛନ୍ତି । ଶ୍ୱେତକୃଷ୍ଣପ୍ରସ୍ତରରଞ୍ଜିତ ହର୍ମ୍ୟତଳ ଏବଂ ବିଦ୍ୟୁତାଲୋକରେ ଭୂଷିତ ହୋଇ ମନୁଷ୍ୟ ହସ୍ତର କୀର୍ତ୍ତି-ପରାକାଷ୍ଠା ସୂଚିତ କରୁଥିଲେହେଁ ପର୍ବତଶ୍ରେଣୀର ଗାଢ଼ ନୀଳିମା ମଧ୍ୟରୁ ସରୋବରରେ ଶ୍ୱେତପଦ୍ମ ପ୍ରାୟ ଏହା ଦୂରରୁ ସମସ୍ତଙ୍କ ନୟନ ଆକର୍ଷଣ କରୁଅଛି । ପ୍ରଧାନପାଟ ପ୍ରପାତର ଜଳଧାରା ଅଦୂରରେ ନିରନ୍ତର ମନ୍ଦ୍ରନାଦରେ ଉପରରୁ ଖସିବା ଦୃଶ୍ୟ ଏହା ସହିତ ମିଳିତ ହୋଇ ଦୃଶ୍ୟ ସମନ୍ୱୟରେ ଅଦ୍ୱିତୀୟ ହୋଇଅଛି, ଏହା ବୋଲିବା ବାହୁଲ୍ୟମାତ୍ର । ଅଦୂରର ଆଉ ଗୋଟିଏ ଶୈଳ ଉପରେ ବସନ୍ତ-ନିବାସ ଅନ୍ତର୍ଗତ ‘‘ଲୁଳିତ-ବାସନ୍ତ’’ ଭବନଟି ସଚ୍ଚିଦାନନ୍ଦଙ୍କ ଅପୂର୍ବ ପସନ୍ଦର ଅନ୍ୟ ଗୋଟିଏ ନିଦର୍ଶନ । ମୃଦୁଳ ବସନ୍ତାନିଳଦ୍ୱାରା ଏ ସ୍ଥାନଟି ସର୍ବଦା କମ୍ପିତ ହେଉଥିବାରୁ ଆଳଙ୍କାରିକ ରାଜା ମହୋଦୟ ଏହାର ନାମ ‘‘ଲୁଳିତ-ବାସନ୍ତ’’ ରଖିଅଛନ୍ତି ।

 

ଅପରାହ୍ନରେ ନିମ୍ନସ୍ଥ ‘ବସନ୍ତ-କୁଟୀର’ରୁ ବସନ୍ତ-ନିବାସ-ଅବସ୍ଥା ପିତ ଶୈଳ ଉପରକୁ ଉଠିଲି । ମାର୍ଗରେ ଗୋଟିଏ ବାଳିକା ଶ୍ୱଶୁରାଳୟକୁ ଯାଉଥିଲା । ପ୍ରଥମେ ବର ଏବଂ ଦୁଇ ଚାରି ଜଣ ଲୋକ, ପଛରେ କନ୍ୟା ଏବଂ ଦୁଇ ଚାରୋଟି ସ୍ତ୍ରୀଲୋକ । ବାଦ୍ୟକାର ପ୍ରଭୃତି ପ୍ରାୟ ୧୦।୧୫ ଜଣ ଥିଲେ । କନ୍ୟାଟି ଅଳ୍ପବୟସ୍କା ଏବଂ ଫଳତଃ ଲାବଣ୍ୟମାଧୁରୀରେ ମୂର୍ତ୍ତିମତୀ କୋମଳ ପ୍ରତିମା ପ୍ରାୟ ବୋଧ ହେଲା । ମାତ୍ର ମୁଖ ଦେଖି ବୋଧ ହେଉଥିଲା, ଏହା ତ ମଧ୍ୟାହ୍ନର ରବିକର-ସମୁଜ୍ଜ୍ୱଳ ଶତଦଳ ପ୍ରାୟ ନୁହେ, ଅଥବା ଶାରଦ ପୂର୍ଣ୍ଣିମାର ପୂର୍ଣ୍ଣଶଶଧର ପ୍ରାୟ ହାସ୍ୟ ବିକଶିତ ନୁହେ । ଏହା ଯେପରି ପ୍ରଭାତର ମ୍ଳାନ-ମୁଖୀ ରଜନୀ ଗନ୍ଧା, ଅଥବା ହେମନ୍ତ ନିଶାନ୍ତର ବୃନ୍ତଚ୍ୟୂତ ଶିଶିରମଣ୍ଡିତ ଦୁର୍ବାଦଳ ବିଲୁଣ୍ଠିତ ଶ୍ରୀଭଷ୍ଟ ଶେଫାଳିକା ! ଏହି ଦୃଶ୍ୟ ଦେଖି ମହାକବି କାଳିଦାସ ଶକୁନ୍ତଳାଯାତ୍ରାର ଯୋଡ଼ିଏ ପଂକ୍ତି ମୋହର ମନରେ ହଠାତ୍‌ ଉଦିତ ହେଲା :-

 

‘‘ବୈକ୍ଳବ୍ୟଂ ମମ ତାବଦୀଦଶମପି,

ସ୍ନେହାଦରଣ୍ୟୌତ୍କସଃ

ପୀଡ଼୍ୟନ୍ତେ ଗୃହିଣଃ କଥଂ ନୂତନୟା-

ବିଶେଷଦୁଖୈର୍ନବୈଃ ।’’

 

ବାଟରେ ଗୋଟିଏ ବନ୍ଧୁଙ୍କ ସହିତ ମିଳିତ ହେଲି । ତାହାଙ୍କ ହାତରେ ରଘୁବଂଶର ଗୋଟିଏ ଉତ୍କଳାନୁବାଦ ଦେଖିଲି । ବାମଣ୍ଡା-ରାଜବଂଶୀୟ ସର୍ବୋତୋମୁଖୀ ପ୍ରତିଭାର ଏକାଂଶରୁ ଏହା ଅନୂଦିତ ହୋଇଅଛି । ବାମଣ୍ଡା ବଡ଼କୁମାର ବଳଭଦ୍ର ଦେବଙ୍କ କର୍ତ୍ତୃକ କାଳିଦାସଙ୍କ ମୂଳ ରଘୁବଂଶରୁ ଉତ୍କଳ ପଦ୍ୟରେ ଏହା ସୁନ୍ଦରରୂପେ ଅନୁବାଦିତ । ପ୍ରତିଭାବାନ୍‌ ଲେଖକଗଣ ସେମାନଙ୍କର ସ୍ୱତଃସ୍ଫୂର୍ତ୍ତି ପ୍ରତିଭା ପ୍ରଭାବରେ ଆମ୍ଭମାନଙ୍କୁ ବହୁବିଧ ଜ୍ଞାନ ବିତରଣ କରନ୍ତି । କିନ୍ତୁ ପ୍ରତିଭାର ଜନ୍ମ ଦୈବସାପେକ୍ଷ । ଗିରିସମ୍ଭବା ନଦୀ ଅଥବା ଆକାଶସମ୍ଭବା ବୃଷ୍ଟି ଭୂମିର ଉର୍ବରତା ବୃଦ୍ଧି କରେ ସତ୍ୟ, କିନ୍ତୁ ଆବଶ୍ୟକ ହେଲେ କୃତ୍ରିମ ଉପାୟରେ ଜଳସେଚନ କରି ମଧ୍ୟ ଭୂମିର ଉର୍ବରତା ବୃଦ୍ଧି କରିବାକୁ ହୁଏ । ମହତ୍‌ ପ୍ରତିଭାପ୍ରସୃତ ଦୈବାନୁଗ୍ରହପ୍ରଦତ୍ତ ଜ୍ଞାନ ସାଧାରଣର ମାନସକ୍ଷେତ୍ରକୁ ଉର୍ବର କରେ, ମାତ୍ର ପ୍ରୟୋଜନ ହେଲେ କୃତ୍ରିମ ଉପାୟରେ ମଧ୍ୟ ଏ କାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଏହି କୃତ୍ରିମ ପ୍ରଣାଳୀର ନାମ ଅନୁବାଦ । ପୟଃପ୍ରଣାଳୀ ଖୋଳାଇ ନଦୀମାତୃକ ଦେଶର ଜଳ ଯେପରି ଅନ୍ୟତ୍ର ନିଆଯିବ, ଅନୁବାଦଦ୍ୱାରା ମଧ୍ୟ ସେହିପରି ଜ୍ଞାନସମୃଦ୍ଧ ଭାଷାର ଜ୍ଞାନ-ଭଣ୍ଡାର ଅନ୍ୟ ଭାଷାରେ ଉନ୍ମୁକ୍ତ କରି ଦିଆଯିବ । ଆମ୍ଭମାନଙ୍କ ପ୍ରାଚୀନ ଜ୍ଞାନ-ସମୁଦ୍ର ସଂସ୍କୃତ, ଅପେକ୍ଷାକୃତ ଆଧୁନିକ ଜ୍ଞାନ-ସରିତ୍‍ ପାଲି, ପ୍ରାଚ୍ୟ ଓ ପ୍ରତୀଚ୍ୟ ଜ୍ଞାନ-ସିନ୍ଧୁ ଆରବୀ, ପାରସୀ, ହିବ୍ରୁ, ଗ୍ରୀକ୍‌, ଲାଟିନ, ଇରାଂଜୀ, ଫରାସୀ ଜର୍ମାନ ପ୍ରଭୃତିର ରତ୍ନ ଚୟନ କରି ଜନନୀ ଉତ୍କଳଭାଷାର କଣ୍ଠହାର ସୁଶୋଭିତ କରିବାହିଁ ପ୍ରତିଭାର ଅନ୍ୟତମ ବିକାଶ ନିଶ୍ଚିତ ।

 

ଅନୁବାଦ କାର୍ଯ୍ୟକୁ ଅନେକ ଲୋକେ ହେୟ ଜ୍ଞାନ କରନ୍ତି । ଏହି କାର୍ଯ୍ୟରେ ନିଜର ସ୍ୱାଧୀନ-ଚିନ୍ତାର ପରିଚୟ ଦେବାର ସୁଯୋଗ ହୁଏ ନାହିଁ, କେବଳ ଚର୍ବିତ ଚର୍ବଣ କରିବାକୁ ହୁଏ । ଆପାତଦୃଷ୍ଟିରେ ଏପରି ମନେ ହୁଏ ସତ୍ୟ, କିନ୍ତୁ ଏହା ବଡ଼ ଭୁଲ । ପ୍ରଥମତଃ ଦେଖିବାକୁ ହେବ, ଦିଓଟି ଭାଷାରେ ପ୍ରଗାଢ଼ ଜ୍ଞାନ ନ ଥିଲେ ଅନୁବାଦ କାର୍ଯ୍ୟ ଯଥାଯଥ ଏବଂ ସର୍ବାଙ୍ଗ ସୁନ୍ଦର ହୋଇ ପାରିବ ନାହିଁ । ତାହାହେଲେ ଦେଖା ଯାଉଅଛି ଅନୁବାଦକ ‘‘ଅଳ୍ପବିଦ୍ୟା ଭୟଙ୍କରୀ’’ର ଦୃଷ୍ଟାନ୍ତ ନୁହନ୍ତି, ପ୍ରଗାଢ଼ ଭାଷାଜ୍ଞାନରହିଁ ଯଶୋଭାଗୀ । ଦ୍ୱିତୀୟତଃ ଅନୁବାଦକଙ୍କର ଗଭୀର ଚିନ୍ତାଶକ୍ତି ଥିବାର ପ୍ରୟୋଜନ, ନତୁବା ସେ ସର୍ବତ୍ର ମୂଳଗ୍ରନ୍ଥକାରଙ୍କ ଭାବ ଆଦାୟ କରି ପାରିବେ ନାହିଁ । ତୃତୀୟତଃ ତାହାଙ୍କର ସୌନ୍ଦର୍ଯ୍ୟବୋଧ, ବାକ୍ୟକଳାକୌଶଳ ବିଶିଷ୍ଟ ଭାବରେ ଥିବା ଆବଶ୍ୟକ, ନତୁବା କିମ୍ଭୂତ କିମାକାର ହୋଇ ପଡ଼ିବ ।

 

ଚାଲୁଁ ଚାଲୁଁ ବନ୍ଧୁଙ୍କ ସଙ୍ଗେ ବାମଣ୍ଡାର ପୂର୍ବ ନରପତି ଭାରତ-ପ୍ରଥିତ-ଯଶା ରାଜା ସାର୍‍ ୰ବାସୁଦେବ ସୁଢ଼ଳ ଦେବ କେ.ସି.ଆଇ.ଇ.ଙ୍କ ଅନେକ କଥା ପଡ଼ିଲା । ଗୋଟିଏ ସାଧାରଣ ଲୋକଙ୍କ ଜୀବନ ଏବଂ ଗୋଟିଏ ସ୍ୱାଧୀନ ରାଜାଙ୍କ ଜୀବନ ସମ୍ପୂର୍ଣ୍ଣ ବିଭିନ୍ନ ଉପାଦାନରେ ଓ ବିଭିନ୍ନ ଆଦର୍ଶରେ ଗଠିତ । ସାଧାରଣ ଲୋକର ଜୀବନ ସମାଜର କଠୋର ଶାସନରେ ନ୍ୟୁନାଧିକ ପରିମାଣରେ ସୁସଂଯତ, ସୁମାର୍ଜିତ ଓ କୃତ୍ରିମ ଭାବାପନ୍ନ । ଜଣେ ସ୍ୱାଧୀନ ରାଜାଙ୍କ ଜୀବନରେ ସଂଯମ ଅପେକ୍ଷା ଉଦ୍ଦାମ ସ୍ଫୂର୍ତ୍ତି ବେଶି, କାରୁକାର୍ଯ୍ୟ ଅପେକ୍ଷା କାଠିନ୍ୟ ଅଧିକ, ସଭ୍ୟତା ଅପେକ୍ଷା ସ୍ୱାଭାବିକତା ଅଧିକ । ସେ ଜୀବନରେ ଅଭାବ ଅତି ଅଲ, ସମାଜର ପ୍ରଭାବ ତତୋଽଧିକ ଅଳ୍ପତର-। ପାର୍ବତ୍ୟ ଶାଳତରୁ ପ୍ରାୟ ତାହା ବିଶାଳ ହେଲେହେଁ ତାହାର ପ୍ରତ୍ୟେକ ଗ୍ରନ୍ଥିରେ ପ୍ରକୃତିର କରଚିହ୍ନ ସୁସ୍ପଷ୍ଟ । ପାର୍ବତ୍ୟ ନଦୀର ଉପଳଖଣ୍ଡ ପରି ସେହି ଜୀବନର କଣିକାସମୂହ ଅକ୍ଷତ । ପକ୍ଷାନ୍ତରେ ଆମ୍ଭମାନଙ୍କ ଜୀବନର କଣିକାସମୂହ ଚତୁଃପାର୍ଶ୍ୱସ୍ଥିତ ପଦାର୍ଥସମୂହର ଘର୍ଷଣ, ମର୍ଦନ, ଅଘାତ ଏବଂ ଶାସନରେ ଏତେଦୂର କ୍ଷୟପ୍ରାପ୍ତ ଯେ ଆମ୍ଭେମାନେ ଶାଳଗ୍ରାମଶିଳାଙ୍କ ପ୍ରାୟ ସୁଢ଼ଳ ଓ ସୁଗଠିତ । ଆମ୍ଭେମାନେ ସର୍ବଦା ମୁଖା ପିନ୍ଧିଅଛୁଁ- ଅନ୍ତରରେ ଦ୍ୱିତୀୟ ପାଣ୍ଡବ ଭଳି ଭାବ ରହିଲେ ମଧ୍ୟ ବାହାରେ ଯୁଧିଷ୍ଠିରଙ୍କ ବେଶ । ନିତାନ୍ତ ପରିଚିତ ବନ୍ଧୁଙ୍କ ସହିତ ସାକ୍ଷାତ ହେଲେ ମଧ୍ୟ ମୁଖରୁ ଓଜନପରିମିତ ହାସ୍ୟ ବାହାରିଥାଏ, ପ୍ରକୃତ ଆହ୍ଲାଦପରିମାପକ ହାସ୍ୟରାଶିରେ ହୃଦୟର ଭାବ-ଅଭିବ୍ୟକ୍ତି ଦୁର୍ଲଭ । ଆମ୍ଭମାନଙ୍କ ମୁଖ ଏବଂ ମୁଖା ଏଭଳି ମିଶି ଯାଇଅଛି ଯେ, କିଏ କଣ, ତାହା ଚିହ୍ନି ନେବା ଦୁଷ୍କର । କାର୍ଯ୍ୟତଃ ଆମ୍ଭମାନଙ୍କ ଦେହରାଜ୍ୟ ଉପରେ ମୁଖ ଅପେକ୍ଷା ମୁଖାର ଦାବୀହିଁ ଅଧିକ ।

 

ବାସୁଦେବଙ୍କ ଜୀବନ ନାନା କାରଣରେ ବିସ୍ମୟଜନକ ଓ କୌତୂହଳୋଦ୍ଦୀପକ ଥିଲା । ଉତ୍କଳର ପ୍ରାନ୍ତବର୍ତ୍ତୀ ଗିରି-ସଙ୍କୁଳ ପ୍ରଦେଶରେ, ସଭ୍ୟତାର କେନ୍ଦ୍ରଭୂମିଠାରୁ ବହୁ ଦୂରରେ ଅବସ୍ଥିତ ଓ ବର୍ଦ୍ଧିତ ହୋଇ ସୁଦ୍ଧା ଏହି ପ୍ରକୃତିଶିଶୁଙ୍କ ପକ୍ଷରେ ଆଦର୍ଶ ଜୀବନ ଗଠନ ବାସ୍ତବିକ ବିସ୍ମୟାବହ ।

 

ପିଲାଦିନେ ଉତ୍କଳଭୂଗୋଳରେ ପଢ଼ିଥିଲି, ଓଡ଼ିଶାର ସୀମାରେ ବାମଡ଼ା ଅବସ୍ଥିତ, ଏହାର ନାମ ‘‘ଅଖୋଜବାମଡ଼ା’’ ଏଭଳି ଦୁର୍ଗମ ଅରଣ୍ୟସଙ୍କୁଳ, ହିଂସ୍ରଜନ୍ତୁରେ ପରିପୂର୍ଣ୍ଣ ଯେ, ଲୋକେ କହୁଥିଲେ, ‘‘ହନୁମାନ୍‍ ସୁଦ୍ଧା ବାଟ ପାଇ ନ ଥିବାରୁ ହନୁମାନଙ୍କ ଖୋଜ ପଡ଼ି ନାହିଁ, ସୁତରାଂ ‘ଅଖୋଜ’ ।’’ ସମସ୍ତଙ୍କର ଏହି ଧାରଣା ପ୍ରବଳ ଥିଲା- ମାତ୍ର ବାସୁଦେବଙ୍କ କୃପାରୁ ଅସଭ୍ୟ ବାମଡ଼ା ଆଜି ଉତ୍କଳୀୟ ରାଜ୍ୟସମୂହରେ ଆଦର୍ଶ ସ୍ଥାନ ଲାଭ କରିଅଛି, ଏଥିରେ ମତଦ୍ୱୈଧ ନାହିଁ । ଅସଭ୍ୟ ଜାପାନ ଯେପରି ଏକ ପୁରୁଷ ମଧ୍ୟର ସୁସଭ୍ୟ ଓ ସଂସ୍କୃତ ହୋଇ ପୃଥିବୀର ଅପର ବୃନ୍ଦଙ୍କ ସହିତ ପ୍ରତିଯୋଗିତାରେ ଅଗ୍ରସର ଏହି ବାମଣ୍ଡା ରାଜ୍ୟ କେବଳ ଏକ ପୁରୁଷରେ ମାର୍ଜିତ ହୋଇ ସଭ୍ୟତାର ପରାକାଷ୍ଠା ପ୍ରଦର୍ଶନରେ ଅଗ୍ରସର । ବାମଣ୍ଡାର ଦେବଗଡ଼ରୁ କୋଚିଣ୍ଡାକୁ ଯିବାକୁ ହେଲେ ପ୍ରତ୍ୟେକ ଯାତ୍ରୀଙ୍କୁ ଦେବୀଙ୍କ ଉଦ୍ଦେଶ୍ୟରେ ବୋଦା ମାନସିକ କରିବାକୁ ହେଉଥିଲା–ଯେଉଁ ପର୍ବତମାଳା ଓ ଗିରିସଙ୍କଟ ଅତିକ୍ରମ କରିବାକୁ ହେଉଥିଲା, ସେଗୁଡ଼ିକ ବାସୁଦେବଙ୍କ କର୍ତ୍ତୃକ ସଂସ୍କୃତ ହୋଇ ଏବଂ ବାମଣ୍ଡା ରାଜ୍ୟର ଚତୁର୍ଦ୍ଦିଗରେ ବାଟ ଫିଟି ‘‘ଅଖୋଜ’’ ଶବ୍ଦର ପ୍ରୟୋଗ ରହିତ ହୋଇଗଲା ।

 

ଆଜି କାଲି ଶୁଣୁଥାଏଁ, ପାଶ୍ଚାତ୍ୟ ସଭ୍ୟତା ମୂଳରେ ସାମ୍ୟ, ଫଳରେ ବର୍ତ୍ତବ୍ୟଜ୍ଞାନ ଏବଂ ପଲ୍ଲବରେ ଏକସ୍ଥଳରେ ସଂଘର ସୁସମୃଦ୍ଧି; ଆଉ ପ୍ରାଚ୍ୟ ସଭ୍ୟତା ମୂଳରେ ଆତ୍ମସୁଖ, ଫଳରେ ଆସବ ସେବନରେ ପ୍ରାବଲ୍ୟ ଏବଂ ପଲ୍ଲବରେ ଦୁର୍ଜୟ ଆଳସ୍ୟ, ସର୍ବଗ୍ରାସିନୀ ବିଳାସଲିପ୍ସା ଏବଂ ଅପରିହାର୍ଯ୍ୟ ଚିତ୍ତାବସାଦ । କିନ୍ତୁ ନୟନ ସମକ୍ଷରେ କଣ ଦେଖିବାକୁ ମିଳେ ? ପ୍ରତୀଚ୍ୟ ଶିକ୍ଷା ଗୁଣରେ ହିନ୍ଦୁରାଜାଙ୍କ ଦାର୍ଜିଲିଙ୍ଗ ପ୍ରବାସ, ଦ୍ୱାରକାବାସ ଅପେକ୍ଷା ପୁଣ୍ୟକର ହୋଇଅଛି ଏବଂ sense ଅପେକ୍ଷା Romance ର ଆଦର ବଢ଼ିଅଛି । ସଂକ୍ଷେପରେ ପରକାଳ-ଚିନ୍ତାର ସ୍ଥାନ ଇହକାଳ-ସର୍ବସ୍ୱତା ଅଧିକାର କରିଅଛି । ଆଉ ଅପର ପୃଷ୍ଠାରେ କଣ ଦେଖୁଁ ? ପ୍ରାଚ୍ୟଶିକ୍ଷା ଏବଂ ସଭ୍ୟତା ଗୁଣରେ ଆବିଳ ବିଳାସର ପ୍ରଖର ଜୁଆର ଏବଂ ପ୍ରବଳ ଆଳସ୍ୟର ଦୁସ୍ତର ଭଟା ଏବଂ କୁସଂସ୍କାର-ନିଶ୍ଚଳ ଜଳ, ମଧ୍ୟରେ ସମୟ ସମୟରେ ଦେବଦ୍ୱିଜ ଉପରେ ଭକ୍ତି, ଧର୍ମଭୀରୁତା, ପ୍ରଜାରଞ୍ଜନ ପ୍ରୟାସ ସୁଶୋଭନ କୁମୁଦ କହ୍ଲାର ବିକସିତ ହୋଇ ଉଠେ ।

 

ବାସୁଦେବଙ୍କ ଜୀବନ ଭାରତର ସମ୍ପୂର୍ଣ୍ଣ ନିଜସ୍ୱ । ତହିଁରେ ଗଙ୍ଗା ଯମୁନାର ସମ୍ମିଳନ ଥିଲେ ମଧ୍ୟ ମନେ ହେଉଥିଲା ତାହା ଯେପରି ସଂସ୍କୃତନାଟ୍ୟୋଲ୍ଲିଖିତ କୌଣସି କ୍ଷତ୍ରିୟ ରାଜାଙ୍କ ଜୀବନର ପୁନରାବୃତ୍ତି ମାତ୍ର । ଏ ସର୍ବଦା ସ୍ଥିର ପ୍ରଜ୍ଞାବିଶିଷ୍ଟ ହୋଇ ସତ୍ୟ-ସନ୍ଧାନ-କୁଶଳ ଥିଲେ ଏବଂ ନ୍ୟାୟବାଦୀ ନିଶ୍ଚିତ କର୍ମ୍ମା ଓ ମୀମାଂସା ଚତୁର ସ୍ୱୀୟ ରାଜ୍ୟକୁ ଅସୀମ ଉନ୍ନତ ଅବସ୍ଥାପନ୍ନ କରି ଯାଇଅଛନ୍ତି ।

 

ବର୍ତ୍ତମାନ ରାଜା ସଚ୍ଚିଦାନନ୍ଦ ପିତୃପ୍ରତିଷ୍ଠା ପରିବର୍ଦ୍ଧନରେ ସର୍ବଦା ଅଗ୍ରସର । କବିତା ଏବଂ କଳାବିଦ୍ୟା ଏକସ୍ଥାନରେ ରହିବା ଏହି ସଂସାରରେ ସର୍ବଦା ବିଚିତ୍ର । ମାତ୍ର ଏହି ବୈଚିତ୍ର୍ୟ ଏହାଙ୍କ ଜୀବନରେ ସହଜ-ଲଭ୍ୟ ହୋଇଅଛି । ଇଂରାଜୀରେ ଗୋଟିଏ ପ୍ରବଚନ ଅଛି ‘‘Face is the index of mind’’ ଏହାଙ୍କ ଜ୍ଞାନ-ଜ୍ୟୋତି ବିସ୍ଫାରିତନେତ୍ର ଏବଂ କରୁଣା-କମ୍ପିତାଧର-ତେଜସ୍ଫୂରିତମୂର୍ତ୍ତି ଦେଖିଲେ ଏହାଙ୍କ କାର୍ଯ୍ୟାବଳୀର ପ୍ରକୃଷ୍ଟ ପରିଚୟ ଅନୁମିତ ହେବ । ରାଜ୍ୟରେ ନାନା ରୂପ କଳାବିଦ୍ୟାର ପ୍ରବର୍ତ୍ତନଳ, ବୈଜ୍ଞାନିକ ଯନ୍ତ୍ରାଦିର ପ୍ରତିଷ୍ଠା, ଭବିଷ୍ୟତ୍‌ବଂଶଧର ସର୍ବକଲ୍ୟାଣଭାଜନ ଯୁବରାଜ ଦିବ୍ୟଶଙ୍କରଙ୍କ ଉଚ୍ଚଶିକ୍ଷାରେ ଅଜସ୍ରବ୍ୟୟ, ଅନେକ ସେତୁ ଏବଂ ଅଟ୍ଟାଳିକା ନିର୍ମାଣଦ୍ୱାରା ଗମନାଗମନ ଏବଂ ଅବସ୍ଥାନର ସୁବିଧା ପ୍ରଭୃତି କାର୍ଯ୍ୟଦ୍ୱାରା ରାଜ୍ୟର ଅଶେଷ ଶ୍ରୀବୃଦ୍ଧିରେ ଏ ସର୍ବଦା ମନଃ ସଂଯୋଗ କରିଅଛନ୍ତି, ମାତ୍ର ଏଗୁଡ଼ିକର ଆଉ ଶେଷ ନାହିଁ । ଏହି ସମସ୍ତ ସେତୁ ମଧ୍ୟରେ କୋଚିଣ୍ଡା ନିକଟସ୍ଥ ଖରଲା ନଦୀ ଉପରର ୨୭୦ ଫୁଟ ଲମ୍ବ ଏବଂ ୩୮ ଫୁଟ ଉଚ୍ଚର ପ୍ରକାଣ୍ଡ ଦୋଦୁଲ୍ୟମାନ ସେତୁ (Suspension bridge) ସମଗ୍ର ଉତ୍କଳରେ ଦର୍ଶନୀୟ ବସ୍ତୁ । କେବଳ ଝୁଲିବା ଅବସ୍ଥାରେ ଅନେକ ଉଚ୍ଚରେ ଏହା ଅବସ୍ଥାପିତ ବୋଲି ସମଗ୍ର ଉତ୍କଳରେ ଏହାର ତୁଳନା ନାହିଁ । ଏତଦ୍ବ୍ୟତୀତ ମତୁଆଳୀ ଓ ଜରେଇ କଳାର ସେତୁଦ୍ୱୟ ମଧ୍ୟ ପ୍ରଧାନ-କୀର୍ତ୍ତି ମଧ୍ୟରେ ପରିଗଣିତ । ଅନବରତ ନୂତନ ନୂତନ କାର୍ଯ୍ୟର କଳ୍ପନା ଚାଲିଅଛି । ଉଚ୍ଚ ଇଂରାଜୀ ସ୍କୁଲର ପ୍ରକାଣ୍ଡ ଗୃହ ନିର୍ମାଣକାର୍ଯ୍ୟ ଆରମ୍ଭ ହେଲାଣି । ଏହା ଲାହୋରର Islamia College ଗୃହ ଅନୁରୂପରେ ନିର୍ମିତ ହେଉଅଛି । ସମସ୍ତ ଦେବଗଡ଼ ସହରଟି ବୈଦ୍ୟୁତିକ ଆଲୋକରେ ଆଲୋକିତ ହେବା ସକାଶେ ୧୨ ମାଇଲ ତାମ୍ରତାର ସଂଯୁକ୍ତ ହେଉଅଛି । ରମ୍ଭାଇରେ ଲୁଗା ଓ ଚିନିର କଳ ସ୍ଥାପିତ ହେଲା ଦିନରୁ ଦନ୍ତାରିବାହାଳ ଏବଂ ଛୁରିଆ ବାହାଳ ପର୍ବତର ହିଂସ୍ରଜନ୍ତୁମାନେ ଏଞ୍ଜିନ୍‌ ଶବ୍ଦରେ ଇତସ୍ତତଃ ପଳାଇଲେଣି । ତେଣେ ବାରକୋଟ ପ୍ରଗଣାରେ ୩୦ ମାଇଲ ବ୍ୟାପୀ କେନାଲ ପ୍ରସ୍ତୁତ ହୋଇ ‘‘କୁଲ୍ୟା ଖୋଳି ନକ୍ରକୂଳ ଆହ୍ୱାନିଲା ପରି’’ ବ୍ରାହ୍ମଣୀ ନଦୀର କୁମ୍ଭୀରମାନଙ୍କୁ ନିମନ୍ତ୍ରଣ କଲେହେଁ ସହସ୍ର ସହସ୍ର ପ୍ରଜାମାନଙ୍କ ଉପକାରରେ ଲାଗୁଅଛି । ଦେବଗଡ଼ ନିକଟବର୍ତ୍ତୀ କୁରୁଡ଼କୋଟ ପ୍ରପାତକୁ କାର୍ଯ୍ୟକ୍ଷମ କରାଇ ମନୁଷ୍ୟର ପୂର୍ଣ୍ଣ ପ୍ରୟୋଜନରେ ଲଗାଇବା ସକାଶେ waterturbine ଯନ୍ତ୍ର ବସାଇବାର ଆୟୋଜନ ହେଲାଣି ଏହି ଜଳ ପ୍ରପାତର ଶକ୍ତିକୁ କେନ୍ଦ୍ରୀଭୂତ କରି ସେହି ବୈଦ୍ୟୁତିକ ଶକ୍ତିଦ୍ୱାରା ଦିବାରାତ୍ର ପଙ୍ଖା, ଆଲୋକ, ଛାପାଖାନା, ମଇଦା କଳ, ବରଫ କଳ, କାଠକରତ କଳ ପ୍ରଭୃତି ଅଳ୍ପାୟାସରେ ଅହୋରାତ୍ର ଅଳ୍ପ ଖରଚରେ ଚଳିବ । ଏହା ସ୍ଥାପିତ ହେଲେ ଉତ୍କଳରେ ଗୋଟିଏ ଅସାଧାରଣ କାର୍ଯ୍ୟ ମଧ୍ୟରେ ପରିଗଣିତ ହେବ ନିଶ୍ଚୟ ।

 

ବସନ୍ତ ନିବାସରୁ ଯେଉଁ ସମ୍ମୋହନ ପ୍ରାକୃତିକ ଦୃଶ୍ୟ ଦେଖିଲି ତହିଁରୁ ଦୃଷ୍ଟି ଫେରାଇ ପାରିଲି ନାହିଁ । ଗୁରୁକଟା, ବଡ଼ କୁଅରକଟା ଓ ଗୋପାଳଜୀ କଟାକ୍ରୟର ପାଣି ମଳୟ ହିଲ୍ଲୋଳରେ ଅସଂଖ୍ୟ କ୍ଷୁଦ୍ର ଲହରୀରେ ପୂର୍ଣ୍ଣ ଏବଂ ଏହି ଲହରୀ ଗୁଡ଼ିକ ସିନ୍ଦୂରିତ ହୋଇ କି ସୁନ୍ଦର ଦିଶୁଥାଏ ! ପୁରୁଣାଗଡ଼ର ସୁଦୀର୍ଘ ଆମ୍ର ବୃକ୍ଷଶ୍ରେଣୀ ସରଳଭାବରେ ଦଣ୍ଡାୟମାନ ରହିଅଛି । ସେମାନଙ୍କର ଶ୍ୟାମଳ ପତ୍ର ସମୂହରେ ଅସ୍ତଗାମୀ ତପନର ରକ୍ତିମ ରଶ୍ମି ନିପତିତ, ନାନା ଜାତୀୟ ବିହଙ୍ଗମ ଶାଖାରେ ବସି ଆନନ୍ଦ-କୋଳାହଳରେ ମତ୍ତଅଛନ୍ତି । କେତେବେଳେ ଅବା ଦଳବଦ୍ଧ ହୋଇ ଚଞ୍ଚଳ ପକ୍ଷରେ ସୁନୀଳ ଆକାଶରେ ଉଡ୍ଡୀୟମାନ; ଦୂରରେ ଧୂସରବର୍ଣ୍ଣ ଖର୍ଜ୍ଜୁରକୁଞ୍ଜ ମଧ୍ୟରୁ କୋହ୍ଲମାନଙ୍କ ବିକ୍ଷିପ୍ତପଲ୍ଲୀ, ପ୍ରାନ୍ତଭାଗରେ ରାଉତମରା ଶୈଳଟି ବିରାଟ-କୃଷ୍ଣଦେହରେ ସ୍ୱୀୟ ମିତ୍ରବର୍ଗ ଘୋର କୃଷ୍ଣ ବର୍ଣ୍ଣର ଭଲ୍ଲୁକ ସମୂହକୁ କ୍ରୋଡ଼ରେ ରଖି ଦଣ୍ଡାୟମାନ । ଅଦୂରରେ ସୁନାମୁଣ୍ଡା ଏବଂ ସାନ୍ତରାପାଲିର ଜଳଭଣ୍ଡାର ଦ୍ୱୟ ବୃତ୍ତାକାର ଦର୍ପଣ ଦିଓଟି ପ୍ରାୟ ଦିଶୁଅଛି । ଏହାର ଅନ୍ୟ ପାର୍ଶ୍ୱରେ ପର୍ବତଶ୍ରେଣୀ ପାଦଦେଶରେ ରାଜା ସଚ୍ଚିଦାନନ୍ଦଙ୍କ ତୃତୀୟ କୁମାର ମୋହିନୀମୋହନଙ୍କ ମୋହିନୀପୁର ଖମାରର ଶୈଳଶୃଙ୍ଗସ୍ଥ ଈଷତ୍‌ରକ୍ତାଭ ବଙ୍ଗଳା ଚିତ୍ରପ୍ରାୟ ପ୍ରତୀୟମାନ । ଦୂରରେ କମଳାବୋରେଇଠାରୁ ଟିଙ୍କବୀରୁ ଅଞ୍ଚଳ ଆଡ଼କୁ ଗିରିମାଳାର ସୁସ୍ପଷ୍ଟ ନୀଳଶୃଙ୍ଗଶ୍ରେଣୀ ସମ୍ପ୍ରସାରିତ-। ଏଥିରୁ ଗୋଟିଏ ଦିଓଟି ଦୁର୍ବାଦଳକଳିତ ଶିଖରଦେଶ ସୂର୍ଯ୍ୟରଶ୍ମି ପ୍ରତିଭାରେ ଚକ୍ଷୁ ଶୀତଳ କରୁଥିଲା !

 

ସମ୍ମୁଖରେ ଯେଉଁ ଅସମାନ ଘନନୀଳପ୍ରାକୃତିକ ପ୍ରାଚୀର ବିଲମ୍ବିତ, ଏହାର ସର୍ବୋଚ୍ଚ ଶୃଙ୍ଗର ନାମ ଧ୍ୱଜା । ଅନାନ୍ୟ ଶୃଙ୍ଗସମୂହ ରମ୍ଭାଦେଈ, ଚଡ଼କମରା, ସିନ୍ଦୂରିଆ, ପଥରତଡ଼ା ପ୍ରଭୃତି ନାମରେ ଅଭିହିତ । ଏହି ସବୁ ମଧ୍ୟରେ ପ୍ରସିଦ୍ଧ ଅମଳପାଣିଘାଟି–ରେଢ଼ାଖୋଲ ଯିବାର ପୁରାତନ ମାର୍ଗ । ଏହି ଘାଟିକୁ ସମାନ କରି ରାଜା ସଚ୍ଚିଦାନନ୍ଦ ଗୋଟିଏ ବିସ୍ତୃତ ସଡ଼କ ନିର୍ମାଣର କାର୍ଯ୍ୟ ଆରମ୍ଭ କରୁଅଛନ୍ତି, ଯାହା ରିଆମାଲ ପର୍ଯ୍ୟନ୍ତ ଯାଇ ବାମଣ୍ଡା ପ୍ରଜାବର୍ଗଙ୍କ ବାଣିଜ୍ୟ ବୃଦ୍ଧିର ପୂର୍ଣ୍ଣ ସାହାଯ୍ୟ କରିବ । ଏହି ପ୍ରାକୃତିକ ପ୍ରାଚୀରର ତଳଦେଶରେ ନୂଆଭୂଇଁର ସୁଧା ଧବଳିତ ଅଟ୍ଟାଳିକା, କଲଣ୍ଡା ଓ ବଲଣ୍ଡା ଖମାରର ପାଟଳ ଅଟ୍ଟାଳିକା, ସ୍ୱ ସ୍ୱ ସ୍ଥାପୟିତାଙ୍କ ମହିମା କୀର୍ତ୍ତନ କରୁଅଛନ୍ତି । ଏଗୁଡ଼ିକ ମହରାଜକୁମାର ଲାଲ ରାଜୀବଲୋଚନ, ଦୟାନିଧି ଓ ଦୁଷ୍ମନ୍ତ ପ୍ରଭୃତିଙ୍କ ସମ୍ପତ୍ତି ।

 

ତଳେ ଦେବଗଡ଼ର ହର୍ମ୍ୟରାଜି, ତୃଣାଚ୍ଛାଦିତ କୁଟୀରସମୂହ ଏବଂ ଉତ୍କଳର ଆଦର୍ଶ ଉଦ୍ୟାନସ୍ୱରୂପ ରାଜା ବାସୁଦେବଙ୍କ ବିଶାଳ ଉଦ୍ୟାନର ବୃକ୍ଷରାଜି ଏବଂ ନାନାପ୍ରକାର ସ୍ତମ୍ଭ ଓ ପ୍ରତିମାସମୂହ । ଏହି ସମସ୍ତ ହର୍ମ୍ୟରାଜି ମଧ୍ୟରୁ ରାଜା ବାସୁଦେବଙ୍କ ମଣିଶିଳା ନିର୍ମିତ ପ୍ରତିମୂର୍ତ୍ତି ସ୍ଥାପିତ ଅଟ୍ଟାଳିକାଟି କଳା-ବିଦ୍ୟାର କାରୁରେ ଭୂଷିତ ହୋଇ ସୁନ୍ଦର ଦିଶୁଅଛି । ଏହାର ଏକପାର୍ଶ୍ୱରେ ରାଜା ସଚ୍ଚିଦାନନ୍ଦଙ୍କ ପ୍ରତିଷ୍ଠିତ ‘‘ପ୍ରାଜ୍ଞ-ସ୍କୁଲ,’’ ସ୍ୱୀୟ ରାଜ୍ୟର ପ୍ରଜାମାନଙ୍କୁ ପ୍ରକୃତ-ଜ୍ଞାନ-ସମୃଦ୍ଧ କରିବାହିଁ ଏହି ସ୍କୁଲ ସ୍ଥାପନର ଉଦ୍ଦେଶ୍ୟ । ଏଥିରେ ସଂସ୍କୃତ, ବଙ୍ଗଳା, ଓଡ଼ିଆ ସାହିତ୍ୟସମୂହର ସାରଗ୍ରନ୍ଥସମୂହ ଅଳ୍ପ ଇଂରାଜୀ, ଗଣିତ, ଇତିହାସ, ଭୂଗୋଳ ପ୍ରଭୃତି ପଠନ ଓ ଆଲୋଚନାର ବ୍ୟବସ୍ଥା ରହିଅଛି ଏବଂ ବ୍ୟାବହାରିକ ଶିକ୍ଷାର ସମସ୍ତ ପ୍ରକ୍ରିୟା ପ୍ରଜାମାନଙ୍କ ସମ୍ପୂର୍ଣ୍ଣ ଉପଯୋଗୀ । ଏହି ବିଦ୍ୟାଳୟ ବାମଣ୍ଡାର ନିଜସ୍ୱ, କଟକର ନର୍ମ୍ୟାଲ ବିଦ୍ୟାଳୟର ଆଦର୍ଶରେ ଗଠିତ ହେଲେହେଁ ଏହାର ଶିକ୍ଷାଦାନପ୍ରଣାଳୀ ଏବଂ ନିର୍ବାଚିତ ପୁସ୍ତକସମୂହ ସମ୍ପୂର୍ଣ୍ଣ ଭିନ୍ନ ।

 

ଏହି ପ୍ରାଜ୍ଞ ସ୍କୁଲ ସନ୍ଦର୍ଶନରେ କେତେ ଚିନ୍ତାର ଉଦୟ ହେଲା । ଆଜି କାଲି ବିଶ୍ୱବିଦ୍ୟାଳୟର ପାଠ୍ୟ ତାଲିକାରେ ଇଂରାଜୀ ଭାଷାରହିଁ ପ୍ରାଧାନ୍ୟ । ଯେଉଁମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ, ସେମାନଙ୍କର ଅଭିପ୍ରାୟ ଏହା ନ ଥିଲା ବୋଲି ଅନୁମିତ ହୁଏ-। ବିଶ୍ୱବିଦ୍ୟାଳୟ ପ୍ରାଚ୍ୟ ଭାଷାସମୂହର ଏପରି ଅନାଦର ଶୋଚନୀୟ । ସଂସ୍କୃତକୁ ଅନେକେ Dead Language (ମୃତଭାଷା) କହି ସାରିଲେଣି । ଏହି ସକାଶେ ପ୍ରାଚ୍ୟଭାଷାସମୂହର ପ୍ରାଚୀନ ସାହିତ୍ୟ ଅନୁଶୀଳନର ବ୍ୟବସ୍ଥା ବିଧାନରେ ଆମ୍ଭମାନଙ୍କ ସମଧିକ ଅବଧାନ ବାଞ୍ଛନୀୟ । ଆରବୀ ଏବଂ ପାର୍ଶୀ ସାହିତ୍ୟ, ଗ୍ରୀକ୍ ଏବଂ ଲାଟିନଭାଷାର ପ୍ରାଚୀନ ସାହିତ୍ୟଠାରୁ କୌଣସି ଅଂଶରେ ନିକୃଷ୍ଟ ନୁହେ । ସଂସ୍କୃତ ସାହିତ୍ୟରେ ଅତୀତର ଜ୍ଞାନ-ରାଶି ସୂତ୍ରାକାରରେ ନିବଦ୍ଧ ରହିଅଛି ଏହା ଅତ୍ୟୁକ୍ତିର ଆଶ୍ରୟ ନ ଘେନି ଅସଙ୍କୋଚରେ ବୋଲାଯିବ । ଶିକ୍ଷାବିଧାନରେ ସଂସ୍କୃତଭାଷାର ଉପଯୋଗିତାର ମୂଲ୍ୟ ଅତ୍ୟନ୍ତ ଅଧିକ । ପ୍ରାଚ୍ୟଭାଷାସମୂହର ଅନୁଶୀଳନରେ ଆମ୍ଭମାନଙ୍କର ଯଥେଷ୍ଟ ଉପକାରର ସମ୍ଭାବନା ସତ୍ୟ, ମାତ୍ର ପ୍ରତୀଚ୍ୟର ଚିନ୍ତାଧାରା ସହିତ ଘନିଷ୍ଠ ପରିଚୟ ମଧ୍ୟ ଆମ୍ଭମାନଙ୍କ ମାନସିକ ବିକାଶପକ୍ଷରେ ଅତ୍ୟନ୍ତ ଆବଶ୍ୟକ, ଏହା ଅସ୍ୱୀକାର କରିବୁଁ କିପରି ? ପ୍ରତୀଚ୍ୟପଦ୍ଧତିର ଯେଉଁ ଚିନ୍ତାଧାରାର ଚରମ-ବିକାଶ, ଭାରତବର୍ଷ ତାହାର ଆଦିଉତ୍ସ ସତ୍ୟ, କିନ୍ତୁ ସେହି ମୂଳଧାରାରୁ ଯେ ପ୍ରବାହରେ ୟୁରୋପ ପ୍ଲାବିତ ହେଉଅଛି, ସେହି ଭାବ ଧାରାରେ ଅଭିଷିକ୍ତ ନ ହେଲେ ବର୍ତ୍ତମାନ କାଳରେ ମାନବର ଶିକ୍ଷା ପର୍ଯ୍ୟାପ୍ତ ବୋଲି ବିବେଚିତ ହୁଏ ନାହିଁ । ସ୍ୱଦେଶର ଚିନ୍ତାଧାରାରେ ଆମ୍ଭମାନଙ୍କ ଆତ୍ମା ତୁଷ୍ଟି ଲାଭ କରିବ, ଆଉ ବୈଦେଶିକ ଚିନ୍ତାଧାରା ସହିତ ଘନିଷ୍ଠ ପରିଚୟରେ ଆମ୍ଭେମାନେ କୂପମଣ୍ଡୁକତାର ସଂକୀର୍ଣ୍ଣ ସୀମା ଅତିକ୍ରମ କରି ବିଶ୍ୱର ଭାବ-ରାଜ୍ୟରେ ବିଚରଣ କରିବାର ଯୋଗ୍ୟତା ଓ ସ୍ୱାଧୀନତା ଅର୍ଜନ କରିବୁଁ । ପ୍ରାଚ୍ୟ ଓ ପ୍ରତୀଚ୍ୟର ମହାମିଳନ ମଙ୍ଗଳମୟଙ୍କ ମହାବିଧାନ ଭାବି ପ୍ରକୃତ ପଥରେ ଅଗ୍ରସର ହେବାକୁ ହେବ ।

 

ଅନେକଙ୍କର ମତ ଏହି ଯେ ପ୍ରତୀଚ୍ୟ ବିଜ୍ଞାନ ପ୍ରାଚ୍ୟ କର୍ମୋତ୍ସାହ ସହିତ ମିଳିତ ହୋଇ ଭାରତର ବନ୍ଧ୍ୟା ଧନ ଫଳ-ପ୍ରସୂହେବ । ପ୍ରତୀଚ୍ୟର ବିଜ୍ଞାନ ଯେବେ ପ୍ରାଚ୍ୟର ସହିତ ମିଳିତ ହୁଏ, ତେବେ ଭାରତଲକ୍ଷ୍ମୀଙ୍କ ବନ୍ଧ୍ୟାତ୍ୱ ଘୁଞ୍ଚି ପାରେ ସତ୍ୟ, କିନ୍ତୁ ଆଜି କାଲି ପ୍ରାଚ୍ୟର ସେ ଉତ୍ସାହ ଅତୀତ କାହାଣୀରେ ପରିଣତ ହେଲାଣି । ଯେ ଉତ୍ସାହ ପ୍ରାଚ୍ୟରେ ମାନବ-ଜାତିର ଜ୍ଞାନ-ଗରିମାର ପ୍ରଥମ ଦୀପକୁ ସମୂଜ୍ଜ୍ୱଳ କରିଥିଲା–ନୂତନ ନୂତନ କର୍ମପଥ ପ୍ରସ୍ତୁତ କରିଥିଲା–ସେହି ଉଦ୍ୟମ ଓ ଉତ୍ସାହ ବର୍ତ୍ତମାନ କ୍ଷୀଣ ହୋଇ ପଡ଼ିଲାଣି । ସେଥି ସକାଶେ ଉଭୟର ସମ୍ମିଳନ ସମ୍ୟକ୍ ଫଳୋପଧାୟୀ ହେଉ ନାହିଁ । ଆଜି କାଲି ଭାରତର ଶିଳ୍ପ ନିଷ୍ଟ ହେଉଅଛି–ଏହିରୂପ ଅଭିଯୋଗ ଶୁଣାଯାଏ । ଇଂଲଣ୍ଡରେ ଯେତେବେଳେ ପୁରାତନ ଶିଳ୍ପର ଆବିର୍ଭାବ ହୋଇଥିଲା, ସେତେବେଳେ ଠିକ୍ ଏହି ଅବସ୍ଥା ଘଟିଥିଲା ।

 

ଦୂରରୁ ଦେବଗଡ଼ ଜେଲ୍‌ ସୂର୍ଯ୍ୟ କିରଣ ପ୍ରତିଭାତ ହୋଇ ପ୍ରଭାତ ପ୍ରଫୁଲ୍ଲ ଶ୍ୱେତପଦ୍ମ ପ୍ରାୟ ଅତି ସୁନ୍ଦର ଦିଶୁଥିଲା । ଏହି ଜେଲ୍‌ଟିକୁ ବହୁବିଧ ଶିଳ୍ପ ଶ୍ରମର ଶିକ୍ଷାଳୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭିନ୍ନ ଭିନ୍ନ ରାଜ୍ୟର ଜେଲରୁ ଅନେକ କଏଦୀ ଆସି ଏଠାରେ ଶିକ୍ଷା କରୁଥିବାର ମୁଁ ସ୍ୱୟଂ ଦେଖିଥିଲି । ନାନାପ୍ରକାର ଲୁଗା, ସତରଞ୍ଜି, ଆସନ ଏଠାରେ ଅନବରତ ପ୍ରସ୍ତୁତ ହେଉଅଛି–ବ୍ରହ୍ମପୁରୀ ଦକ୍ଷିଣୀ ପାଟଶାଢ଼ୀ ମଧ୍ୟ ପ୍ରସ୍ତୁତ ହେଉଥିବାର ଦେଖିଥିଲି । ଏତଦ୍‌ବ୍ୟତୀତ କେଓଲିନ ନାମକ ଧଳା ମାଟିର ନାନାବିଧ ପ୍ରୟୋଜନୀୟ ଗୃହସଜ୍ଜାର ଓ ଖେଳିବାର ନାନାଶ୍ରେଣୀର ଦ୍ରବ୍ୟସମୂହ ପ୍ରସ୍ତୁତ ହେଉଅଛି । ଏତିକି କହିଲେ ଯଥେଷ୍ଟ ହେବ, ନରହତ୍ୟାକାରୀ ଅପରାଧିମାନେ ଶିକ୍ଷାପ୍ରାପ୍ତ ହେଲେ ଏବଂ ଭୀଷଣ ଦସ୍ୟୁ ତସ୍କର ପ୍ରଭୃତି ଉପଯୁକ୍ତ ତତ୍ତ୍ୱାବଧାନରେ ରହି କଳାବିଦ୍ୟାର ଅନୁଶୀଳନ କଲେ କିପରି କାର୍ଯ୍ୟକାରୀ ହୁଅନ୍ତି ଏବଂ ପ୍ରସିଦ୍ଧ ଶିଳ୍ପୀରୂପେ ପରିଗଣିତ ହୋଇ ପାରନ୍ତି, ତାହାର ଚିତ୍ର ଏଠାରେ ସମ୍ୟକ୍‍ରୂପେ ସୁପରିସ୍ଫୁଟ ରହିଅଛି ଏବଂ ଏହି ସବୁ କାର୍ଯ୍ୟର ନମୁନା ଦେଖାଇ ବାମଣ୍ଡା ଜେଲ କଲିକତା ଏବଂ ଏଲାହାବାଦ ପ୍ରଭୃତି ସ୍ଥାନସମୂହର ଭିନ୍ନ ଭିନ୍ନ ପ୍ରଦର୍ଶନୀରେ ସ୍ୱର୍ଣ୍ଣ, ରୌପ୍ୟ ମେଡ଼େଲ ଏବଂ ପ୍ରଥମ ଶ୍ରେଣୀର ସାର୍ଟିଫିକେଟ ପାଇଅଛି । ରାଜା ସଚ୍ଚିଦାନନ୍ଦ କଳାବିଦ୍ୟାରେ ଉତ୍ସାହ ପ୍ରଦର୍ଶନରେ ଯେପରି ସର୍ବଦା ଅଗ୍ରସର, ସ୍ୱୟଂ କଳାବିଦ୍ୟା ଅନୁଶୀଳନରେ ସେହିପରି ମନୋଯୋଗୀ । ଏହାଙ୍କ ସ୍ୱହସ୍ତ-ଅଙ୍କିତ ତୈଳଚିତ୍ରଗୁଡ଼ିକ ଉତ୍କଳରେ ପ୍ରସିଦ୍ଧି ଲାଭ କରିଅଛି । ସ୍ୱୟଂ କଳାବିଦ୍ୟାର ଅନୁଶୀଳନ କରି ଅପରକୁ ଶିକ୍ଷା ଦେବାର ବ୍ୟବସ୍ଥାରେ ଶିଳ୍ପର ପ୍ରକୃତ ଉନ୍ନତି ହେବାହିଁ ସମ୍ଭବପର । ରାଜା ସଚ୍ଚିଦାନନ୍ଦଙ୍କ ସମସ୍ତ ବିଷୟରେ ଅପୂର୍ବ ଅଭିଜ୍ଞତା ପ୍ରତ୍ୟେକ ଉତ୍କଳୀୟଙ୍କର ଅନୁକରଣଯୋଗ୍ୟ, ଏଥିରେ ମତଦ୍ୱୈଧ ହେବାର ସମ୍ଭାବନା ନାହିଁ ।

 

ସାହିତ୍ୟ ସହିତ ବିଜ୍ଞାନର ଏବଂ ବିଜ୍ଞାନପ୍ରସୂତ ଶିଳ୍ପକଳାର ସଂମିଶ୍ରଣରେ ମନୁଷ୍ୟତ୍ୱ କିପରି ପରିସ୍ଫୁଟ ହୁଏ–ଏହାର ଉପମା କେବଳ ସଚ୍ଚିଦାନନ୍ଦ ସ୍ୱୟଂ । ଉଦ୍ଭିଦ-ବିଜ୍ଞାନ (Botany) ପ୍ରାଣି-ବିଜ୍ଞାନ (Zology) ଭୂବିଜ୍ଞାନ (Geology) ବାୟୁ-ବିଜ୍ଞାନ (Meterology) ଜଡ଼-ବିଜ୍ଞାନ (Physiology) ଖଣି-ବିଜ୍ଞାନ (Minerology) ପ୍ରଭୃତିରେ ଏହାଙ୍କର ପାଣ୍ଡିତ୍ୟ ରହିଅଛି ଏବଂ ଏହିସବୁ ପ୍ରସୂତ ନାନାବିଧ କଳାବିଦ୍ୟାର ଅନୁଶୀଳନ ଓ ପ୍ରୟୋଗରେ ଏ ସର୍ବଦା ବ୍ରତୀ । ବର୍ତ୍ତମାନ ମାଟିନିର୍ମିତ ଖପର ଓ ଟାଇଲର ଯେଉଁ ସବୁ ନମୁନା ଏହାଙ୍କ ଉର୍ବର ମସ୍ତିଷ୍କରୁ ବାହାରୁଅଛି ଏବଂ ଅଳ୍ପ ଦିବସ ମଧ୍ୟରେ ଯେଉଁ ଗୁଡ଼ିକରେ ଦେବଗଡ଼ର ସମସ୍ତ ଗୃହ (କ୍ଷୁଦ୍ରତମ ପ୍ରଜାର ଗୃହ ପର୍ଯ୍ୟନ୍ତ) ଶୋଭିତ ହେବାର କଳ୍ପନା ହେଉଅଛି, ତାହା ସମଗ୍ର ଉତ୍କଳରେ ପ୍ରକୃତ ଅସାଧାରଣ । ଏଭଳି ଟାଇଲ ଏବଂ ଖପରର କାର୍ଯ୍ୟ ଉତ୍କଳର ରାଜଧାନୀ କଟକ ନଗରରେ ସୁଦ୍ଧା ଦୃଷ୍ଟ ହୁଏ ନାହିଁ । ଆମ୍ଭେମାନେ ଦେଶର ଶ୍ରମ-ଶିଳ୍ପ ପ୍ରତିଷ୍ଠାକଳ୍ପେ ବଚନର ‘‘ନାଏଗ୍ରା’’ ସୃଷ୍ଟି କାର୍ଯ୍ୟରେ ଏଡ଼େ ବ୍ୟସ୍ତ ଯେ, ଆମ୍ଭମାନଙ୍କ କାର୍ଯ୍ୟରେ ପ୍ରବୃତ୍ତ ହେବାର ଆଦୌ ଅବକାଶ ନାହିଁ । ଉଦ୍‌ଯୋଗୀ ଇଉରୋପୀୟମାନଙ୍କ ଚଞ୍ଚଳା କମଳାଙ୍କ ପ୍ରସାଦଲାଭକୁ ଲୁବ୍ଧନେତ୍ରରେ ଦୂରରୁ ଦେଖିବାକୁ ଆମ୍ଭେମାନେ ସର୍ବଦା ତତ୍ପର ସିନା !

 

ଦୋଳ ପୂର୍ଣ୍ଣିମାର ଚନ୍ଦ୍ର ଆକାଶ-ବକ୍ଷରେ ଆଲୋକୋଚ୍ଛ୍ୱାସ ଘେନି ଏବଂ ପଲ୍ଲୀର ଶ୍ୟାମାଞ୍ଚଳରେ ଜ୍ୟୋତି ତରଙ୍ଗ ବିଞ୍ଚି ଦେଇ ରାଉତମରା ପାହାଡ଼ ଉପରକୁ ଉଠିଲେ । ପ୍ରକୃତି ମଧୁରରୁ ମଧୁରିତର ହେଲା । ଚତୁର୍ଦ୍ଦିଗ ନିସ୍ତବ୍ଧ । ବ୍ୟୋମପଟରେ କଳା ପର୍ବତଶ୍ରେଣୀର ଅବିଶ୍ରାନ୍ତ ବକ୍ରରେଖା ଭୀଷଣରୁ ଭୀଷଣତର ଦିଶିଲା । ଏହି ଜ୍ୟୋତ୍ସାମୟୀ ରଜନୀରେ ଅଦୂରବର୍ତ୍ତୀ ଗିରି ଗୁହାରୁ ପ୍ରଧାନ-ପାଟ ପ୍ରପାତର ଅଶ୍ରାନ୍ତ କଳଧ୍ୱନି ବାୟୁପ୍ରବାହରେ ଭାସି ଆସି ମୋହ ହୃଦୟରେ ଗୋଟିଏ ଅମ୍ଳାନ ସୌନ୍ଦର୍ଯ୍ୟର ସ୍ନିଗ୍ଧ ମୋହ-ଜାଲ ବିସ୍ତୃତ କରିଦେଲା । ଚତୁର୍ଦ୍ଦିଗରେ ବନଫୁଲର ଘନ ସୁଗନ୍ଧ, ଉପରେ ଚନ୍ଦ୍ରକରଧୌତ ନୀଳଶୂନ୍ୟ, ଅଦୂରସ୍ଥିତ ‘‘ପୁଢ଼େଇକଟା’’ର କୃଷ୍ଣବର୍ଣ୍ଣ ଜଳରେ ହୀରକ ହିଲ୍ଲୋଳ ! ଦୂରରେ ‘‘ପୁରୋହିତକଟା’’ର ଜଳରାଶି ଚନ୍ଦ୍ରିକା ନର୍ତ୍ତନ ଅନୁମୋଦନ କରୁଅଛି ! କେତେକ କ୍ଷଣଂଉତ୍ତାରୁ ଦୂରସ୍ଥିତ କୋହ୍ଲ-ପଲ୍ଲୀରୁ ଚାଙ୍ଗୁବାଦ୍ୟର ତୀକ୍ଷ୍ଣ ଉଚ୍ଚ ମନ୍ଦ୍ରଧ୍ୱନିରେ ପର୍ବତଗହ୍ୱର ପ୍ରକମ୍ପିତ ହେଲା ଏବଂ ନିମ୍ନସ୍ଥ ମହୁଲ-କୁଞ୍ଜରେ ଦୁଇ ତିନୋଟି ଭଲ୍ଲୁକର କଳି ଉପୁଜିବାର ବିକଟ-ଧ୍ୱନି ଶ୍ରୁତ ହେଲା ।

 

ଆଜି ବାସନ୍ତୀ-ପୂର୍ଣ୍ଣିା-ସନ୍ଧ୍ୟାରେ ବସନ୍ତନିବାସ ପିଣ୍ଡାରେ ବସି କି ଆନନ୍ଦ ଲାଭ କଲି ! ଏହି ଘନୀଭୂତ ଶୁଭ୍ର ସୁନ୍ଦର ଜ୍ୟୋତ୍ସ୍ନାଲୋକରେ ଚତୁର୍ଦ୍ଦିଗ ହସି ଉଠୁଥିଲା, ପୁଷ୍ପଗନ୍ଧରେ ପବନ ଶ୍ରାନ୍ତ ହେଉଥିଲା ଏବଂ ଗୋଟିଏ ଉଦାର ଅନବଦ୍ୟ ମଙ୍ଗଳମଧୁର ମହିମଶ୍ରୀରେ ଚରାଚର ପରିପୂର୍ଣ୍ଣ ହେଉଥିଲା ! ରାଜ-କବି ସଚ୍ଚିଦାନନ୍ଦ କେବଳ ସ୍ୱୀୟ ଗ୍ରନ୍ଥାବଳୀ ଲେଖି ମନ ଆକର୍ଷଣ କରି ନାହାନ୍ତି-କବି ପ୍ରକୃତ ସୌନ୍ଦର୍ଯ୍ୟ ଏବଂ ଅନୁଭୂତିର ପୂର୍ଣ୍ଣ ପରିଚୟ ଏହି ବସନ୍ତନିବାସରେ ପ୍ରଦାନ କରିଅଛନ୍ତି-। ଯେଉଁ ‘‘ଅଖୋଜ ବାମଡ଼ା’’ର ନାମ ଲୋକେ ଶୁଣିଲେ ଭୟରେ ତାଙ୍କର ହୃତ୍‌କମ୍ପ ଜାତ ହେଉଥିଲା, ତାହା ରାଜା ବାସୁଦେବଙ୍କ ପ୍ରସାଦରୁ ତିରୋହିତ ପ୍ରାୟ । ଏବେ ରାଜା ସଚ୍ଚିଦାନନ୍ଦଙ୍କ ପ୍ରସାଦରୁ ‘ମୋଟର ସର୍ଭିସ’ର ଆୟୋଜନରେ କରାୟତ୍ତ ଏବଂ ଗୌରବାନ୍ୱିତ ହୋଇଅଛି ଏବଂ ଏହି ବସନ୍ତନିବାସରେ ‘‘ସୌନ୍ଦର୍ଯ୍ୟପିପାସା ମେଣ୍ଟିବାର’’ ଆଶା ମଧ୍ୟ ହେଲାଣି ।

 

ସୁଧାକର ! ମାନବଜାତି ଯେତେବେଳେ ଏକମାତ୍ର ଅନନ୍ତର ପୂଜା ହୃଦୟଙ୍ଗମ କରିବାକୁ ଆରମ୍ଭ କଲା, ତାହାର କେତେ ପୂର୍ବରୁ ତୁମ୍ଭେ ବିଶ୍ୱେଶ୍ୱରଙ୍କ ମହିମା କୀର୍ତ୍ତନରେ ବ୍ୟାପୃତ ରହିଅଛି ! ତୁମ୍ଭେ ନୀରବ ଉପାସକ, ନୀରବ ପ୍ରଚାରକ । ପ୍ରକୃତି ତୁମ୍ଭଙ୍କୁ ଘେନି କିଭଳି ପ୍ରଶାନ୍ତଭାବରେ ମହେଶମହିମା ଗାୟନରେ ନିୟତ ନିରତା ! ମନୁଷ୍ୟ ତୁମ୍ଭର ପୂଜା ଦେଖିଲେ କିପ୍ରକାର ଅନ୍ଧ ଏବଂ ନିଶ୍ଚେଷ୍ଟ ରହିବ ?

 

ବସନ୍ତ-ନିବାସ ! ତୋହ କୋଳରେ ବସି ଏତେବେଳେ ଚନ୍ଦ୍ରଆଡ଼କୁ ଅନାଇ ରହିଅଛି ! ଏହି ଚନ୍ଦ୍ରର ପୁଣି ମାସ ମଧ୍ୟରେ ଅଧେ ଦିନ ସାକ୍ଷାତ୍ ହୁଏ ନାହିଁ । ଯାହାହେଉ, ଚନ୍ଦ୍ର କେଡ଼େ ସୁନ୍ଦର-! ତାହାର ଏହି ସ୍ୱପ୍ନାବେଶମୟ ସୌନ୍ଦର୍ଯ୍ୟ ଆଉ ସମସ୍ତ ଦୋଷକୁ ଘୋଡ଼ାଇ ରଖିଅଛି । ଭାରତୀୟ କବିକୁଳ ଚନ୍ଦ୍ର ଉପରର କୃଷ୍ଣ ଛାୟାକୁ ଘେନି ବଡ଼ ଓଟରାଓଟରି ଲଗାଇଅଛନ୍ତି । ଚନ୍ଦ୍ରକୁ ସେମାନେ ‘‘କଳଙ୍କୀ’’ କହିଅଛନ୍ତି, ଆଉ କେତେ ଅଦ୍ଭୁତ ରହସ୍ୟ ମଧ୍ୟ ତହିଁ ସଙ୍ଗେ କଳ୍ପନା କରିଅଛନ୍ତି ! କିନ୍ତୁ ମାସରେ ଥରେ ମାତ୍ର ସେ ନିଜର ପୂର୍ଣ୍ଣ ରୂପ ଦେଖାଇଦେଲେହେଁ ସେହି ଭୂବନମୁଗ୍ଧକାରୀ ହାସ୍ୟର ତରଙ୍ଗାଘାତରେ ସମସ୍ତ ନିନ୍ଦା, କ୍ଷୋଭ ବୁଡ଼ିଯାଏ ଏବଂ ମହାକବି କାଳିଦାସଙ୍କ ଭାଷାରେ ଉପମା ଦେବାକୁ ଇଚ୍ଛା ହୁଏ :–

 

‘‘ଏକୋହି ଦୋଷୋ ଗୁଣସନ୍ନିପାତେ,

ନିମଜ୍ଜତୀନ୍ଦୋଃ କିରଣେଷ୍ୱିବାଙ୍କଃ ।’’

Image

 

ଭିକ୍ଟୋରିଆରେ ସନ୍ଧ୍ୟା

 

ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ତଟଦେଶରେ ଅବସ୍ଥିତ ତାଳଚେର ଗଡ଼କୁ ଆସିଲେ ‘‘ଭିକ୍ଟୋରିଆ’’ ନାମକ ସ୍ମୃତିସୌଧରେ ଅବସ୍ଥାନ କରିବା ପରମ-ସୌଭାଗ୍ୟ । ତାଳଚେରାଧୀଶ ଶ୍ରୀ କିଶୋରଚନ୍ଦ୍ରଙ୍କ ଅନୁଗ୍ରହରୁ ମୋହର ଏହି ସୌଭାଗ୍ୟ ଜୀବନରେ ଅନେକ ଥର ଘଟିଅଛି ।

 

ଚିରରବିକରୋଭାସିତ, ମହାଦେଶଚତୁଷ୍ଟୟ ବିସ୍ତୃତ ବିଶାଳ ସାମ୍ରାଜ୍ୟାଧୀଶ୍ୱରୀ ଭିକ୍ଟୋରିଆଙ୍କ ରାଜଧର୍ମ ପାଳନ ଦେଖି ମନେ ହୁଏ, ସ୍ୱୟଂ ରାଜଲକ୍ଷ୍ମୀ ନରଲୋକରେ ଅବତୀର୍ଣ୍ଣା ହୋଇ ସେହି ଧର୍ମ ସ୍ୱୟଂ ଆଚରଣ କରି ମନୁଷ୍ୟମାନଙ୍କୁ ଶିଖାଇ ଯାଇଅଛନ୍ତି । ତାହାଙ୍କ ରାଜତ୍ୱ ସମୟରେ ଇଂରାଜର ଯେ ସର୍ବତୋମୁଖୀ ଜାତୀୟ ଉନ୍ନତି ସଂସାଧିତ ହୋଇଅଛି, ପୃଥିବୀର ଇତିହାସ କଦାଚ ତାହା ଭୁଲିବ ନାହିଁ । ତାହାଙ୍କ ଅର୍ଦ୍ଧଶତାବ୍ଦୀ ରାଜତ୍ୱ ସମୟର ଜୁବିଲି ଉତ୍ସବ ଉପଲକ୍ଷରେ ତଦୀୟ ସ୍ମୃତି-ସଂରକ୍ଷଣ ସକାଶେ ତାଳଚେରରେ ମନସ୍ୱୀ ଅଧୀଶ୍ୱର ଲୋକାନ୍ତରିତ ରାଜା ରାମଚନ୍ଦ୍ରଙ୍କ କର୍ତ୍ତୃକ ଏହି ସ୍ମୃତି-ସୌଧ ନିର୍ମିତ ହୋଇଅଛି ।

 

ବ୍ରାହ୍ମଣୀ ତଟରେ ତାଳଚେର ଗଡ଼ ପ୍ରାନ୍ତର ବିସ୍ତୃତ ଆମ୍ରକୁଞ୍ଜ ମଧ୍ୟରେ ଏହା ଅବସ୍ଥିତ ହୋଇ ପରମରମଣୀୟ ହୋଇଅଛି, ଅଥଚ ଲୋକାଳୟଠାରୁ ପୃଥକ୍ ରହିଲେ ମଧ୍ୟ ତାହା ସହିତ ସଂସ୍ରବ ରହିଅଛି । ବ୍ରାହ୍ମଣୀର ଅପର ପାର୍ଶ୍ୱରେ ଢେଙ୍କାନାଳ ରାଜ୍ୟର ଖାଲପାଳ ଗ୍ରାମସଂଲଗ୍ନ ହରିତ ବନଶ୍ରେଣୀ ଶାଳ, ମହୁଲ ଏବଂ ତେନ୍ତୁଳି ପ୍ରଭୃତି ବୃକ୍ଷସମୂହରେ ପୂର୍ଣ୍ଣ । ଏହି ବନ ଢେଙ୍କାନାଳ ରାଜ୍ୟସ୍ଥିତ ସରାଙ୍ଗ ନାମକ ବୃହତ୍‍ ଗ୍ରାମ ପର୍ଯ୍ୟନ୍ତ ଲମ୍ବିତ । ଏହି ବନର ଅପର ପାର୍ଶ୍ୱରେ ଢେଙ୍କାନାଳ ରାଜ୍ୟର କ୍ଷୁଦ୍ର ବୃହତ୍ ଶୈଳ ଏବଂ ପର୍ବତର ସମବାୟ । ଉତ୍ତର ପୂର୍ବ ସଂପ୍ରସାରିତ ବାରୁଆଁ ପର୍ବତଟି ସୁଦୀର୍ଘ ପ୍ରାଚୀରବତ୍ ବ୍ରାହ୍ମଣୀ ନଦୀକୁ ବନ୍ଦ କରିଦେଇଥିବାର ଭ୍ରମ ଏଠାରେ ସର୍ବଦା ହେଉଥାଏ ।

 

ସରାଙ୍ଗ ଗ୍ରାମର ଅପର ପାର୍ଶ୍ୱରେ ଢେଙ୍କାନାଳ ରାଜ୍ୟର ମୁଟୁଙ୍ଗା ନିକଟବର୍ତ୍ତୀ ନିମିଧା ପାହାଡ଼ଟି ସ୍ୱୀୟ କାନ୍ଧର ଏକମାତ୍ର ବରୁଣ ବୃକ୍ଷ ଘେନି ଉଦାସ ଦୃଷ୍ଟିରେ ମୁଣ୍ଡ ଟେକିଅଛି । ଦୂରରେ ଅବସ୍ଥାନ ହେତୁରୁ ଏହା ଅତି କ୍ଷୁଦ୍ର ଦିଶୁଥାଏ । ଏହି ଦିଗର ଅପର ସ୍ତରରେ ହିନ୍ଦୋଳ ରାଜ୍ୟର ବିଶାଳ ପର୍ବତଶ୍ରେଣୀର ନୀଳିମା ଦିଗ୍ବଳୟ ଅଧିକାର କରି ପ୍ରକାଣ୍ଡ ହସ୍ତିଦ୍ୱୟଙ୍କ ଆକାର ଧାରଣ କରିଅଛି । ପଶ୍ଚିମରେ ଅଙ୍ଗାରୁଆ ଆମ୍ବ ତୋଟା ଏବଂ ଗୁରୁଜାଙ୍ଗୁଲି ଗ୍ରାମର ବୃକ୍ଷଶ୍ରେଣୀ ପରସ୍ପର ସଂଲଗ୍ନ ହୋଇ ହରିତ୍‌କୃଷ୍ଣରଙ୍ଗରେ ଦିଗ ଅଧିକାର କରିଅଛି ଏବଂ ଏହାର ପଶ୍ଚାତରୁ ଅନୁଗୋଳର କଳାପାଟ ପର୍ବତର କୃଷ୍ଣମୂର୍ତ୍ତି ଗଗନ ପଟରେ ଅଙ୍କିତ । ଟିକିଏ ଦୂରକୁ ଅନୁଗୋଳର କନ୍ଦରାର ବିଶାଳ ପର୍ବତଶ୍ରେଣୀର ଅଭ୍ରଭେଦୀ ଶୃଙ୍ଗ-ସମବାୟ ଶ୍ୟାମବନାନୀମଣ୍ଡିତ ହୋଇଥିଲେହେଁ ଦୂରରୁ କେବଳ ମଧୁର-ଗମ୍ଭୀର-ସୌନ୍ଦର୍ଯ୍ୟ-ନୀଳିମାହିଁ ଉପଭୋଗ୍ୟ।

 

ଦକ୍ଷିଣରୁ ପଶ୍ଚିମ ଦିଗକୁ ଗ୍ରାମ-ବଳୟିତ କ୍ଷେତ୍ରସମୂହ ଏବଂ ପ୍ରାନ୍ତର ରୁକ୍ଷଶୋଭାରେ ପୂର୍ଣ୍ଣ । କ୍ଷେତ୍ରସ୍ଥିତ ହିଡ଼ଗୁଡ଼ିକ ଉଚ୍ଚ ଥିବାରୁ ଭୂମିର ସମତଳ ଭାବ ନାହିଁ; କେବଳ ଲଳିତ-ବନ୍ଧୁର ହୋଇଅଛି । ଦକ୍ଷିଣ ଅଂଶରେ ଗୋପୀନାଥପୁର ଗ୍ରାମ, ତାଳଚେରର ସୁପ୍ରସିଦ୍ଧ ପଶ୍ଚିମେଶ୍ୱର ମହାଦେବଙ୍କ ମନ୍ଦିର ବ୍ରାହ୍ମଣୀକୂଳରେ ଅବସ୍ଥିତ ଏବଂ ଏହାର ଅଦୂରରେ ରାଜକୀୟ ଶ୍ମଶାନଭୂମିର ସମାଧିସ୍ତମ୍ଭସମୂହ ଦୃଷ୍ଟ ହେଉଅଛି । ପୂର୍ବରୁ ଦକ୍ଷିଣ ପର୍ଯ୍ୟନ୍ତ ତାଳଚେର ଗଡ଼ର ଲୋକାଳୟ, ରାଜପଥ, ହସ୍ତିଶାଳା, ମୁଦ୍ରା-ଯନ୍ତ୍ରାଳୟ, ଘୋଟକାଳୟ ଏବଂ ରାଜକୀୟ କାର୍ଯ୍ୟାଳୟସମୂହ ଅବସ୍ଥାପିତ ।

 

ଏହି ସୁରମ୍ୟଭବନରେ ଅନେକ ଥର ଅନେକଦିନ ଅବସ୍ଥାନ କରିଅଛି । ଗୋଟିଏ ଅନାର୍ଯ୍ୟ ବାଳିକା ଅନେକ ଥର ଏଠାକୁ ଆସୁଥିଲା । ମୋହର ପରମାରାଧ୍ୟ ୰ପିତୃଦେବଙ୍କ ସହିତ ଥରେ ଏଠାରେ ଦେଢ଼ ମାସ ଅବସ୍ଥାନ କରିଥିଲି । ସେତେବେଳେ ଏହି ବାଳିକାଟିକୁ ସେ ଦେଖି ମଧ୍ୟ ଏହାର ଗୁଣରେ ମୁଗ୍ଧ ହୋଇଥିଲେ । ଥରେ ପଥପାର୍ଶ୍ୱରେ ଗୋଟିଏ ସ୍ତ୍ରୀଲୋକର ଅତିସାରରେ ମୃତ୍ୟୁ ହୋଇଥିଲା, ଅଥଚ ଏହି ବାଳିକାଟି ସେହି ମୃତା ସ୍ତ୍ରୀଲୋକର ସ୍ତନ୍ୟପାନରେ ଲାଗିଥାଏ । ତାଳଚେରାଧୀଶ କିଶୋରଚନ୍ଦ୍ର ଶକଟାରୋହଣରେ ଭ୍ରମଣ କରି ଆସୁଥିବାବେଳେ ବାଳିକା ଏବଂ ତାହାର ମାତାର ଏହି ଅବସ୍ଥା ଦେଖି ଅସଙ୍କୁଚିତଭାବରେ ଏକାବେଳକେ ଗାଡ଼ିରେ ବାଳିକାକୁ ଉଠାଇ ନେଲେ ଏବଂ ମୃତାର ସତ୍କାରାର୍ଥେ ଆଦେଶ ଦେଇ ଆସିଲେ । କିଶୋର ଚନ୍ଦ୍ର ! ଜୀବନରେ ତୁମ୍ଭେ ଅନ୍ୟ କୌଣସି କାର୍ଯ୍ୟ ନ କରି ଯେବେ କେବଳ ଏତିକି କରିଥାନ୍ତ, ତେବେ କେବଳ ଏହି କାର୍ଯ୍ୟଦ୍ୱାରା ଧର୍ମ କଣ, ତୁମ୍ଭେ ତାହା ପ୍ରକୃତ ବୁଝିଅଛି ବୋଲି ଜଣାଯାନ୍ତା । ଜଣେ ରାଜ୍ୟାଧୀଶ୍ୱରଙ୍କ ପକ୍ଷରେ ଏଭଳି କାର୍ଯ୍ୟର ଅନୁଷ୍ଠାନ ଆଜି କାଲିର ନୀରସ ଓ ସ୍ୱାର୍ଥପର ସଂସାରରେ ଅମୃତ ତୁଲ୍ୟ ।

 

ଏହି ବାଳିକାଟିକୁ ବୁଝି ପାରିଲି ନାହିଁ । ସେ ଗଛର ସର୍ବୋଚ୍ଚ ଡାଳରେ ଅବଲୀଳାକ୍ରମେ ଚଢ଼ି ପାରେ, ସନ୍ତରଣ କରି ବ୍ରାହ୍ମଣୀ ନଦୀ ଅନାୟାସରେ ପାର ହୋଇ ପାରେ । ସେ କେତେ ବେଳେ କ୍ରୀଡ଼ାଚଞ୍ଚଳା, ହାସ୍ୟମୟୀ ପ୍ରଫୁଲ୍ଲ ବାଳିକା, କେତେବେଳେ ନୃତ୍ୟଶୀଳା ଉଦ୍ଦାମତରଙ୍ଗିଣୀ, କେତେବେଳେ ଗୀତି-ମୁଖର ବସନ୍ତକୋକିଳ, କେତେବେଳେ ସୌରଭମୟ ପ୍ରସ୍ଫୁଟ-ପ୍ରସୂନ । କିନ୍ତୁ ପରକ୍ଷଣରେ ବ୍ରୀଡ଼ାବନତା ଗମ୍ଭୀରା ଯୁବତି, ମଧ୍ୟାହ୍ନ ମାର୍ତ୍ତଣ୍ଡର ଅଗ୍ନିକଣାବର୍ଷୀ ପ୍ରଦୀପ୍ତ କିରଣ, ବୈଶାଖର ଦିଗନ୍ତବ୍ୟାପୀ ପ୍ରଳୟଝଞ୍ଜା, ବିଶ୍ୱଦାହୀ ଉଳ୍କାର ଜ୍ୱାଳା । କେତେବେଳେ ବା କରୁଣହୃଦୟା ସ୍ନେହମୟୀ ରମଣୀ, ନବବର୍ଷାର ମୃଦ୍ ବାରିଧାରା, ସନ୍ତାପହାରୀ ସାନ୍ଧ୍ୟ ସମୀରଣ, ନିଦାଘ ମଧ୍ୟାହ୍ନର ବଟଚ୍ଛାୟା ପରି ପ୍ରତୀତ ହେଉଥାଏ । ଅନେକ ଥର ଅନେକ ପ୍ରକାରେ ଏହାକୁ ଦେଖି ମୁଁ ଚମତ୍କୃତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲି । ଏହି ଅସଭ୍ୟ ବର୍ବର ବାଳିକା ମଧ୍ୟରେ କିପରି ଗୋଟିଏ ଆକର୍ଷଣୀ ଶକ୍ତି ଥିଲା, ସାଂସାରିକ ହିସାବରେ ସୁନ୍ଦରୀ ନ ହେଲେ ମଧ୍ୟ ଯେ ଦେଖିଅଛି, ତାହାର ତତ୍‌ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ । ପ୍ରାୟ ଦୁଇ ବର୍ଷ ପୂର୍ବେ ତାଳଚେରାଧୀଶ କିଶୋରଚନ୍ଦ୍ରଙ୍କ ଅନୁଗ୍ରହରୁ ଏହାର ବିବାହ ହୋଇ ଯାଇଅଛି । ସୁତରାଂ ଏହି ବର୍ଣ୍ଣନା ସମୟରେ ତାହାକୁ ଦେଖିବାର ସୁଯୋଗ ଆଉ ଘଟି ନାହିଁ । ରାଜା କିଶୋରଚନ୍ଦ୍ରଙ୍କ କର୍ତ୍ତୃକ ଅନାଥ ବାଳକ ବାଳିକା ପାଳନ ତାହାଙ୍କ ଜୀବନର ନିତ୍ୟ ନୈମିତ୍ତିକ ଘଟନା । ତାହାଙ୍କ ରାଜବାଟୀକୁ ଗୋଟିଏ ଅନାଥାଶ୍ରମ (Orphanage) କହିଲେ ଅସଙ୍ଗତ ହେବ ନାହିଁ ଏବଂ ଏହାଙ୍କ ଜୀବନରେ ଆଜିପର୍ଯ୍ୟନ୍ତ ପ୍ରାୟ ୬୫ ଅନାଥ ବାଳିକାର ବିବାହ ସମ୍ପାଦିତ ହୋଇଅଛି ।

 

ଏହି ଭବନ ଏବଂ ଏହାର ଚତୁର୍ଦ୍ଦିଗର ସ୍ଥାନସମୂହରେ ମୋହର ପିତୃ-ସ୍ମୃତି ଅନେକ ପ୍ରକାରେ ବିଜଡ଼ିତ । ୰ପିତୃଦେବଙ୍କ ସହିତ ଏଠାରେ ଦେଢ଼ ମାସ ଅବସ୍ଥାନରେ କେତେ ପୂର୍ବକଥା ସ୍ମରଣ ହେଉଅଛି ! ‘କିଶୋରଚନ୍ଦ୍ର ସାହିତ୍ୟ-ସଭା’ ରେ ଯେଉଁଦିନ ଭକ୍ତ-କବି ୰ରାୟ ମଧୁସୂଦନ ରାଓ ବାହାଦୁରଙ୍କ ଅଭ୍ୟର୍ଥନା ହେଲା, ସେଦିନ ମୋହର ପୂଜନୀୟ ୰ପିତୃଦେବ ସଭାପତି ହୋଇଥିଲେ । ସେହି ଅଭ୍ୟର୍ଥନା-ସଭାରେ ତାହାଙ୍କ ରକ୍ତିମ ମୁଖମଣ୍ଡଳରେ ମହାସମାରୋହର ଯେଉଁ ଜ୍ୱଳନ୍ତ ଜ୍ୟୋତିର୍ବିଭା ଦେଖିଥିଲି, ତାହା ଏହି ଦଗ୍ଧ-ହୃଦୟ-ପଟରେ ଆଜୀବନ ସ୍ୱର୍ଣ୍ଣାକ୍ଷରରେ ଅଙ୍କିତ ରହିବ । ୰ମଧୁସୂଦନଙ୍କ ଗୁଣବର୍ଣ୍ଣନାରେ ୰ପିତୃଦେବଙ୍କ ମୁଖରୁ ବାହାରିଥିଲା ‘‘ଶିଶୁ ପ୍ରାୟ ସରଳ ଓ କୋମଳ, ଆକାଶ ପ୍ରାୟ ପ୍ରଶାନ୍ତ ଓ ଉଦାର ଏବଂ ମେଘ ପ୍ରାୟ ଗମ୍ଭୀର ଓ ଅମିୟବର୍ଷୀ ହୃଦୟ ଏହି ସଂସାରରେ ଦୁର୍ଲଭ ସାମଗ୍ରୀ । କିନ୍ତୁ ମଧୁସୂଦନ ସ୍ୱୀୟ ଜୀବନରେ ଏହି ଦୁର୍ଲଭ ସାମଗ୍ରୀକୁ ସୁଲଭ କରିଅଛନ୍ତି ।’’ ପରକ୍ଷଣରେ ୰ମଧୁସୂଦନ କହିଥିଲେ ‘‘ଯେଉଁ ଗୁରୁଦେବଙ୍କ ଚରଣତଳେ ବସି ବିଗତ ୨୦ ବର୍ଷ ଶିକ୍ଷାଲାଭ କରିଅଛି, ସେହି ଗୁରୁଦେବ ଆଜି ଏଠାରେ ସଭାପତିରୂପେ ମୋତେ ଅନେକ ବଢ଼ାଇ ଦେଇଅଛନ୍ତି । ମାତ୍ର ଏହି ଗୁରୁଦେବଙ୍କଠାରୁ ଆହୁରି ଅନେକ ଶିଖି ପାରିବି ବୋଲି ଆଶା କରିଅଛି ।’’ ଉପଯୁକ୍ତ ଗୁରୁଙ୍କର ଉପଯୁକ୍ତ ଛାତ୍ର ! ଉତ୍କଳରେ ଏଭଳି ନିଦର୍ଶନ ଆଉ ମିଳିବ କି ? ଚିରକାଳ ଏକ ଭାବରେ ରହି ଉଭୟଙ୍କର ପରଲୋକ ଉତ୍ତାରୁ ପୁଣି ‘‘ମରଣେ ଲଭିଲେ ଏକତ୍ର ସମାଧି ।’’ ଏଥିରେ ସ୍ନେହ ଓ ପ୍ରେମର ଐକାନ୍ତିକତା କିଭଳି ପ୍ରମାଣିତ ହେଉଅଛି !

 

ରାଜା କିଶୋରଚନ୍ଦ୍ରଙ୍କ ଯତ୍ନରୁ ତାଳଚେର ରାଜ୍ୟର କିଭଳି ଭନ୍ନତି ହୋଇଅଛି, ତାହା ପ୍ରତ୍ୟେକ ଦର୍ଶକ ସ୍ୱୀକାର କରିବେ । ରାଜ୍ୟର ସର୍ବତ୍ର ସଡ଼କ ନିର୍ମାଣ, ସ୍ଥାନେ ସ୍ଥାନେ ବଙ୍ଗଳା ଗଠନ, କ୍ଷେତ୍ରରେ ଜଳ ଦେବା ସକାଶେ ସ୍ଥାନେ ସ୍ଥାନେ ଜଳଭଣ୍ଡାର ସ୍ଥାପନ ପ୍ରଭୃତି ଅନୁଷ୍ଠିତ ହୋଇ ନାନାପ୍ରକାରେ ସୁବିଧାଜନକ ହୋଇଅଛି ଏବଂ ଆଉ ଗୋଟିଏ ବିଶେଷତ୍ୱ ଏହି ଯେ, ଏ ସବୁ କାର୍ଯ୍ୟରେ ରାଜଶକ୍ତି ଏବଂ ଗଣଶକ୍ତି ଉଭୟେ ସମପରିମାଣରେ ଲାଗିଅଛନ୍ତି । ଏହାର ବିଶିଷ୍ଟ ପ୍ରମାଣ ମୁଁ ସ୍ୱୟଂ ଦେଖିଥିଲି । ଥରେ ରାଜା କିଶୋରଚନ୍ଦ୍ରଙ୍କ ସହିତ ଗୋଟିଏ ସଡ଼କ କାର୍ଯ୍ୟ ଦେଖିବାକୁ ଆହୂତ ହୋଇ ମୁଁ ଯାଇଥିଲି । ଅନେକ ଗ୍ରାମବାସୀ ଏହି କାର୍ଯ୍ୟରେ ଲାଗିଥିଲେ । ହଠାତ୍ କିଶୋରଚନ୍ଦ୍ର ଶକଟରୁ ଓହ୍ଲାଇ ସ୍ୱହସ୍ତରେ ପଥର ଗୋଟାଇବାରେ ଲାଗିଗଲେ । ମୁଁ ମଧ୍ୟ ତାହାଙ୍କ ସଙ୍ଗେ ଲାଗିଲି । ଏହା ଦେଖି ଗ୍ରାମ୍ୟ ଲୋକେ ଦ୍ୱିଗୁଣ ଉତ୍ସାହରେ କାର୍ଯ୍ୟରେ ଲାଗିଗଲେ ଏବଂ ପରେ ଶୁଣିଲି, ଏକ ସପ୍ତାହର କାର୍ଯ୍ୟ ଦୁଇଦିନରେ ଶେଷ ହୋଇଗଲା । କିଶୋରଚନ୍ଦ୍ରଙ୍କ ଭଳି ପ୍ରକୃତ ପରିଶ୍ରମୀ ରାଜା ଉତ୍କଳୀୟ ରାଜନ୍ୟମଣ୍ଡଳୀରେ ବିରଳ, ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ-। ମୁଁ ସ୍ୱୟଂ ଅନେକ ସମୟରେ ଦେଖିଅଛି, ନାନାବିଭାଗ ଓ ନାନା କାର୍ଯ୍ୟରେ ସେ ପ୍ରତ୍ୟହ ଯେଉଁ ପରିଶ୍ରମ କରନ୍ତି, ତହିଁରୁ ଦଶାଂଶ ପରିଶ୍ରମ କଲେ ମୁଁ ବୋଧ ହୁଏ ଦୁଇ ତିନିଦିନ ମଧ୍ୟରେ ପୀଡ଼ିତ ହେବି । ସାଧାରଣ ସ୍ତରରେ ଏ କଥା ତୁଲ୍ୟରୂପେ ନ ଖଟିଲେ ମଧ୍ୟ ଜଣେ ରାଜାଙ୍କ ପକ୍ଷରେ ଏଭଳି ଅସାଧାରଣ ପରିଶ୍ରମ କରିବା ବଡ଼ ସହଜ ନୁହେ । ରାଜା କିଶୋରଚନ୍ଦ୍ରଙ୍କ ବାହ୍ୟାକୃତି ଦୁଢ଼ତାବ୍ୟଞ୍ଜକ ଓ କର୍ମଷ୍ଠତାପୃଚକ ଏବଂ ଚକ୍ଷୁ ତୀକ୍ଷ୍ଣବୁଦ୍ଧିର ପରିଚାୟକ, ମୁଖାବୟବରେ ଉତ୍ସାହ ଏବଂ ବାଧାବିଘ୍ନ ଅତିକ୍ରମର ଦୃପ୍ତ ଇଚ୍ଛା ଓ କ୍ଷମତା ସର୍ବଦା ଲକ୍ଷିତ ହୋଇଥାଏ ।

 

ବର୍ତ୍ତମାନ ତାଳଚେର ଗଡ଼ରେ ଅନେକ ବଙ୍ଗଳା ନିର୍ମିତ ହୋଇ ତାଳଚେରାଧୀଶ କିଶୋରଚନ୍ଦ୍ରଙ୍କ ଗୌରବ ପ୍ରକାଶ କରୁଅଛି । ବ୍ରାହ୍ମଣୀନଦୀତୀରବର୍ତ୍ତୀ ଶଶିପ୍ରଭା, ସୁଧାଂଶୁଭବନ, ସୌମ୍ୟ ସଦନ, ଶୋଭାଭବନ, ଆନନ୍ଦଭବନ, ସରିତ-ପ୍ରଭା, ବ୍ରାହ୍ମୀସୌଧ ଏବଂ ଶାନ୍ତିନିକେତନ ପ୍ରଭୃତି ନାମସମ୍ବଳିତ ଆଠୋଟି ଏବଂ ଜଙ୍ଗଲ-ମଧ୍ୟସ୍ଥିତ ପର୍ଣ୍ଣକୁଟୀର, ନିଦାଘ-ନିବାସ, ରମ୍ୟ-ଭବନ, ବନଭୂଷଣ, ଉଦ୍ୟାନ-ଆବାସ, ପ୍ରମୋଦକୁଞ୍ଜ, ନିକୁଞ୍ଜ ନିବାସ, ବସନ୍ତ-ଆଳୟ, ନିଭୃତିନିଳୟ ଓ ହୃଦୟବିନୋଦ ପ୍ରଭୃତି ନାମର ଦଶୋଟି ବଙ୍ଗଳା ନବନିର୍ମିତ ହୋଇ କିଶୋରଚନ୍ଦ୍ରଙ୍କ ସୁରୁଚି ପ୍ରଚାର କରୁଅଛି ଏବଂ ସାଧାରଣ ଓ ରାଜକୀୟ ଅତିଥବୃନ୍ଦଙ୍କ ଲୀଳାସ୍ଥଳୀ ହୋଇଅଛି ।
 

ତାଳଚେର ରାଜବାଟୀ କୋଳାହଳପୂର୍ଣ୍ଣ, ବିଳାସମୟ, ସୁସଜ୍ଜିତ ଅଟ୍ଟାଳିକା ହେଲେହେଁ ତହିଁରେ ‘‘କିଶୋରଚନ୍ଦ୍ର-ସାହିତ୍ୟ-ସଭା’’ର ଅଧିବେଶନ ହୋଇଥାଏ । ଏହି ସଭା କେବଳ ସାହିତ୍ୟରେ ଆବଦ୍ଧ ନାହିଁ, ଏଥିରେ ସାମାଜିକ, ନୈତିକ, ବିଷୟର ବହୁଳ ଆଲୋଚନା ହୋଇଥାଏ-। ଏ ସଭାର ଅନେକ ଅଧିବେଶନରେ ଉପସ୍ଥିତ ହେବାର ସୁଯୋଗ ମୋହ ଭାଗ୍ୟରେ ଘଟିଅଛି । ଅନ୍ୟାନ୍ୟ ସଭାସମୂହର କାର୍ଯ୍ୟପ୍ରଣାଳୀ ଦେଖି ଏ ସଭା ସହିତ ତୁଳନା କରିବାକୁ ମୁଁ ବାଧ୍ୟ । ସଭା ଏବଂ ନୂତନ ରୀତିର ସମ୍ବାଦପତ୍ର ଏହି ଦୁହିଁଙ୍କ ଉପରେ ମୁଁ କାହିଁକି ବାଲ୍ୟକାଳରୁ ଏକପ୍ରକାର ବୀତସ୍ପୃହ । ପୁରାତନ ଭାବର ପକ୍ଷପାତୀ ହୋଇ ନୂତନକୁ ଅଭିବାଦନ କରିବାକୁ ମୁଁ ସର୍ବଦା ପ୍ରସ୍ତୁତ-। କିଶୋରଚନ୍ଦ୍ର-ସାହିତ୍ୟ-ସଭାରେ ରାଜନୈତିକ ଆନ୍ଦୋଳନ ପ୍ରାୟ ହୁଏ ନାହିଁ । ସୁତରାଂ ଅନ୍ୟାନ୍ୟ ସଭା ସହିତ ଏହା ତୁଳିତ ହୋଇ ନ ପାରେ । ଅଧିକାଂଶ ସମୟରେ ସାହିତ୍ୟର ଆଲୋଚନା କରିବାହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁ ଭାଷା ଆନନ୍ଦରେ ଉଦ୍ବେଳିତ, କ୍ରୋଧରେ ବିକମ୍ପିତ; ଦ୍ୱିଧାରେ ବିଚଳିତ, ବିଷାଦରେ ବିକୁଣ୍ଠିତ, ଘୃଣାରେ ସଙ୍କୁଚିତ ଏବଂ କରୁଣାରେ ବିଚଳିତ ହୋଇ ଉଠୁଅଛି, ସେହି ମାତୃସମା ଉତ୍କଳଭାଷାରେ ଜୀବନର ଅଭାବ ନାହିଁ । ଏ ଜୀବନର ପୋଷଣ ସକାଶେହିଁ ଏହି ସାହିତ୍ୟସଭାର ସୃଷ୍ଟି ।

 

ଦେଶର ଓ ଦଶର କଥା ଭଲ ନ ବୁଝି କେବଳ ପାଶ୍ଚାତ୍ୟ ରାଜନୈତିକ ଗ୍ରନ୍ଥ ପାଠ କରି ସଭାସ୍ଥଳରେ ସେହି ଗ୍ରନ୍ଥସମୂହର ଅବଶେଷ ଅଜୀର୍ଣ୍ଣତାରୂପରେ ଉଦ୍ଗୀର୍ଣ୍ଣ କରିବାକୁ ଅନେକ ସଭାରେ ଅଧିକାଂଶ ବ୍ୟକ୍ତିହିଁ ବ୍ୟସ୍ତ । କାରଣ ବିଦେଶୀୟ ଭାବସମୂହ ଅନେକଙ୍କ ଦୁର୍ବଳ ଜଠରରେ ପରିପାକ ପାଏ ନାହିଁ, ଏହାର ଫଳରେ କେବଳ ବାୟୁର ପ୍ରକୋପ ବୃଦ୍ଧି ହୋଇଥାଏ ।

 

ରାଜନୈତିକ ଓ ସାମାଜିକ ବ୍ୟାପାରରେ ଅନେକ ସିଦ୍ଧାନ୍ତ ସାର୍ବଭୌମ ସତ୍ୟ ବୋଲି ସ୍ୱୀକୃତ ହୁଏ ନାହିଁ; ଦେଶକାଳପାତ୍ର ଭେଦରେ ତାହା ବିଚ୍ଛିନ୍ନ ହୋଇଯାଏ । ଯେଉଁମାନେ ଦେଶ, କାଳ, ପାତ୍ର ଏହି ତିନୋଟି ଦ୍ରବ୍ୟ ସହିତ ସମ୍ପୂର୍ଣ୍ଣ ଅପରିଚିତ, ସ୍ୱାର୍ଥ ସନ୍ଧାନରେ ଯେଉଁମାନେ ଉଦୟାସ୍ତ ବ୍ୟସ୍ତ-ସେମାନେ ସେହି ତିନି ଦ୍ରବ୍ୟ ସହିତ ପାଶ୍ଚାତ୍ୟ ଲେଖକମାନଙ୍କ ସିଦ୍ଧାନ୍ତସମୂହ ମିଶାଇ ପାରନ୍ତି ନାହିଁ । ଅବଶ୍ୟ ଦେଶକାଳପାତ୍ର ସମ୍ବନ୍ଧରେ ଅଭିଜ୍ଞ ରାଜନୈତିକ ଦର୍ଶନଶାସ୍ତ୍ରରେ ସୁପଣ୍ଡିତ କେତେକ ଲୋକ ଅଛନ୍ତି, ମାତ୍ର ଏଭଳି ଲୋକଙ୍କ ସଂଖ୍ୟା ଅତି ଅଳ୍ପ । ସୁତରାଂ ସଭାମଣ୍ଡପରେ ଯେତେବେଳେ ବକ୍ତୃତାର ଜଗଜ୍‌ଝମ୍ପ ବାଜି ଉଠେ, ସେତେବେଳେ ଶତ ଚଡ଼ଚଡ଼ର କର୍ଣ୍ଣପଟହବିଦାରୀ ଆରାବରେ ଦୁଇ ଚାରୋଟି ମହୁରିର ସଙ୍ଗୀତ ବୁଡ଼ିଯାଏ ଏବଂ ଏହି ହେତୁରୁ ଗୁଣି ଲୋକଙ୍କ ପ୍ରକୃତ ଗୁଣ ସେଠାରେ ପ୍ରକାଶ ପାଏ ନାହିଁ । ସେମାନଙ୍କ ମଧ୍ୟରୁ ଅନେକେ ‘‘ଦର୍ଦ୍ଦୂରା ଯତ୍ର ବକ୍ତାରସ୍ତତ୍ର ମୌନଂ ହି ଶୋଭନଂ’’ ନୀତି ଅବଲମ୍ବନରେ ନୀରବ ରହିଥାନ୍ତି ।

 

ନୂତନ ଧରଣର ସମ୍ବାଦପତ୍ରଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଏହିଭଳି କଥା ମୋହର ସାମାନ୍ୟ ବୁଦ୍ଧିରେ ଦିଶୁଅଛି । ସମୟର ଗୁରୁତ୍ୱ-ସମ୍ବଳିତ ଗମ୍ଭୀର ରଚନାସମଷ୍ଟିର ପୁସ୍ତକସମୂହ ଅଥବା ସମ୍ବାଦପତ୍ରସମୂହ ପୁରାତନ ଗଭୀର ଭାବର ବିକାଶ ହୃଦୟରେ ପହଞ୍ଚାଇଦିଏ । ଏ ସବୁରେ କ୍ଷୁଦ୍ର ଗଳ୍ପ ନ ଥାଏ, ପ୍ରେମର କ୍ଷୁଦ୍ର କବିତା ନ ଥାଏ, ମୁଖପତ୍ରରେ କ୍ଳିଓପେଟ୍ରାଙ୍କ ଅନାବୃତ ଗାତ୍ର ଚିତ୍ର ନ ଥାଏ, ଭିତରେ ଆଇଭରି ଫିନିସ କାଗଜ ନ ଥାଏ, ଫଳତଃ ନବ୍ୟଭାବର ବିରୋଧୀ ବୋଲି ଉପହାସାସ୍ପଦ ହେବା ଏଗୁଡ଼ିକ ପକ୍ଷରେ ବିଚିତ୍ର ନୁହେ । ଏ ସବୁ ପୁସ୍ତକ ଅଥବା ସମ୍ବାଦପତ୍ରର ସମାଲୋଚନା ପ୍ରସଙ୍ଗରେ ସମ୍ପାଦକବର୍ଗ କହିଦିଅନ୍ତି, ‘‘ଏଗୁଡ଼ିକରେ ଶିଖିବାର ବିଷୟ ଯଥେଷ୍ଟ ରହିଅଛି ।’’ ଯହିଁରେ ପଢ଼ିବାର ବିଷୟ କିଛି ନାହିଁ, ସେଥିରେ ‘ଶିଖିବାର ବିଷୟ ଯଥେଷ୍ଟ ରହିଅଛି’ ଏହାହିଁ ବୋଧ ହୁଏ ସମ୍ପାଦକୀୟ ଶିଷ୍ଟାଚାର–(Editorial Etiquette) ପ୍ରସୂତ ମନ୍ତବ୍ୟ ପରା !

 

ଦିନେ ଶୀତ କାଳର ଅପରାହ୍ଣରେ ଭିକ୍ଟୋରିଆ ସୌଧର ନଦୀପାଖ ଚହରରେ ବସିଥିଲି । ଅଦୂରରେ କେତେକ ‘‘ଶୁକ୍ଳ ଘରିଆଣୀ’’ ମାନେ ନଦୀ ବାଲିରେ ଲୁଗା ପରିଷ୍କାର କରିବାରେ ଓ ଶୁଖାଇବାରେ ବ୍ୟସ୍ତ ଥିଲେ । ଆମ୍ଭେମାନେ ଯାହାଙ୍କୁ ଧୋବଣୀ କହିଥାଉଁ, ଗଡ଼ଜାତ ଅଞ୍ଚଳର ରାଜବାଟୀମାନଙ୍କରେ ତାଙ୍କୁ ‘‘ଶୁକ୍ଳ ଘରିଆଣୀ’’ ବା ‘‘ଉଜ୍ଜ୍ୱଳ ଘରିଆଣୀ’’ କହିଥାଆନ୍ତି । ଏହି ନାମରେ ମଧୁରତା ସହିତ ବିଶେଷତ୍ୱ ରହିଅଛି । ଏହିଭଳି ବିଶେଷତ୍ୱ ଅନେକ ନାମରେ ମଧ୍ୟ ଅଛି । ଯେଉଁମାନେ ଘର ଝାଡ଼ି ଦିଅନ୍ତି ଅଥବା ପରିଷ୍କାର କରନ୍ତି, ସେମାନଙ୍କୁ ‘‘ବାହୁରା’’ ବୋଲନ୍ତି । ଯେଉଁମାନେ ଦାଣ୍ଡକାମ କରନ୍ତି, ସେମାନଙ୍କୁ ‘‘ସୁଆଁସିଆ’’ କହନ୍ତି । ଭଣ୍ଡାରୁଣୀଙ୍କୁ ‘‘ପସେଇତୁଣୀ’’ ଏବଂ ହାଡ଼ିଆଣିଙ୍କୁ ‘‘ବାଡ଼ିସୁନ୍ଦରୀ’’ କହିବାର ବିଧି ମଧ୍ୟ ଅଛି । ଏହି ଲୁଗା ପରିଷ୍କାର ତୁଠ ଉପରକୁ ଶ୍ମଶାନଭୂମି । ଏହି ଶ୍ମଶାନଭୂମି ଉପରେ ‘‘ମଧୁସୂଦନ-ସ୍ମୃତି-ମନ୍ଦିର’’ ରାଜା କିଶୋରଚନ୍ଦ୍ରଙ୍କ ଗୁରୁଦକ୍ଷିଣାର ଫଳସ୍ୱରୂପ ଦଣ୍ଡାୟମାନ ରହିଅଛି । ରାଜଶିକ୍ଷକ ପଣ୍ଡିତ ମଧୁସୂଦନ ମିଶ୍ରଙ୍କର ପରଲୋକ ଗମନ ଉତ୍ତାରୁ ଏହା ଛାତ୍ରଙ୍କ ଗୁରୁ-ସ୍ମୃତିର ନିଦର୍ଶନରୂପେ ସମସ୍ତଙ୍କୁ ଗୁରୁଭକ୍ତି ଓ ପ୍ରୀତି ଶିଖାଇ ଦେଉଅଛି ।

 

ସୂର୍ଯ୍ୟଦେବ ଅସ୍ତଗମନ ସକାଶେ ଅନୁଗୋଳର ପୁରୁଣା ଗଡ଼ ପାହାଡ଼ ଉପରକୁ ଉଠିଲେ । ଶ୍ମଶାନଭୂମିରେ ଗୋଟିଏ ଶବ ଅଗ୍ନିସଂସ୍କାର ସକାଶେ ସଜ୍ଜିତ ହୋଇଥିଲା, ଅଳ୍ପକ୍ଷଣ ମଧ୍ୟରେ ଅଗ୍ନି ପ୍ରଦତ୍ତ ହୋଇ ଜଳି ଉଠିଲା । ଏହି ବିଷାଦାନ୍ଧକାରସମାଚ୍ଛନ୍ନ ଶ୍ମଶାନରେ ଜ୍ୱଳଚ୍ଚିତାର ଉତ୍କଟ ଚଟଚଟ ଧ୍ୱନିରେ କୃତାନ୍ତର କରତାଳି ଶ୍ରୁତ ହେଲା ଭଳି ବୋଧ ହେଲା । ସୂର୍ଯ୍ୟାସ୍ତ ଉତ୍ତାରୁ ଶୃଗାଳସମୂହର ଐକତାନିକ ଆରାବ ଆମ୍ରକୁଞ୍ଜ ପ୍ରତିଧ୍ୱନିତ କରି ଶ୍ମଶାନର ପୂର୍ଣ୍ଣ ଗାମ୍ଭୀର୍ଯ୍ୟ ରକ୍ଷା କଲା ।

 

କିଶୋରଚନ୍ଦ୍ର-ସାହିତ୍ୟ-ସଭାରେ ଗୋଟିଏ ସାମାଜିକ ଆଲୋଚନା ହୋଇଥିଲା ଏବଂ ଏହି ଆଲୋଚନାରେ ୨।୩ ଜଣ ତାଳଚେରର ପଣ୍ଡିତ ବକ୍ତୃତା ଦେଇଥିଲେ । ଏହି ବକ୍ତାମାନଙ୍କ ମଧ୍ୟରୁ ଦୁଇ ଜଣ ଭ୍ରମଣ ଉଦ୍ଦେଶ୍ୟରେ ଭିକ୍ଟୋରିଆ ପର୍ଯ୍ୟନ୍ତ ଆସିଥିଲେ । ଏମାନଙ୍କ ସଙ୍ଗେ ବସି ପ୍ରାୟ ଏକ ଘଣ୍ଟାବ୍ୟାପୀ ଅନେକ ଆଲୋଚନା ହେଲା । ଆଜିକାଲି ଅନେକଙ୍କ ମତରେ ପୁରାତନ ଆଚାରାନୁଷ୍ଠାନଗୁଡ଼ିକ ମନ୍ଦ ଏବଂ ନୂତନହିଁ ଭଲ । ମାତ୍ର ସମସ୍ତେ ପ୍ରତୀଚ୍ୟ ଆଚାରାନୁଷ୍ଠାନ ପ୍ରଭୃତି ଅବିକଳ ଏହି ଦେଶକୁ ଆମଦାନୀ କରିବା କେବେହେଁ ଯୁକ୍ତି ସଙ୍ଗତ ଅଥବା ଶୁଭାବହ ହୋଇ ପାରେ ନାହିଁ, ଏ କଥା ଆମ୍ଭେମାନେ ସ୍ୱୀକାର କରିବୁ ନାହିଁ କି ? ଦେଶ କାଳ ଓ ପାତ୍ର ଅନୁସାରେ ବହୁତର ଆଚାରନୁଷ୍ଠାନ, ରୀତିପଦ୍ଧତି ସଫଳ ଓ ବିଫଳ ହୁଏ, ତାହା କିଏ ଅସ୍ୱୀକାର କରିବେ ? କିନ୍ତୁ ତାହା ବୋଲି ସମସ୍ତ ଉନ୍ନତିର ପଥ ରୁଦ୍ଧ କରିବା ଉଚିତ ନୁହେ । ପ୍ରାଚ୍ୟ, ପ୍ରତୀଚ୍ୟ, ଉଦ୍ୟଚ୍ୟ ଓ ଅବାଚ୍ୟ ସମସ୍ତ ମାନବସମାଜର ମୂଳରେ ଏକ ବିଶାଳ ମାନବତା ବିରାଜିତ ରହିଅଛି । ସେହିମାନବତା ଏହି ବୈଚିତ୍ର୍ୟ ମଧ୍ୟରେ ସାମ୍ୟର ସୂଚନା କରି ଦେଉଅଛି ଏବଂ ଏହି ପୃଥିବୀବ୍ୟାପୀ ମାନବସମାଜର ଏକ ବିରାଟ ଭାତୃଭାବ ଜ୍ଞାପନ କରୁଅଛି । ଯାହା ସେହି ମୌଳିକ ମାନବତାର ଅନୁକୂଳ ଓ ତାହା ସହିତ ସଂପୃକ୍ତ, ତାହା ଦେଶକାଳ-ପାତ୍ର-ନିର୍ବିଶେଷରେ ସମସ୍ତ ସମାଜରେ ଗ୍ରହଣୀୟ-ତାହା ଗ୍ରହଣରେ ଜାତିଭେଦ ଅଥବା ଦେଶଭେଦ ନାହିଁ । ଯେପରି ଏକମାତ୍ର କାରଣରୁ ସମସ୍ତ ଜାତି ମଧ୍ୟରେ ଏକ ରୋଗର ଆବିର୍ଭାବ ହୁଏ ଏବଂ ଏକହିଁ ଔଷଧ ପ୍ରୟୋଗରେ ସେହି ସମସ୍ତ ଜାତି ମଧ୍ୟରେ ସେହି ରୋଗର ପ୍ରଶମନ ହୋଇଥାଏ, ସେହି ରୂପ ଏକମାତ୍ର କାରଣରୁ ସର୍ବ ଦେଶରେ ଏବଂ ସର୍ବ ସମାଜରେ ଏକହିଁ ପ୍ରକାର ନିର୍ବେଦ ଓ ଚାଞ୍ଚଲ୍ୟ ଉପସ୍ଥିତ ହୋଇଥାଏ ଏବଂ ଏକହିଁ ଉପାୟରେ ତାହାର ଶାନ୍ତି ବିଧାନ ହୋଇଥାଏ । କିନ୍ତୁ ସମସ୍ତ କ୍ଷେତ୍ରରେ ଏହି କଥା ତୁଲ୍ୟରୂପେ ଖଟିବ ନାହିଁ ପରା !

 

ପଣ୍ଡିତଦ୍ୱୟ ବିଦାୟ ନେଲେ ଏବଂ ମୁଁ ବ୍ରାହ୍ମଣୀତଟରେ ସାନ୍ଧ୍ୟ ଦୃଶ୍ୟରେ ମନକୁ ବୁଡ଼ାଇଦେଲି । ସେ ଦିନ ରଜନୀ ବଡ଼ ହାସ୍ୟମୟୀ ହୋଇ ଉଠିଥିଲା । ନିର୍ମଳ ନୀଳାକାଶରେ ଶୁକ୍ଳା ତ୍ରୟୋଦଶୀର ଚନ୍ଦ୍ର ଭାସୁଥିଲା । ସିତ-କିରଣ-ସ୍ମିତା ବ୍ରାହ୍ମଣୀ ଲୀଳାଚଞ୍ଚଳା, ହାସ୍ୟମୁଖରା ଯୁବତୀ ଭଳି ନାଚି ନାଚି ଚାଲି ଯାଉଥିଲା; ବାଲୁକା-ବେଳାରେ ତାହାର ରୂପ-ଭାତି ପ୍ରତିଭାତ ହୋଇ ସ୍ୱପ୍ନମୟ ହୀରକ ରାଜ୍ୟର ସୃଷ୍ଟି କରୁଥିଲା; ପ୍ରିୟ-ସମାଗମ ବିହ୍ୱଳା ଅଭିସାରିକା ପ୍ରାୟ ପକୃତିଙ୍କ ରୁଦ୍ଧ ଅନ୍ତରର ସମସ୍ତ ଆନନ୍ଦରାଶି ଛଣା-କିରଣ ଧୁଆ ନଗ୍ନବାଲୁକା ବକ୍ଷରେ ଉଚ୍ଛ୍ୱାସିତ ହୋଇ ଉଠୁଥିଲା ! ଅପର ଦିଗରେ ଗ୍ରାମ-ବଳୟିତ ସୁବିସ୍ତୀର୍ଣ୍ଣ ପ୍ରାନ୍ତର ମୋହାଚ୍ଛନ୍ନବତ୍ ବୋଧ ହେଉଥିଲା-। ଦୂରସ୍ଥିତ ଆମ୍ରକୁଞ୍ଜସମୂହର ଶୀର୍ଷଦେଶ ଚନ୍ଦ୍ରାଲୋକରେ ଗଗନ-ବିଲମ୍ବିତ କୃଷ୍ଣ ମେଘସ୍ତର ପ୍ରାୟ ପ୍ରତୀୟମାନ ହେଉଥିଲା । ନଦୀବକ୍ଷରେ ବିଭିନ୍ନ ଆକାରର କାଠୁଆଗୁଡ଼ିକରେ (କ୍ଷୁଦ୍ର ନୌକାଅଥବା ଡଙ୍ଗା) କେଉଟମାନେ ମାଛ ଧରିବାରେ ନିଯୁକ୍ତ ଥିଲେ । ଏମାନଙ୍କ ‘ଚକ୍‌ମକି ମୁଣି’ରୁ ମଧ୍ୟେ ମଧ୍ୟେ ପିକା ଲଗାଇବାକୁ ଯେଉଁ ଅଗ୍ନି ବାହାରୁଥିଲା, ନୈଶ କୁଜ୍‌ଝଟିକା ମଧ୍ୟରୁ ତାହା ଦୂରଗଗନବର୍ତ୍ତୀ ନକ୍ଷତ୍ର ପରି ପ୍ରତୀୟମାନ ହେଉଥିଲା !

 

ବିମଳ ଜ୍ୟୋତ୍ସ୍ନା ତରଳ ଜ୍ୟୋତିଃ ଢାଳି ସମସ୍ତ ପଦାର୍ଥ ‘‘ମଳମା-ଅମ୍ବରେ’’ ଆବୃତ କରିଅଛି । ପ୍ରକୃତି ଶାନ୍ତ । ସମ୍ମୁଖରେ ବ୍ରାହ୍ମଣୀ ନଦୀ ଗୈରିକ ଉପକୂଳ ବିଧୋତ କରୁଁ କରୁଁ ଚନ୍ଦ୍ରମା ଓ ଅଗଣ୍ୟ ନକ୍ଷେତ୍ରପୁଞ୍ଜର ଛାୟା ବକ୍ଷରେ ଧାରଣ କରି ଅବିଶ୍ରାନ୍ତ ଭାବରେ ପ୍ରଧାବିତା ।

 

ଚନ୍ଦ୍ରର ହ୍ରାସ ବୃଦ୍ଧି ଭଳି ମନୁଷ୍ୟ-ଜୀବନରେ ସୁଖର ହ୍ରାସବୃଦ୍ଧି ରହିଅଛି । ମାନବର ଅବସ୍ଥା ଏବଂ ପରିବର୍ତ୍ତନ ନିୟତ ପ୍ରକୃତି ପଟରେ ଅଭିନୀତ ହୁଏ । ଶୁକ୍ଳପକ୍ଷ ଏବଂ କୃଷ୍ଣପକ୍ଷ ଯେପରି ବାହାରେ ଦେଖୁଁ, ଅନ୍ତର-ରାଜ୍ୟରେ ମଧ୍ୟ ସେହିପରି ଦୃଷ୍ଟ ହୁଏ । ହ୍ରାସ ଓ ବୃଦ୍ଧି, ତିରୋଧାନ ଓ ଆବିର୍ଭାବରେ ସୌନ୍ଦର୍ଯ୍ୟର ବିଶେଷତ୍ୱ ରହିଅଛି । ଆମ୍ଭମାନଙ୍କର ପ୍ରତ୍ୟେକର ଜୀବନରେ ସୁଖ, ଦୁଃଖ, ଆଶା, ନୈରାଶ୍ୟ, ଉତ୍ସାହ, ଅବସାଦ ପ୍ରଭୃତିର ଉଦୟ ଏବଂ ବିଲୟରେ ଏକପ୍ରକାର ବିଷାଦ-କୋମଳ ସୌନ୍ଦର୍ଯ୍ୟ ରହିଅଛି । କିନ୍ତୁ ଯେତେବେଳେ କୃଷ୍ଣପକ୍ଷ ଆସେ, ସେତେବେଳେ ଆମ୍ଭେମାନେ ପୁଣି ଶୁକ୍ଳପକ୍ଷର ରମଣୀୟତା ଦେଖିବୁଁ । ଏ ବିଶ୍ୱାସ, ଏ ଆଶା ରହିଥାଏ, ଅଥଚ ଜୀବନର ପରୀକ୍ଷାରେ ଆମ୍ଭେମାନେ ଥରେ ଦୁଃଖରେ ପଡ଼ିଗଲେ ଆଉ ସୁଖର ଆଶା କରୁ ନାହିଁ, ଥରେ ବିପଦରେ ପଡ଼ିଗଲେ, କେତେବେଳେ ସମ୍ପଦର ମୁଖ ଦେଖିଅଛୁଁ ବୋଲି ସ୍ମରଣ ହୁଏ ନାହିଁ, ପୁଣି ଯେ ଦେଖିବୁଁ ଏ ଭରସା ମଧ୍ୟ ରହେ ନାହିଁ । ଆମ୍ଭେମାନେ ଯେବେ ଥରେ ନିରାଶାର ଓ ସଂଶୟର ଦାରୁଣ ଅନ୍ଧକାର ମଧ୍ୟରେ ବାଟବଣା ହେଉଁ ତାହା ହେଲେ ପୁଣି ଆମ୍ଭମାନଙ୍କ ଭାଗ୍ୟ ଯେ ସୁପ୍ରସନ୍ନ ହେବ, ପୁଣି ଆମ୍ଭେମାନେ ଆଶା ଓ ବିଶ୍ୱାସର ଆଲୋକରେ ଉତ୍‌ଫୁଲ୍ଲ ହେବୁଁ, ଏହି ସାହସ ଟିକକ ରହେ ନାହିଁ । ଆମ୍ଭେମାନେ ପ୍ରାକୃତିକ ନିୟମରେ ସ୍ଥିର ବିଶ୍ୱାସୀ, କିନ୍ତୁ ଆଧ୍ୟାତ୍ମିକ ରାଜ୍ୟରେ ଯେ ସେହି ଏକ ନିୟମ ଓ ଶୃଙ୍ଖଳା ବ୍ୟାପ୍ତ ରହିଅଛି; ତାହା ଆମ୍ଭମାନଙ୍କ ଧାରଣା ନାହିଁ । ବିଶ୍ୱର ମଙ୍ଗଳ ନିୟମରେ ଏବଂ ମାନବର ଅନନ୍ତ କଲ୍ୟାଣରେ ଯାହାର ଆସ୍ଥା ନାହିଁ, ଏହି ଜୀବନ-ସଂଗ୍ରାମର ଭାଗ୍ୟ-ପରିବର୍ତ୍ତନ ମଧ୍ୟରେ ଅଟଳ ରହିବା ତାହାର ସାଧ୍ୟାୟତ୍ତ ନୁହେ ।

 

ବ୍ରାହ୍ମଣି ! ଶଙ୍ଖ ଓ କୋଇଲି ନାମକ ସ୍ୱଚ୍ଛସଲିଳା ପାର୍ବତ୍ୟ ଉପନଦୀଦ୍ୱୟର ସଂମିଶ୍ରଣରେ ବ୍ୟାସାଶ୍ରମ ନିକଟରୁ ନାମ ଧାରଣ କରି ତୁ ଗାଙ୍ଗପୁର, ବଣେଇ, ବାମଣ୍ଡା, ତାଳଚେର, ଢେଙ୍କାନାଳ, ସୁକିନ୍ଦା ପ୍ରଭୃତି ରାଜ୍ୟ ମଧ୍ୟରେ ବହି କନିକା ରାଜ୍ୟରେ ଭୀଷଣ ଘଡ଼ିଆମାଳ ନାମରେ ପରିଚିତା ହୋଇଅଛୁ । ସେଠାରେ ତୋହର ମଧୁର-ପ୍ରକୃତି ଏକାବେଳକେ ଉଦ୍ଦାମଭାବରେ ପରୁପୂର୍ଣ୍ଣ, ତରଙ୍ଗ ଉପରେ ତରଙ୍ଗ ଉଠି ଦର୍ଶକମାନଙ୍କୁ ସର୍ବଦା ଭୀତିବିହ୍ୱଳ କରୁଅଛି । ସେଠାରେ ତୋହର ଏଭଳି ଜ୍ୟୋତ୍ସ୍ନା ଦୃଶ୍ୟରେ ମନ ପୁଲକିତ ହୁଏ ନାହିଁ, ଚମକିତ ହୁଏ-। ତୋହର ଏ ସ୍ଥାନର ସୁଷମା ସେଠାରେ ଗମ୍ଭୀର ଏବଂ ଭୟାବହରୂପରେ ପରିଣତ ହୋଇଯାଏ । ସମୁଦ୍ର ଆଡ଼କୁ ପ୍ରବାହିତ ହୋଇ ଅନନ୍ତ ଅକୂଳ ସମୁଦ୍ର ମଧ୍ୟରେ ଆତ୍ମବିସର୍ଜନ କରି ମହତ୍ ଚରିତାର୍ଥତା ଲାଭ କରିବୁ ବୋଲି ଏସବୁ କୋମଳ ପ୍ରକୃତି ଛାଡ଼ି ଦେଇ ତୁ ଏହି ଭୀଷଣ ଭାବ ଧାରଣ କରୁ କି ? ଜଣେ ‘‘ନଦୀ କାହାକୁ କହନ୍ତି’’ ଏ ପ୍ରଶ୍ନର ଉତ୍ତର ପରିହାସଚ୍ଛଳରେ ଯାହା କହିଥିଲେ, ତାହା ମୋହର ସ୍ମରଣ ହେଉଅଛି । ‘‘ଉଚ୍ଚ କୂଳରେ ଜନ୍ମି ଯେ ନିଜର ତରଳତା ଦୋଷରେ ନିଜେ ଭାସି ଯାଉଁ ଯାଉଁ ଶେଷରେ ଉଭୟ କୂଳ ଭସାଇ ସାଗର ସଙ୍ଗମରେ ପଡ଼ିଯାଏ, ତାହାକୁ ନଦୀ କହନ୍ତି ।’’

Image

 

ଚଢ଼େଇରଗଡ଼ାରେ ସାୟାହ୍ନ

 

ଉତ୍କଳ ପ୍ରକୃତିଙ୍କର ପ୍ରିୟ ନିକେତନ ଢେଙ୍କାନାଳ ଗଡ଼କୁ ଆସି ଚଢ଼େଇରଗଡ଼ା ବଙ୍ଗଳାରେ ଅବସ୍ଥାନ କଲେ ଚତୁର୍ଦ୍ଦିଗସ୍ଥ ସୌନ୍ଦର୍ଯ୍ୟରେ ମନଃ ପ୍ରାଣ ବିମୋହିତ ହେବା ସ୍ୱାଭାବିକ । ସୌନ୍ଦର୍ଯ୍ୟହିଁ ଈଶ୍ୱରଙ୍କର ଜଗତ୍‌ବ୍ୟାପୀ ଅନନ୍ତ ଐଶ୍ୱର୍ଯ୍ୟ ଏବଂ ଚଢ଼େଇରଗଡ଼ା ଶିଖରରୁ ଏହି ଐଶ୍ୱର୍ଯ୍ୟ ଅନୁଭୂତିର ସୋପାନ ପ୍ରଦର୍ଶନୀ ହୃଦୟ ତନ୍ମୟ କରାଇ ଦିଏ ।

 

ସୁଦୀର୍ଘ ପାଣିଓହଳା ପର୍ବତ ଘନାରଣ୍ୟରେ ଭୂଷିତ ହୋଇ ଢେଙ୍କାନାଳ ରାଜବାଟୀ ଉପରକୁ ସ୍ୱୀୟ ବିଶାଳ ଦେହ ଲମ୍ବାଇ ଦେଇଅଛି । ଏହାର ଅଦୂରରେ ସମବାହୁ ତ୍ରିଭୁଜାକୃତିର କୁଟୁଣିଆ ଶୈଳ ତ୍ରିକୋଣାକୃତି ଶରୀର ଘେନି ଦଣ୍ଡାୟମାନ । ଟିକିଏ ଦୂରକୁ ଧନୁକାକୃତିର ବିଶାଳ କୋରିଆ ପର୍ବତ । ଏହି ପର୍ବତର ପ୍ରତ୍ୟେକ ସ୍ତର ହିଂସ୍ର ଜନ୍ତୁରେ ପରିପୂର୍ଣ୍ଣ ଏବଂ ସମସ୍ତ ବର୍ଷବ୍ୟାପୀ ବ୍ୟାଘ୍ରାଦିର ଉତ୍ପାତ ଏଠାରେ ଲାଗି ରହିଥାଏ । ଅପର ପାର୍ଶ୍ୱରେ କପିଳାସ ମାର୍ଗ ନିକଟସ୍ଥ ମେଘା ପର୍ବତଟି ଗର୍ବସ୍ଥିତରୂପେ ଆକାଶ ଆଡ଼କୁ ମସ୍ତକ ଉତ୍ତୋଳନ କରିଅଛି-ଏହାର ଟିକିଏ ଦୂରକୁ ତିଗିରିଆ ପାହାଡ଼ର ଦ୍ୱିଶିରବିଶିଷ୍ଟ ପ୍ରକାଣ୍ଡ ଦେହ । ତିଗିରିଆ ପାହାଡ଼ ଡେଙ୍କାନାଳ ରାଜ୍ୟରେହିଁ ଅବସ୍ଥିତ, ଏହା ତିଗିରିଆ ରାଜ୍ୟର ନୁହେ । ଦୂରରେ ବିରାଟ କପିଳାସ ପର୍ବତଶ୍ରେଣୀର ତରଙ୍ଗାୟିତ ନୀଳିମା । ଅତିଦୂରରେ ଢେଙ୍କାନାଳ ରାଜ୍ୟସ୍ଥିତ ନିବିଡ଼ ଅରଣ୍ୟର ହାତୀଖେଦା ସମ୍ମୁଖସ୍ଥ ବିରାଟ ଉଦୟଗିରି ପର୍ବତର ଅସ୍ପଷ୍ଟ ନୀଳିମା ଦିଗନ୍ତ ଅଧିକାର କରିଅଛି ! ଭଗବାନଙ୍କ ଐଶ୍ୱର୍ଯ୍ୟର ଚତୁର୍ଦ୍ଦିଗରେ ପୂର୍ଣ୍ଣ ବିକାଶ ।

 

ଏହି ପ୍ରାକୃତିକ ଐଶ୍ୱର୍ଯ୍ୟ ମଧ୍ୟରେ ଢେଙ୍କାନାଳ ଗଡ଼ର ମନୁଷ୍ୟ ହସ୍ତନିର୍ମିତ ଅଟ୍ଟାଳିକା, ପୁଷ୍କରିଣୀ, ଦେବାଳୟ ପ୍ରଭୃତିର ଐଶ୍ୱର୍ଯ୍ୟ ଦ୍ୱୈତଭାବର ପରିଚୟ ପ୍ରଦାନ କରୁଅଛି । ଚଢ଼େଇରଗଡ଼ାର ଅଦୂରରେ ଭାଗୀରଥି-ସାଗରରୂପ ପ୍ରକାଣ୍ଡ ପୁଷ୍କରିଣୀ ଢେଙ୍କାନାଳ ରାଜ୍ୟର ମହାଯଶା ସ୍ୱର୍ଗୀୟ ନରପତି ଭାଗୀରଥିଙ୍କ କୀର୍ତ୍ତି ଘୋଷଣା କରୁଅଛି । ଏହି ପୁଷ୍କରିଣୀର ଚତୁଷ୍ପାର୍ଶ୍ୱ ଭ୍ରମଣର ପୂର୍ଣ୍ଣ ଉପଯୋଗୀ-ଅପରାହ୍ନରେ ପୁଷ୍କରିଣୀ-ବକ୍ଷ ମୃଦୁ ବାୟୁ-ହିଲ୍ଲୋଳରେ, ଅସଂଖ୍ୟ କ୍ଷୁଦ୍ର ତରଙ୍ଗର ସୃଷ୍ଟିକରେ । ପ୍ରତିବର୍ଷ ଚନ୍ଦନଯାତ୍ରାରେ ଏହାର ବକ୍ଷ ଗୀତବାଦ୍ୟମୁଖରିତ ହୋଇଥାଏ ଏବଂ ସେତେବେଳେ ନାଗରିକ-ଜନ-ପରିହିତ ପୁଷ୍ପରାଶିର ସୁଗନ୍ଧରେ ଗ୍ରୀଷ୍ମକାଳର ବାୟୁବିରହିତ ରାତ୍ରିଗୁଡ଼ିକ ସୁଦ୍ଧା ଆନନ୍ଦପୂର୍ଣ୍ଣ ହୋଇଥାଏ ।

 

ଅଦୂରରେ ଢେଙ୍କାନାଳର ମହାର୍ଘ୍ୟ ହର୍ମ୍ୟଶ୍ରେଣୀ ଏବଂ ରାଜପଥ ସମୂହ ସୁସ୍ପଷ୍ଟ ଦିଶୁଅଛି । ଏହି ହର୍ମ୍ୟଶ୍ରେଣୀଠାରୁ ସାଧାରଣ ଲୋକାଳୟ ଟିକିଏ ଦୂରବର୍ତ୍ତୀ । ସାଧାରଣ ଲୋକାଳୟ ବିପଣିଶ୍ରେଣୀରେ ଏବଂ ଗୃହ, ଦେବାଳୟ ପ୍ରଭୃତିରେ ସୁସଜ୍ଜିତ । ଏହି ଲୋକାଳୟ ମଧ୍ୟସ୍ଥିତ ରାଜପଥ ନିରନ୍ତର ପ୍ରବାହିତ ଜନସ୍ରୋତରେ ପ୍ଳାବିତ । ଲୋକାଳୟର ଶେଷାଂଶରେ ପ୍ରକାଣ୍ଡ ରାଜକୀୟ ଦାତବ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟର ଅଦୂରରେ କପିଳାସ ଯିବାର ମାର୍ଗ ଆମ୍ରୋଦ୍ୟାନ ମଧ୍ୟରେ ସର୍ପଗତି ପ୍ରାୟ ସ୍ୱୀୟ ରକ୍ତିମ ଦେହ ଲମ୍ବାଇ ଦେଇଅଛି । ଲୋକଳୟ ମଧ୍ୟସ୍ଥିତ ରାଜପଥ ଦାତବ୍ୟ ଚିକିତ୍ସାଳୟ ଦେଇ ଅନୁଗୋଳ ଏବଂ ତାଳଚେର ଗମନର ସୁଦୀର୍ଘ ରଥ୍ୟାରୂପରେ ପରିଣତ ।

 

ଲୋକାଳୟ ଅଥବା ତଳଗଡ଼ର ଦୂରରେ ଗୋଟିଏ ନିର୍ଜନ ସ୍ଥାନରେ ଢେଙ୍କାନାଳର ପୂର୍ବ ନରପତିମାନଙ୍କ ସମାଧି-କ୍ଷେତ୍ର ଅବସ୍ଥାପିତ । ଏଥି ମଧ୍ୟରୁ ବର୍ତ୍ତମାନ ନରପତିଙ୍କ ପିତା ଦୟାଦାକ୍ଷିଣ୍ୟ-ଦେଶାନୁରାଗାଦି ସଦ୍ଗୁଣର ଅବତାର ସ୍ୱର୍ଗୀୟ ରାଜା ଦୀନବନ୍ଧୁ ମହୀନ୍ଦ୍ରଙ୍କ ସମାଧି ଦେଖି ମୋହର ବାଲ୍ୟସ୍ମୃତି ଜାଗ୍ରତ ହୋଇଥିଲା । କଟକ ନଗରରେ ପଠଦ୍ଦଶାରେ ଏହାଙ୍କର ପରଲୋକପ୍ରାପ୍ତି ହୋଇଥିଲା ଏବଂ ମୁଁ ସେଠାରେ ସେହି ସମୟରେ ଉପସ୍ଥିତ ଥିଲି । ରାଜ୍ୟ-ପ୍ରାପ୍ତିର ଛ ମାସ ପୂର୍ବରୁ ଏହାଙ୍କ ପରଲୋକଗମନରେ ସେତେବେଳେ ସମଗ୍ର ଉତ୍କଳଖଣ୍ଡ ବିଷର୍ଣ୍ଣ ହୋଇଥିଲା । ସର୍ବହିତକାରୀ ନିଃଶ୍ୱାର୍ଥପ୍ରବୃତ୍ତିନିଚୟ ଏହାଙ୍କର ଭୂଷଣସ୍ୱରୂପ ଥିଲା ଏବଂ ଯୌବନର ଉଦ୍ଦାମ ପ୍ରକୃତିର ପରିବର୍ତ୍ତରେ ଯେ ଏହାଙ୍କଠାରେ ସରଳ ଓ ଅମାୟିକ ପ୍ରକୃତିର ବିକାଶ ଦେଖିଅଛି, ସେ ଏହାଙ୍କ ଅକାଳ ପରଲୋକଗମନରେ ସର୍ବଦା ଝୁରୁଥିବ । କିନ୍ତୁ ମନୁଷ୍ୟ ଯେ ବିଷୟ ଭାବି ନ ଥାଏ, ବିଧାତା ଅନେକ ପୂର୍ବରୁ ତାହା ଭାବି ରଖିଥାନ୍ତି, ତାହା ଉତ୍ତାରୁ ହଠାତ୍ ମନୁଷ୍ୟର ଆଶାଭଙ୍ଗ ଓ ଉତ୍ସାହଭଙ୍ଗ ହେବାର ଦେଖି ତାହାଙ୍କ ସର୍ବଦର୍ଶୀ ଦେବନେତ୍ରରୁ, ସହାନୁଭୂତିର ଅଶୁ ବିଗଳିତ ହୁଏ କି ନାହିଁ, କିଏ କହିବ ?

 

ସ୍ୱର୍ଗୀୟ ରାଜା ଦୀନବନ୍ଧୁଙ୍କ ଅନେକ ଗୋପନୀୟ ଦାନ ବିଷୟ ମୁଁ ପିଲାଦିନରୁ ଅବଗତ-। ଅଳ୍ପ ବୟସରେ କଟକ ନଗରୀରେ ତାହାଙ୍କ ଗୋପନଦାନ କଥା ସେତେବେଳେ ସର୍ବତ୍ର ଆଲୋଚିତ ହେଉଥିଲା । ହାୟ ! ସେ ଦିନ ଆଉ କାହିଁ ? ଆଜି କାଲି ଗୋପନ ରଖି ଦାନର ମାତ୍ରା କ୍ରମଶଃ କମ ଆସୁଅଛି । କୌଣସି ବ୍ୟକ୍ତି ଯେବେ ନାମ ଗୋପନ ରଖି ଦାନ କରନ୍ତି, ତେବେ ବୁଝିବାକୁ ହେବ ଯେ, ଦାତାଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆମ୍ଭେମାନେ ଅବଶ୍ୟ ସନ୍ଦିହାନ ।

 

‘‘ମୀନ-କେତନ’’ ଚିହ୍ନାଙ୍କିତ ଢେଙ୍କାନାଳ ରାଜବାଟୀ ଚିର ଶ୍ୟାମଳ ଓ ଚିର ହରିତ୍ ପାଣିଓହଳା ପର୍ବତ ମଧ୍ୟରୁ ଅତି ଚମତ୍କାର ଦିଶୁଅଛି । ପଶ୍ଚାତର କଳା ମଧ୍ୟରୁ ସମ୍ମୁଖର ଧଳା ବାହାରିବାର ଶୋଭା ସମସ୍ତେ ଅନୁଭବ କରିଥାନ୍ତି । ଢେଙ୍କାନାଳ ରାଜବାଟି ଅତି ପ୍ରକାଣ୍ଡ ହେଲେହେଁ ଆଜିକାଲି ରାଜା ଶୂରପ୍ରତାପଙ୍କ ହେତୁ ଏହା ନାନା ପ୍ରକାରରେ ନାନା ଶୋଭା ଏବଂ ଉନ୍ନତିମାର୍ଗରେ ଅଗ୍ରସର ହେଉଅଛି ଏବଂ ନାନା ପରିବର୍ତ୍ତନ ଏବଂ ପରିବର୍ଦ୍ଧନ ଲାଗିଅଛି । ରାଜା ଶୂରପ୍ରତାପ ଛ ମାସ ବୟସରୁ ପିତୃହୀନ ହୋଇ ସ୍ନେହମୟୀ ଜନନୀ ରାଣୀ ଅନ୍ନପୂର୍ଣ୍ଣାଙ୍କ କ୍ରୋଡ଼ରେ ଲାଳିତ ହୋଇ ଆଜି ଆଦର୍ଶ ରାଜାରୂପେ ଢେଙ୍କାନାଳ ରାଜ୍ୟ ଅଳଙ୍କୃତ କରିଅଛନ୍ତି । ମାତୃ-ଆଶୀର୍ବାଦ ତାହାଙ୍କ ମସ୍ତକରେ ଅନନ୍ତ ସୁଖର ଅମୋଘ ପବିତ୍ରତାସ୍ୱରୂପ ଅଜସ୍ର ବୃଷ୍ଟି ହେଉଅଛି ଏବଂ ରାଜା ଶୂରପ୍ରତାପଙ୍କ ଭଳି ପ୍ରକୃତ ମାତୃଭକ୍ତ ସନ୍ତାନ ଆଜିକାଲିକାର ସଂସାରରେ ନିତାନ୍ତ ଅଳ୍ପ, ଏହା ନିଃସଙ୍କୋଚରେ ବୋଲାଯାଇ ପାରେ । ବିଶାଳ ରାଜ୍ୟଭାର ବହନ କରି ନାନା ରାଜକାର୍ଯ୍ୟର ଜଟିଳତା ମଧ୍ୟରେ ଆକଣ୍ଠ ନିମଜ୍ଜିତ ରହି ସୁଦ୍ଧା ଆଜି ପର୍ଯ୍ୟନ୍ତ ଏ ମାତୃଆଜ୍ଞାର ଏକାନ୍ତ ବଶବର୍ତ୍ତୀ-ଏ ବିଷୟରେ ରାଜା ଶୂରପ୍ରତାପହିଁ ଏକମାତ୍ର ଆଦର୍ଶ ସ୍ଥଳ ।

 

ପ୍ରଥିତଯଶା ଭୂତପୂର୍ବ ଢେଙ୍କାନାଳର ନରପତି ରାଜା ଭାଗୀରଥିଙ୍କ ପରଲୋକଗମନ ଉତ୍ତାରୁ ଢେଙ୍କାନାଳ ରାଜ୍ୟ ଗଭର୍ଣ୍ଣମେଣ୍ଟଙ୍କ ତତ୍ତ୍ୱାବଧାରଣରେ ସୁଦୀର୍ଘକାଳ ରହି ରାଜା ଶୂରପ୍ରତାପଙ୍କ ପୂର୍ଣ୍ଣ ଶାସନାଧୀନରେ ଆସିବା ସମୟରେ ଢେଙ୍କାନାଳର ପ୍ରଜାବର୍ଗ ଆଶାପୂର୍ଣ୍ଣ ହୃଦୟରେ ଜଗଦୀଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ । ଗଭର୍ଣ୍ଣମେଣ୍ଟଙ୍କ ଦୀର୍ଘ ତତ୍ତ୍ୱାବଧାରଣରେ ଢେଙ୍କାନାଳ ରାଜ୍ୟର ପ୍ରଭୂତ ଉନ୍ନତି ସାଧିତ ହୋଇଥିଲା–ମାତ୍ର ରାଜା ଶୂରପ୍ରତାପଙ୍କ ଶାସନ ସମୟରେ ସମସ୍ତ ବିଷୟ ସଂରକ୍ଷିତ ଏବଂ ପରିବର୍ଦ୍ଧିତ ହେଉଅଛି । ବାଙ୍ଗରସିଙ୍ଗାର ପ୍ରକାଣ୍ଡ ପୋଲ ନବନିର୍ମିତ ହୋଇ ଅନୁଗୋଳ ଏବଂ ତାଳଚେର ମାର୍ଗର ସହସ୍ର ସହସ୍ର ପଥିକ ଏବଂ ଶକଟସମୂହର ଅସଂଖ୍ୟ ଉପକାର କରୁଅଛି । ଢେଙ୍କାନାଳ ରାଜ୍ୟସ୍ଥିତ ଅନୁଗୋଳ ସଡ଼କର ସମସ୍ତ ବଙ୍ଗଳାଗୁଡ଼ିକର ଯଥେଷ୍ଟ ଉନ୍ନତି ହୋଇଅଛି, ଏହା ସମସ୍ତେ ସ୍ୱୀକାର କରନ୍ତି । ପ୍ରସିଦ୍ଧ ସପ୍ତଶଯ୍ୟା ପର୍ବତର ସ୍ୱାସ୍ଥ୍ୟପ୍ରଦ ନିର୍ଝରଜଳ ୭ ମାଇଲ ଦୂରରୁ ଅଜସ୍ର ବ୍ୟୟରେ ଲୁହନଳାଦ୍ୱାରା ଢେଙ୍କାନାଳ ଦୁର୍ଗକୁ ଅଣାଇବାର ପ୍ରସ୍ତାବ ହେଉଅଛି । ରାଜା ଶୂରପ୍ରତାପ କୋମଳତାରେ ଗଠିତ, ମମତାର ଜୀବନ୍ତ ପ୍ରତିମୂର୍ତ୍ତି । କିନ୍ତୁ ବିଚାର ସମୟରେ ଦୁଷ୍ଠଦମନର ପ୍ରୟୋଜନ ହେଲେ ଏହି ଚରିତ୍ରରେ କଠୋରତାର ଆବିର୍ଭାବ ହୋଇଥାଏ । ମେଘମେଦୁର ଅମ୍ବରର ସଜଳ-ଜଳଦ-ଖଣ୍ଡର ଅଗ୍ନିମୟୀ ଫଣିନୀର ଦୀପ୍ତିମୟ ବିକାଶ ପ୍ରାୟ ଏହାଙ୍କ ମମତାମଣ୍ଡିତ ଚିତ୍ତରେ ସୁଦ୍ଧା କଠୋରତାର ଆବିର୍ଭାବ ହୋଇଥାଏ ।

 

ରାଜା ଶୂରପ୍ରତାପଙ୍କର ନିଜ ଧର୍ମରେ ଆସ୍ଥା ଦେଖିଲେ ହୃଦୟ ପୁଲକିତ ହୋଇଯାଏ । ସନାନ୍ତେ ଏହାଙ୍କର ନିଜ ବିଶ୍ୱାସ ଅନୁସାରେ ପ୍ରତ୍ୟହ ଉପାସନା ଏବଂ ଆହ୍ନିକ ପ୍ରଭୃତି ଅନୁଷ୍ଠାନର ବିଧି ଅଛି । ଏତଦ୍‌ବ୍ୟତୀତ ପ୍ରତ୍ୟହ ଆର୍ଯ୍ୟ-ସାହିତ୍ୟର ବିରାଟ ଅବଦାନ ‘ମହାଭାରତ’ରୁ କିୟଦଂଶ ପାଠ କରିଥାନ୍ତି । ମାନବଚରିତ୍ର-ଗହନରେ ନିଭୃତ ସ୍ୱପ୍ନକୁଞ୍ଜ ଅଥବା ଅପୂର୍ବ ଚରିତ-ସୃଷ୍ଟିର ସେହି ମାଧୁର୍ଯ୍ୟମୟୀ ଜ୍ୟୋତିଶ୍ଛଟାସ୍ୱରୂପ ମହାଭାରତ ପାଠରେ କି ଉପକାର ହୁଏ, ଏହା କାହାକୁ ବୁଝାଇବାକୁ ହେବ ନାହିଁ । ଧର୍ମ ଓ ସାହିତ୍ୟଶିକ୍ଷା ଏକାଧାରରେ ଯେଉଁ ବିରାଟ ଗ୍ରନ୍ଥରୁ ପ୍ରାପ୍ତ ହୁଏ, ସେହି ଗ୍ରନ୍ଥ ପାଠରେ ନିୟମିତ ଆସ୍ଥା ପ୍ରକୃତ ସୁବୁଦ୍ଧିର ପରିଚାୟକ । ଆମ୍ଭେମାନେ ହିନ୍ଦୁ-ସନ୍ତାନ, ଯେଉଁ ହିନ୍ଦୁ ଏକ ସମୟରେ ଧର୍ମ ଓ ଜ୍ଞାନରେ, ବିଦ୍ୟା ଓ ଚରିତ୍ରରେ, ତ୍ୟାଗ ଓ ଆଦର୍ଶରେ ଜଗତରେ ଶୀର୍ଷସ୍ଥାନୀୟଥିଲା, ସକଳ, ଜାତିର ଅନୁକରଣୀୟ ଥିଲା, ଯେଉଁ ଜାତିର ଅଷ୍ଟମବର୍ଷୀୟ ବାଳକ ଧ୍ରୁବ ଭକ୍ତିରେ ଏବଂ ମାତାଙ୍କ ସତ୍‌ଶିକ୍ଷା ଗୁଣରେ ସେହି ଅବାଙ୍‍ମନସଗୋଚର ସଚ୍ଚିଦାନନ୍ଦ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲା, ଯେଉଁ ଜାତିର ସନ୍ତାନଗଣ ଚିରକାଳ ସ୍ୱଧର୍ମରେ ରହି ଭଗବାନଙ୍କଠାରେ ସ୍ଥିର ବିଶ୍ୱାସ ଏବଂ ପ୍ରଗାଢ଼ ଭକ୍ତି ରଖି କର୍ତ୍ତବ୍ୟ ପଥରେ ଅଗ୍ରସର, ସେହି ହିନ୍ଦୁର, ସେହି ସନାତନ ଧର୍ମାବଲମ୍ବୀ ଭକ୍ତ ହିନ୍ଦୁରହିଁ ଆମ୍ଭେମାନେ ସନ୍ତାନ । ଯହିଁରେ ଆମ୍ଭେମାନେ ଚିର ଦିନ ଆମ୍ଭମାନଙ୍କ ଜାତୀୟତ୍ୱ-ହିନ୍ଦୁତ୍ୱ-ସନାତନଧର୍ମରେ ଆସ୍ଥା ଏବଂ ଭଗବାନଙ୍କଠାରେ ଭକ୍ତି ରଖି ପାରିବୁ, ଯହିଁରେ ଜାତୀୟତା ଭୁଲି କୁଶିକ୍ଷାର ପ୍ରଭାବରେ ଧର୍ମଜ୍ଞାନହୀନ ହୋଇ ଅଧଃପାତରେ ଯାଇ ନ ପାରୁଁ, ଯହିଁରେ ଆକଳ୍ପ ଗୌରବମୟ ହିନ୍ଦୁ ନାମରେ ଗୌରବାନ୍ୱିତ ରହିପାରୁଁ ସେଥିପାଇଁ ଯତ୍ନବାନ୍ ହେବା ଆମ୍ଭମାନଙ୍କର ସର୍ବାଗ୍ରରେ କର୍ତ୍ତବ୍ୟ ।

 

ରାଜା ଶୂରପ୍ରତାପ ଉତ୍କଳୀୟ ସାହିତ୍ୟର ରୀତିମତ ଉତ୍ସାହଦାତା ଏବଂ ରୀତିମତ ସାହିତ୍ୟର ଆରାଧନା କରିଥାନ୍ତି । ଯାହାହେଉ, କମଳାର କୃପାଭାଜନଗଣ ଯେ ଉତ୍କଳ-ବାଣୀଙ୍କ ଜୀର୍ଣ୍ଣମନ୍ଦିରରେ ପୂଜାର ଅର୍ଘ୍ୟ ଘେନି ଦୁଃସ୍ଥ ଭାଗ୍ୟହୀନ ସାହିତ୍ୟ-ସେବିମାନଙ୍କ ସହିତ ଏକ ପଂକ୍ତିରେ ଛିଡ଼ା ହେବାକୁ ପ୍ରୟାସୀ ଏହା ଉତ୍କଳ-ସାହିତ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଶୁଭାବହ, ଏଥିରେ ସନ୍ଦେହ ନାହିଁ । ଅଧୁନାତନ ଉତ୍କଳୀୟ ନୃପତିବର୍ଗଙ୍କ ମଧ୍ୟରେ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ, ସୋନପୁରର ମହାରାଜ ବୀରମିତ୍ରୋଦୟ, ଚିକିଟିର ରାଜା ରାଧାମୋହନ ରାଜେନ୍ଦ୍ର, ସୁରଙ୍ଗିର ରାଜା ଚନ୍ଦ୍ରଚୂଡ଼ାମଣି, ଟିକାଲିର ଯୁବରାଜ ଲକ୍ଷ୍ମୀନାରାୟଣ ପ୍ରଭୃତି ଉତ୍କଳ-ସାହିତ୍ୟର ପୂର୍ଣ୍ଣ ଉପାସକ ଏବଂ ତାଳଚେରର ରାଜା କିଶୋରଚନ୍ଦ୍ର, ଢେଙ୍କାନାଳର ରାଜା ଶୂରପ୍ରତାପ, ପାଟଣାର ମହାରାଜ ପୃଥ୍ୱୀରାଜ ଏବଂ କନିକାର ରାଜା ରାଜେନ୍ଦ୍ର ନାରାୟଣ ଉତ୍କଳ-ସାହିତ୍ୟର ଅକୃତ୍ରିମ ଉତ୍ସାହଦାତା ବୋଲି ଖ୍ୟାତି ଲାଭ କରିଅଛନ୍ତି । ଏହି ଭାରତରେ ଏକକାଳରେ ବଳ୍କଳ ମାତ୍ର ସମ୍ବଳ ସଂସାରରେ ନିଃସମ୍ବଳ ବାଣୀର ସେବକମାନଙ୍କ ଚରଣତଳରେ ରାଜରାଜେଶ୍ୱରଙ୍କ ମଣି-ମଣ୍ଡିତ ମୁକୁଟ ଅବନତ ହେଉଥିଲା, କିନ୍ତୁ ଭାରତର ଗୌରବ-ଭାସ୍କରର ଅସ୍ତଗମନ ସଙ୍ଗେ ସଙ୍ଗେ ସେ ଦିନ ଚାଲି ଯାଇଅଛି । ଅମାନିଶାର ଅନ୍ଧକାର ଧରାପୃଷ୍ଠ ଆବୋରି ପକାଇଅଛି । ସେହି ସୂଚିଭେଦ୍ୟ ଅନ୍ଧକାରରେ ଭାରତଗଗନରେ କେବଳ ମଣି ମୁକ୍ତାର ପ୍ରଭା ଝକ୍‌ମକ୍ ହେଉଅଛି, ବିଳାସିତାର ଅଟ୍ଟହାସ ଦଶଦିକ୍ ମୁଖରିତ କରି ରଖିଅଛି । ସେହି ତିମିରାବଗୁଣ୍ଠିତ ଅତି ଅମ୍ଫୁଟ ଆଲୋକରେ ଆମ୍ଭେମାନେ କେବଳ ଚାରିଆଡ଼େ ଆତ୍ମମ୍ଭରିତାର ପ୍ରଥମ ନର୍ତ୍ତନ ଦେଖି ଆସୁଅଛୁଁ । ସ୍ୱାଧୀନଚିତ୍ତତାରେ ଯେ ସାହିତ୍ୟର ବିକାଶ, ସେ ସାହିତ୍ୟ ଅତ୍ୟନ୍ତ ସଙ୍କୁଚିତ ହୋଇ ରହିଅଛି । ଏହି ଦୁଃସମୟରେ ଲକ୍ଷ୍ମୀର ବରପୁତ୍ରମାନଙ୍କୁ ବାଣୀର ମନ୍ଦିର ପ୍ରାଙ୍ଗଣରେ ପୂଜାର ଅର୍ଘ୍ୟହସ୍ତରେ ଦୀନ ସାହିତ୍ୟସେବିଗଣଙ୍କ ସହିତ ଏକତ୍ର ଦଣ୍ଡାୟମାନ ଦେଖି ମନେ ମନେ ଆଶା ହେଉଅଛି ଯେ, ଏ ଶର୍ବରୀ ପ୍ରଭାତ ହେବାକୁ ବିଳମ୍ବ ନାହିଁ । ଏହି ଦୁର୍ଦିନରେ ଏ ସୁଲକ୍ଷଣ ଶୁଭଶଂସୀ ସନ୍ଦେହ ନାହିଁ । ଆଜି କାଲି ସାହିତ୍ୟସେବିମାନଙ୍କ ମଧ୍ୟରେ ଅନେକେ କେବଳ ତରଳ ସାହିତ୍ୟ ପ୍ରଚାରର ପକ୍ଷପାତୀ-କିନ୍ତୁ ଏହି ତରଳ ସାହିତ୍ୟ ସହିତ ଜ୍ଞାନ ଗଭୀର ସାହିତ୍ୟର ବିକାଶଲାଭ ଦେଖିବାହିଁ ସମସ୍ତ ସାହିତ୍ୟସେବିଙ୍କ କର୍ତ୍ତବ୍ୟ ।

 

ଚଢ଼େଇରଗଡ଼ା ଶିଖରିର ଅପର ପାର୍ଶ୍ୱସ୍ଥ ଶିଖରୀ ଉପରେ ରାଜା ଶୂରପ୍ରତାପ ପ୍ରଧାନ କୀର୍ତ୍ତି ଏବଂ ‘‘ବିଦ୍ୟାଶକ୍ତି ରସ୍ତି’’ ର (Knowledge is power) ଚିହ୍ନସ୍ୱରୂପ ପ୍ରକାଣ୍ଡ ଉଚ୍ଚ ଇଂରାଜୀ ସ୍କୁଲଗୃହ । ଏହି ସ୍କୁଲଗୃହର ଅବସ୍ଥାନ ଦେଖି ମୋହର ପରମାରାଧ୍ୟ ୰ପିତୃଦେବ ଥରେ କହିଥିଲେ, ‘‘ଆଉ ଥରେ ପିଲା ହୋଇ ଏହି ସ୍କୁଲରେ ପଢ଼ିବା ସକାଶେ ଏବଂ ଏହି ଛାତ୍ରାବାସରେ ରହିବା ସକାଶେ ଇଚ୍ଛା ହେଉଅଛି ।’’ ସ୍କୁଲଗୃହ ଓ ଛାତ୍ରାବାସ କ୍ଷୁଦ୍ର ଶିଖରୀ ଉପରେ ଅବସ୍ଥିତ ଏବଂ ଛାତ୍ରାବାସକୁ ପ୍ରାକୃତିକ ଐଶ୍ୱର୍ଯ୍ୟ ବେଷ୍ଟନ କରି ରହିଅଛି କହିଲେ ଚଳେ । ପର୍ବତ ଓ ଅରଣ୍ୟର ଶ୍ୟାମଳିମାରେ ଚତୁର୍ଦ୍ଦିଗ ଭୂଷିତ । ପ୍ରକୃତିଙ୍କ ପ୍ରମୁକ୍ତ ପ୍ରାଙ୍ଗଣରେ ପ୍ରାକୃତିକ ଶିକ୍ଷାଲାଭ କରିବାର ସୁଯୋଗ ଏଠାରେ ସବୁବେଳେ ସୁଲଭ । ସ୍କୁଲଗୃହଟି ପ୍ରକାଣ୍ଡ ଅଟ୍ଟାଳିକା ହୋଇ ନ ଥିଲେ ଏହାକୁ କୌଣସି ଋଷିଙ୍କ ଆଶ୍ରମରେ ଶିଷ୍ୟବର୍ଗଙ୍କ ପାଠାଭ୍ୟାସଗୃହ ବୋଲି ସମସ୍ତଙ୍କର ଭ୍ରମ ଜନ୍ମିଥାନ୍ତା । ଉଚ୍ଚ-ଇଂରାଜୀ ସ୍କୁଲର ପାଠ୍ୟପୁସ୍ତକ ଅଧ୍ୟୟନ ବ୍ୟତୀତ ଏହି ମୁକ୍ତ ପ୍ରାକୃତିକ ଦୃଶ୍ୟ ମଧ୍ୟରେ ସହଜଭାବରେ ଯାହା ମିଳୁଅଛି, ସେହି ଶିକ୍ଷାହିଁ ପ୍ରକୃତ ଶିକ୍ଷା ବୋଲିବାକୁ ହେବ ।

 

ଏହି ପ୍ରାକୃତିକ ଶିକ୍ଷାର ସ୍କୁଲଗୃହ ସନ୍ଦର୍ଶନ କରି ଅନେକ ବିଷୟ ଏଠାରେ ମନେ ପଡ଼ିବା ସ୍ୱାଭାବିକ । ଧର୍ମର ବିମଳ ଜ୍ୟୋତି ନିର୍ମଳ ଛାତ୍ର ହୃଦୟରେ ଯେଭଳି ସ୍ୱତଃ ପ୍ରତିଫଳିତ ହୁଏ, ସଂସାର ପ୍ରବିଷ୍ଟ ବିଷୟ-ନିରତ ମଳିନହୃଦୟ ଯୁବକର ପଙ୍କିଳ ହୃଦୟରେ ସେଭଳି ହୁଏ ନାହିଁ-। ପ୍ରାତଃସ୍ମରଣୀୟ ପୂଜ୍ୟପାଦ ଆର୍ଯ୍ୟ ଋଷିଗଣଙ୍କର ପ୍ରଗାଢ଼ ମନସ୍ୱିତାର ମହାଫଳସ୍ୱରୂପ ଯାହାର ସୁଶୀତଳ ସ୍ନିଗ୍ଧପ୍ରଭାରେ ଏହି ଭାରତଭୂମି ଯୁଗ ଯୁଗାନ୍ତରରୁ କୌମୁଦୀ-ସ୍ନାପିତା ଶାରଦୀୟା ପୌର୍ଣ୍ଣମାସୀ ରଜନୀ ପ୍ରାୟ ସର୍ବଦା ମଧୁମୟୀ ଏବଂ ତୁଷାରମଣ୍ଡିତ ହିମାଳୟ-ଶିଖର ପ୍ରାୟ ସୁବିମଳ ପବିତ୍ରତାରେ ଉନ୍ନତ ରହିଅଛି, ବେଦାନ୍ତାଦି ଶାସ୍ତ୍ରନିହିତ ସେହି ତତ୍ତ୍ୱ-ଜ୍ଞାନ-ସୁଧାକରର ସୁଧାମୟ କିରଣ ସ୍ପର୍ଶରେ ଛାତ୍ରଗଣର ହୃଦୟ ପ୍ରଥମରୁ ଅଳ୍ପେ ଅଳ୍ପେ ସମୁଦ୍ଭାସିତ ହେବା ଉଚିତ ।

 

ସମୟର ପରିବର୍ତ୍ତନ ହେଉ ଅଥବା ଉଚ୍ଚ ଆଦର୍ଶର ଅନୁକରଣରେ ହେଉ, ଛାତ୍ରଗଣର ଶିରୀଷ-ସୁକୁମାର ହୃଦୟରେ ଯେଉଁ ସମସ୍ତ ଦେବସୁଲଭ ସଦ୍‌ବୃତ୍ତିସମୂହର ବିକାଶ ଦୃଷ୍ଟ ହୁଏ, ପରୋପକାର, ଆର୍ତ୍ତସେବା, ମଧୁର ଭ୍ରାତୃଭାବ ଓ ଧର୍ମପ୍ରବଣତା ଯାହାଙ୍କ ନିଦର୍ଶନସ୍ୱରୂପ, ସେହି ସଦ୍‌ବୃତ୍ତିସମୂହ କ୍ରମଶଃ ପରିପୃଷ୍ଟ ହୋଇ ଛାତ୍ରମାନଙ୍କୁ ଯହିଁରେ ଦେବଶିଶୁରେ ପରିଣତ କରିପାରେ, ତଦ୍ୱିଷୟରେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଥିବା ଉଚିତ । କ୍ଷୁଦ୍ରତମ ବୀଜ ମଧ୍ୟରେ ଶାଖାପଲ୍ଲବଯୁକ୍ତ ପ୍ରକାଣ୍ଡ ବଟବୃକ୍ଷ ପ୍ରାୟ ପ୍ରତ୍ୟେକ ଆର୍ଯ୍ୟକୁଳ-ସମ୍ଭୂତ ବାଳକ ମଧ୍ୟରେହିଁ ଦେବତ୍ୱର ମହାତରୁ ପ୍ରଚ୍ଛନ୍ନ ରହିଅଛି, ଉପଯୁକ୍ତ ସାହାଯ୍ୟର ଅଭାବରୁ ତାହାର ଯଥାର୍ଥ ଅଭିବ୍ୟକ୍ତି ହୋଇ ପାରୁନାହିଁ । ମୁନି-ଋଷିମାନେ ଯାହାଙ୍କର ପୂର୍ବପୁରୁଷ, ସେମାନଙ୍କର ହୃଦୟ କେତେବେଳେ ଅନୁର୍ବରତାଦୁଷ୍ଟ ହୋଇ ନ ପାରେ, କେବଳ ଉପଯୁକ୍ତ କର୍ଷଣ ଅଭାବରୁ ତାହା ବର୍ତ୍ତମାନ ଅସାର ଶସ୍ୟରାଜିରେ ସମାଚ୍ଛନ୍ନ ହୋଇ ରହିଅଛି । ଉପଯୁକ୍ତରୂପେ କର୍ଷିତ ହେଲେ ପୂର୍ବ ଶକ୍ତିଲାଭ ବିଚିତ୍ର ନୁହେ ।

 

ଉଷାର ରୁଣରାଗରଞ୍ଜିତ ପ୍ରଭାତ ସଦୃଶ ଛତ୍ରଗଣର ହୃଦୟ ଯହିଁରେ ପ୍ରେମ ଓ ଭକ୍ତିର ପ୍ରଥମ ବିକାଶରେ ମଧୁମୟ ହୁଏ, ତହିଁ ସକାଶେ ମନୋଯୋଗୀ ହେବା ବିଶେଷ ଆବଶ୍ୟକ । ଅର୍ଥକାରୀ ବିଦ୍ୟାଶିକ୍ଷା ସଙ୍ଗେ ସଙ୍ଗେ ବାଲ୍ୟକାଳରୁ ପବିତ୍ର ଧର୍ମଶିକ୍ଷାର ସମାବେଶ ଏକାନ୍ତ ବାଞ୍ଛନୀୟ । ଗନ୍ଧହୀନ କୁସୁମ, ଜଳହୀନ ସରୋବର ଏବଂ କୁସୁମ-ଶୂନ୍ୟ ତରୁଲତା ପ୍ରାୟ ଧର୍ମଶୂନ୍ୟ ଶିକ୍ଷା ନିତାନ୍ତ କର୍କଶ ବୋଲି ପ୍ରତୀତ ହୁଏ ।

 

ଛତ୍ରଗଣଙ୍କ ମଧ୍ୟରେ ଅକଞ୍ଚିତ୍‍କର ଓ ଅନାବଶ୍ୟକ ବୈଦେଶିକଭାବରେ ଅଭିବ୍ୟକ୍ତି ସ୍ୱଦେଶୋଚିତ ବିନୟରେ ବାଧା ପ୍ରଦାନକରେ ଏବଂ ଏହା ସ୍ୱର୍ଗାଦପି ଗରୀୟସୀ ଜନ୍ମଭୂମି ପ୍ରତି ଅନୁରାଗ ଶିଥିଳତାର ପୂର୍ବବର୍ତ୍ତୀ କାରଣ । ସ୍ୱଧର୍ମ ଓ ମାତୃଭାଷା ପ୍ରତି ଆସ୍ଥା ନ ଥିଲେ ଜନନୀ ଜନ୍ମଭୂମିର ସୁସନ୍ତାନ ବୋଲି ଗୌରବ ପ୍ରକାଶର ଅବସର ନ ଥାଏ । ଜାତୀୟ ଭାବ ସାମୟିକ ବକ୍ତୃତାର ଫଳ ନୁହେ, ମହାପୁରୁଷଗଣଙ୍କ ବହୁ ସାଧନାର ମଙ୍ଗଳମୟ ଫଳସ୍ୱରୂପ । ଆତ୍ମ-ସମ୍ମାନ-ବୋଧର ସୁବିମଳ ଜ୍ୟୋତିଃଦ୍ୱାରା ଯାହାର ହୃଦୟ ଉଦ୍ଭାସିତ ହୋଇ ନାହିଁ, ସେ କେବେହେଁ ଏଭଳି ସ୍ୱର୍ଗୀୟ ଫଳର ଅମୃତମୟ ମଧୁରିମା ଉପଲବ୍ଧି କରି ପାରିବ ନାହିଁ । ଭିନ୍ନଦେଶୀୟ ଉପାଦାନରେ ମନୋବୃତ୍ତ ଗଠିତ ହେଲେ ଏବଂ ବୈଦେଶିକ ଆଚାର-ବ୍ୟବହାର ହୃଦୟରେ ବଦ୍ଧମୂଳ ହେଲେ, ‘‘ଜାତୀୟତା’’ ଏହି କଥାଟି ଆକାଶକୁସୁମଭଳି ଶବ୍ଦମାତ୍ରରେ ହିଁ ପର୍ଯ୍ୟବସିତ ହୋଇଯାଏ । ବ୍ୟକ୍ତିଗତ ଓ ସମାଜଗତ ଅଶୁଭକର ପ୍ରଥାସମୂହର ସମୂଳରେ ଉଚ୍ଛେଦ ସାଧନ ନ ହେଲେ ଜାତୀୟ ଭାବ କେବେହେଁ ପରିପୁଷ୍ଟ, ଉଜ୍ଜ୍ୱଳ ଓ ଗୌରବାନ୍ୱିତ ହୋଇ ନ ପାରେ ।

 

ଚଢ଼େଇରଗଡ଼ା ଉପରୁ ସାୟାହ୍ନର ଶୋଭା ହୃଦୟରେ ଲାଗି ରହିଥିଲା । ଦୀନା ଭାଷାରେ ଏଭଳି ଶବ୍ଦ-ସମ୍ପଦ ନାହିଁ, ଯାହା ମୋହର ପ୍ରାଣର କଥା ବ୍ୟକ୍ତ କରିଦେଇ ପାରିବ । ତଳେ ଅନୁଗୋଳ ମାର୍ଗରେ ରାଶି ରାଶି ଶକଟଚକ୍ରର ଏବଂ ବଳଦଗଳଘଣ୍ଟାର ସ୍ୱାଭାବିକ ଶବ୍ଦ ସହିତ ଶିଖରିସ୍ଥ ପ୍ରକାଣ୍ଡ ଶିଆଳୀ ଲତା ଉପରେ ଆଶ୍ରୟାନ୍ୱେଷୀ ପକ୍ଷିଗଣଙ୍କ କାକଳୀ ମିଶି ସ୍ଥାନକୁ ଶବ୍ଦବୈଚିତ୍ର୍ୟରେ ପୂର୍ଣ୍ଣ କଲା । ପ୍ରାଣର ପବିତ୍ର ମନ୍ଦିରରୁ ଅନେକ ପରିମଳ ସଂପୃକ୍ତ ଭାବ-କୁସୁମ ମୋହର ନୀରବ-ଭାଷାଦ୍ୱାର ମାର୍ଗରେ ବାହାରି ପଡ଼ିଲା । ଅସ୍ତଗାମୀ ସୁବର୍ଣ୍ଣ ସୂର୍ଯ୍ୟର ଶେଷ ରଶ୍ମିରେ ବୃକ୍ଷସମୂହର ଛାୟା ପର୍ବତ ଏବଂ ପ୍ରାନ୍ତର ବକ୍ଷରେ ବିଲମ୍ବିତ ହେଲା, ବାୟୁକମ୍ପିତ ବଂଶ-କୁଞ୍ଜ ଏବଂ ଆମ୍ରବୃକ୍ଷ ଶୀର୍ଷରୁ ସର୍ ସର୍ ଶବ୍ଦ ଉଠୁଥିଲା-ଏହା ଠିକ୍ ମୋହର ଆକୁଳ ଦୀର୍ଘଶ୍ୱାସର ଅନୁରୂପ । ବାଲ୍ୟ ଜୀବନରେ କେତେ ଆଶା, କେତେ ଆକାଙ୍କ୍ଷା ଥିଲା, ସହସ୍ର ଆକାଶକୁସୁମ କଳ୍ପନା ନେତ୍ର ସମ୍ମୁଖରେ ପ୍ରତିଦିନ ପ୍ରସ୍ଫୁଟିତ ହୋଇ ଉଠୁଥିଲା; ଜୀବନର ସଫଳତା ପ୍ରଭୃତିର ସମସ୍ତ ଆଶା ସନ୍ଧ୍ୟାର ଆଲୋକରେଖା ପ୍ରାୟ ଗୋଟିଏ ଗୋଟିଏ ବିଦାୟ ଗ୍ରହଣ କରିଅଛି, ବର୍ତ୍ତମାନ ହୃଦୟ ଅବସନ୍ନ । ସେହିହେତୁରୁ ଆମ୍ରପତ୍ରର ଅର୍ଥହୀନ ମର୍ମର ଧ୍ୱନି, ସାୟାହ୍ନରୁ ଦୀପ୍ତିହୀନ ସୃର୍ଯ୍ୟାଲୋକ ଏବଂ କର୍ମଶ୍ରାନ୍ତ ଦିବସର ଶିଥିଳତା ମିଶ୍ର କୋଳାହଳ ମୋତେ ବଡ଼ ଭଲ ବୋଧ ହେଉଥିଲା । ମୋହର ହୃଦୟ-ଅଭ୍ୟନ୍ତରରୁ ସେମାନେ ବେଦନାର ରୁଦ୍ଧ ଅଶ୍ରୁ ନୟନପ୍ରାନ୍ତକୁ ଟାଣି ଆଣିଲେ । ପୂଜନୀୟ ୰ପିତୃଦେବଙ୍କ ସହିତ ଏଠାରେ ଚାରିଦିନ ଅବସ୍ଥାନ ଏବଂ ପ୍ରକୃତିସମ୍ବନ୍ଧୀୟ ଉପଦେଶସମୂହ ସ୍ମରଣ କରି ହୃଦୟ ବ୍ୟଥିତ ହେଲା । ସେ ଉପଦେଶର ମାହାତ୍ମ୍ୟ ଅନୁଭବ କରିବାର ଶକ୍ତି ଆଜି ମୋହର କାହିଁ ? ଗୋଟାଏ ଉଚ୍ଛ୍ୱସିତ ଦୀର୍ଘ ନିଶ୍ୱାସକୁ ହୃଦୟ ମଧ୍ୟରେ କଷ୍ଟରେ ଧାରଣ କରି କହି ଉଠିଲି, ‘‘ହେ ଭଗବାନ୍ ।’’

 

ସନ୍ଧ୍ୟା ପୂର୍ବରୁ ତିନୋଟି ବନ୍ଧୁଙ୍କ ଶୁଭାଗମନ ମୋହ ପକ୍ଷରେ ପ୍ରୀତି-ପ୍ରଦ ହେଲା ଏବଂ ପ୍ରାୟ ଏକ ଘଣ୍ଟା ସାହିତ୍ୟ ସମ୍ବନ୍ଧୀୟ ଆଲୋଚନାରେ ମନ ପ୍ରଫୁଲ୍ଲ ହୋଇଥିଲା । ରାଜା ଶୂରପ୍ରତାପଙ୍କ ଅନୁଗ୍ରହ ଯୋଗୁଁ ତାହାଙ୍କ ମନ୍ତ୍ରଣାସଚିବ ବାବୁ ଚନ୍ଦ୍ରଶେଖର ପାଣିଙ୍କ ସାହିତ୍ୟସେବା କ୍ରମଶଃ ଉନ୍ନତ ହେଉଅଛି । ଭାଷାର କୋମଳତାରେ, ଭାବରେ ମଧୁରତାରେ, ବିକାଶର ଦକ୍ଷତାରେ ଏବଂ ପ୍ରୟୋଗର ଶିଷ୍ଟତାରେ ଚନ୍ଦ୍ରଶେଖର ବାବୁଙ୍କର ରସିକତା ସାହିତ୍ୟର ସମ୍ପତ୍‌-ଶୋଭା-ସମ୍ବର୍ଦ୍ଧକ, ଏଥିରେ କାହାରି ମତଦ୍ୱୈଧର ସମ୍ଭାବନା ନାହିଁ । ମାତ୍ର ଅନ୍ୟାନ୍ୟ ସାହିତ୍ୟିକ ଗଣଙ୍କ ଭଳି ଏହାଙ୍କ ଭାଗ୍ୟରେ ‘‘ନାମ ଖ୍ୟାତିଗ୍ରନ୍ଥେ ପଡ଼ି ନାହିଁ ଗାର ।’’ ଆମ୍ଭମାନଙ୍କ ଦେଶରେ ଚିରକାଳ ସାହିତ୍ୟିକଗଣ ସମ୍ମାନ ଲାଭ କରି ଆସୁଥିଲେ । ପୂର୍ବେ ଏହି ଦେଶରେ ସାରସ୍ୱତ କୁଞ୍ଜରେ ଲୋକେ ଯେଭଳି ଭକ୍ତି ପ୍ରୀତିର ନୈବେଦ୍ୟ ପ୍ରଦାନ କରୁଥିଲେ, ଲକ୍ଷ୍ମୀଙ୍କ ପ୍ରାସାଦରେ ସେଭଳି ଭକ୍ତି-ପ୍ରୀତିର ନୈବେଦ୍ୟ ପ୍ରଦତ୍ତ ହେଉ ନ ଥିଲା । ସେହି ସକାଶେ ଋଷିମାନେ ପର୍ଣ୍ଣକୁଟୀରରେ ରହି ବାଣୀଙ୍କ ସାଧନା କରୁଥିଲେ ଏବଂ ସେହି ସାଧନା ଫଳରୁ ସେମାନେ ଯୁଗଯୁଗାନ୍ତରରୁ ମାନବଜାତିର ପୂଜ୍ୟ ହୋଇ ଆସୁଅଛନ୍ତି । ରାଜାମାନେ ମଧ୍ୟ ପର୍ଣ୍ଣକୁଟୀରବାସୀ ଋଷିବୃନ୍ଦଙ୍କୁ କନ୍ୟାଦାନ କରି ଧନ୍ୟ ହେଉଥିଲେ । ଋଷି କୌଣସି ବିଷୟରେ ଅଭାବ ଜଣାଇଲେ ରାଜା ସେହି ଅଭାବ ପୂର୍ଣ୍ଣ କରିବାକୁ ଆଗ୍ରହସହକାରେ ସର୍ବଦା ତତ୍ପର ହେଉଥିଲେ । ମାତ୍ର ସେ ଦିନ ଚାଲି ଯାଇଅଛି । ହିନ୍ଦୁ ଜାତିର ଏହି ଉଚ୍ଚ ଆଦର୍ଶ ଅତ୍ୟନ୍ତ ଅବନତ ହୋଇଅଛି । ଭାରତରେ ବାଣୀର ମନ୍ଦିର ପ୍ରାୟ ଉପେକ୍ଷିତ-ପରିତ୍ୟକ୍ତ । ବର୍ତ୍ତମାନ ଲୋକମାନେ କମଳାଙ୍କ ପ୍ରସାଦଲାଭରେ ବ୍ୟଗ୍ର-ରମାଙ୍କ ଉଚ୍ଛୃଙ୍ଖଳ ଏବଂ ଉଦ୍ଦାମ ବରପୁତ୍ରଗଣଙ୍କ ସ୍ତୁତି ଗାନରେହିଁ ବ୍ୟସ୍ତ । ଫଳରେ ଏହା ଯେ ବାଣୀଙ୍କ ବରପୁତ୍ର ହିନ୍ଦୁଜାତିର ଘୋର ଅବନତିର ସୂଚନା କରୁଅଛି-ଏହା ଅସ୍ୱୀକାର କରିବାର ଉପାୟ ନାହିଁ ।

 

ବନ୍ଧୁତ୍ରୟ ବିଦାୟ ନେଲେ ଏବଂ ମୁଁ ବଙ୍ଗଳା ବାରନ୍ଦାରେ ବସି ନୈଶାକାଶକୁ ଅନାଇ ରହିଲି । ନକ୍ଷେତ୍ର-ନିକର-ବିରାଜିତ ନୈଶଗଗନର ଅଲୌକିକ ଶୋଭା ! ଦୂର୍ଜ୍ଞେୟ-ତତ୍ତ୍ୱ ପରାତ୍ପର ମନୁଷ୍ୟ ହୃଦୟରେ ଏତେ ରହସ୍ୟର ପ୍ରତିଷ୍ଠା କରିଅଛନ୍ତି ଯେ ଚିରଦିନ ଚିନ୍ତା କରି ତାହାର ମର୍ମୋପଲବ୍ଧି କରିବା ସହଜ ନୁହେ । ପଶ୍ଚିମରେ ସନ୍ଧ୍ୟାକାଶର କ୍ଷୀଣରକ୍ତିମା ଏବଂ ଶୁକ୍ର ଓ ବୃହସ୍ପତିଙ୍କ ଔଜ୍ଜ୍ୱଲ୍ୟ ସହିତ ଛାୟାପଥର ଦୀପ୍ତି ମିଶି ଚତୁର୍ଦ୍ଦିଗ ମଧୁର ଓ ଶାନ୍ତ କରିଥିଲା । ସେହି ଶୋଭାହିଁ ପ୍ରକୃତ ଶୋଭା, ଯାହା ନିଜ ଗୁଣରେ ପରର ଶୋଭା ସଂବର୍ଦ୍ଧନରେ ସମର୍ଥ; ସେହି ଶ୍ରୀ ପ୍ରକୃତଶ୍ରୀ, ଯାହା ଅଚେଷ୍ଟିତଭାବରେ ସନ୍ନିହିତ ପଦାର୍ଥର ଶ୍ରୀ ସଂବିଧାନ କରେ; ସେହି ସୌନ୍ଦର୍ଯ୍ୟହିଁ ପ୍ରକୃତ ସୌନ୍ଦର୍ଯ୍ୟ, ଯାହା ନିଜେ ନ ମାତି ପରକୁ ମତାଇ ଦିଏ ।

 

ଏହି ନିର୍ଜନ ସ୍ଥାନରେ ଏହି ବଙ୍ଗଳାର ମୁସଲମାନ ଖାନ୍‌ସମାଙ୍କ ସହିତ କଥାବାର୍ତ୍ତାରେ ସମୟାତିବାହିତ ହେଲା । ଯେଉଁମାନେ ଥରେ କୌଣସି ମୁସଲମାନଙ୍କ ସହିତ କଥାବର୍ତ୍ତାରେ ସମୟ କ୍ଷେପଣ କରିଅଛନ୍ତି, ସେମାନେ ନିଶ୍ଚିତ ଜାଣନ୍ତି, ଭାତୃଭାବହିଁ ମୁସଲମାନମାନଙ୍କ ଅଜେୟ ଦୁର୍ଗ । ଏହି ସୌଭ୍ରାତ୍ରହିଁ ମହମ୍ମଦପନ୍ଥିମାନଙ୍କୁ କଠୋର ଜୀବନସଂଗ୍ରାମର ପୂର୍ଣ୍ଣ ଉପଯୋଗୀ କରିଅଛି । ଜଣେ ନିରକ୍ଷର ମୁସଲମାନ ନିଜର ପ୍ରାଣରେ ଅନୁଭବ କରେ, ସେ ସ୍ୱୟଂ ଜଗଦ୍‌ବ୍ୟାପୀ ମହମ୍ମଦ-ପନ୍ଥି-ପରିବାରର ଏକ ଜଣ । ସେହି ବିଶାଳ ପରିବାରର ଗୌରବ ଓ ସ୍ୱାର୍ଥ ଅକ୍ଷୁର୍ଣ୍ଣ ରଖିବା ସକାଶେ କ୍ଷେତ୍ରର ନିରୀହ ଚଷା ମଧ୍ୟ ଅନାୟାସରେ ଜୀବନ ପଣ କରି ପାରେ । କିନ୍ତୁ ହିନ୍ଦୁ-? ଏ ପ୍ରଶ୍ନର ଉତ୍ତର ନ ଦେଲେ ବୋଧହୁଏ କୌଣସ କ୍ଷତି ନାହିଁ । ଜଣେ ଜ୍ଞାନୀ କହିଥିଲେ, ‘‘ହିନ୍ଦୁ କୁ ହିନ୍ଦୁ ନ ରଖିଲେ ଆଉ କିଏ ରଖିବ ।’’ ଆମ୍ଭେମାନେ ବଧିର ଏହି ସ୍ୱର୍ଗୀୟବାଣୀ କେତେବେଳେ ଆମ୍ଭମାନଙ୍କ ମର୍ମରେ ପଶିବ ନାହିଁ ପରା ।’’

 

ଚଢ଼େଇରଗଡ଼ା ! ରାଜା ଶୂରପ୍ରତାପଙ୍କ କୃପାରୁ ତୋହ କୋଳରେ ବସି ତ୍ରିତାପତପ୍ତ, ପଞ୍ଚକ୍ଳେଶକ୍ଳିଷ୍ଣ ଶରୀରର ତାପ କ୍ଳେଶର ଶାନ୍ତି ଲାଭ କରି ଧନ୍ୟ ହେଲି । ଆଉ କିଛି କହିବାର ଆଜି ମୋର ସାମର୍ଥ୍ୟ ନାହିଁ, କେବଳ ଏହି ବିଜନସନ୍ଧ୍ୟାରେ ତୋହ କୋଳରେ ଆଶ୍ରୟ ଘେନି ଏତିକି ଭାଳୁଅଛି, ବାହାରର ଅହଙ୍କାର ଖୋଳୁ ପରିତ୍ୟାଗ କଲେ ଭିତରର ସବୁ ମନୁଷ୍ୟ ଏକପ୍ରକାର । ଚିନ୍ତା କେବେହେଁ ମନୁଷ୍ୟ-ଆଜ୍ଞାର ଦାସୀ ନୁହେ ।

Image

 

Unknown

ଉତ୍ତରେଶ୍ୱରରେ ଗୋଧୂଳି

 

ଅପରାହ୍ନର ଅସ୍ତଗାମୀ ତପନର ଲୋହିତାଲୋକରେ ଭୁବନେଶ୍ୱରସ୍ଥ ବିନ୍ଦୁସରୋବରର ଉତ୍ତର ତୀରସ୍ଥ ପଥରକୁଦ ଉପରେ ବସି କଣ ଦେଖିଲି ? ଏହାର ଉତ୍ତର ଅତି ସହଜ ଏବଂ ସମସ୍ତଙ୍କର ଅନୁଭବଯୋଗ୍ୟ । ଏହା ଭୁବନେଶ୍ୱରର ପ୍ରାଚୀନ ଗୌରବ-ଗର୍ବର ଚିତାଭସ୍ମ ମାତ୍ର । କାହିଁ ସେ ତ୍ୟୁବନେଶ୍ୱର ? କାହିଁ ସେ ଏକାମ୍ରକାନନ ? କରାଳ କାଳଦନ୍ତଚର୍ବିତ ସ୍ତୂପାବଳୀ କେବଳ-! ଅନନ୍ତ ଅତୀତର ତରଳ ପ୍ରବାହରେ ଉତ୍କଳଖଣ୍ଡ କୀର୍ତ୍ତି-କୁସୁମ-କେଶର କେଶରୀବଂଶ ଆଜି ବିଲୀନ ! ଚାରିଆଡ଼େ ସହସ୍ର ସହସ୍ର ଭଙ୍ଗା ଦେଉଳ ସେହି ଅବିନଶ୍ୱର ବଂଶର ଦ୍ୟୁତିମତୀ କୀର୍ତ୍ତିଗୀତ ନିରନ୍ତର ଗାନ କରୁଅଛି ମାତ୍ର । ସେହି ବଂଶ ଆଉ ଏ ଉତ୍କଳଧରାତଳ ଅଳଙ୍କୃତ କରିବ ନାହିଁ ! ଆଉ ସେ ସୌଭାଗ୍ୟବିଭୂତି ଫେରିବ ନାହିଁ ! ସେଥିଯୋଗୁଁ ବୋଧ ହୁଏ ନିରାଶ ଓ ନିରାକାଙ୍‍କ୍ଷ ବେଦନାର ଅଭ୍ୟୁଦୟସ୍ୱରୂପ ସ୍ୱର୍ଗୀୟ କବିବରଙ୍କ ଲେଖନୀରେ ଲିଖିତ-

 

‘‘ସେହି ବଂଶ କାହିଁ ଏହି କଥା ଯେବେ

ଏକାମ୍ରେ ପୁଛିବ ଯାଇଁ,

ପ୍ରତିଧ୍ୱନି ଛଳେ କାନନେ ଦେଉଳ

ପ୍ରତିବାଣୀ ଦେବ ‘କାହିଁ ।’’

 

‘‘ଖଣ୍ଡାଚଳଂ ସମାସାଦ୍ୟ ଯନ୍ତ୍ରାସ୍ତେ କୁଣ୍ଡଳେଶ୍ୱରଃ ।

ଆସାଦ୍ୟ ବଳହାଂ ଦେବୀଂ ବହିରଙ୍ଗେଶ୍ୱରାବଧି ।’’

 

ଖଣ୍ଡଗିରିଠାରୁ କୁଣ୍ଡଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ସାତ ମାଇଲ ଏବଂ ବଳହା ଦେବୀଙ୍କ ମନ୍ଦିରଠାରୁ ଧଉଳି ପର୍ବତ ଶିଖରସ୍ଥ ବହିରଙ୍ଗେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ସାତ ମାଇଲ, ଏହିଭଳି ପ୍ରାୟ ୪୯ ବର୍ଗ ମାଇଲ ବ୍ୟାପି ଏକାମ୍ର କ୍ଷେତ୍ର ବିରାଜିତ । ଏହି ଏକାମ୍ର ଅଥବା ଭୁବନେଶ୍ୱର କ୍ଷେତ୍ରସ୍ଥ ପ୍ରତ୍ୟେକ ଅଂଶରେ ମନ୍ଦିରସମୂହ ଶିରୋତ୍ତୋଳନପୂର୍ବକ ଅତୀତ ଗୌରବର ପରିଚୟ ପ୍ରଦାନ କରୁଅଛି ଏବଂ କବିଗୁରୁଙ୍କ ଭାଷାରେ ‘‘ଦିଶେ ଯଶୋରାଶି ହେଲା ପରି ଠୁଳ ।’’ ସ୍ଥାନେ ସ୍ଥାନେ ଭଗ୍ନସ୍ତୂପସମୂହ ଅତୀତର ସମାଧି ବକ୍ଷରେ ଘେନି ମୂକ ପ୍ରାୟ ନିପତିତ !

 

ଅସ୍ତଗାମୀ ସୂର୍ଯ୍ୟ ଭୁବନେଶ୍ୱର ବଡ଼ ଦେଉଳର ପିନାକ ଏବଂ ଶ୍ୱେତପତାକା ରଞ୍ଜିତ କରିଅଛି । ସଙ୍ଗେ ସଙ୍ଗେ ଅପର ସମସ୍ତ ମନ୍ଦିର ପ୍ରଜାସମୂହ ପ୍ରାୟ ‘ରାଜାନୁଗତ ଧର୍ମ’ ପାଳନ କରି ଲୋହିତାଲୋକିତ ହୋଇ ଉଠିଅଛି । କୋଚିଳାବନ ମଧ୍ୟରୁ ଅଲାବୁକେଶ୍ୱର ଦେଉଳ ଏକାକୀ ଦଣ୍ଡାୟମାନ । ଏହାର କିଛି ଦୂରରେ ରାମେଶ୍ୱର ଦେଉଳ ଅପର ୪।୫ ଟି ଦେଉଳର ଭଗ୍ନସ୍ତୂପ ସହିତ ଉଦାସ ଦୃଷ୍ଟିରେ ଚାହିଁ ରହିଅଛି । ଧାନ୍ୟକ୍ଷେତ୍ର ଅତିକ୍ରମ କରି ଦୃଷ୍ଟି ବ୍ରହ୍ମେଶ୍ୱର, ଭାସ୍କରେଶ୍ୱର, ମେଘେଶ୍ୱର ଏବଂ ରାଜାରାଣୀ ପ୍ରଭୃତି ଦେଉଳସମୂହ ଉପରେ ନ୍ୟସ୍ତ । ଆମ୍ରକୁଞ୍ଜ ମଧ୍ୟରୁ ପରଶୁରାମେଶ୍ୱର, ସିଦ୍ଧେଶ୍ୱର; ମୁକ୍ତେଶ୍ୱର ଏବଂ କେଦାରେଶ୍ୱର ମନ୍ଦିରସମୂହର ଚୂଡ଼ା ସ୍ପଷ୍ଟ ପ୍ରତିଭାତ । ସମ୍ମୁଖରେ ବିନ୍ଦୁ ସରୋବର ତଟଦେଶସ୍ଥ ଶାରି ଦେଉଳ, ଅନନ୍ତବାସୁଦେବ, ମୋହିନୀ ପ୍ରଭୃତି ମନ୍ଦିରସମୂହ ଏବଂ ଏହାର କିୟଦୂରସ୍ଥବୈତାଳ ଦେଉଳ, ଯମେଶ୍ୱର, ନଳେଶ୍ୱର ପ୍ରଭୃତି ମନ୍ଦିରସମୂହର ବିପରୀତାକୃତିର ଛାୟାରେ ବିନ୍ଦୁସରୋବର ସମୀରାନ୍ଦୋଳିତ ଜଳରାଶି ଉପରେ ଅସଂଖ୍ୟ ରେଖା ପଡ଼ିଅଛି । ସରୋବର ମଧ୍ୟସ୍ଥିତ ପ୍ରକାଣ୍ଡ ଦ୍ୱୀପଦଣ୍ଡି ଉପରେ ଶତ ଶତ ପକ୍ଷୀ ବିଶ୍ରାମର ଆୟୋଜନସ୍ପୃହାରେ ଉପବିଷ୍ଟ ଏବଂ ଏମାନଙ୍କର ଉପବେଶନ ରୀତିରେ ସମସ୍ତ ଦ୍ୱୀପଦଣ୍ଡି ସଜ୍ଜୀକୃତ ଓ ଶୋଭାନ୍ୱିତ । ବିନ୍ଦୁ ସରୋବର ଘାଟଗୁଡ଼ିକ ଉପରେ ମହାରାଷ୍ଟ୍ରଭାମିନୀ, ତୈଲଙ୍ଗସୀମନ୍ତିନୀ, କାନ୍ୟକୁବ୍ଜବାସିନୀ, ବିହାରବିହାରିଣୀ ଏବଂ ବଙ୍ଗୋତ୍କଳକାମିନୀ ପ୍ରଭୃତି ବିଭିନ୍ନ-ବେଶ-ଭାଷା-ସୌନ୍ଦର୍ଯ୍ୟଜ୍ଞାପକ ଦେଶସମୂହର ରୁଚି ପ୍ରଚାର କରୁଅଛନ୍ତି । ଅସ୍ତମିତ ସୂର୍ଯ୍ୟକିରଣର ପାଟଳିମାରେ ଓ ବିଭିନ୍ନ ବେଶସୌନ୍ଦର୍ଯ୍ୟ ପ୍ରତିବିମ୍ବରେ ବିନ୍ଦୁସରୋବର ଉଜ୍ଜ୍ୱଳ, କିନ୍ତୁ ପୂର୍ବ ଗୌରବ ଭାବନାରେ ଉଦାସ । ସରୋବରତୀରସ୍ଥ ପ୍ରସ୍ତରପାବଚ୍ଛସମୂହ ଜୀର୍ଣ୍ଣ, ଭଗ୍ନ ଓ ଲୁପ୍ତ ।

 

ଦୂରପ୍ରସାରିତ କ୍ଷେତ୍ରସମୂହର ଅପର ପାର୍ଶ୍ୱରେ ଦିଗ୍ବଳୟ ଉପରେ ଗନ୍ଧବତୀ (ଗଙ୍ଗୁଆ) ନଦୀତଟସ୍ଥ ଗୋକର୍ଣ୍ଣେଶ୍ୱରଙ୍କ ଜୀର୍ଣ୍ଣ ମନ୍ଦିର ଶୈବାଳ ଗୁଳ୍ମ ଓ ପାଷାଣଭେଦୀ ପ୍ରଭୃତିରେ ଭୂଷିତ ହୋଇ ଶୋଚନୀୟ ଅବସ୍ଥାର ପରିଚୟ ପ୍ରଦାନ କରୁଅଛି । ମହାକାଳର ଅଜୟ ଶକ୍ତି ଏବଂ ସଂସାରର ଅନିତ୍ୟତା ସ୍ମରଣ କରିବାକୁ ହେଲେ ଭୁବନେଶ୍ୱରସ୍ଥ ଶତ ଶତ ଜୀର୍ଣ୍ଣ ମନ୍ଦିର ଦେଖିବା ଆବଶ୍ୟକ । ଧାନ୍ୟକ୍ଷେତ୍ର ମଧ୍ୟସ୍ଥିତ ସ୍ୱର୍ଣ୍ଣଜାଲେଶ୍ୱର, ସ୍ୱର୍ଣ୍ଣକୂଟେଶ୍ୱର ଏବଂ କୋଟିତୀର୍ଥେଶ୍ୱର ମନ୍ଦିରସମୂହ ମଧ୍ୟ ଗୋକର୍ଣ୍ଣେଶ୍ୱର ମନ୍ଦିରର ଅନୁରୂପ । କାଳର ପ୍ରକୋପ ଦୂରାପହତ-କାଳ ତାହାର ଅନନ୍ତ, ଅଜ୍ଞେୟ ତୂଳିକାଦ୍ୱାରା ଏହି ଅତି ପ୍ରାଚୀନ ମନ୍ଦିରସମୂହର ଶୋଭାମୟ ଶରୀରରେ ଅନେକାନେକ କାଳିମା ଅଙ୍କିତ କରି ଦେଇଅଛି । ଏହି ମନ୍ଦିରସମୂହର ଶୋଭାସମ୍ପଦ ସମସ୍ତହିଁ ଅପଗତ ଏବଂ କରାଳ କାଳ ସହିତ ଅନବରତ ଯୁଦ୍ଧ କରି ଜୀର୍ଣ୍ଣ, ଭଗ୍ନ ଓ ବିଗତ ଗୌରବର ସମାଧିସ୍ତୂପରେ ବର୍ତ୍ତମାନ ପରିଣତ !

 

ମନଶ୍ଚକ୍ଷୁ ପ୍ରସାରିତ କରି ଅତୀତ ଆଡ଼କୁ ଚାହିଁ ଦେଖିଲି ସେହି ପୁରାତନ ଗୌରବାବହ ସମୟକୁ ! ସେତେବେଳେ ଏ ସବୁ ସ୍ଥଳରେ କେତେ ଭକ୍ତଙ୍କର ସମାଗମ ହେଉଥିଲା, ଦିବାରାତ୍ରି ମନ୍ଦିରପ୍ରାଙ୍ଗଣ ଉତ୍ସବତରଙ୍ଗରେ ଆନ୍ଦୋଳିତ ହେଉଥିଲା । ଭକ୍ତିପ୍ଳୁତହୃଦୟ ଭକ୍ତବୃନ୍ଦ ଅବନତମସ୍ତକରେ ସେହିଠାରେ ଦଣ୍ଡାୟମାନ ରହୁଥିଲେ, ପୁରୋହିତମଣ୍ଡଳୀ ପବିତ୍ର ଦେହରେ ଉଦାତ୍ତସ୍ୱରରେ ମନ୍ତ୍ରପାଠ କରୁଥିଲେ, ଧୂପ ସୁଗନ୍ଧ ସହିତ ସଦ୍ୟଃ ପ୍ରସ୍ଫୁଟିତ କୁସୁମରାଜିର ସୌରଭ ମିଶ୍ରିତ ହୋଇ ସେହି ମିଶ୍ରଗନ୍ଧରେ ବାୟୁସ୍ତର ପରିପୂର୍ଣ୍ଣ ହେଉଥିଲା । ଏହି ସବୁ ପ୍ରାଚୀନ ଯୁଗର କଥା ବର୍ତ୍ତମାନ ସ୍ୱପ୍ନ । କେବଳ ପୁରାତନ ସ୍ମୃତି ପୁରାବୃତ୍ତର ପୃଷ୍ଠାରେ ଜାଗରୂକ ରହି ଅନନ୍ତ କାଳର ପରିବର୍ତ୍ତନ ଶୀଳତାର ଡିଣ୍ଡିମ ଘୋଷଣା କରୁଅଛି ମାତ୍ର !

 

ଉତ୍କଳର ଗୌରବ-ମଧ୍ୟାହ୍ନ ଚାଲି ଯାଇଅଛି । ସେ କେଶରୀ ରାଜବଂଶ ନାହିଁ, ସେ ନିପୁଣ ଶିଳ୍ପୀ ନାହାନ୍ତି, ସେ ବ୍ରାହ୍ମଣ୍ୟ ନାହିଁ, ସେ ଶ୍ରମଣ ସମ୍ପ୍ରଦାୟ ମଧ୍ୟ ନାହାନ୍ତି । ଆଉ ଅଭ୍ରଭେଦୀ ମସ୍ତକ ଉତ୍ତୋଳନ କରି ନିତ୍ୟ ନୂତନ ଦେବମନ୍ଦିର ଉଠୁ ନାହିଁ, ଧୂପଗନ୍ଧ ଏବଂ ଘଣ୍ଟାଧ୍ୱନିରେ ଦଶଦିକ୍‌ ପୂର୍ଣ୍ଣ କରି ଗିରି ନଦୀ ପ୍ରାନ୍ତରଭୂମି ପ୍ରଭୃତିରୁ ପ୍ରତି ସନ୍ଧ୍ୟାରେ ଧର୍ମର ବିଜୟ ଘୋଷଣା ସେପରି ଉଠେ ନାହିଁ, ପଥ ପ୍ରାନ୍ତରେ, ବାଲୁକା ତଟରେ, ପରିତ୍ୟକ୍ତ ଗିରିଶୃଙ୍ଗରେ ସହସ୍ର ଜୀର୍ଣ୍ଣ ମନ୍ଦିର ଓ ମଠ ପଡ଼ି ରହିଅଛି, ଏମାନେ କେବଳ ସେହି ପୁରାତନ ଅତୀତର ସାକ୍ଷୀ-ଦୂରରୁ ପଥିକଙ୍କର ଜାଡ଼୍ୟଜଡ଼ିତ ହୃଦୟରେ ପ୍ରାଚୀନ ଗୌରବର ସଞ୍ଚାର କରି ଦେଉଅଛନ୍ତି ମାତ୍ର !

 

ଦୀନ ଉତ୍କଳର ଏହିଗୁଡ଼ିକହିଁ ବର୍ତ୍ତମାନ ଏକମାତ୍ର ସମ୍ବଳ । ଏହି ସମସ୍ତ ପ୍ରାଚୀନ ଭଗ୍ନାବଶେଷ ଯୁଗ ଯୁଗାନ୍ତରରୁ ବହୁ ବିପ୍ଳବ ମଧ୍ୟରେ ଅତି ପ୍ରାଚୀନ କାଳର ଅନିର୍ବଚନୀୟ ସୁନ୍ଦର ସ୍ମୃତି ରକ୍ଷା କରି ଆସୁଅଛି । କେବଳ ଧର୍ମ ନୁହେ, କେବଳ ବ୍ରାହ୍ମଣ୍ୟର ଗର୍ବ ଅଥବା ବୌଦ୍ଧ ସନ୍ୟାସମହାତ୍ମ୍ୟ ନୁହେ, କେବଳ ଗୋଟିଏ ବିପ୍ଳବର ଇତିହାସ ନୁହେ, ଏହି ଦେବମନ୍ଦିରର ଭାସ୍କର୍ଯ୍ୟରେ ଏହି ଦେଶର ପ୍ରଶାନ୍ତ ପ୍ରାଚୀନ ସଭ୍ୟତାର ଗୋଟିଏ ଅଖଣ୍ଡ ଚିତ୍ର, ଗୋଟିଏ ପରିପୂର୍ଣ୍ଣ ମହିମା ଚିରକାଳ ସକାଶେ ମୁଦ୍ରିତ ହୋଇ ରହିଅଛି । ପାଷାଣଖୋଦିତ ଶତ ନାରୀମୂର୍ତ୍ତିର କେତେ ବିଭିନ୍ନ ପ୍ରକାର କେଶବିନ୍ୟାସ, କେତେ ବିଚିତ୍ର ବେଶଭୂଷା, ହସ୍ତରେ କେତେ ପ୍ରାଚୀନ ଯନ୍ତ୍ର, ଭଙ୍ଗୀରେ କି ଅବଲୀଳା-ମାଧୁରୀ ! ଶତ ଶତ ନିଶ୍ଚଳ ଦେବତା ବିବିଧ ସଜ୍ଜାରେ, ବହୁବିଧ ଶିରସ୍ତ୍ରାଣରେ, ଆଜାନୁ ଉପାନହରେ ସଭା ଉଜ୍ଜ୍ୱଳ କରିଅଛନ୍ତି । ଯହିଁ ତହିଁ ନାନାବିଧ କଳସ, ପାନପାତ୍ର, ଦୀପାଧାନ, ଶଯ୍ୟା, ଆସନ, ଗଦା, ଅସି, ଖଡ୍ଗ, ଢାଲ, ଧ୍ୱଜା, ଦଣ୍ଡ ପ୍ରଭୃତି ପ୍ରାଚୀନ ସଭ୍ୟତାର ବିବିଧ ବିଳାସ-ଉପକରଣ ଦୃଷ୍ଟି ହୁଏ । ଚକ୍ଷୁ ସମକ୍ଷରେ ମନ୍ଦିରଖୋଦିତ ଗୋଟିଏ ବିରାଟ ପ୍ରାଚୀନ ଗ୍ରନ୍ଥ-ହେ ଦୂରାଗତ ପାନ୍ଥ, ଏଠାକୁ ଆସି ଥରେ ତୁମ୍ଭ ପୂର୍ବପୁରୁଷଙ୍କର ସମାଜ-ଚିତ୍ର ଦେଖିଯାଅ ।

 

ଆଧୁନିକ ଉତ୍କଳର କଳାବିଦ୍ୟା ସହିତ ଏଗୁଡ଼ିକର ପ୍ରାୟ ସାମଞ୍ଜସ୍ୟ ନାହିଁ । ସେ ବର୍ହିପୁଚ୍ଛତୁଳିତ କବରୀର କମନୀୟ ଶୋଭା, ସେ ବିଚିତ୍ର କେଶବିନ୍ୟାସ ସହିତ ସୁଶୋଭିତ ବିବିଧ ଅଳଙ୍କାର, ସେ ଚାରୁଚାମୀକର ବଳୟ କଙ୍କଣ ଆଉ କାହିଁ ? ଅଧିକାଂଶ ସ୍ଥଳରେ ଉତ୍କଳ-ସୁନ୍ଦରୀ କେଶବିନ୍ୟାସ ନୈପୁଣ୍ୟ ପ୍ରତି ଅନେକ ପରିମାଣରେ ଉପେକ୍ଷା ପ୍ରଦର୍ଶନ କରୁଥିବାର ଆଜିକାଲି ଦେଖାଯାଏ–ହେଲେହେଁ ସୁକେଶିନୀମାନଙ୍କ ମଧ୍ୟରେ ସେତେବେଳର ସମସ୍ତ ପ୍ରଥା ଏକାବେଳକେ ଲୁପ୍ତ ହୋଇ ନାହିଁ । ଭୁବନେଶ୍ୱରର ଭାସ୍କର୍ଯ୍ୟରେ କେଶବିନ୍ୟାସର ଯେ ସମସ୍ତ ପ୍ରଥା ଦୃଷ୍ଟ ହୁଏ, ତହିଁରୁ କିୟଦଂଶ ଉତ୍କଳର ରାଜଗୃହରେ ସମାଦୃତ ଏବଂ ଅଧିକାଂଶ ମାନ୍ଦ୍ରାଜ ଅଞ୍ଚଳରେ ବିଶେଷରୂପେ ପ୍ରଚଳିତ । ସଚରାଚର ଆମ୍ଭେମାନେ ଯାହାକୁ ଦକ୍ଷିଣୀ ଜୁଡ଼ା କହୁଁ-ମସ୍ତକର ପଶ୍ଚାଦ୍‌ଭାଗରେ ଗୁଚ୍ଛୀକୃତ ବେଣୀବନ୍ଧନହୀନ କେଶକଳାପ–ଏହା ଏହି ପାଷାଣଖୋଦିତ ଜୁଡ଼ାର ଅନୁରୂପ, କେବଳ ସେ ସମୟରେ ଏହି ଜୁଡ଼ା ସହିତ ଯେଉଁ ସମସ୍ତ ଅଳଙ୍କାରର ବ୍ୟବହାର ଥିଲା, ବର୍ତ୍ତମାନ ତାହା ବିରଳ ଲକ୍ଷିତ ହୁଏ ।

 

ଭୁବନେଶ୍ୱରରେ ଏହି ଦକ୍ଷିଣୀ ଜୁଡ଼ାର ମଧ୍ୟ ନାନାପ୍ରକାର ରୀତି ଦୃଷ୍ଟ ହୁଏ । ଜୁଡ଼ା କେଉଁଠାରେ ମସ୍ତକର ପଶ୍ଚାଦ୍‌ଭାଗରେ ଠିକ୍ ମଧ୍ୟସ୍ଥଳରେ ଅବସ୍ଥିତ, କେଉଁଠାରେ ବାମପାର୍ଶ୍ୱକୁ ଈଷତ୍ ଢଳି ପଡ଼ିଅଛି, କେଉଁଠାରେ କେଶଗୁଚ୍ଛକୁ ବିଭକ୍ତ କରି ଉଭୟ ପାର୍ଶ୍ୱରେ ଦିଓଟି ସ୍ୱତନ୍ତ୍ର ଜୁଡ଼ା ଭଳି ଏବଂ କୌଣସି କୌଣସି ସ୍ଥାନରେ ଏହି ଜୁଡ଼ା ଉପରେ କେତେଗୁଡ଼ିଏ କୁଞ୍ଚିତ କୁନ୍ତଳ ଏବଂ ଲଲାଟବାହୀ ଦିଓଟି ସୁନ୍ଦର କେଶ-ଗୁଚ୍ଛ । କେଉଁ ସ୍ଥାନରେ ବାମ ପାର୍ଶ୍ୱରେ କର୍ଣ୍ଣର ଉପରିଭାଗରେ ଈଷତ୍ ବଙ୍କିମ ଜୁଡ଼ା, କେଉଁଠାରେ କର୍ଣ୍ଣରୁ କର୍ଣ୍ଣାନ୍ତର ପର୍ଯ୍ୟନ୍ତ ଶ୍ରେଣୀବଦ୍ଧ ଉର୍ଦ୍ଧ୍ୱଫଣା ଭୁଜଙ୍ଗୀବତ୍ । କେଶବିନ୍ୟାସରେ ବୈଚିତ୍ର୍ୟର ଅନ୍ତ ନାହିଁ ।

 

ବର୍ତ୍ତମାନ ଯାହା ପାଷାଣରେ ଖୋଦିତ, ଏକ ସମୟରେ ଏ ସମସ୍ତ ଜୀବନ୍ତ ଥିଲା । କୁଳନାରୀମାନେ ପ୍ରାସାଦର ନିଭୃତ ବାତାୟନ ସମ୍ମୁଖରେ ବିଚିତ୍ର କାରୁକାର୍ଯ୍ୟଖଚିତ ସୁଖାସନୋପରି ଉପବେଶନ କରି କେଶକଳାପ ମୁକୁଳିତ କରି ଦେଉଥିଲେ; ଦୀର୍ଘ କେଶଗୁଚ୍ଛ ମକରମୁଖ ଉଚ୍ଚାସନର ପୃଷ୍ଠଦେଶ ଆବୋରି ପକାଉଥିଲା ଏବଂ ପରିଚାରିକା କଙ୍କତିକା ଘେନି ପଶ୍ଚାଦ୍‌ଭାଗରେ ଦଣ୍ଡାୟମାନ ହୋଇ କେଶପରିଚର୍ଯ୍ୟାରେ ନିଯୁକ୍ତ ରହୁଥିଲା । ପାର୍ଶ୍ୱରେ ସୁନିର୍ମିତ କାଷ୍ଠାସନ ଉପରେ ପାନଡ଼ିବା, ସମ୍ମୁଖରେ ପାଦପୀଠରେ ଅଳକ୍ତରଞ୍ଜିତ କୋମଳ ଚରଣଦ୍ୱୟ କେନ୍ଦୁପଲ୍ଲବ ଗୋଟିକରେ ଫୁଗ୍ଲ କମଳ ଯୋଡ଼ିଏ ରଖା ହେଲା ପରି ଦେଖା ଯାଉଥିଲା ।

 

କେଶବନ୍ଧନାଦି ସମାପନାନ୍ତର ବେଶଭୂଷାର ପାଳି । କଞ୍ଚୁଳିକାନ୍ୟସ୍ତ ଅଙ୍ଗୋପରି ଲଘୁ ଅଙ୍ଗିକା ଏବଂ ପରିଧାନରେ କୁଞ୍ଚିତ ମନୋହର ଶାଢ଼ୀ । ଜୁଡ଼ାରେ ମୁକ୍ତାମାଳା; ଲଲାଟ, କର୍ଣ୍ଣ ଓ କଣ୍ଠଦେଶରେ ନାନାବିଧ ବିଚିତ୍ର ଅଳଙ୍କାର; ବାହୁ ଏବଂ ପ୍ରକୋଷ୍ଠରେ ବାଜୁ, ବଳୟ ଓ କଙ୍କଣ ପ୍ରଭୃତି; କଟିଦେଶରେ ଚନ୍ଦ୍ରହାର; ଚରଣରେ ନୂପୁର, କିଙ୍କିଣୀ ଓ ଗୁଜରୀ ପ୍ରଭୃତି ଶୋଭିତ ହେଉଥିଲା ।

 

ଅଳଙ୍କାର ବ୍ୟବହାର ପୁରୁଷମାନଙ୍କ ମଧ୍ୟରେ ନିତାନ୍ତ ବିରଳ ନ ଥିଲା । ସମ୍ଭ୍ରାନ୍ତବଂଶୀୟ ଯୁବକମାନଙ୍କର କଟିଦେଶରେ ପ୍ରାୟ ଗୋଟିଏ ଗୋଟିଏ ଚନ୍ଦ୍ରହାର ଶୋଭା ପାଉଥିଲା ଏବଂ କାରୁକାର୍ଯ୍ୟଖଚିତ ପାଟଲୁଗା ଦେହରେ ତାହାର ଉଜ୍ଜ୍ୱଳ ଆଭା ପ୍ରତିବିମ୍ବିତ ହୋଇ ସୁନ୍ଦର ଦିଶୁଥିଲା-। ଏହା ବ୍ୟତୀତ ହସ୍ତରେ ବଳୟ, କର୍ଣ୍ଣରେ କୁଣ୍ଡଳ, ଗଳାରେ ହାର ପ୍ରଭୃତି ପୁରୁଷ ଦେହର ଶୋଭା ସମ୍ପାଦନରେ ଅନାବଶ୍ୟକ ବିବେଚିତ ହେଉ ନ ଥିଲା ଏବଂ ଉଚ୍ଚପଦ, ଧନଗୌରବ ଏବଂ ବଂଶମର୍ଯ୍ୟାଦା ସହିତ ଏହି ସବୁ ପ୍ରଥାର ଘନିଷ୍ଠ ସମ୍ବନ୍ଧ ଥିଲା ବୋଲି ଅନମିତ ହୁଏ ।

 

କେବଳ ଅଳଙ୍କାର ନୁହେ, ବେଶବିନ୍ୟାସର ମଧ୍ୟ ବିଶେଷ ପାରିପାଟ୍ୟ ଥିଲା । ଧୋତି ଭିନ୍ନ ପାୟଜାମା, ଚପକନ, ଉଷ୍ଣୀଷ ପ୍ରଭୃତି ମଧ୍ୟ ବ୍ୟବହୃତ ହେଉଥିଲା । ରାଜସଭାରେ ଏକ ବେଶ, ଦେବମନ୍ଦିରରେ ଅନ୍ୟ ବେଶ, ରଣକ୍ଷେତ୍ରରେ ଯେ ବେଶ, ପ୍ରିୟଜନକକ୍ଷରେ ସେ ବେଶ ନୁହେ । ଖଣ୍ଡଗିରି ଏବଂ ଭୁବନେଶ୍ୱରର ପାଷାଣଶିଳ୍ପରେ ଏହି ବେଶବୈଚିତ୍ର୍ୟର ଗୋଟିଏ ସୁନ୍ଦର ଚିତ୍ରାଭାସ ମିଳେ । ଏଥିରୁ ବୁଝିହୁଏ, ସେହି ବହୁ ପ୍ରାଚୀନ କାଳରେ ଭାରତବର୍ଷୀୟ ସଭ୍ୟତା ଆଦିମ ଅବସ୍ଥାରୁ କେତେଦୂର ଅଗ୍ରସର ହୋଇଥିଲା । ଜୀବନ-ସ୍ରୋତ ସେତେବେଳେ ମନ୍ଦୀଭୂତ ହୋଇ ନ ଥିଲା ଏବଂ ‘‘ଜୀବନ-ସଂଗ୍ରାମ’’ ଶବ୍ଦର ଆମଦାନୀ ହୋଇ ନ ଥିଲା । ସେତେବେଳେ ‘‘ଯୋଗ୍ୟତମର ଉଦ୍‌ବର୍ତ୍ତନ’’ (Survival of the fittest) ନୀତିର ପ୍ରଚଳନ ହୋଇ ନାହିଁ ଏବଂ ଏହି ନୀତି ହିସାବରେ ଦୁଇ ଚାରି ଜଣଙ୍କର ପୌଷ ମାସ ଏବଂ ଅଧିକାଂଶଙ୍କ ସର୍ବନାଶ ଅଥବା ‘‘ଅନ୍ନଚିନ୍ତା ଚମତ୍କାରା’’ ବୋଧ କାହାରି ଜନ୍ମି ନ ଥିଲା । କଳାବିଦ୍ୟାର ସେତେବେଳେ ବିଶେଷ ପ୍ରାଦୁର୍ଭାବ । ବୀଣାର ପ୍ରତି ତାରରେ ତନ୍ୱଙ୍ଗୀର ଚମ୍ପକ-ଅଙ୍ଗୁଳି ଗୁଡ଼ିକ ଘନକାଳରେ ସୌଦାମିନୀ ଭଳି ଖେଳୁଥିଲା ଏବଂ ମଳୟସେବିତ ଚନ୍ଦ୍ରାଲୋକ-ସ୍ନିଗ୍ଧ ସନ୍ଧ୍ୟାରେ କାମିନୀମାନେ ସୁଗନ୍ଧ କୁସୁମସମୂହର ମାଳା ରଚନାରେ ବ୍ୟାପୃତ ରହୁଥିଲେ । ଦୂରରୁ ଗନ୍ଧବହ ସ୍ୱର୍ଣ୍ଣବର୍ଣ୍ଣ କେତକୀସୁମନର ସୌରଭସମ୍ଭାର ବହିଆଣି ନବନୀତକୋମଳା କାମିନୀକୁଳର ଅକଳଙ୍କକଳାନିଧି ଆସ୍ୟମଣ୍ଡଳରେ ବୋଳି ଦେଉଥିଲା ଏବଂ ଚୂତଶାଖାରେ ବସି କାନ୍ତାବିଶ୍ଳେଷଭୀରୁ ଚକ୍ରବାକ ବିହଙ୍ଗମ ଚନ୍ଦ୍ରାଲୋକ-ବିଧୌତ ରଜନୀର ବିପ୍ରଳାପ-କଲ୍ଲୋଳିନୀରେ ଅବଗାହନ କରୁଥିଲା।

 

ଉତ୍କଳର ସେ ସମସ୍ତ ଦିବସଗତ । ଏତେବେଳେ ମାଲ୍ୟ ଗ୍ରଥିତ ହୁଏ, କିନ୍ତୁ ତାହାର ପୂର୍ବାଦର ନାହିଁ, ବୀଣା ନୀରବ ହୋଇଅଛି; ସୁସଙ୍ଗୀତ ଏବଂ ଛାନ୍ଦ ପ୍ରଭୃତିର ଆଦର ନାହିଁ । ସାଧାରଣ ବାଦ୍ୟର ମହୁରୀ କାନ୍ଦି କାନ୍ଦି ସଙ୍ଗୀତର କଳଙ୍କ ରଟନା କରୁଥାଏ ମାତ୍ର !

 

ଦେଖୁଁ ଦେଖୁଁ ଧାନକଟା ଦିନ ଉପସ୍ଥିତ ହେଲା । ସ୍ୱର୍ଣ୍ଣବର୍ଣ୍ଣ ଧାନ୍ୟକ୍ଷେତ୍ରକୁ କଟାଳିମାନେ ଦଳବଦ୍ଧ ହୋଇ ଧାନ କାଟିବାକୁ ଯାଉଥିଲେ । କୃଷକାଙ୍ଗନାମାନେ ଗୀତ ଗାଇ ଗାଇ କଳେଇ ବାନ୍ଧୁଥିଲେ, ଗୃହେ ଗୃହେ ଉତ୍ସବର ଶତ କଲ୍ଲୋଳ ଦିବାନିଶି ଉଥିତ ହେଉଥିଲା । ଦେବମନ୍ଦିରରେ ପୂଜାର ଧୂମଧାମ ଲାଗିଥିଲା । ମନ୍ଦିରପ୍ରାଙ୍ଗଣରୁ ଦିଗନ୍ତ ଅବଧି ଲୋକାରଣ୍ୟ । ଉଜ୍ଜ୍ୱଳ ନୀଳାକାଶ ତଳରେ ବିଚିତ୍ରବର୍ଣ୍ଣର ବେଶଭୂଷା-ମୟୂରକଣ୍ଠି, ଧୂପଚ୍ଛାୟା, ନୀଳ, ସୁନେଲୀ, ବାଇଗଣି ପ୍ରଭୃତି ନାନାବର୍ଣ୍ଣର ତରଙ୍ଗ; ମଣି ମୁକ୍ତା ଜରି ପ୍ରଭୃତି ଝକଝକ କରୁଅଛି । ପଟ୍ଟବସ୍ତ୍ରପରିହିତ ବ୍ରାହ୍ମଣମାନେ ମନ୍ତ୍ରପାଠରେ ନିଯୁକ୍ତ; ହୋମାଗ୍ନିରେ ଅନବରତ ଘୃତାହୁତି ଓ ଲାଜାଞ୍ଜଳି ପ୍ରଦତ୍ତ ହେଉଅଛି; ସ୍ଥୂପାକାର ପୁଷ୍ପରାଶିରେ ଦେବତା ଦୁର୍ନିରୀକ୍ଷ; ଶଙ୍ଖ ଘଣ୍ଟା ଧ୍ୱନିର ବିରାମ ନାହିଁ । ଆବାଳବୃଦ୍ଧବନିତା ରାଜାଠାରୁ ଭିକ୍ଷୁକ ପର୍ଯ୍ୟନ୍ତ ସମସ୍ତେ ନତଶିରରେ ଦେବତାର ଆଶିଷ ଗ୍ରହଣ କରୁଥିଲେ । ପ୍ରାଚୀନ ଉତ୍କଳର ରାଜସଭାର ଆଭାସ ମଧ୍ୟ ପାଷାଣରେ ଖୋଦିତାବସ୍ଥାରେ ଦୃଷ୍ଟ ହୁଏ । ସ୍ୱର୍ଣ୍ଣ-ସିଂହାସନୋପରି ହେମମୁକୁଟଧାରୀ ରାଜା ଉପବିଷ୍ଟ; ଦଣ୍ଡଧର ଦଣ୍ଡ ଧାରଣ କରି ଏବଂ ଛତ୍ରଧର ମୁକ୍ତାଝାଲରଶୋଭିତ ଛତ୍ର ଧାରଣ କରି ରହିଅଛନ୍ତି, ଉଭୟ ଦିଗରୁ ଦୁଇ ଜଣ ପରିଚାରକ ଚାମର ବ୍ୟଜନରେ ନିଯୁକ୍ତ । ସିଂହାସନ ତଳେ ପଦମର୍ଯ୍ୟାଦାନୁସାରେ ସଭାସଦମାନଙ୍କର ଆସନ ନିର୍ଦ୍ଦିଷ୍ଟ । ଶୁକ୍ଳକେଶ ପ୍ରବୀଣମାନେ ଶୁଭ୍ର ବେଶପରିହିତ-ଆଜାନୁଲମ୍ବିତ ଚପକନ୍, ମସ୍ତକରେ ଶୁଭ୍ର ଉଷ୍ଣୀଷ । ନବୀନମାନଙ୍କ ବେଶଭୂଷାରେ ବର୍ଣ୍ଣବୈଚିତ୍ର୍ୟର ଅନ୍ତ ନାହିଁ-ବିବିଧ ବର୍ଣ୍ଣର ବହୁମୂଲ୍ୟ ଚୀନାଂଶୁକ ବସନ ଏବଂ ତଦୁପରି ନାନାବିଧ ସୂକ୍ଷ୍ମ କାରୁକାର୍ଯ୍ୟ । ଆଜି କାଲି ପରି କୁହୁଡ଼ିଦେଶର କୃଷ୍ଣ ଆବରଣରେ ଆପାଦମସ୍ତକ ଆଚ୍ଛାଦିତ କରିବାର ପ୍ରଥା ସେତେବେଳେ ନ ଥିଲା । ଉତ୍କଳର ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ସ୍ୱଭାବତଃ ବିବିଧ ଉଜ୍ଜ୍ୱଳବର୍ଣ୍ଣ ବେଶଭୂଷାର ପ୍ରାଦୁର୍ଭାବଥିଲା ।

 

ରାଜା ସ୍ୱୀୟ କର୍ତ୍ତବ୍ୟରେ ଅବହେଳା କଲେ ପ୍ରଜାମାନେ ଦେବଦ୍ୱାରରେ ସମବେତ ହେଉଥିଲେ । ରାଜାଙ୍କ ଉପରେ ଏକ ଦେବତା, ଅପର ବ୍ରାହ୍ମଣ । ଦେବତାଙ୍କ ଚରଣତଳରେ ଉତ୍ସୃଷ୍ଟ ହୋଇ ବ୍ରାହ୍ମଣ୍ୟ ଦେବ ତୁଲ୍ୟ ହୋଇ ରହିଥିଲା । ତାହାର ଏକ ଅଭିଶାପରେ ସିଂହାସନ ନିମିଷେକ ଧୂଳିସାତ୍ ହୋଇଯାଏ, ସୃଷ୍ଟି ସେହି ଆଦିମ ଅନ୍ଧକାର ମଧ୍ୟରେ ସଙ୍କୁଚିତ ହୁଏ । ଦେବତା ଏବଂ ବ୍ରାହ୍ମଣ ଉଭୟେ ସମକକ୍ଷ ବିବେଚିତ ହେଉଥିଲେ; ଯେ ବ୍ରାହ୍ମଣଙ୍କୁ ପ୍ରସନ୍ନ କରି ପାରୁଥିଲା; ତାହା ପକ୍ଷରେ ଦେବତାର ପ୍ରସାଦ ଅନାୟାସଲଭ୍ୟ । ଯେ ଦେବତାଙ୍କୁ ସନ୍ତୁଷ୍ଟ ରଖୁଥିଲା, ସେ ବ୍ରାହ୍ମଣଙ୍କର ପ୍ରିୟ । ସେହି ବ୍ରାହ୍ମଣମାନଙ୍କ ବିଧି ଲଙ୍ଘନ କରିବା ରାଜାଙ୍କର ଅସାଧ୍ୟ । ଦୈବାତ୍ ସଂଘଟିତ ହେଲେ ସମସ୍ତ ବ୍ରାହ୍ମଣ୍ୟ କ୍ଷୁବ୍ଧ ହୋଇ ଉଠିବ, ଦେବତା ବିମୁଖ ହେବେ-ରାଜ୍ୟ ଉତ୍ସନ୍ନ ହେବ । ସୁତରାଂ ରାଜାଙ୍କ ଅତ୍ୟାଚାରର ପ୍ରତୀକାର ଦେବମନ୍ଦିରରେ ସମ୍ଭବ ହେଉଥିଲା-ଯେଉଁଠାରେ ଦେବତା ଏବଂ ଦେବତାଙ୍କ ଅନ୍ତରଙ୍ଗ ବ୍ରାହ୍ମଣ ନିୟତ ବିରାଜମାନ ।

 

ବୌଦ୍ଧଧର୍ମର ତାଡ଼ନାରେ ବ୍ରାହ୍ମଣ୍ୟ କେତେକ ପରିମାଣରେ ଦୁର୍ବଳ ହୋଇଥିଲା । ବୌଦ୍ଧ ରାଜସଭାରେ ବ୍ରାହ୍ମଣର ମର୍ଯ୍ୟାଦା ଶ୍ରମଣଠାରୁ ହୀନ ନ ଥିଲା ଏବଂ ଶ୍ରମରମାନଙ୍କ ପ୍ରତି ସମାନ ବ୍ୟବହାର କରୁଥିଲେ ମଧ୍ୟ ଚିରନ୍ତନ ଅଦ୍ୱିତୀୟତ୍ୱରୁ ଭ୍ରଷ୍ଟ ହୋଇ ବ୍ରାହ୍ମଣମାନେ ବୁଝିଥିଲେ ଯେ ଏହି ଜାତି-ନାଶୀ ଧର୍ମ ବ୍ରାହ୍ମଣ୍ୟର ପ୍ରଧାନ ଶତ୍ରୁ ଏବଂ ଏହାର ବହୁଳ ପ୍ରଚାର ହେଲେ ବ୍ରାହ୍ମଣ୍ୟର ସଙ୍କଟାପନ୍ନ ଦଶା । ଏହି ହେତୁରୁ ବୌଦ୍ଧଧର୍ମନିଷ୍ଠ ରାଜଶକ୍ତି ବିରୁଦ୍ଧରେ ବ୍ରାହ୍ମଣମାନେ ସହଜରେ ଉତ୍ତେଜିତ ହେଉ ନ ଥିଲେ-ରାଜନ୍ୟ ଶକ୍ତି ମଧ୍ୟ ବ୍ରାହ୍ମଣକୁ ମାନି ଚାଲୁଥିଲା । ସେତେବେଳେ ଚାଣକ୍ୟଙ୍କ ନାମ କେହି ଭୁଲି ନ ଥିଲେ ।

 

ଏହି ସନ୍ଧିସ୍ଥାପନରେ ବ୍ରାହ୍ମଣ୍ୟ ପ୍ରବଳ ହୋଇ ଉଠିଲା ଏବଂ ରାଜନ୍ୟ ମଧ୍ୟ ପ୍ରାଧାନ୍ୟ ଲାଭ କଲା । ବ୍ରାହ୍ମଣମାନଙ୍କର ସହସ୍ର ଅନୁଷ୍ଠାନଆଡ଼ମ୍ବରରେ ରାଜା ପ୍ରାଣପଣେ ସହାୟତା କରୁଥିଲେ । ରାଜା ଯେତେବେଳେ ପ୍ରୟୋଜନ ଅନୁସାରେ ଶୂଦ୍ର ସ୍କନ୍ଧରେ ଯଜ୍ଞୋପବୀତ ଦେଇ ଏକ ଶ୍ରେଣୀର ବ୍ରାହ୍ମଣ ଗଢ଼ି ନିଅନ୍ତି, ବ୍ରାହ୍ମଣମାନେ ସେତେବେଳେ କୌଣସି ଆପତ୍ତି କରନ୍ତି ନାହିଁ । ଏହି ବ୍ରାହ୍ମଣର ଅନୁଗ୍ରହ-ବିଧିରେ ସମସ୍ତେ ଚାଲିବାକୁ ବାଧ୍ୟ ।

 

ପ୍ରାଚୀନ ଉତ୍କଳ ଏହିପରି ଥିଲା । ବ୍ରାହ୍ମଣ୍ୟର ପକ୍ଷପୁଟଚ୍ଛାୟାରେ ରାଜନ୍ୟର ପରିପୋଷଣରେ ଧର୍ମ, କର୍ମ, ଆଚାର, ଅନୁଷ୍ଠାନ, ବେଶଭୂଷା, ଶିଳ୍ପକଳା ପୁଞ୍ଜୀଭୂତ ହୋଇ କିପରି ଗୋଟିଏ ଶାନ୍ତ ସମଗ୍ରତା ଲାଭ କରିଥିଲା । ଏହାହିଁ ସଭ୍ୟତା ଏବଂ ପ୍ରାଚୀନ ଉତ୍କଳର ଏହାହିଁ ଗୌରବ । ବର୍ତ୍ତମାନ କେବଳ ଭଗ୍ନାବଶେଷ ଭାସ୍କର୍ଯ୍ୟରେ ଏହି ଗୌରବ-କାହାଣୀ କଥଞ୍ଚିତ୍ ମୁଦ୍ରିତ ହୋଇ ରହିଅଛି ମାତ୍ର । ନତୁବା ଆଜିକାଲି ସେ ସଭ୍ୟତାର କିଛିହିଁ ନାହିଁ । ସୋଫା, କୌଚ ପ୍ରଭୃତି ପରି ପ୍ରାଚୀନ କାଳର ବିବିଧନାମ ଯେ ସମସ୍ତ ଆସନାଦି ଏବଂ ଗୃହସଜ୍ଜାର ବହୁବିଧ ଉପକରଣ ଥିଲା, ତାହା ଆଜିକାଲି ଦୁର୍ଲଭ । ପୂର୍ବକାଳରେ କାର୍ନିସ ଅପେକ୍ଷା ଭିତ୍ତର ଦୃଢ଼ତାହିଁ ଅଧିକତର ପ୍ରଶଂସିତ ହେଉଥିଲା ଏବଂ ଭୋଗ ଅପେକ୍ଷା ତ୍ୟାଗର ବିଜୟ-ଦୁନ୍ଦୁଭିହିଁ ସଭ୍ୟସମାଜରେ ସର୍ବତ୍ର ବାଦିତ ହେଉଥିଲା । ଏହି ସମସ୍ତରୁ ପ୍ରାଚୀନ ଉତ୍କଳରେ ଗୋଟିଏ ସୁନ୍ଦର ସଂସ୍କୃତ ସଭ୍ୟତାର ଅସ୍ତିତ୍ୱ ସମ୍ୱନ୍ଧରେ ସଂଶୟ ନ ଥାଏ । ସେହି ବହୁ ପ୍ରାଚୀନ କାଳର ମହିମାରେ ଆଚ୍ଛନ୍ନ ରହି କ୍ଷଣକ ସକାଶେ ଆମ୍ଭେମାନେ ବର୍ତ୍ତମାନ ଦୁଃଖଦୈନ୍ୟରୁ ଦୂରରେ ରହିଥାଉଁ। ଏହି ସବୁ ଭାଳି ଏବଂ ଏହି ସ୍ମୃତି ଉଦ୍ଦୀପିତ କରି ଆଜି କାଲିର ସଭ୍ୟତା ସହିତ ପ୍ରାଚୀନ ସଭ୍ୟତାର ତୁଳନା କରିବାକୁ ସ୍ୱତଃ ପ୍ରବୃତ୍ତ ହୋଇଥାଏ ।

 

ଆମ୍ଭେମାନେ ପ୍ରାଚ୍ୟଦେଶର ଅଧିବାସୀ, ଅତି ପ୍ରାଚୀନ ସଭ୍ୟତାର ଉତ୍ତରାଧିକାରୀ, ଅତି ପୁରାତନ ସାହିତ୍ୟରେ ସମୃଦ୍ଧ । ଆମ୍ଭେମାନେ କେତେ ଯୁଦ୍ଧ ଏବଂ ଜୟ ପରାଜୟ ମଧ୍ୟ ଦେଇ ସଭ୍ୟତା ସଞ୍ଚିତ କରି ରଖିଅଛୁଁ । ସେ ସଭ୍ୟତାର ପ୍ରକୃତି ଶାନ୍ତି-ଗତି ଆତ୍ମୋନ୍ନତି ଆଡ଼କୁ । ସେଥି ସକାଶେ ଭାରତରେ ଆର୍ଯ୍ୟ ଏବଂ ଅନାର୍ଯ୍ୟରେ ରକ୍ତିସିକ୍ତ ଯୁଦ୍ଧକ୍ଷେତ୍ରରେ ହିନ୍ଦୁମାନେ ଶାନ୍ତିର ସ୍ନିଗ୍ଧ-ତପୋବନ ପ୍ରତିଷ୍ଠିତ କରି ଯାଇଅଛନ୍ତି । ଏହି ହେତୁରୁ ଆମ୍ଭମାନଙ୍କ ସାହିତ୍ୟରେ ଏବଂ ଶିଳ୍ପରେ ଶାନ୍ତିର ପ୍ରଭାବ । କିନ୍ତୁ ଆମ୍ଭେମାନେ ଆଜି ‘‘ଅବଜ୍ଞାତ ଜଡ଼ବାଦୀ’’- ନବ୍ୟ ସମାଜ ଆମ୍ଭମାନଙ୍କୁ ଭୀରୁତାର ଅପବାଦରେ କଳଙ୍କିତ କରିଥାଏ !

 

ମନୁଷ୍ୟ ଯେଉଁ ସଭ୍ୟତା ସକାଶେ ଗର୍ବ କରେ, ସେ ସଭ୍ୟତା ଯେବେ ଆଧ୍ୟାତ୍ମିକ ଉନ୍ନତି ପ୍ରତିଷ୍ଠିତ ନ ହୁଏ; ତେବେ ତାହା ଆଘାତସହ କିମ୍ବା ସ୍ଥାୟୀ ହୁଏ ନାହିଁ । ଭାରତର ସଭ୍ୟତା ଆଧ୍ୟାତ୍ମିକ ଉନ୍ନତି ଉପରେ ପ୍ରତିଷ୍ଠିତ ବୋଲି ବହୁ ଜାତିର ବିଜୟବାତ୍ୟା ତାହାର ଉଦାରତା ନଷ୍ଟ କରି ପାରି ନାହିଁ, ମାତ୍ର ପ୍ରତୀଚ୍ୟ ସଭ୍ୟତାରେ ଆଧ୍ୟାତ୍ମିକତା ବିରଳ-ତାହା କେବଳ ଅର୍ଥୋପାସନା ଏବଂ ଶକ୍ତିର ଅର୍ଚ୍ଚନାରେ ଆତ୍ମ-ବିକାଶ ଲାଭ କରିଅଛି । ଯେଉଁ ବାହ୍ୟାଡ଼ମ୍ବରପୂର୍ଣ୍ଣ ସଭ୍ୟତା ଏବଂ ଇହସର୍ବସ୍ୱର ଶିକ୍ଷା ସମାଜର ସୁଖାଶାନ୍ତି ହରଣ କରି ତାହାକୁ ଧ୍ୱଂସ ଆଡ଼କୁ ଘେନିଯାଏ, ଆମ୍ଭମାନଙ୍କ ଭଳି ପ୍ରାଚ୍ୟ ଦେଶବାସୀ ସେ ଭଳି ଶିକ୍ଷାର ପକ୍ଷପାତୀ ହେବାକୁ ଆତ୍ମ-ବିନାଶର ହେତୁ ବୋଲି ଜାଣୁଥିବେ ।

 

ଆଜି କାଲି ଜ୍ଞାନର ପୁଙ୍ଖାନୁପୁଙ୍ଖରୂପେ ବିଶ୍ଳେଷଣ ହେଉଅଛି ସତ୍ୟ-ଐକଦେଶିକ ଜ୍ଞାନର ଗଭୀରତା ମଧ୍ୟ ବଢ଼ୁଅଛି, କିନ୍ତୁ ସାକଲ୍ୟଜ୍ଞାନ ଯେପରି ଚିନ୍ତାର ରାଜ୍ୟରୁ ନିର୍ବାସିତ ହେଉଅଛି–Specialistଙ୍କ ଆଦର ବଢ଼ୁଥିଲେହେଁ ସାର୍ବଭୌମିକତା ଅଗଭୀର ବୋଲି ଉପେକ୍ଷିତ ହେଉଅଛି । ଆଜି କାଲି ଯେଉଁମାନେ ଅର୍ଥ-ନୀତିର ଆଲୋଚନା କରନ୍ତି, ସେମାନେ ସମାଜ-ତତ୍ୱ, ଅଧ୍ୟାତ୍ମ-ତତ୍ତ୍ୱ କିମ୍ୱା ଦର୍ଶନର ବିଷୟ କାନକୁ ଆଣନ୍ତି ନାହିଁ, ସେମାନେ କେବଳ ଅର୍ଥ-ନୀତି କଥା ଘେନି ବ୍ୟସ୍ତ ରହନ୍ତି । କିନ୍ତୁ ମାନବର ସମସ୍ତ ବ୍ୟାପାର ଯେ ପରସ୍ପର ସମ୍ବନ୍ଧଯୁକ୍ତ, ସମଷ୍ଟି ଜ୍ଞାନ ସହିତ ବ୍ୟଷ୍ଟିଜ୍ଞାନ ଯେ ଦୃଢ଼ସଂବଦ୍ଧ, ଏହା ଆମ୍ଭେମାନେ ପ୍ରାୟ ଭୁଲି ଯାଉଁ । ଏଥି ସକାଶେ ବ୍ୟଷ୍ଟିଜ୍ଞାନ ଗଭୀର ହେଲେହେଁ ଆମ୍ଭମାନଙ୍କ ସମଷ୍ଟିଜ୍ଞାନଭଣ୍ଡାରରେ ଗାର ପଡ଼ୁଅଛି । ଯେ ସମସ୍ୟା ଅତି ପ୍ରାଚୀନ କାଳରୁ ମନୁଷ୍ୟର ଚିନ୍ତାକ୍ଷେତ୍ର ଆଲୋଡ଼ିତ କରି ଆସୁଅଛି, ସେହି ସବୁ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ ।

 

ଯେ ଯାହା କହନ୍ତୁ, ଭାରତ ଅତି ପ୍ରାଚୀନ ଦେଶ । ଭୂତତ୍ତ୍ୱବିଦ୍ ପଣ୍ଡିତମାନଙ୍କ ମତରେ ଏହି ଭାରତର ସ୍ଥାନବିଶେଷ ଆଧୁନିକ ହେଲେହେଁ ଦେଶଟି ଅତି ପ୍ରାଚୀନ । ଏହି ପ୍ରାଚୀନ ଦେଶ ଅତି ପ୍ରାଚୀନ କାଳରେ ମାନବଜାତିର ଆବାସଭୂମିରେ ପରିଣତ ହୋଇଥିଲା । ପ୍ରତ୍ୟେକ ମାନବସମାଜରେ ଆଚାର ବ୍ୟବହାର, ରୀତି-ନୀତି ପ୍ରଭୃତି ଗୋଟିଏ ବିଶେଷ ଧାରାରେ ଗଜା ବାହାରିଅଛି । ଏହି ମାନବସମାଜର ଚିନ୍ତାପ୍ରବାହ ଗୋଟିଏ ସ୍ୱତନ୍ତ୍ର ଗହ୍ୱରକୁ ପ୍ରବାହିତ ହେଉଅଛି । ପୁରୁଷପରମ୍ପରାକ୍ରମେ ସେହି ନୀତି, ସେହି ରୀତି, ସେହି ଆଚାର, ସେହି ବ୍ୟବହାର ଆଜିକାଲିର ମାନବଦେହ ଓ ସମାଜଦେହରେ ଗୋଟିଏ ପ୍ରଭାବ ବିସ୍ତାର କରିଅଛି । ଯୁଗଯୁଗାନ୍ତରରୁ ଗୋଟିଏ ସ୍ୱତନ୍ତ୍ର ଚିନ୍ତାର ପ୍ରବାହ ଅବିଶ୍ରାନ୍ତ ପ୍ରବାହିତ ହେଉଅଛି ବୋଲି ଏହି ଦେଶବାସିଙ୍କର ମସ୍ତିଷ୍କ ଗୋଟିଏ ସ୍ୱତନ୍ତ୍ର ଛାଞ୍ଚରେ ଗଢ଼ା ହୋଇଅଛି । ପୁରୁଷାନୁକ୍ରମେ ସେହି ରୀତିରେ ମସ୍ତିଷ୍କ ବିକାଶପ୍ରାପ୍ତ ହେବାରୁ ସେହି ଚିନ୍ତାଧାରା ଆମ୍ଭମାନଙ୍କ ମଜ୍ଜାଗତ ହୋଇ ରହିଅଛି। ତାହା ଆମ୍ଭମାନଙ୍କ ଜାତୀୟଭାବ-ଆମ୍ଭମାନଙ୍କ ଜାତୀୟ ଚିନ୍ତା । ଆମ୍ଭମାନଙ୍କୁ ଚିହ୍ନିବାକୁ ଜାଣିବାକୁ ଓ ବୁଝିବାକୁ ହେଲେ ବିଦେଶୀକୁ ସେହି ଜାତୀୟ ଭାବ ଓ ଜାତୀୟ ଚିନ୍ତା ସହିତ ସମ୍ପୂର୍ଣ୍ଣଭାବରେ ପରିଚିତ ହେବାକୁ ପଡ଼ିବ । ଏକ ଜାତି ପକ୍ଷରେ ଅନ୍ୟ ଜାତିକୁ ଭଲ କରି ଚିହ୍ନିବାକୁ ହେଲେ ଏକ ପକ୍ଷରେ ଅନ୍ୟର ଜାତୀୟ ଇତିହାସ ସହିତ ପ୍ରଗାଢ଼ଭାବରେ ପରିଚିତ ହେବା ଆବଶ୍ୟକ ।

 

ଆମ୍ଭମାନଙ୍କ ଜାତୀୟ ଇତିହାସ ସହିତ ଯେଉଁମାନେ ପରିଚିତ, ସେମାନେ ସମସ୍ତେ ଏକ ବାକ୍ୟରେ ସ୍ୱୀକାର କରିବେ, ଅତି ପ୍ରାଚୀନ କାଳରୁ ଏ ଦେଶର ଚିନ୍ତା-କ୍ଷେତ୍ରରେ ଆଧ୍ୟାତ୍ମିକତାର କୁସୁମ ବିକଶିତ ହୋଇଅଛି । ଏହି ଆଧ୍ୟାତ୍ମିକ ଭାବ ଆମ୍ଭମାନଙ୍କ ସମସ୍ତ ବିଷୟରେହିଁ ବିଶେଷ ପ୍ରଭାବ ବିସ୍ତାର କରିଅଛି । ପୁରୁଷପରମ୍ପରାଗତ ଆମ୍ଭମାନଙ୍କର ସେହି ଭାବର ପ୍ରବାହ କେତେଦୂର, ତାହା ଆମ୍ଭେମାନେ ସ୍ୱୟଂ ସମ୍ୟକ ବୁଝି ପାରୁ ନାହୁଁ । ଏହି ଆଧ୍ୟାତ୍ମିକଭାବରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱରର ବଡ଼ଦେଉଳ ପ୍ରତି କବି କହିଅଛନ୍ତି :-

 

‘‘ଅଙ୍ଗୁଳି ନିର୍ଦେଶି ଦେଖାଉଛି ସେହୁ

ମର୍ତ୍ତ୍ୟଜନେ ନିତ୍ୟଧାମ ।’’

 

ପ୍ରାଚୀନ ସଭ୍ୟତା ଭୁବନେଶ୍ୱରକ୍ଷେତ୍ରକୁ ହିନ୍ଦୁଙ୍କ ଆଶ୍ରମ ଚତୁଷ୍ଟୟର ଉପଯୋଗୀ କରି ରଖିଅଛି । ମାତ୍ର ମୁଁ ଗୃହସ୍ଥ, ଗୃହସ୍ଥାଶ୍ରମର ଉପଯୋଗିତା ବ୍ୟତୀତ ଅନ୍ୟ କିଛି ବୁଝିବାରେ ସାମର୍ଥ୍ୟ ଓ ଅଧିକାର ମୋହର ନାହିଁ । ହିନ୍ଦୁଙ୍କ ଆଶ୍ରମଚତୁଷ୍ଟୟର ବ୍ୟବସ୍ଥାରେ ମନୁଷ୍ୟର ଶିକ୍ଷାଲାଭଠାରୁ ମୋକ୍ଷଲାଭ ପର୍ଯ୍ୟନ୍ତ ସମସ୍ତର ଯଥାଯଥ ବ୍ୟବସ୍ଥା ଥିଲା । ସକଳ ଆଶ୍ରମରହିଁ ଉପଯୋଗିତା ଅବଶ୍ୟ ସ୍ୱୀକାର୍ଯ୍ୟ । କାଳିଦାସ ଗାର୍ହସ୍ଥ୍ୟାଶ୍ରମକୁ ‘‘ସର୍ବୋପକାରକ୍ଷମ’’ ଆଶ୍ରମ କହିଅଛନ୍ତି । ଆଉ ସମସ୍ତ ଆଶ୍ରମରେ ମନୁଷ୍ୟ ନିଜର ଐହିକ ଓ ପାରଲୌକିକ ଉନ୍ନତିଲାଭରେ ଚେଷ୍ଟା କରେ-କିନ୍ତୁ ଗାର୍ହସ୍ଥ୍ୟାଶ୍ରମରେ ତାହାକୁ ଆଶ୍ରିତ, ଅନୁଗତ, ଅତିଥି, ଅଭ୍ୟାଗତ, ପ୍ରତିବେଶୀ, ଗ୍ରାମବାସୀ, ଦେଶବାସୀ ସମସ୍ତଙ୍କର ସ୍ୱାର୍ଥ ଅନୁଯାୟୀ ନିଜର ଜୀବନ ନିୟନ୍ତ୍ରିତ କରିବାକୁ ହୁଏ । ଗୃହ କେବଳ ଭୋଗର ସ୍ଥାନ ନୁହେ-ସଂଯମର ମଧ୍ୟ ଶିକ୍ଷାଗାର । ଗାର୍ହସ୍ଥ୍ୟାଶ୍ରମର ଶିକ୍ଷା କେବଳ ସ୍ୱାର୍ଥର ନୁହେ-ପରାର୍ଥର ।

 

ଆଜିକାଲିର ସଭ୍ୟତା ମନୁଷ୍ୟକୁ ଏଭଳି ସ୍ୱାର୍ଥସର୍ବସ୍ୱ କରେ ଯେ, ମନୁଷ୍ୟର ସ୍ୱାର୍ଥହାନି ଭୟରେ ସଂସାରୀ ହେବାକୁ-ଗାର୍ହସ୍ଥ୍ୟାଶ୍ରମରେ ପ୍ରବେଶ କରିବାକୁ ଭୟ ହୁଏ ।

 

ଆମ୍ଭେମାନେ ଆଜିକାଲିର ସଭ୍ୟତାର ଜ୍ଞାନାଲୋକରେ ନିଜର ସ୍ୱାତନ୍ତ୍ର୍ୟକୁ ସମୁଜ୍ଜ୍ୱଳ କରି ପାରିବୁଁ, ଏହା ବୋଧହୁଏ ବିଧାତାଙ୍କର ଇଚ୍ଛା । ପାଶ୍ଚାତ୍ୟ ସଭ୍ୟତାର ସଂଘର୍ଷ ଆମ୍ଭମାନଙ୍କ ଅନ୍ତରରେ ଯେଉଁ ଗୋଟିଏ ଉତ୍ତାପ ସଞ୍ଚାର କରି ଦେଇଅଛି, ତଦ୍ଦ୍ୱାରା ଆମ୍ଭମାନଙ୍କ ମୁମୂର୍ଷୁ ଜୀବନଶକ୍ତି ପୁନରାୟ ସଚେତନ ହୋଇ ଉଠୁଅଛି । ଆମ୍ଭମାନଙ୍କ ଅନ୍ତର ମଧ୍ୟରେ ଯେଉଁ ସମସ୍ତ ବିଶେଷ କ୍ଷମତା ଅନ୍ଧ ଏବଂ ଜଡ଼ବତ୍ ଅବସ୍ଥାନ କରୁଥିଲା, ସେ ଗୁଡ଼ିକ ନୂତନ ଆଲୋକରେ ପୁନରାୟ ନିଜ ନିଜକୁ ଚିହ୍ନିବାର କ୍ଷମତା କ୍ରମଶଃ ଲାଭ କରୁଅଛି । ସ୍ୱାଧୀନ ଯୁକ୍ତି ତର୍କ ବିଚାରରେ ଆମ୍ଭମାନଙ୍କ ମାନସଭୂମି ଆମ୍ଭମାନଙ୍କ ନିକଟରେ ନବାବିଷ୍କୃତ ହେଉଅଛି । ଦୀର୍ଘ-ପ୍ରଳୟ-ରାତ୍ରିର ଅବସାନର ଅରୁଣୋଦୟରେ ଯେପରି ଆମ୍ଭେମାନେ ଆମ୍ଭମାନଙ୍କ ଦେଶ ଆବିଷ୍କାର କରିବାକୁ ଚେଷ୍ଟା କରୁଅଛିଁ । ସ୍ମୃତି, ଶ୍ରୁତି, କାବ୍ୟ, ପୁରାଣ, ଇତିହାସ, ଦର୍ଶନର ପ୍ରାଚୀନ ଗହନ ଅରଣ୍ୟ ମଧ୍ୟରେ ପ୍ରବେଶ କରୁଅଛୁଁ- ପୁରାତନ ଗୁପ୍ତ ଧନକୁ ନୂତନଭାବରେ ଲାଭ କରିବାର ଇଚ୍ଛା ! ଆମ୍ଭମାନଙ୍କ ମନରେ ଯେ ଗୋଟିଏ ଧିକ୍କାରର ପ୍ରତିଘାତ ଉପସ୍ଥିତ ହୋଇଅଛି, ସେଥିରେ ଆମ୍ଭେମାନେ ନିଜ ନିଜ ଆଡ଼କୁ ପ୍ରକୃତଭାବରେ ଅନାଇବାକୁ ଅଗ୍ରସର ହେଉଅଛୁଁ । ବର୍ତ୍ତମାନ ଆମ୍ଭେମାନେ ଅନ୍ଧଭାବରେ ନିଜର ମାଟି କାମୁଡ଼ି ପଡ଼ି ରହିଅଛୁଁ କିନ୍ତୁ ଆଶା, ଅଛି ଯେ, ଏହି ପ୍ରତିଘାତରୁ ଯଥାର୍ଥ ଗଭୀର ଶିକ୍ଷା ଏବଂ ସ୍ଥାୟୀ ଉନ୍ନତି ଲାଭ କରି ପାରିବୁଁ ।

 

ଏକପ୍ରକାର କାଳି ଅଛି, ଯାହା କାଗଜ ଦେହରେ କାଳକ୍ରମରେ ଅଦୃଶ୍ୟ ହୋଇଯାଏ । ଅବଶେଷରେ ଅଗ୍ନିର ଉତ୍ତାପ ଦେଲା ମାତ୍ରେ ପୁନଶ୍ଚ ତାହାର ପ୍ରତ୍ୟେକ ରେଖା ସୁସ୍ପଷ୍ଟ ଦିଶେ । ପୃଥିବୀର ଅଧିକାଂଶ ସଭ୍ୟତା ବୋଧହୁଏ ସେହି କାଳିରେ ଲେଖା । କାଳକ୍ରମେ ଲୁପ୍ତ ହୋଇଯାଏ, ଶୁଭ ଦୈବକ୍ରମରେ ନବ୍ୟସଭ୍ୟତାର ସଂସ୍ରବ ଏବଂ ନବଜୀବନର ଉତ୍ତାପରେ ତାହା ପୁଣି ସୁସ୍ପଷ୍ଟରୂପେ ବାହାରି ପଡ଼ିବା ଅସମ୍ଭବ ହୁଏ ନାହିଁ । ଆମ୍ଭେମାନେ ଏହିପରି ଆଶା କରି ରହିଅଛୁଁ । ସେହି ବିପୁଳ ଆଶାରେ ଉତ୍ସାହିତ ହୋଇ ଆମ୍ଭମାନଙ୍କ ସମସ୍ତ ପ୍ରାଚୀନ ଦ୍ରବ୍ୟସମୂହ ସେହି ଉତ୍ତାପ ନିକଟରେ ଆଣି ରଖୁଅଛୁଁ–ଯେବେ ପୂର୍ବ ଅକ୍ଷରସମୂହ ସୁସ୍ପଷ୍ଟ ହୁଏ, ତେବେ ପୃଥିବୀର ଆମ୍ଭମାନଙ୍କ ଗୌରବ ରକ୍ଷିତ ହୋଇ ପାରିବ-ନତୁବା ଆମ୍ଭମାନଙ୍କ ପ୍ରାଚୀନ ସଭ୍ୟତାର ଜରାଜୀର୍ଣ୍ଣ ଦେହ ପକ୍ଷରେ ନୂତନ ସଭ୍ୟତାର ଜ୍ୱଳନ୍ତ ଚିତାରେ ଲୋକାନ୍ତର ଏବଂ ରୂପାନ୍ତର ପ୍ରାପ୍ତିହିଁ ଏକମାତ୍ର ସଦ୍ଗତି-

 

ଅଲାବୁକେଶ୍ୱର ମନ୍ଦିର ନିକଟସ୍ଥ କୋଚିଲାବନ ଶୋଭିତ ସୁବିସ୍ତୀର୍ଣ୍ଣ ଟଙ୍କଭୂମି ସୂର୍ଯ୍ୟାସ୍ତର ପୀତାଲୋକରେ ଶବଳିତ ହୋଇ ଉଠିଲା; ତେଣେ ଗଙ୍ଗୁଆ କୂଳ ଏବଂ ଧଉଳୀ ପର୍ଯ୍ୟନ୍ତ ଦିଗନ୍ତ ବିସ୍ତୃତ ଧାନ୍ୟକ୍ଷେତ୍ରସମୂହରୁ ଧାନ କଳେଇ ଓ ନଡ଼ାପରିପୂର୍ଣ୍ଣ ଗାଡ଼ିଗୁଡ଼ିକ ଗୃହାଭିମୁଖରେ ପ୍ରତ୍ୟାବର୍ତ୍ତନ କଲା । ସୂର୍ଯ୍ୟଦେବ ବିନ୍ଦୁସାଗରର ବିଶ୍ରାମଘାଟ ପଶ୍ଚାତରେ ଅସ୍ତ ହେଲେ । କର୍ମକ୍ଳାନ୍ତ ମାନବର ସନ୍ଧ୍ୟା-ବିଶ୍ରାମ ପ୍ରାୟ ସୂର୍ଯ୍ୟଦେବ ମଧ୍ୟ ବିଶ୍ରାମ ନେବାକୁ ବିଶ୍ରାମଘାଟର ପଛଆଡ଼େ ଅଦୃଶ୍ୟ ହେଲେ । ବିନ୍ଦୁସରୋବର ତଟତଳସ୍ଥ ଜଳ ଉପରେ ବୃକ୍ଷସମୂହର ଛାୟା ପଡ଼ି ପ୍ରକାଣ୍ଡ ଦର୍ପଣର ପ୍ରକାଣ୍ଡ କଳା ‘‘ଫ୍ରେମ’’ (ବନ୍ଧନୀ) ପ୍ରାୟ ପ୍ରତୀୟମାନ ହେଲା । ମଧ୍ୟସ୍ଥିତ ଦ୍ୱୀପଦଣ୍ଡି ଉପରେ ଅନେକ ପକ୍ଷୀ ରାତ୍ରିବାସର ଆୟୋଜନରେ ବସି ରହିଲେ । ହଠାତ୍ ନିକଟସ୍ଥ କଣ୍ଟାବଣ ମଧ୍ୟରୁ ଉଚ୍ଚକଣ୍ଠନିନାଦିତ ସୁମଧୁର ସଂଙ୍ଗୀତ ଉଠିଲା :–

 

‘‘ଆଜି ନବଘନଶ୍ୟାମ ମୂରତିକି

ଦେଖିଲି ଆରେ ସଖି ରେ ।’’

 

ଉତ୍କର୍ଣ୍ଣ ହୋଇ ଗୀତର ଦୁଇପଦ ଶୁଣି ଆତ୍ମବିସ୍ମୃତ ହେଲି । ଲିଙ୍ଗରାଜଙ୍କ ସେବକସମ୍ପ୍ରଦାୟ ମଧ୍ୟରୁ କୌଣସି ସେବକଙ୍କ କଣ୍ଠନିଃସୃତ ଏହି ସଙ୍ଗୀତ ଚତୁଃପାର୍ଶ୍ୱସ୍ଥ ବନଭୂମିରେ ପ୍ରତିଧ୍ୱନିତ ହେଲା । ଆଜିର ଏହି ସୁନ୍ଦର ଅଥଚ ବିଶୃଙ୍ଖଳ ସ୍ୱରସମଷ୍ଟିର ସଙ୍ଗୀତଟି କାଳପ୍ରତିଭାର ପ୍ରଭାବରେ ମହାସଙ୍ଗୀତରେ ପରିଣତ ହୋଇ ପାରେ, ମାତ୍ର ମୋହର ଆବିଳ ହୃଦୟ ମଧ୍ୟରୁ ମହତ୍ ମୂର୍ତ୍ତିମାନ୍ ସଙ୍ଗୀତ ବାହାର କରିବା ସ୍ୱୟଂ ପ୍ରତିଭା ପକ୍ଷରେ ଦୁଃସାଧ୍ୟ ପରା !

 

ଉତ୍ତରେଶ୍ୱର ! ତୁମ୍ଭ ନିକଟରେ କିଛିକ୍ଷଣ ବିଶ୍ରାମ ଘେନି ପୁରାତନର ମହିମାମୟ ସ୍ୱପ୍ନମୋହରେ ମୋହର ହୃଦୟ ଅଭିଭୂତ ହୋଇଗଲା । ଯେଉଁ ଭାବସମୂହ ମୋ ହୃଦୟରେ ତୁମ୍ଭ ସକାଶେ ଆଜି ଲାଖି ରହିଲା, ସେଥିରେ ମୁଁ ତୁମ୍ଭ ନିକଟରେ ଚିର-କୃତଜ୍ଞ । ସ୍ଥାୟିତ୍ୱ ଉପରେ ଭାବସୌନ୍ଦର୍ଯ୍ୟର ନିର୍ଭର । ପୁରାତନ-ସ୍ମୃତିର ଯେ ସୌନ୍ଦର୍ଯ୍ୟ, ତାହା କେବଳ ଅପ୍ରାପ୍ତି ନିବନ୍ଧନ ନୁହେ । ହୃଦୟ ବହୁକାଳ ତାହା ଉପରେ ବସା କରେ ବୋଲି ସହସ୍ର ସଜୀବ କଳ୍ପନା-ସୂତ୍ର ପ୍ରସାରିତ କରି ତାକୁ ନିଜ ସହିତ ଏକୀକୃତ କରିପାରେ, ଏହି କାରଣରୁ ତାହାର ମାଧୁର୍ଯ୍ୟ । ପୁରାତନ ଇତିହାସ, ପୁରାତନ ବଂଶ, ପୁରାତନ ଗୃହ, ପୁରାତନ ଦେବମନ୍ଦିର ପ୍ରଭୃତିର ପ୍ରଧାନ ସୌନ୍ଦର୍ଯ୍ୟର କାରଣ ଏହି ଯେ, ବହୁକାଳର ସ୍ଥାୟିତ୍ୱବଶତଃ ସେମାନେ ମନୁଷ୍ୟ ସହିତ ଅତ୍ୟନ୍ତ ସଂପୃକ୍ତ । ସେମାନେ ଅବିଶ୍ରାନ୍ତଭାବରେ ମାନବହୃଦୟର ସଂସ୍ରବରେ ସର୍ବାଂଶରେ ସଚେତନ-ସମାଜ ସହିତ ସେମାନଙ୍କର ସର୍ବପ୍ରକାର ବିଚ୍ଛେଦ ଦୂର କରି ସମାଜର ଅଙ୍ଗସ୍ୱରୂପ ହୋଇଅଛନ୍ତି, ଏହି ଐକ୍ୟରେହିଁ ସେମାନଙ୍କର ସୌନ୍ଦର୍ଯ୍ୟ । ମାନବସମାଜରେ ସ୍ତ୍ରୀମାନେ ସର୍ବାପେକ୍ଷା ପୁରାତନ । ପୁରୁଷ ନାନା କାର୍ଯ୍ୟ ନାନା, ଅବସ୍ଥା ଓ ନାନା ପରିବର୍ତ୍ତନ ମଧ୍ୟରେ ସର୍ବଦା ଚଞ୍ଚଳଭାବରେ ପ୍ରବାହିତ ହେଉଅଛନ୍ତି; ସ୍ତ୍ରୀମାନେ ସ୍ଥାୟିଭାବରେ କେବଳ ଜନନୀ ଏବଂ ପତ୍ନୀରୂପରେ ବିରାଜିତା, କୌଣସି ବିପ୍ଳବ ସେମାନଙ୍କୁ ବିକ୍ଷିପ୍ତ କରିପାରେ ନାହିଁ; ଏଥି ସକାଶେ ସମାଜର ଧର୍ମ ମଧ୍ୟରେ ନାରୀ ସୁନ୍ଦର ସଙ୍ଗତରୂପରେ ମିଶ୍ରିତ । ଏହି ଦୁର୍ଲଭ ସର୍ବାଙ୍ଗୀନ ଐକ୍ୟ ଲାଭ କରିବାକୁ ଶିକ୍ଷା ତୁମ୍ଭଠାରେ ପାଇ ମୁଁ ଆଜି କୃତାର୍ଥ ।

 

ଉତ୍ତରେଶ୍ୱର ! ଜନଶ୍ରୁତି ସମୟ ସମୟରେ ପ୍ରକାଶ କରେ, ଏକାମ୍ରକ୍ଷେତ୍ରର ଭାସ୍କର୍ଯ୍ୟ ଉତ୍କଳୀୟଙ୍କ ହସ୍ତକୁଶଳତାର ପ୍ରମାଣ ନୁହେ–ତାହା ପୃଥିବୀରେ ଅନ୍ୟ କୌଣସି ପ୍ରାଚୀନ ଜାତିର କୀର୍ତ୍ତି । ମାତ୍ର ଜନ-ଶ୍ରୁତିନାମ୍ନୀ ଅନୃତବାଦିନୀ କୁହୁକିନୀଙ୍କ ମାୟାମୟ ସଙ୍ଗୀତରେ ବିଶ୍ୱାସ କରିବାର ପ୍ରବୃତ୍ତ ହେଉ ନାହିଁ । ପୂର୍ବ ଏକାମ୍ରଗୌରବର ସଂରକ୍ଷଣରେ ଉତ୍କଳୀୟ ଜାତୀୟତା ବର୍ତ୍ତମାନ ନ୍ୟସ୍ତ ହେଉ–ମୋହର ଭ୍ରାତୃବର୍ଗଙ୍କ ନିକଟରେ ଏହି ଆବେଦନ କରିଅଛି । ମୋହର ବିଶ୍ୱାସ, ଏହି ଦରଖାସ୍ତ କଳ୍ପଦ୍ରୁମରେ କାମନାର ଅମୃତ ଫଳ ଅବା ଫଳି ପାରେ । ଅତୀତର ବିଶ୍ୱପ୍ଳାବୀ ଗୌରବଭାତି ବର୍ତ୍ତମାନର ନିବିଡ଼ ମୋହ ବିଦୀର୍ଣ୍ଣ କରି ଭବିଷ୍ୟତର ପ୍ରସନ୍ନ ଆକାଶରେ କେତେବେଳେ ବିପୁଳ ଉଚ୍ଛ୍ୱାସରେ ପ୍ରଦୀପ୍ତ ହୋଇ ଉଠିବ ?

Image

 

ସ୍ୱର୍ଗଦ୍ୱାରରେ ସନ୍ଧ୍ୟା

 

ଉତ୍କଳ-ପ୍ରକୃତିର ମହାମହିମ ଦୃଶ୍ୟପଟ ବର୍ତ୍ତମାନ ଚକ୍ଷୁ ସମକ୍ଷରେ ଉଦ୍ଘାଟିତ । ଏହା ନୀଳାଚଳସ୍ଥ ସ୍ୱର୍ଗଦ୍ୱାରର ବେଳାଭୂମି, ସମୁଦ୍ର ଅନବରତ ଘୁ ଘୁ ରବରେ ଗର୍ଜନ କରୁଅଛି–ଅବିଶ୍ରାନ୍ତ ଗମ୍ଭୀର ରବରେ ସମୁଦ୍ର ଆହ୍ୱାନ କରୁଅଛି । ଭାଇ ! ତୁମ୍ଭ କର୍ଣ୍ଣ ସଂସାରର କୋଳାହଳରେ ବଧିର ହୋଇଯାଇଅଛି ପରା ? ଆସ, ସମସ୍ତ ଭୁଲି ଏଠାକୁ ଆସ, ସିନ୍ଧୁକୂଳରେ ହୃଦୟ ପ୍ରଶସ୍ତ ଓ ଉଦାର ହୋଇଯିବ, ସଂସାରର ନୀଚ ବାସନାରୁ ମୁକ୍ତ ହେବ । ସ୍ଥଳରେ ତୁମ୍ଭ ଦୃଷ୍ଟି ଅବରୁଦ୍ଧ ହୁଏ, ବାହାରି ଆସ ସାଗର ସମୀପକୁ, ଦୃଷ୍ଟିଶକ୍ତି ସାର୍ଥକତା ଲାଭ କରିବ । ମୁକ୍ତ ବାୟୁରେ ଦେହ ପ୍ରାଣ ସତେଜ ଓ ଜୀବନ୍ତ ହୋଇ ଉଠିବ ।

ଆହ୍ୱାନ ଶୁଣିବ ନାହିଁ ? କ୍ଷୁଦ୍ର ବିଷୟରେ ବଦ୍ଧ ହୋଇ ଜଡ଼ିତ ରହିବ ? କ୍ଷୁଦ୍ରରେ କଣ ତୁମ୍ଭର ତୃପ୍ତି ? ‘‘ଯୋ ବୈଭୂମା ତତ୍‌ ସୁଖଂ ନାଳ୍ପେ ସୁଖମସ୍ତି’’–ତୁମ୍ଭ ସୀମାବଦ୍ଧ ସତ୍ୟ, କିନ୍ତୁ ଭିତରକୁ ଚାହିଁ ଦେଖ, ତୁମ୍ଭ ପ୍ରାଣ ଲୋଡ଼ୁ ଅଛି-ଅନନ୍ତ ! ପରୀକ୍ଷା କରି ଦେଖ, ଥରେ ବିଶାଳ ଜଳଧି କୂଳରେ ବିଚରଣ କରି, ତୁମ୍ଭ ପ୍ରାଣ ଯେଡ଼େ କ୍ଷୁଦ୍ର ବିଷୟରେ ଆସକ୍ତ ଥାଉ ପଛକେ ଥରେ ଥରେ ତୁମ୍ଭେ ବ୍ୟାକୁଳ ହୋଇ ଅସୀମକୁ ଡେଇଁ ପଡ଼ିବାକୁ ଇଚ୍ଛା କରିବ ।

ସ୍ୱର୍ଗଦ୍ୱାରରେ ସଂସାରର ଓ ଅନନ୍ତର ସମସ୍ତ ଦୃଶ୍ୟ ସଦା ସୁଲଭ । ସମ୍ମୁଖରେ ଅନନ୍ତ ଜଳରାଶି ଚଞ୍ଚଳ ରବିରଶ୍ମି ମାଳା ପ୍ରଦୀପ୍ତ ହୋଇ ଗଗନପ୍ରାନ୍ତରେ ଗଗନ ସହିତ ମିଳିତ, ଦକ୍ଷିଣପାଶ୍ୱରେ ନାଗଫେଣିକଣ୍ଟକିତ ବାଲିକୁଦ ତଳେ ସଂସାରର ଅନିଦ୍ୟତାସ୍ମାରକ ସଦା ଧୂମାୟିତ ଶ୍ମଶାନଭୂମି । ବାମପାର୍ଶ୍ୱରେ ଦରିଆ ମହାବୀର ପର୍ଯ୍ୟନ୍ତ ପ୍ରାୟ ଦୁଇମାଇଲ ଐଶ୍ୱର୍ଯ୍ୟଗର୍ବପରିଚାୟକ ସୁଗଠିତ ଓ ସଦୃଶ୍ୟ ମହାର୍ଘ ହର୍ମରାଜି । ପଶ୍ଚାତରେ ପବିତ୍ର ବିଦୁର ମଠ, ଶଙ୍କରାନନ୍ଦ ମଠ ଓ ଭଜନ କୋଠି ଏବଂ ସର୍ବପଶ୍ଚାତରୁ ହିନ୍ଦୁର ଏକାନ୍ତ ପୂଜ୍ୟ ଓ ଗାଙ୍ଗେୟ ଗୌରବସ୍ତମ୍ଭ ସ୍ୱରୂପ ବଡ଼ଦେଉଳ ପୁରୀର ଜନପଦସମୂହ ଭେଦ କରି ନୀଳାକାଶ ମଧ୍ୟରୁ ବାହାରିଅଛି । ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚତୁବର୍ଗର ଫଳ ଚିନ୍ତା କରିବାକୁ ହେଲେ ଏହି ସ୍ୱର୍ଗଦ୍ୱାରରେ ବସି ଚିନ୍ତାର ପ୍ରସ୍ରବଣ ହୃଦୟରୁ ବୁହାଇବାକୁ ହେବ । ସମ୍ମୁଖରେ ଅନନ୍ତ ବିସ୍ତୃତ ନୀଳାମ୍ବୁରାଶି ଦର୍ଶନ କରି ପ୍ରେମ ଓ ଭକ୍ତିର ଅବତାର ଶ୍ରୀ ଚୈତନ୍ୟଦେବଙ୍କ ଲୀଳାଭୂମିରେ ନିବିଷ୍ଟଚିତ୍ତ ହୋଇ ବସି ସଂସାରର ଉଦାର ଓ ସରଳ ହୃଦୟର ଉନ୍ମୁକ୍ତ ପ୍ରେମ ଉପହାର ଦିଅ-ଜନ୍ମ ସାର୍ଥକ ହେବ ।

ଆଜିକାଲି ପୁରୀ ଦ୍ୱିବିଧ କାର୍ଯ୍ୟ ସାଧନ କରୁଅଛି । ଭାରତରେ ହିନ୍ଦୁର ସର୍ବପ୍ରଧାନ ତୀର୍ଥରୂପରେ ଏହା ଆବହମାନ କାଳରୁ ପୂଜିତ, ତେଣେ ଲୌହବର୍ତ୍ମ ପ୍ରସାଦରୁ ଏହା ବର୍ତ୍ତମାନ ଗୋଟିଏ ଭାରତ-ବିଦିତ ସୁନ୍ଦର ସ୍ୱ୍ୟାସ୍ଥ୍ୟକର ଓ ଶାନ୍ତିପ୍ରଦ ଭୂଖଣ୍ଡରୂପରେ ପ୍ରତିଭାତ । ବେଙ୍ଗଲ-ନାଗପୁର ରେଲଓଏ କୋମ୍ପାନୀ ଏହା ସମ୍ବନ୍ଧରେ ସୁନ୍ଦର ଲେଖିଅଛନ୍ତି :–

‘‘When troubles preplex you

dishearten and vex you

Retarding your progress in

sombre array,

To complain and sit tight is

surely not right,

But from work you must

get quite away’

The picture of pleasure

and comfort and leisure

Will surely appeal to you

harrassed and weary

Then close your desk down and

with haste quit the town,

And book to the Sea-side at Puri.

ରେଲଓଏ କୋମ୍ପାନୀଙ୍କର ଏହା ବିଜ୍ଞାପନର କାର୍ଯ୍ୟ କରୁଥିଲେହେଁ ପୁରୀ ଆସୁଥିବା ପ୍ରତ୍ୟେକ ସ୍ୱାସ୍ଥ୍ୟ-କାମୀ ବ୍ୟକ୍ତିଙ୍କୁ ଏହା ସମ୍ବୋଧନ କରି ଯଥାର୍ଥ କଥା କହୁଅଛି ।

ସାନ୍ଧ୍ୟ ସମୀରଣ ସେବନ କାମନାରେ ନାନାଶ୍ରେଣୀର ନର ନାରୀ ବେଳାଭୂମିକୁ ଅଳଙ୍କୃତ କରିଅଛନ୍ତି । ବାୟୁ ପରିବର୍ତ୍ତନ ସକାଶେ ନାନାଦେଶୀୟ ନର ନାରୀ ସମୁଦ୍ରତଟସ୍ଥ ସୌଧାବଳୀରେ ବାସ କରୁଅଛନ୍ତି । ତହିଁ ମଧ୍ୟରୁ ପାଞ୍ଚ ଛଅ ଜଣଙ୍କ ସଙ୍ଗେ କଥୋପକଥନର ସୁଯୋଗ ପାଇଲି । ଏଥିରୁ ଚାରି ଜଣ ବହୁମୂତ୍ର ରୋଗଗ୍ରସ୍ତ ହୋଇ ଚିକିତ୍ସକର ଆଦେଶନୁଯାୟୀ ପୁରୀବାସକୁ ଆସିଅଛନ୍ତି । ଭାରତରେ ଏହି ରୋଗ ଦିନକୁଦିନ ବୃଦ୍ଧିଲାଭ କରୁଅଛି, ଏହାହିଁ ଅନେକଙ୍କର ଧାରଣା । ସାଧାରଣ ଲୋକଙ୍କ ଅପେକ୍ଷା ଶିକ୍ଷିତ ଲୋକଙ୍କ ମଧ୍ୟରେ ଏହି ନିଦାରୁଣ ରୋଗର ଅତ୍ୟନ୍ତ ପ୍ରାବଲ୍ୟ ଲକ୍ଷିତ ହୁଏ । ଜୀବନସଂଗ୍ରାମର ତୀବ୍ରତାହିଁ ଏହାର ପ୍ରଧାନ କାରଣ । ସଭ୍ୟତା-ବୃଦ୍ଧି ସଙ୍ଗେ ସଙ୍ଗେ ମାନବର ମାନସିକ ଉତ୍ତେଜନା ଏବଂ କ୍ଷିପ୍ରତା ସହିତ କାର୍ଯ୍ୟବିର୍ବାହର ଆବଶ୍ୟକତା ବୃଦ୍ଧି ପାଉଅଛି । ଆହାର ନିଦ୍ରା ପରିତ୍ୟାଗ କରି ଲୋକଙ୍କୁ ଉଦରାନ୍ନର ସଂସ୍ଥାନ କରିବାକୁ ହେଉଅଛି । ଯଶଃ ଧନ ଏବଂ ପ୍ରତିପତ୍ତିର ଉତ୍କଟ ଆକାଙ୍କ୍ଷାରେ ଲୋକଙ୍କୁ ଅହର୍ନିଶ ଦାରୁଣ ଚିନ୍ତା ଓ ଅବିଶ୍ରାନ୍ତ ପରିଶ୍ରମରେ ନିଯୁକ୍ତ କରିବାକୁ ହେଉଅଛି । ଏହାର ଫଳରୁ ନାନାବିଧ କ୍ଷୟରୋଗ ଜନସମାଜରେ ବିକଟମୂର୍ତ୍ତିରେ ଆତ୍ମପ୍ରକାଶ କରୁଅଛି । ବର୍ତ୍ତମାନ ଯୁଗର ସଭ୍ୟତା ଯେଉଁ ମାର୍ଗରେ ପ୍ରଧାବିତ, ସେଥିରେ ମାନବସମାଜ ଶୀଘ୍ରହିଁ ଧ୍ୱଂସପୁରକୁ ନୀତ ହେବ, ଅନେକଙ୍କର ଏହାହିଁ ଆଶଙ୍କା । ଭାରତବାସୀ ଯେବେ ପୁରାତନ ସଭ୍ୟତାରେ ସନ୍ତୁଷ୍ଟ ରହିଥାନ୍ତେ ତାହାହେଲେ ଏହି ଦେଶରେ ଏହି ସମସ୍ତ ରୋଗ ଏପରି ପ୍ରବଳ ହୁଅନ୍ତା କି ନାହିଁ ସନ୍ଦେହ ।

ଜାତିର ଅସ୍ତିତ୍ୱରକ୍ଷାର ଚେଷ୍ଟାହିଁ ସମସ୍ତ ଚେଷ୍ଟାର ଶକ୍ତିକେନ୍ଦ୍ର । ସ୍ୱାସ୍ଥ୍ୟ ନ ଥିଲେ ଜାତିପ୍ରଭାବ ଅନ୍ତର୍ହିତ ହେବ । ରାଜନୀତି ଆଡ଼କୁ ମନ ନ ଦେଇ ଆତ୍ମନୀତିଆଡ଼କୁ ମନ ଦେବାହିଁ ସର୍ବପ୍ରଥମ କର୍ତ୍ତବ୍ୟ ଏବଂ ଏହାହିଁ ଶାସ୍ତ୍ରର ଉପଦେଶ । ଯେପରି ରୋଗ-ପ୍ରାଦୁର୍ଭବ, ସୁତରାଂ ସ୍ୱାସ୍ଥ୍ୟହାନି ଦେଖା ଯାଉଅଛି, ତହିଁରେ ଦୁଇ ଚାରି ପୁରୁଷ ଉତ୍ତାରୁ ବଂଶରେ ପାଣି ଦେବାକୁ କେହି ରହିବେ ନାହିଁ ପରା ! ଦୀର୍ଘ ପରମାୟୁ-ଶତାୟୁ ଆଜି କାଲି ଉତ୍କଳରେ ଉପକଥାରେ ପରିଣତ ହେଲାଣି ! ଦିନା କେତେ ଖଦ୍ୟୋତର ଦୀପ୍ତି, ତାହା ଉତ୍ତାରୁ ସବୁ ଅନ୍ଧକାର ! ଉଲ୍କା ପରି କ୍ଷଣସ୍ଥାୟୀ ପ୍ରଭାବିକାଶ, ତାହା ଉତ୍ତାରୁ ପଞ୍ଚଭୂତରେ ଚରମ ମିଳନ ! ଉଲ୍କାପୁଚ୍ଛର ଆଲୋକ ପ୍ରାୟ ରାଜନୈତିକ ଦରବାର ସମ୍ମୁଜ୍ଜ୍ୱଳ କରି ପଛକୁ ଅନ୍ଧକାରରେ ବିଲୀନ ହେବାର ଇଚ୍ଛା କଣ ପରମ ପୁରୁଷାର୍ଥ ? ବା ସନ୍ନିପାତିକ ବିକାରର ସ୍ୱପ୍ନ !

ନାନା ଶ୍ରେଣୀର ଲୋକମାନଙ୍କ ମଧ୍ୟରେ କତିପୟ ଶ୍ୱେତାଙ୍ଗ ମଧ୍ୟ ସାଗର ବେଳାଭୂମିରେ ବିଚରଣ କରୁଥିବାର ଦେଖିଲି । ଏମାନେ ଶୁକ୍ତି ଏବଂ ସାମୁଦ୍ରିକ ଜୀବ ଆହରଣରେ ଅବିଶ୍ରାନ୍ତ ବ୍ୟସ୍ତ ଥିଲେ । ଏହାଙ୍କୁ ଦେଖି ଆମ୍ଭମାନଙ୍କ ସହିତ ତୁଳନା ଦେବାର ସ୍ପୃହା ସ୍ୱତଃ ସଞ୍ଜାତ ହେବା ସ୍ୱାଭାବିକ । ଏମାନେ ଦିବସ ପ୍ରାୟ ସଦା ଜାଗ୍ରତ, କର୍ମଶୀଳ ଏବଂ ଅନୁସନ୍ଧାନତତ୍ପର; ଆଉ ଆମ୍ଭେମାନେ ରାତ୍ରି ପ୍ରାୟ ନିଶ୍ଚେଷ୍ଟ, କର୍ମହୀନ ଓ ସ୍ୱପ୍ନ-କୁହାକାବିଷ୍ଟ । ମାତ୍ର ଆମ୍ଭମାନଙ୍କ ପ୍ରକୃତିରେ ନିଶୀଥ ପ୍ରାୟ ଗଭୀରତା ମାଧୁର୍ଯ୍ୟ, ସ୍ନିଗ୍ଧ କରୁଣା ଏବଂ ସୁନିବିଡ଼ ଆତ୍ମୀୟତାର ଭାବ ରହିଅଛି । ଶ୍ୱେତମାନଙ୍କ ନିକଟରେ ଯାହାର କୌଣସି ମୂଲ୍ୟହିଁ ନାହିଁ ।
 

ଶ୍ୱେତାଙ୍ଗମାନଙ୍କ ଗୃହ ସମୁଦ୍ର ମଧ୍ୟରେ, ମାତ୍ର ବିଶାଳ ସମୁଦ୍ରକୁ ସେମାନେ କିଭଳି କର୍ମୋପଯୋଗୀ କରିଅଛନ୍ତି, ତାହା ସମସ୍ତଙ୍କୁ ଜଣା । ଦେଶଦେଶାନ୍ତର ବ୍ୟାପୀ ବାଣିଜ୍ୟରେ ବିଶାଳ ଜଳରାଶିକୁ ସେମାନେ କରାୟତ୍ତ କରି ନେଇଅଛନ୍ତି, ସମୁଦ୍ରର ରତ୍ନାକର ନାମକୁ ସାର୍ଥକ କରିଅଛନ୍ତି-। ନାନାପ୍ରକାର ଦ୍ରବ୍ୟ ସମ୍ଭାର ସମୁଦ୍ର ମଧ୍ୟରୁ ଉତ୍ତୋଳନ କରି ଦେଶାନ୍ତର ବାଣିଜ୍ୟ ପ୍ରସାରରେ ସେମାନେ ସର୍ବଦା ଅଗ୍ରସର । ଆଉ ଆମ୍ଭେମାନେ ? ଆମ୍ଭମାନଙ୍କୁ ପୂର୍ବପୁରୂଷମାନେ ସୁଦୂର ସମୁଦ୍ର ପାରରେ ରାଜ୍ୟପ୍ରତିଷ୍ଠା କରିଥିଲେ ବୋଲି ଇତିହାସ ସାକ୍ଷ୍ୟ ଦେଉଅଛି । ଜବଦ୍ୱୀପ, ସୁମାତ୍ରା ଓ ବଳିଦ୍ୱୀପରେ ଉପନିବେଶ ସ୍ଥାପନ କରି ଅତୁଳନୀୟ କୀର୍ତ୍ତି-ନିଦର୍ଶନ ରଖି ଯାଇଥିଲେ । ସେହି ଗୌରବଗର୍ବରେ କେତେଜଣ ଭାରତବାସିଙ୍କ ହୃଦୟ ଉଦ୍ଦୀପ୍ତ ଅନୁପ୍ରାଣିତ ପ୍ରଭାବିତ ହୁଏ ? ହିନ୍ଦୁମାନେ ଏତେବେଳେ କୁରୁକ୍ଷେତ୍ର ଯୁଦ୍ଧର ଫଳଭୋଗ କରୁଅଛନ୍ତି । ଯେଉଁମାନଙ୍କର ଗୃହାଶ୍ରମରେ ଅନ୍ତଃପୁର-ଭେଦ ବିଷବୃକ୍ଷ, ଫଳ ଫୁଲରେ ସମୃଦ୍ଧ ହୋଇ ଉଠୁଅଛି, ସେମାନେ କି ସୁଦୂର ଅତୀତ ଶୋଣିତ-ସୂତ୍ରର ଅନୁସରଣ କରି ପ୍ରାଚୀର ଚକ୍ରବାଳରେ ସମୁଦ୍ରତରଙ୍ଗବିଦିତ ଫେନପୁଷ୍ପନିନ୍ଦିତ ଦ୍ୱୀପପୁଞ୍ଜରେ ସୌଭ୍ରାତ୍ର ସ୍ମୃତି ଅନୁସନ୍ଧାନ କରି ପାରନ୍ତି ? ଆମ୍ଭମାନଙ୍କ ସିଂହବୀର୍ଯ୍ୟ ପୂର୍ବପୁରୁଷମାନେ ଉତ୍ତାଳତରଙ୍ଗସମାକୁଳ ସମୁଦ୍ରବକ୍ଷ ଅର୍ଣ୍ଣବଯାନରେ ବିଦୀର୍ଣ୍ଣ କରି, ବରୁଣଦେବଙ୍କ ପ୍ରସାଦପୂତ ହୋଇ ବହୁଦୂରବର୍ତ୍ତୀ ଦ୍ୱୀପପୁଞ୍ଜ ଅଧିକାର କରି ଉପନିବେଶରେ ହିନ୍ଦୁର ଧର୍ମରାଜ୍ୟ ସଂସ୍ଥାପନ କରିଥିଲେ, ତାହା ବର୍ତ୍ତମାନ ସ୍ୱପ୍ନବତ୍‌ । ହିନ୍ଦୁର ସେହି ଗୌରବମଣ୍ଡିତ ମଧ୍ୟାହ୍ନକୁ ଭାଳିବା ସକାଶେ ଏତେବେଳେ ତିଳେ ସୁଦ୍ଧା ଅବସର ନାହିଁ ।

 

ସମ୍ମୁଖରେ ନର୍ତ୍ତନଶୀଳ ଫେନିଳ ଜଳଧିର ଅସ୍ତଗମନୋନ୍ମୁଖ ସୂର୍ଯ୍ୟରାଗ-ଦୀପ୍ତ ଲୋହିତ ଉଦ୍ଦାମ ଊର୍ମିମାଳା; ସାମୁଦ୍ରିକ ସ୍ୱର୍ଦ୍ଧାର ବାହ୍ୱାସ୍ଫୋଟ ମାତ୍ର; ଅଟ୍ଟହାସ୍ୟରେ ବାରିରାଶି ଅନବରତ ଧାଇଁ ଆସୁଅଛି । ବେଳାଭୂମିରେ ଗୋଟିଏ ଶବସଂସ୍କାରର ଆୟୋଜନ ପ୍ରସ୍ତୁତ । ମୃତ ବ୍ୟକ୍ତିଙ୍କର ନିକଟସମ୍ପର୍କୀୟ ଆତ୍ମୀୟଙ୍କ (ସମ୍ଭବତଃ ପୁତ୍ର) ବିଳାପଧ୍ୱନି ସମୁଦ୍ର ଗର୍ଜନ ସହିତ ଉଭେଇ ଯାଉଅଛି-। କେତେକ ଲୋକେ ଶବସଂସ୍କାର ଦେଖିବା ସକାଶେ ରୁଣ୍ଡ ହୋଇ ଅଛନ୍ତି, ତହିଁ ମଧ୍ୟରେ ମୁଁ ମଧ୍ୟ ଜଣେ । ହଠାତ୍‌ ମୋତେ ଜଣେ କହି ପକାଇଲା ‘‘ମହାରାଜ, ଟିକିଏ ଘୁଞ୍ଚିଯାଅ।’’ ଚମକି ଉଠି ନିଜ ଆଡ଼କୁ ଦୃଷ୍ଟିନିପେକ୍ଷ କରିବାରୁ ସମସ୍ତ ବୁଝିଲ । ମୋହର ଅନେକକାଳର ଗେରୁଆଲୁଗା ପରିଧାନର ପ୍ରଥା ହେତୁରୁ ଏହି ସମ୍ବୋଧନ-ସମ୍ମାନ ମୋହ ଭାଗ୍ୟରେ ଘଟିଗଲା । ସମଗ୍ର ଭାରତ ବର୍ଷରେ ଗୋଟିଏ ଦ୍ରବ୍ୟର ପ୍ରଭାବ ଖୁବ‌୍‍ ଉଚ୍ଚ; ଏହା ନିକଟରେ ରାଜାଙ୍କ ଉନ୍ନତ ମସ୍ତକ ଅବନତ ହୁଏ, କୃପଣର ମଧ୍ୟ ଗୃହଦ୍ୱାର ଏହା ନିକଟରେ ଉନ୍ମୁକ୍ତ ହୁଏ, ସେ ଦ୍ରବ୍ୟ ଆଉ କିଛି ନୁହେ–ଗୈରିକ ବସନ । ଗୈରିକଧାରୀ ମହାମୂର୍ଖ ହେଲେହେଁ ସେହି ରଞ୍ଜିତ ବସ୍ତ୍ରଖଣ୍ଡ ତାହାକୁ ମହାପଣ୍ଡିତପଦବୀରେ ଉନ୍ନୀତ କରିଦିଏ, ‘‘କ’’ ଅକ୍ଷରଜ୍ଞାନବର୍ଜିତ ବ୍ୟକ୍ତିକୁ ସୁଦ୍ଧା ଏହି ଗୈରିକ ବସନ ମହାସମ୍ମାନଯୋଗ୍ୟ ‘‘ସରସ୍ୱତୀ’’ ଉପାଧି ଦେଇଥାଏ । ଗୈରିକର ଏଭଳି ମାହାତ୍ମ୍ୟ । ସେ ଯାହାହେଉ, ଏହି ସମୁଦ୍ର ତଟରେ ଶବସଂସ୍କାର ଦେଖି ନାନାଭାବ ମନକୁ ଆଲୋଡ଼ିତ କଲା-। ସର୍ବଶେଷରେ ପ୍ରାଚୀନ କବିଙ୍କ ଦିଓଟି ଧାଡ଼ି ମନେ ପଡ଼ିଗଲା :–

 

‘‘ମାଟିଘଟ ପଞ୍ଜରୀକି ସୁବର୍ଣ୍ଣର ଶୁଆ,

ଭଲା ରଙ୍ଗେ ଗଢ଼ିଅଛି ଭାବ-ବିନୋଦିଆ ।’’

 

ଏହି ସ୍ୱର୍ଗଦ୍ୱାରରେ ପରା ପ୍ରେମାବତାର ଚୈତନ୍ୟ ଉଭେଇ ଯାଇଥିଲେ ? ସମୁଦ୍ର ଚୈତନ୍ୟଙ୍କୁ ଆହ୍ୱାନ କରିଥିଲା ବୋଲି କି ? ପ୍ରେମରୁ ଅମୃତବିନ୍ଦୁ ଚୈତନ୍ୟଙ୍କ ହୃଦୟରେ ଅଙ୍କିତ ହୋଇ ଅମିତ ପରିମାଣରେ ବଢ଼ିଥିଲା ଏବଂ ସେହି ହୃଦୟରୁ ସହସ୍ରଧାରାରେ ପ୍ରବାହିତ ହୋଇ ବସୁନ୍ଧରା ପ୍ଳାବିତ କରି, ସେହି ସ୍ୱର୍ଗୀୟ ସମ୍ପତ୍ତି ସୁମଦ୍ରରେ ଲୀନ ହୋଇଥିଲା । ଚୈତନ୍ୟଙ୍କ ପ୍ରେମଜ୍ଞାନବିଷୟକ ଭାବନା ଉପସ୍ଥିତ ହେଲେ କେତେ ଆଡ଼କୁ ମନ ଧାଇଁବ ? ସେଭଳି ସାଧୁ ହୃଦୟ ସଂସାରରେ ଉପମା ଦେବାକୁ ଆଉ କାହିଁ ? ଶାସ୍ତ୍ରାଚାର୍ଯ୍ୟମାନେ ସ୍ପଷ୍ଟ ଭାଷାରେ କହିଅଛନ୍ତି, ଅନାସକ୍ତ କର୍ମିମାନେହିଁ ସାଧୁ ଏବଂ ଚରମରେ ଚିତ୍ତଶୁଦ୍ଧି ଜନିତ ପରମ ଫଳର ଅଧିକାରୀ । ଜ୍ଞାନ ସ୍ୱପ୍ରକାଶ ଓ ଭାସ୍ୱର; ହୃଦୟରେ ନିଜେ ନିଜେ ଜ୍ଞାନର ଉନ୍ମେଷ ହୁଏ ଏବଂ କ୍ରମଶଃ ବର୍ଦ୍ଧିତ ପରିପୁଷ୍ଟ ହୁଏ । କେବଳ ପ୍ରସ୍ତୁତ ଓ ଉପଯୋଗୀ ହେଲେ ଅନ୍ୟାନ୍ୟ ଉନ୍ନତି ଅନାୟାସସାଧ୍ୟ ହୁଏ । ଜଳପ୍ରାୟ ସ୍ୱଚ୍ଛ ଓ ନିର୍ମଳହୃଦୟ ହେଲେ ସୁଦୂରସ୍ଥିତ ସୂର୍ଯ୍ୟର ପ୍ରତିବିମ୍ବ ନିଜେ ଆସି ତାହାର ମଧ୍ୟଗତ ହୁଏ । ଚୈତନ୍ୟଙ୍କ ପ୍ରେମ ଏହିଭଳି ଥିଲା ଏବଂ ଏହି ପ୍ରେମଭାବ ସ୍ୱର୍ଗଦ୍ୱାରର ସମୁଦ୍ର ଗ୍ରହଣ କରି ଧନ୍ୟ ହୋଇଅଛି ସିନା ?

 

ବହୁଦୂରରେ ସୁନୀଳ ଆକାଶ ସୁନୀଳ ମହାସିନ୍ଧୁ ସହିତ ମିଶି ଯାଇଅଛି; ଅନନ୍ତ ଅନନ୍ତର ଆଲିଙ୍ଗନ-ପାଶରେ ଆବଦ୍ଧ ! ସେହି ଅତୁଳନୀୟ ସୌନ୍ଦର୍ଯ୍ୟ ଭାଷାରେ ବ୍ୟକ୍ତ ହେବାର ନୁହେ : ଚିତ୍ରକରର ତୂଳିକା ଚିତ୍ରପଟରେ ତାହାର ଅନୁରୂପ ଆଲେଖ୍ୟ ଅଙ୍କନରେ ଅସମର୍ଥ,–ଏହା କେବଳ ଅନୁଭବ ଓ ଉପଭୋଗର ଯୋଗ୍ୟ । ମଧ୍ୟେ ମଧ୍ୟେ ସାନ ସାନ ବୋଇତମାନଙ୍କ ତରଙ୍ଗ ନୃତ୍ୟ, ନୋଳିଆମାନଙ୍କ ଅପ୍ରତିହିତ ନିର୍ଭୀକତାର ପରିଚୟ ଦେଉଥିଲା । ଏହି ନୋଳିଆମାନେ ମନୁଷ୍ୟ ହେଲେହେଁ ସମୁଦ୍ରବିଚରଣରେ ଏକାନ୍ତ ଦକ୍ଷ ଏବଂ ପ୍ରାୟଶଃ ସାମୁଦ୍ରିକ ଜୀବର ପ୍ରତ୍ୟକ୍ଷ ଅନୁକୃତି ପ୍ରାୟ ସର୍ବଦା ପ୍ରତୀୟମାନ ।

 

ଉନ୍ମତ୍ତ ଭୈରବ ନୃତ୍ୟରେ ସମୁଦ୍ର ନିୟତ ଚଞ୍ଚଳ । ଅମେୟ ଆନନ୍ଦରେ ତାହାର ପ୍ରାଣ ଉଛୁଳି ଉଠୁଅଛି । ସେ ଆନନ୍ଦରେ ଆଉ ବିରାମ ନାହିଁ । ଆନନ୍ଦ ସହିତ ଗାମ୍ଭୀର୍ଯ୍ୟ ଓ ଭୟମିଶ୍ରିତ । ଲହରୀଗୁଡ଼ିକ ତାଳ ବେତାଳରେ ନାଚୁଅଛି, ବିଭୁ-ପ୍ରେମର ଆନନ୍ଦରେ ନାଚି ନାଚି ଭକ୍ତହୃଦୟକୁ ମତାଇ ଦେଉଅଛି ।

 

ସାଗର ଜୀବନ୍ତ । ପ୍ରାକୃତିକ ଶକ୍ତିର ଲୀଳା ସମୁଦ୍ରରେ ଯେପରି ପ୍ରତ୍ୟକ୍ଷ କରି ହୁଏ, ଏପରି ଆଉ କାହିଁରେ ନାହିଁ । ପ୍ରକୃତି ସ୍ଥଳରେ ନୀରବ, ଜଳରେ ସରବ । ଶକ୍ତିର ଉଚ୍ଛ୍ୱାସ, ଆଡ଼ମ୍ବର ଓ ଘାତପ୍ରତିଘାତ ସିନ୍ଧୁ ସଲିଳରେହିଁ ଦୃଷ୍ଟ ହୁଏ । ଜଳଦ୍ୱାରା ସ୍ଥଳ ଗଠିତ ହେଉଅଛି । ଅଗ୍ନି, ବାୟୁ ଓ ଜଳ ପ୍ରକୃତିଙ୍କ କାର୍ଯ୍ୟରେ ପ୍ରଧାନ ଉପକରଣ । ଭୁପୃଷ୍ଠର ଗଠନ ଏବଂ ଆକୃତିର ଯେତେ ପରିବର୍ତ୍ତନ ସାଧିତ ହୁଏ, ଏହା ମଧ୍ୟରେ ଜଳହିଁ ବେଶି ପରିମାଣରେ ଥାଏ । ପୃଥିବୀରେ ଜଳର ଭାଗହିଁ ଅଧିକ, ଏହା ଭୂଗୋଳ ସର୍ବଦା ସ୍ୱୀକାର କରୁଅଛି ।

 

ସିନ୍ଧୁକଳରବରେ ଜନପଦର କ୍ଷୁଦ୍ର କୋଳାହଳ କେଉଁଆଡ଼େ ବୁଡ଼ିଯାଏ । ତାହାର ବିଶାଳ ଗ୍ରାସରେ କେତେ ଜନପଦ କେତେ ରାଜ୍ୟ ଭାସି ଯାଇଅଛି ! ଏହାର ଅନୁଗ୍ରହରୁ କେତେ ସମୃଦ୍ଧିଶାଳୀ ରାଜ୍ୟ ଉଥିତ ହୋଇଅଛି । ମାନବସମାଜର ଉନ୍ନତି ଏହାର କୃପାରୁ । ବାଣିଜ୍ୟ ନ ଚାଲିଲେ ସଭ୍ୟତା ବିସ୍ତାର ଓ ଧନବୃଦ୍ଧି ହେବ ନାହିଁ । ପୃଥିବୀ ଶସ୍ୟଶାଳିନୀ-ସାଗରର କୌଶଳରୁ-। ବାଷ୍ପ, ବୃଷ୍ଟି, ନଦୀର ଉତ୍ପତ୍ତିର ହେତୁ–ସମୁଦ୍ରର ଜଳ ଓ ସୂର୍ଯ୍ୟାଲୋକ ।

 

ପ୍ରକୃତିଙ୍କ ମିତାଚାରରେ ସମୁଦ୍ରଜଳ କୌଶଳକ୍ରମରେ ସମୁଦ୍ରକୁ ନେଉଟି ଆସେ, ଅଥଚ ତାହାର କାର୍ଯ୍ୟପ୍ରଣାଳୀରେ ଭୂପୃଷ୍ଠର କେତେ ପରିବର୍ତ୍ତନ, କେତେ ଉପକାର ସାଧିତ ହୁଏ । ମନୁଷ୍ୟର ମନ ଯେବେ ଏହିପରି ପ୍ରଥମେ ଈଶ୍ୱରଙ୍କ ଆଡ଼କୁ ଯାଏ, ତାହାହେଲେ ପୁଣି ସେ ସଂସାରକୁ ଫେରି ଆସେ, ମାତ୍ର ଆସୁଁ ଆସୁଁ ଜଗତର ବିବିଧ ମଙ୍ଗଳ ସାଧନ କରେ ।

 

ଅଜସ୍ର ରତ୍ନରାଜି ଓ ବିବିଧ ଜୀବକୁଳ ଗର୍ଭରେ ଧାରଣ କରି କେତେ ଶୈଳମାଳା ଉଦରରେ ରଖି ସିନ୍ଧୁ ଚିରଦିନ ଏକ ଭାବରେ ନିଜର ଗାନରେ ନିଜେ ପ୍ରମତ୍ତ ଓ ଉଦାସ ! ମାନବର ସୁଖ ଦୁଃଖରେ ଭ୍ରୂକ୍ଷେପ ନାହିଁ; ମାନବର କୌଶଳ ଓ ବୁଦ୍ଧିକୁ ତୁଚ୍ଛ କରି ଅସୀମ ଉପେକ୍ଷା ସହିତ ନିଜ କାର୍ଯ୍ୟରେ ନିଯୁକ୍ତ ରହିଅଛି । ମାନବ-ଜାତିର ସମଗ୍ର ହୃଦୟ-ସମୁଦ୍ରରେ ଏହିପରି ଏକ ଅଜଣା ଅନନ୍ତ ସକାଶେ ଅତୃପ୍ତ ଉଚ୍ଛ୍ୱାସ ଚିରଦିନ ବୋହି ଆସୁଅଛି-ଇତିହାସ ତାହାର ସାକ୍ଷୀ । ତୃପ୍ତି ଉପରେ ଦିନକୁଦିନ ନୂତନ ଅତୃପ୍ତିର କାରଣ ଉପସ୍ଥିତ ହୁଏ । ଆମ୍ଭେମାନେ ଏକ ବାସନାର ସମାଧିରୁ ଅନ୍ୟ ବାସନାର ଅଭ୍ୟୁଦୟରେ ଯାଇ ଉପସ୍ଥିତ ହେଉଁ । ମନୁଷ୍ୟର ପିପାସା ଅନନ୍ତ, କାହିଁରେ ଆଶା ମେଣ୍ଟିବ ନାହିଁ ।

 

ଆକାଶ ଓ ସାଗର ପ୍ରାୟ ଉଦାର, ପ୍ରଶସ୍ତ ପଦାର୍ଥ ପ୍ରକୃତିରେ ଆଉ ନାହିଁ । ଅସୀମ ଆକାଶ ଦିଗନ୍ତରେ ବଦ୍ଧ ହୋଇ ଆୟତ ବିଶାଳ ସିନ୍ଧୁକୁ ଆଲିଙ୍ଗନ କରୁଅଛି–ଦିଗନ୍ତ କ୍ରୋଡ଼ରେ ନଭୋଦେହ ସ୍ପର୍ଶ କରିବା ସକାଶେ ସାଗର କଚାଡ଼ି ପଡ଼ୁଅଛି ଦେଖି ପ୍ରାଣ ଯେପରି ସ୍ୱର୍ଗୀୟ ପ୍ରେମରେ ପୂର୍ଣ୍ଣ ହୋଇଯାଏ ।

 

ସିନ୍ଧୁକୂଳରେ ସନ୍ଧ୍ୟାରେ ବିକାଶ କିପରି ରମଣୀୟ, ତାହା ଭାଷାରେ ପ୍ରକାଶ କରିବା ଅସମ୍ଭବ । ପଶ୍ଚିମାକାଶ-ପ୍ରାନ୍ତ ଅରୁଣରାଗରେ ରଞ୍ଜିତ ହେଲେ ତାହାର ପ୍ରତିଫଳିତ ଛବି ଘେନି ସିନ୍ଧୁ ଯେପରି ଉଲ୍ଲାସରେ ନୃତ୍ୟ କରେ, ତାହା କେବଳ ଅନ୍ତରରେ ଉପଲବ୍ଧି କରିବାର ବସ୍ତୁ । ସେହି ସମୟରେ ସୁମନ୍ଦ ସଲିଳଶ୍ରୀକରସମ୍ପୃକ୍ତ ସମୀରଣରେ, ସେହି ଲହରୀମାଳାରେ କଲ୍ଲୋଳମୟ ଆନନ୍ଦ-ଉଚ୍ଛ୍ୱାସରେ, ସନ୍ଧ୍ୟା ଓ ଅରୁଣର ମଧୁର ପ୍ରେମ-ଲୀଳାର ସଲଜ୍ଜ ରକ୍ତିମ ଆଭାରେ କବିକଳ୍ପନାର ଆସନ ପ୍ରତିଷ୍ଠିତ ହୋଇଥାଏ ।

 

‘‘ନୀଳ-ଫେନାକୁଳ-ତୁଙ୍ଗ-ତରଙ୍ଗ-ଭଙ୍ଗୁର

ନୀଳାଚଳ ତଟେ, ଯହିଁ ଲୋଟେ ବାରାନିଧି

ଗମ୍ଭୀର ନିର୍ଘୋଷେ ଘୋଷି ବିଶ୍ୱଚରାଚରେ,

ଗର୍ଜଇ କି ନିଜ ବିଷଜ୍ୱାଳା ଅସମ୍ଭାଳେ

ଫଣୀନ୍ଦ୍ର ବାସୁକି ଅବା ଫଣାଶ୍ରେଣୀ ତୋଳି !’’

 

କବିଙ୍କର ଉଲ୍ଲିଖିତ ବାଣୀ ସ୍ୱର୍ଗଦ୍ୱାରରେ ସାର୍ଥକ ହେଉଅଛି । ସମୁଦ୍ରରେ ଅନନ୍ତଙ୍କ ପ୍ରେମ-ଆହ୍ୱାନ, ତେଣେ ଜଗନ୍ନାଥଙ୍କ ଦେଉଳରେ ମହାପ୍ରସାଦସାମ-ନୀତିର ପ୍ରେମତରଙ୍ଗ । ଏହି ପ୍ରେମତରଙ୍ଗହିଁ ଭ୍ରାତୃଭାବର ଭାଗୀରଥୀ, ସ୍ୱଦେଶ-ପ୍ରୀତିର ମନ୍ଦାକିନୀ ଓ ସମବେଦନାର ଅଲକନନ୍ଦା । ଏ ପ୍ରେମତରଙ୍ଗର ଉଚ୍ଛ୍ୱାସ ସକାଶେ ବକ୍ତୃତା-ପ୍ରପାତର ଆବଶ୍ୟକତା ନାହିଁ, କିମ୍ବା ବକ୍ତୃତାର ତରଙ୍ଗ-ପ୍ରାଖର୍ଯ୍ୟ ହେତୁରୁ ଆବେଗର ଫେନପୁଞ୍ଜ ଉଦ୍ଗୀରଣ କରିବାର ଆବଶ୍ୟକତା ହୁଏ ନାହିଁ । ଏହି ଉଭୟ କାରଣରୁ ପୁରୀର ପ୍ରାଧାନ୍ୟ ସମଗ୍ର ଭାରତରେ ବହୁପୂର୍ବରୁ ସୂଚିତ । ଲୋକେ ଅନେକ ବିଷୟକୁ କୁସଂସ୍କାର ବୋଲି ଆଖ୍ୟା ଦେବାକୁ ସଙ୍କୁଚିତ ହୁଅନ୍ତି ନାହିଁ, ମାତ୍ର ସେମାନଙ୍କର ଜାଣିବା ଉଚିତ, ଜଣେ ମହାଜ୍ଞାନୀ କହିଥିଲେ, ‘‘କୁସଂସ୍କାର ଦୀର୍ଘ ଅଜ୍ଞତାର ଫଳ ମାତ୍ର ।’’ କୁସଂସ୍କାରଭାବାପନ୍ନ ଦେଶରେ ‘‘ଅଜ୍ଞତାହିଁ ସୁଖ ଶାନ୍ତିପ୍ରଦାୟିନୀ, କିନ୍ତୁ ପ୍ରାଜ୍ଞତାହିଁ ବିଡ଼ମ୍ବନା ।’’ (Where ignorance is bliss, it is folly to be wise.) ଏହାହିଁ ଭାବି ନୀରବ ରହିଲେ କ୍ଷତି କଣ ?

 

ସମୁଦ୍ରରେ ସୂର୍ଯ୍ୟୋଦୟ ଯେପରି ପ୍ରାଣଦାୟକ, ଜୀବନର ଉତ୍ତେଜକ, ଆନନ୍ଦବିତରଣକାରୀ, ସୂର୍ଯ୍ୟାସ୍ତ ସେହିପରି ଗମ୍ଭୀର, ବିଷାଦମୟ, ପରକାଳ ଚିନ୍ତାର ଉଦ୍ଦୀପକ ଏବଂ ଜୀବନ-ସ୍ୱପ୍ନର ଅବକାଶଦାୟକ ।

 

ସନ୍ଧ୍ୟା ହୋଇ ଆସୁଅଛି । ଅସ୍ତଗମନୋନ୍ମୁଖ ସୂର୍ଯ୍ୟର ହେମାଭ ରଶ୍ମି ପଶ୍ଚିମ ଆକାଶର ମେଘସ୍ତରକୁ ରଞ୍ଜିତ କରିଅଛି । ଘନକୃଷ୍ଣ ଜଳଦପୁଞ୍ଜ ସମସ୍ତ ପ୍ରାଣରେ ଅନ୍ଧକାର ପୂରାଇ କେବଳ ସୂର୍ଯ୍ୟଙ୍କ ଅନୁରୋଧରେ ଯେପରି ହାସ୍ୟନିରତ !

 

ଯେଉଁଠାରେ ଯେତେ ମେଘ-ପରସ୍ପର ଦେଖାଦେଖି, ସମସ୍ତେହିଁ ଟିକିଏ ସସମ୍ଭ୍ରମ ସ୍ମିତମୁଖ ଧାରଣ କରିଅଛନ୍ତି । ଚତୁର୍ଦ୍ଦିଗରେ ପ୍ରଜ୍ୱଳିତ ସୁବର୍ଣ୍ଣ ପ୍ରାୟ କିରଣଜାଳ ପ୍ରତିଫଳିତ ହେଉଅଛି । କୌଣସି କୌଣସି ମେଘ ବକ୍ଷରୁ ଲୁକ୍କାୟିତ ବିଦ୍ୟୁତ୍‌ ବାହାରି ପଡ଼ୁଅଛି, ପୁଣି ଲଜ୍ଜାରେ ଚମକି ଉଠି ଅନ୍ତର୍ହିତ ହେଉଅଛି । ସନ୍ଧ୍ୟାର ଗମ୍ଭୀର ଓ ପ୍ରଶାନ୍ତ ଶୋଭା ନୀଲାମ୍ବୁ ବକ୍ଷରେ ଆହୁରି ଶୋଭାମୟ ହୋଇ ଉଠିଅଛି । ପ୍ରକୃତିଙ୍କ ଦିନାନ୍ତ ସଙ୍ଗୀତ ସମୁଦ୍ରର ଅବିଶ୍ରାନ୍ତ ମହାସଙ୍ଗୀତ ସହିତ ମିଶିଯାଇ ବିଶ୍ୱେଶ୍ୱରଙ୍କ ମହିମା ସହସ୍ର କଣ୍ଠରେ ପ୍ରଚାର କରୁଅଛି । ଏହି ମଧୁର ସମୟରେ ସାଗର ସମୀପରେ ବିଚରଣ କଲେ ପାଷଣ୍ଡର ହୃଦୟ ମଧ୍ୟ ଦ୍ରବୀଭୂତ ହୁଏ, ଚଞ୍ଚଳତମ ଚିତ୍ତରେ ମଧ୍ୟ ଗାମ୍ଭୀର୍ଯ୍ୟ ଆସେ, ନିରୀଶ୍ୱର ପ୍ରାଣରେ କ୍ଷଣକାଳ ସକାଶେ ଅନନ୍ତଶକ୍ତିର ପ୍ରଭାବ ଅନୁଭୂତ ହୁଏ । ସେହି ସାନ୍ଧ୍ୟ ଆକାଶ ଏବଂ ଅପାର ଜଳଧି-ଏହି ଦୃଶ୍ୟ ମଧ୍ୟରେ କି ମାଧୁରୀମୟୀ ମୋହିନୀ ଶକ୍ତି ବିରାଜିତ, ଭାଷାର ସାଧ୍ୟ କଣ ବର୍ଣ୍ଣନା କରିବ ?

 

ସ୍ୱର୍ଗଦ୍ୱାର ! ତୋହ ନିକଟରେ ବସି ହୃଦୟର ଭାବ ସଂସାରରୁ କ୍ଷଣକାଳ ସକାଶେ ବିଦାୟ ନେଇଅଛି । ହୃଦୟ ବର୍ତ୍ତମାନ ଅପାର୍ଥିବ ସୁଖ-ଚିନ୍ତାରେ ନିମଗ୍ନ । ହୃଦୟରେ ଏତେବେଳେ କୁସୁମର, ସୌରଭ, ବସନ୍ତର ବାୟୁ, ସ୍ୱର୍ଗର ଜ୍ୟୋତିଃ, ସାଗରର ଗାମ୍ଭୀର୍ଯ୍ୟ, ଶୂନ୍ୟର ଅସୀମତା, ଭାବର ନିସ୍ତବ୍ଧତା କଳ୍ପନାର ସୂକ୍ଷ୍ମତା, ତଡ଼ିତର କ୍ଷିପ୍ରତା ଏବଂ ପର୍ବତର ଉଚ୍ଚତା ପ୍ରଭୃତି ସମସ୍ତହିଁ ସମଭାବରେ ବିରାଜମାନ । ଆଜିକାଲି ସ୍ୱାର୍ଥପର ସଂସାରର ବିଷାକ୍ତ ବାୟୁରେ ହୃଦୟ ସର୍ବଦା କଳୁଷିତ, ମାତ୍ର ଏହି କଳୁଷ କ୍ଷଣିକ ବିସ୍ମୃତ ହେବା ସକାଶେ ତୁ ପ୍ରକୃତରେ ସ୍ୱର୍ଗର ଦ୍ୱାର ଫିଟାଇ ରଖିଅଛୁ । ସ୍ୱର୍ଗ କେଉଁଠାରେ ଜାଣେ ନାହିଁ ମାତ୍ର ଏହି ଭାରତୀୟ ଶାସ୍ତ୍ରକାରମାନେ ସ୍ୱର୍ଗରାଜ୍ୟର ଯେଉଁ ପଥ ନିର୍ଦ୍ଦେଶ କରିଅଛନ୍ତି, ତହିଁ ମଧ୍ୟରେ ବିଶ୍ୱର ନିୟାମକଙ୍କ ନିୟମସମୂହର ରକ୍ଷା ଏବଂ ପାଳନହି ସର୍ବଶ୍ରେଷ୍ଠ ପଥ ବୋଲି ସମସ୍ତେ ସ୍ୱୀକାର କରନ୍ତି । ଭାରତର ପ୍ରାଚୀନ ଧର୍ମ-ଗୌରବ, ସେ ନିୟମ ନିଷ୍ଠା, ସେ ପବିତ୍ରତାର ସମସ୍ତ ଚିତ୍ର ବର୍ତ୍ତମାନ ଅନ୍ତର୍ହିତ । ଆଉ ସେଥିରୁ କଣିକାଏ ଦେଖିବାର ଆଶା କରି ପାରିବୁଁ କି ? ବିଦୁର ମଠର ଛାତ ଉପରୁ ଗୋଟିଏ ବାଳକ-କଣ୍ଠନିଃସୃତ ‘‘ମୋତେ ସେହି ରୂପ ଦେଖାଅ ହରି’’ ଅପୂର୍ବ ସଙ୍ଗୀତ ଏଠାରେ ହଠାତ୍‌ ଶୁଣି ମନ କେଉଁ ପୁରାତନ ଭାବରାଜ୍ୟରେ ଉପସ୍ଥିତ ହେଉଅଛି, କିପରି କହିବି ? ଏସ୍ଥଳରେ ଏ ଅମୂଲ୍ୟ ସଙ୍ଗୀତ ପ୍ରାଣରେ ଯଥାର୍ଥ ସ୍ୱର୍ଗରାଜ୍ୟର ଛାୟା ପକାଇ ଦେଉଅଛି ସିନା ?

 

ହେ ପରାତ୍ପର ପରମେଶ ! ପୁରାକାଳର ସେ ସବୁ ଦେବଳୀଳା ଆଉ ଥରେ ଦେଖାଅ । ସେହି ରମ୍ୟ ହିମାଚଳରେ ମୃତ୍ୟୁଞ୍ଜୟ ନେତ୍ରାନଳରେ ଭସ୍ମୀଭୂତ ମନସିଜର ଦୃଶ୍ୟ ବିଶ୍ୱକୁ ଆଉ ଥରେ ଦେଖାଇଦିଅ । ତପୋବନରେ ବେଦମନ୍ତ୍ର ଉଚ୍ଚାରଣରତ କାଳଜୟୀ ତ୍ରିକାଳଜ୍ଞ ୠଷିଗଣଙ୍କୁ ଆଉ ଥରେ ଦେଖାଅ । ଧର୍ମ, କର୍ମ, ପ୍ରେମ ଓ ପବିତ୍ରତା ବିତରଣ କର । ସେହି ଅନୁରକ୍ତ ଭକ୍ତ ପ୍ରହ୍ଲାଦ, ସେହି ପିତୃପରିତ୍ୟକ୍ତ ଶିଶୁ ଧ୍ରୁବର ମହତୀ ତପସ୍ୟାର ଚିତ୍ର ଦେଖାଅ । ଚିତ୍ତଜୟୀ ରାମଚନ୍ଦ୍ରଙ୍କ ଲକ୍ଷ୍ମଣ ଏବଂ ଭରତ ପ୍ରାୟ ଭ୍ରାତୃସ୍ନେହର ଚିତ୍ର, ଦେବବ୍ରତ ଭୀଷ୍ମ, ଧାର୍ମିକ ବିଦୁର, ସତ୍ୟାବତାର ଯୁଧିଷ୍ଠିରଙ୍କ ଚିତ୍ର ଆଉ ଥରେ ଦେଖିବି ନାହିଁ କି ? ସତୀର ସତୀତ୍ୱରେ ଦେଶ ପୁଣି ଦୀପ୍ତ ହେବ ଟିକି ? ଦେବୀ ଅରୁନ୍ଧତୀଙ୍କର ବଶିଷ୍ଠ ପତିଲାଭ, ରାମପ୍ରାଣା ଜାନକୀଙ୍କ ଅନଳରେ ରକ୍ଷା, ଜନ୍ମାନ୍ଧ ପତି ଲାଭ କରି ଗାନ୍ଧାରୀ ସତୀଙ୍କ ନେତ୍ରପଦ୍ମ ବସ୍ତ୍ରରେ ଆବରଣରୂପ ଅନ୍ଧତ୍ୱ ରକ୍ଷା, ସାବିତ୍ରୀଙ୍କ ସତୀତ୍ୱରେ ପତିଙ୍କ ଜୀବନରକ୍ଷା, ରାଜମୁଖ ତ୍ୟାଗ କରି ବୁଦ୍ଧଜାୟା ଗୋପାଙ୍କ ଚିରସନ୍ୟାସିନୀର ଦୃଶ୍ୟ ଆଉ ଥରେ ଆସିବ ନାହିଁ କି ? ଯେଭଳି ଚାଲିଯାଏ, ସେଭଳି ଆଉ ହୁଏ ନାହିଁ ସିନା ? ବକ୍ତୃତାର ଚିତ୍କାରରେ ଶତ ଶତ ମହାକର୍ମିର ଆବିର୍ଭାବ ସମ୍ଭବ ହୋଇ ପାରେ ସତ୍ୟ, ମାତ୍ର କାର୍ଯ୍ୟତଃ କାହିଁ ? ଏହି ହେତୁରୁ ବଡ଼ ଦୁଃଖରେ କବି ଗାଇ ଯାଇଅଛନ୍ତି–

 

‘‘ହେ ଧର୍ମ, ହେ ସତ୍ୟ, ତୁମ୍ଭେ ହେଲଟି ଅନାଥ !

କେ ଆଉ ନିଷ୍କାମେ ଧନ ପ୍ରାଣ ମାୟା ତେଜି

 

ତୁମ୍ଭଙ୍କୁ ତୁମ୍ଭରି ଲାଗି ଭଜିବ ଏ ଭବେ ?

ଦୟା, କ୍ଷମା, ତୁମ୍ଭେ ଏବେ ହେଲଟି ଅବୀରା !’’

Image

 

ଚାନ୍ଦିପୁରରେ ସାହାହ୍ନ

 

ବାଲେଶ୍ୱର ସହରର ସାତ ମାଇଲ ପୂର୍ବକୁ ଚାନ୍ଦିପୁର ଅବସ୍ଥିତ । ସମୁଦ୍ରବେଳା ଉପରେ ସାମାନ୍ୟ ଗ୍ରାମ-ବର୍ତ୍ତମାନ ତୋପସମୂହର ପରୀକ୍ଷାସ୍ଥଳରେ (Proof Office) ପରିଣତ ହୋଇଅଛି । ତଥାପି ଟିକିଏ ଦୂରକୁ ସାମୁଦ୍ରିକ ଗାମ୍ଭୀର୍ଯ୍ୟ ଉପଭୋଗ କରିବାର ପ୍ରକୃଷ୍ଟ ସ୍ଥାନ-ଉତ୍କଳପ୍ରକୃତିଙ୍କ ବିଶାଳ ଗନ୍ତାଘରର ଏକାଂଶରୂପେ ସୁପରିଚିତ ।

 

ବାଲ୍ୟକାଳରେ ଏଠାକୁ ଦୁଇ ଥର ଆସିଥିଲି । ସେତେବେଳେ ଆଜିକାଲିକାର ଆଡ଼ମ୍ବରପୂର୍ଣ୍ଣ ସଭ୍ୟତାର ପ୍ରଭାବ ଅଳ୍ପ ଥିଲା । ମାତ୍ର ସରଳତା ଓ ସୌନ୍ଦର୍ଯ୍ୟପ୍ରିୟତା ସମଭାବରେ ରହିଥିଲା । ଆଜିକାଲି ମନେ ହେଉଅଛି, ପ୍ରକୃତି (Nature) ଏବଂ ସଭ୍ୟତା (Civilization) ଉଭୟେ ପରସ୍ପର ବିରୋଧୀ । ସଭ୍ୟତା ଗିଲ୍‌ଟି କାର୍ଯ୍ୟ ପରି ଉପରର ଚାକଚକ୍ୟ ବୃଦ୍ଧି କରୁଥାଏ, ମାତ୍ର ଭିତରର ସ୍ୱଭାବକୁ ପରିବର୍ତ୍ତିତ କରି ପାରେ ନାହିଁ । ‘‘ଅତୀତ୍ୟ ହି ଗୁଣାନ୍‌ ସର୍ବାନ୍‌ ସ୍ୱଭାବୋ ମୂର୍ଦ୍ଧ୍ନି ବର୍ତ୍ତତେ ।’’ ଏହି ମହାଜନବାକ୍ୟ ଚିରକାଳ ସତ୍ୟ ରହିବ । ପିଲାଦିନରେ ସେହି ସରଳ ସ୍ୱଭାବ ପ୍ରକୃତିଙ୍କ ସହିତ ମିଶି ରହିଥିଲା–ମାତ୍ର ଆଜିକାଲି ସଭ୍ୟତାର ଆଡ଼ମ୍ବରରେ ରହି ପ୍ରକୃତିଙ୍କୁ ଅନ୍ୟରୂପରେ ଦେଖିବାକୁ ଶିଖିଅଛି, ସୁତରାଂ ଗିଲ୍‌ଟି କାର୍ଯ୍ୟ ପରି ବାହାରରୁ ପ୍ରକୃତିଙ୍କୁ ଦେଖୁଅଛି, ମିଶିବାର କ୍ଷମତା ପ୍ରକୃତିରେ ନାହିଁ ।

 

ଯୌବନ ମଧ୍ୟାହ୍ନର ଏକାଂଶରେ ଯେଉଁଦିନ ଚାନ୍ଦିପୁର ଯାଇ ସେଠାରେ ସାୟାହ୍ନ ଦୃଶ୍ୟରେ ନିଜ ନୟନକୁ ସାର୍ଥକ କରିଥିଲି, ତାହା ବୋଧ ହୁଏ ଆମରଣ ସ୍ମରଣ ରହିବ । ବାଲେଶ୍ୱରର ସୁନହଟ ଗ୍ରାମ ଛାଡ଼ିଦେଇ ଯେତେବେଳେ ଉଦୟ ପାର୍ଶସ୍ଥିତ ବିଶାଳ କ୍ଷେତ୍ର ଓ ପ୍ରାନ୍ତର ମଧ୍ୟରେ ଈଷତ୍‌ସିନ୍ଦୁରିତ ମାର୍ଗରେ ଯାଇଥିଲି, ସେତେବେଳେ ମାର୍ଗର ସ୍ଥାନେ ସ୍ଥାନେ ପଲ୍ୱଳସମୂହର ପାଣିରେ ପଦ୍ମଫୁଲ ଦେଖିଥିଲି । ପ୍ରକୃତିଙ୍କୁ ନିୟମାନୁସାରେ ଅତି ହେୟ ଓ ଘୃଣାଜନକ ପଦାର୍ଥ ମଧ୍ୟରେ ସମୟ ସମୟରେ ଅତି ସାରବାନ୍‌ ଓ ପ୍ରୟୋଜନୀୟ ପଦାର୍ଥ ନିହିତ ରହିଥାଏ । ପଙ୍କିଳ ତଡ଼ାଗରେ ପରମ ଶୋଭାମୟ ଶତଦଳର ଉତ୍ପତ୍ତି ହୁଏ, ତିମିରାବୃତ ପୂତିଗନ୍ଧମୟ ଖଣି ମଧ୍ୟରୁ ମଣିମାଣିକ୍ୟର ଉଦ୍ଭବ ଏବଂ ବିଳାସିନୀ ନାରୀଗର୍ଭରୁ ଜଗତ୍‌ପ୍ରସିଦ୍ଧା ଶକୁନ୍ତଳାର ଜନ୍ମ ଜାଣି କିଏ ଅସ୍ୱୀକାର କରିବ ଯେ ନ୍ୟାୟବାନ୍‌ ଭଗବାନ୍‌ ସମସ୍ତ ପଦାର୍ଥ ମଧ୍ୟରେ ଉପକାରିତା ଓ ପ୍ରୟୋଜନୀୟତା ସନ୍ନିବିଷ୍ଟ କରିଅଛନ୍ତି ? ନିପାତକାରୀ ସର୍ପର ଗରଳ ମଧ୍ୟ ସମୟ ସମୟରେ ଜୀବନରକ୍ଷାର ସହାୟସ୍ୱରୂପ ଆଦୃତ ହୋଇଥାଏ । ଏହି ପଲ୍ୱଳସମୂହରେ ଆଉ ଗୋଟିଏ ଦୃଶ୍ୟ ଦେଖି ପ୍ରକୃତିଙ୍କ ବୈଚିତ୍ର୍ୟ ଅନୁଭବ କରିଥିଲି । ସୂର୍ଯ୍ୟ ବିପରୀତ ଆଡ଼କୁ ରହିଲେ ଅଳ୍ପ ପାଣିରେ ପାଣିର ଫୋଟକାର ଛାଇଗୁଡ଼ିକ ସୂର୍ଯ୍ୟକିରଣରେ ଗଢ଼ା ଗୋଟିଏ ଗୋଟିଏ ନକ୍ଷତ୍ର ପରି ଦିଶେ । ପାଣି ବେଶି ହଲିଲେ ସୂର୍ଯ୍ୟକିରଣ ଜାଲବଦ୍ଧ ପରି ଦିଶୁଥାଏ ।

 

ଚାନ୍ଦିପୁରର ଦୃଶ୍ୟାବଳୀ ଗଞ୍ଜାମ ଅଞ୍ଚଳର ସୋନପୁର ନାମକ ସ୍ଥାନର ଦୃଶ୍ୟାବଳୀର ସ୍ମାରକ । ଏଠାରେ ଚିକିଟିର ସୌନ୍ଦର୍ଯ୍ୟପ୍ରିୟ ଅଧୀଶ୍ୱର ରାଜା ରାଧାମୋହନ ରାଜେନ୍ଦ୍ର ଦେବଙ୍କ ପ୍ରତିଷ୍ଠିତ ବଙ୍ଗଳାରୁ ଯେଉଁ ମନମୋହନ ଦୃଶ୍ୟ ଦେଖିଥିଲି ତାହା ସମ୍ପୂର୍ଣ୍ଣ ସ୍ମରଣ ହେଉଅଛି । ତଳେ ସମୁଦ୍ରର ବିଶାଳ ଜଳରାଶି, ଅନ୍ୟପାଶ୍ୱରେ ସୁରଙ୍ଗୀ, ମହୁରି, ଚିକିଟି, ମଞ୍ଜୁଷା ଏବଂ ବଡ଼ଖେମୁଣ୍ଡିର ପର୍ବତମାଳାର ସମବାୟରେ ଦିଗନ୍ତ ଚିତ୍ରିତ । ବସ୍ତୁତଃ ଚାନ୍ଦିପୁର ଏବଂ ସୋନାପୁର ଏକା ଛାଞ୍ଚରେ ଢଳା ହେଲା ପ୍ରାୟ ବୋଧ ହୁଏ ।

 

ଚାନ୍ଦିପୁରରେ ଉପସ୍ଥିତ ହେବା ସମୟରେ ନୀଳଗିରର ମହମାନ ଗିରିଶୃଙ୍ଗରେ ସୂର୍ଯ୍ୟ ଅସ୍ତ ଯିବାର ଆୟୋଜନ କରୁଥିଲେ । ଏଠାରୁ ମୟୂରଭଞ୍ଜ ରାଜ୍ୟର ବିଶାଳ ଓ ଦିଗନ୍ତବିସ୍ତୃତ ପର୍ବତମାଳା ସହିତ ନୀଳଗିରି ରାଜ୍ୟର ଅଗଣିତ ଦନ୍ତୁରିତ ଗିରିଶ୍ରେଣୀ ମିଶିଯାଇ ସମସ୍ତ ପ୍ରତୀଚ୍ୟ ଦିଗ୍‌ବଳୟ ‘‘ମରକୃତ ମେଦୁର’’ ଏବଂ ‘‘ନୀଳକାନ୍ତନିଭ’’ ଦିଶୁଥିଲା । ଅଳ୍ପଦିନ ପୂର୍ବେ ମୟୂରଭଞ୍ଜ-ହୃଦୟଗଗନର ଏକମାତ୍ର ଉଜ୍ଜ୍ୱଳ ତାରକାସ୍ୱରୂପ ଅଥବା ହୃଦୟପ୍ରାନ୍ତରର ଏକମାତ୍ର ସ୍ନିଗ୍ଧ-ସରୋବରରୂପ କିମ୍ବା ହୃଦୟରୂପ ମରୁଉଦ୍ୟାନର ଏକମାତ୍ର ପରିମଳବାହୀ ହାସ୍ୟମୁଖ କୁସୁମସ୍ୱରୂପ ଅବା ନିଦାଘ-ସନ୍ତାପନଶିନୀ ସୁଶୀତଳ କୋମଳ ଛାୟାସ୍ୱରୂପ ‘‘ଗୁଣାରାମ’’ ମହାରାଜ ରାମଚନ୍ଦ୍ର ଅନ୍ତର୍ହିତ ହୋଇଅଛନ୍ତି, ସୁତରାଂ ‘‘ମେଘାସନ-କୁଞ୍ଜବିହାର-ରସିକ’’ ଅଭାବରୁ ଆଜି ଏହି ମେଘାସନ ଗିରିମାଳା ମୋହର ମାନସଦୃଷ୍ଟିରେ ଉଦାସ ବୋଧ ହେଉଥିଲେହେଁ ସୂର୍ଯ୍ୟର ଅସ୍ତଗମନୋନ୍ମୁଖ ସ୍ୱର୍ଣ୍ଣ-ରଶ୍ମିରେ ଉଜ୍ଜ୍ୱଳୀକୃତ । ‘‘ବାଲିସ୍ତୂପର ଛାୟା’’ ସମୂହ ବର୍ତ୍ତମାନ ‘‘ବିସ୍ତୃତକାୟା’’ ହେଲାଣି । ତଳେ ବିଶାଳ ସିନ୍ଧୁର ଅନନ୍ତ ନୀଳିମା ସହିତ ଉନ୍ମତ୍ତ, ନୃତ୍ୟ-ମତ୍ତ ତରଙ୍ଗ ଦଳର ପ୍ରବଳ ଆରାବରେ କର୍ଣ୍ଣ ବଧିର ହେଉଅଛି । ଟିକିଏ ଦୂରକୁ ଗୋଟିଏ ଉଦାର ପ୍ରସାରିତ ଅଶ୍ୱଥି ବୃକ୍ଷର ନୀଳୋଜ୍ଜ୍ୱଳ ପତ୍ରଗୁଡ଼ିକ ବାୟୁଯୋଗରେ ମୃଦୁ ଆନ୍ଦୋଳିତ ହେଉଥିଲା, ପତ୍ର ସମୁହର ଜଳଦବର୍ଣ୍ଣ ଛାୟା । କୃଷ୍ଣ ଲହରୀରୂପେ ବାଲୁକା ଉପରେ କ୍ରୀଡ଼ା କରୁଥିଲା ଏବଂ ସାଗରତରଙ୍ଗର ଗଭୀର ଅଟ୍ଟ-ନିନାଦ ଭିନ୍ନ କୌଣସି ଆଡ଼େ ଅନ୍ୟ କୌଣସି ଶବ୍ଦ ନ ଥିଲା ଯେ ଏହି ସ୍ତବ୍ଧ ସାୟାହ୍ନର ପ୍ରଶାନ୍ତ ନୀରବ ବ୍ରତର ବ୍ୟାଘାତ ଜନ୍ମାଇବ । ଅଶ୍ୱଥି ଗଛଟି ପୁରାତନ ହୋଇ ପ୍ରାୟଶଃ ବକୁଳହୀନ ଦିଶୁଥିଲା ଏବଂ ଯୁବକମଣ୍ଡଳୀଙ୍କୁ ଇଂରାଜୀର ନିମ୍ନ କବିତାଂଶ ନୀରବ ଭାଷାରେ ଶୁଣାଇଲା ପରି ବୋଧ ହେଉଥିଲା–

 

 

‘‘Remember man as you pass by

As you are now so once was I.

As i am now so you must be,

Prepare Yourself to Follow me."

 

ସୌରକର ପ୍ରତିବିମ୍ବିତ ସମୁଦ୍ର-ସଲିଳ-ରାଶି ଗଳିତ ସୁବର୍ଣ୍ଣ ପ୍ରବାହ ପ୍ରାୟ ପ୍ରତୀୟମାନ ହେଉଅଛି । ସୁନୀଳ ଆକାଶରେ ଖଣ୍ଡ-ବିଖଣ୍ଡ ଶୁଭ୍ର ମେଘସ୍ତର ବାୟୁପ୍ରବାହରେ ଆମ୍ଭମାନଙ୍କ ଜୀବନ ପ୍ରବାହ ପରି ଅନନ୍ତ ଅଭିମୁଖରେ ଭାସି ଯାଉଅଛି । ସଲିଳର କରାଳତମ କଲ୍ଲୋଳ ଅନବରତ କୋଳାହଳ ଉତ୍ପାଦନ କରୁଅଛି । ଦିନାନ୍ତର ନୀରବ ସମ୍ବୋଧନ ହେତୁରୁ ବର୍ତ୍ତମାନ ମୋହ ହୃଦୟରେ ଆନନ୍ଦର ହିଲ୍ଲୋଳ ନାହିଁ, ଉତ୍ସାହର ଆବେଗ ନାହିଁ କିମ୍ବା ଆସକ୍ତିର ଉଚ୍ଛ୍ୱାସ ନାହିଁ-। ଅନନ୍ତ ଜଳରାଶି ସୂର୍ଯ୍ୟାସ୍ତର ଚଞ୍ଚଳ ରଶ୍ମିମାଳା ପ୍ରଦୀପ୍ତ ହୋଇ ଗଗନ ପାନ୍ତରେ ବର୍ତ୍ତମାନ ଗଗନ ସହିତ ମିଳିତ । ଏହି ଦିନାନ୍ତରେ ଇଂରାଜ କବିଙ୍କ ନିମ୍ନ ଦିନାନ୍ତ ଉପଦେଶ ମୋହର ମନେ ପଡ଼ିଗଲା ଏବଂ ଆଜି କଣ କରିଅଛି, ଏହା ଭାବିଲି ।

 

Help whoever, whenever you can,

Man for ever needs aid from man.

Let never a day die in the West

That You have not Comforted some sad brest."

 

‘‘ବୃଥାରେ ଦିନ ଚାଲିଗଲା’’ ବୋଲି ଜଣେ ମହାଜନ କହିଥିଲେ । ଆଜି ଏହି ସନ୍ଧ୍ୟାରେ ପ୍ରାକ୍କାଳରେ ବସି ଏହାହିଁ ମୁଁ ଭାଳୁଅଛି । ଶୁଷ୍କ ଏବଂ ଶୂନ୍ୟ ଭାବନା ସିନା ?

 

ଅନନ୍ତ ତରଙ୍ଗାକୁଳିତ ସମୁଦ୍ର ଜଳରେ ସାୟାହ୍ନର ରକ୍ତିମ ଛବି ପଡ଼ିଅଛି । ତାହାର ଯେଉଁ ଅଂଶ ଚକ୍ଷୁରେ ପ୍ରତିଭାତ ହେଉଅଛି, ତାହା ଉଜ୍ଜ୍ୱଳ କନକବର୍ଣ୍ଣରେ ଅନୁରଞ୍ଜିତ । ପୂର୍ବ ଏବଂ ଉତ୍ତରରେ ସନ୍ଧ୍ୟାର ଅନ୍ଧକାର ଅଳ୍ପେ ଅଳ୍ପେ ଗ୍ରାସ କରୁଅଛି । ଏହି ଦୃଶ୍ୟମାନ ଅନ୍ଧକାରରେ ଦିଗ୍ବଳୟର ତାରାବଳୀ ସାଗରର ଘନକୃଷ୍ଣ ସଲିଲପ୍ରାଚୀରରୁ ଉଠି ଉହୁଙ୍କି ଦେଖୁଅଛନ୍ତି । ଆଉ କେଉଁଆଡ଼େ କିଛି ନାହିଁ–ନିମ୍ନରେ ଅଗାଧ ଜଳରାଶି-ଉପରକୁ ଚିର ସ୍ଥିର ଅନନ୍ତ ଆକାଶ । ନୀଳାକାଶ ଘନନୀଳ ନୀରନିଧିକୁ ଆଲିଙ୍ଗନ କରି ରହିଅଛି–ଦିଗନ୍ତରେ ଉଭୟେ ଯେପରି ଏକାବେଳକେ ମିଶି ଯାଇଅଛନ୍ତି । ମହାମିଳନ ବ୍ୟାପାର ! ଆକାଶ ଏବଂ ସାଗର ଏହି ଦୁହିଙ୍କର ଇୟତ୍ତା ନିରୂପଣ ମାନବଜ୍ଞାନର ସାଧ୍ୟାୟତ୍ତ ନୁହେ । ଯେଉଁଠାରେ ଅନନ୍ତ ଏବଂ ଅମେୟ ଦୁହିଙ୍କ ମିଳନ ସେଠାରେ କ୍ଷୁଦ୍ରପ୍ରାଣ ଓ କ୍ଷୁଦ୍ରଜ୍ଞାନ ମନୁଷ୍ୟ ସେହି ମଳିନ-ସୌନ୍ଦର୍ଯ୍ୟ ମଧ୍ୟରେ ନ ବୁଡ଼ି ରହିପାରେ ନାହିଁ । ସେତେବେଳେ ତାହାର ପ୍ରାଣଗତ ମିଳନର ଅନନ୍ତ ଆକାଙ୍କ୍ଷା ଜାଗି ଉଠେ, ସେ ତାହାର ସୃଷ୍ଟି କର୍ତ୍ତାଙ୍କ ଚିନ୍ତାରେ ନିଜକୁ ହରାଇ ଦିଏ । ଯେ ପ୍ରକୃତିଙ୍କ ମଧ୍ୟରେ ଅନନ୍ତ ମିଳନର ମଧୁ ଚିତ୍ର ଅଙ୍କନ କରିଅଛନ୍ତି, ସେ ମାନବାତ୍ମା ସକାଶେ ମଧ୍ୟ ଅନନ୍ତ ଜୀବନ ଏବଂ ମହାମିଳନର ଆଶାର ସୃଷ୍ଟି କରିଅଛନ୍ତି । ତାହାଙ୍କର ପ୍ରେମ-ପ୍ରାଣ ଇଚ୍ଛା ଏହି ବିଶ୍ୱର ପ୍ରତ୍ୟେକ ଅଣୁରେ, ପ୍ରତ୍ୟେକ ପ୍ରାଣରେ, ପ୍ରତ୍ୟେକ ଆତ୍ମାରେ କି ରହସ୍ୟମୟ ଅକ୍ଷୟ ପ୍ରେମବନ୍ଧନ ସ୍ଥାପିତ କରିଅଛି !

 

ପାଦତଳରେ ଅତଳ ଜଳନିଧି ଏବଂ ମସ୍ତକୋପରେ ଅନନ୍ତ ଆକାଶ ଘେନି କ୍ଷୁଦ୍ରାନୁକ୍ଷୁଦ୍ର ମାନବ-ପ୍ରାଣ ଚିନ୍ତାରେ ନିମଗ୍ନ । ମୁହୂର୍ତ୍ତେ ମଧ୍ୟରେ ଅଗଣିତ ଚିନ୍ତାତରଙ୍ଗ ପ୍ରାଣକୁ ଆନ୍ଦୋଳିତ କଲା-। ନିମିଷରେ ନିଖିଳ ବିଶ୍ୱର ସତ୍ତା-ସାଗରରେ ମଗ୍ନହେଲି । ଅନନ୍ତ ଦେବଙ୍କ ସତ୍ତା ଯେପରି ଓତଃପ୍ରୋତଭାବରେ ଚାରିଆଡ଼େ ବିରାଜିତ ହେଲା । ମୁହୂର୍ତ୍ତ ମଧ୍ୟରେ ପ୍ରବଳ ଭାବସ୍ରୋତରେ ଭାସି ଚାଲିଲି । ଗାଢ଼ ମସୀବର୍ଣ୍ଣ ଜଳରେ–ନୀଳ ନଭୋଦେଶସ୍ଥ ହୀରକୋପମ ତାରାଦଳରେ କି ଅପାର୍ଥିବ ଜ୍ୟୋତି ଦେଖି ପ୍ରାଣ ମନ ବିସ୍ମୟରେ ସ୍ତମ୍ଭିତ ହେଲା ! କଳ୍ପନା ପରାଜିତ ହେଲା-ଜ୍ଞାନ ଅବାକ୍‌ ହୋଇଗଲା !

 

କ୍ରମେ କ୍ରମେ ତାମସୀ ରଜନୀର ରାଜତ୍ୱ ବିସ୍ତୃତ ହେଉଅଛି । ଦିଗନ୍ତ-ସୀମାରେଖା ନିକଟରେ ଅନ୍ଧକାର ଘନୀଭୂତ ହେଉଅଛି । ପଶ୍ଚିମାକାଶର ଉଜ୍ଜ୍ୱଳ ସାନ୍ଧ୍ୟ-ତାରା ତାହାର ଦୀପ୍ତ କିରଣ ଢାଳି ଏହି ଅନ୍ଧକାର ବିନାଶର ବ୍ୟର୍ଥ-ପ୍ରୟାସରେ ବ୍ୟସ୍ତ ହେଉଅଛି । ନୈଶ ଗାମ୍ଭୀର୍ଯ୍ୟ ଦୃଶ୍ୟସମୂହ ବିଶ୍ୱକୁ ଆୟତ୍ତ କରି ଦେଇଅଛି । ସମୁଦ୍ରର ଅନନ୍ତ ଭାବମୟ ଅନନ୍ତ ତରଙ୍ଗ ଗର୍ଜନ ବିଶ୍ୱପ୍ରାଣର ମହିମା-କୀର୍ତ୍ତନରେ ବ୍ୟାପୃତ ।

 

ଏହି ସିନ୍ଧୁ କଲ୍ଲୋଳ ଏବଂ ଏହି ନକ୍ଷତ୍ରନିଚୟର ନୀରବ ଗାମ୍ଭୀର୍ଯ୍ୟ ମଧ୍ୟରେ ଅବସ୍ଥିତ ହୋଇ ବାସ୍ତବିକ ମାନବାତ୍ମା ଅନନ୍ତର ଆଭାସରେ ଉଦାସ ନ ହୋଇ ରହି ପାରେ ନାହିଁ । ବିଶ୍ୱର ଅସୀମତ୍ୱ ଯାହାର କ୍ଷୁଦ୍ର ଜ୍ଞାନକୁ ଅବସନ୍ନ କରି ପକାଇଅଛି, ସେ ବୁଝିଅଛି, ଏହି ବିଶ୍ୱର ଅନ୍ତରାଳବର୍ତ୍ତିନୀ ମହାଶକ୍ତିକି ଅନନ୍ତ କି ଅଜେୟ !

 

ନରବୁଦ୍ଧିରେ ଯେତେଦୂର ଆୟତ୍ତ ହୁଏ, ସେ ଅନନ୍ତ ଅପେକ୍ଷା ଅନନ୍ତ ବିଶ୍ୱ ଚରାଚର ଏବଂ ତାହା ମଧ୍ୟରେ ଅନନ୍ତ ଜୀବକୁଳ ବର୍ତ୍ତମାନ; କେଉଁଠାରେ ଏହି କ୍ଷୁଦ୍ର ପୃଥିବୀ–ତାହାର ତୁଳନାରେ ବାଲୁକାକଣା ଅପେକ୍ଷା ହୀନ ! ଆଉ କେଉଁଠାରେ ଅବା ପୃଥିବୀର ସର୍ବଶ୍ରେଷ୍ଠ ଜୀବ ମନୁଷ୍ୟ-କୀଟାନୁକୀଟ, ନଗଣ୍ୟ ! ଯେତେବେଳେ ଏହି ଅନନ୍ତ ବିଶ୍ୱର ଏହିପରି ସମଗ୍ର ଭାବ ଆୟତ୍ତ କରିବାକୁ ଚେଷ୍ଟା କରେଁ, ସେତେବେଳେ କ୍ଷୁଦ୍ରପ୍ରାଣ କ୍ଳାନ୍ତ ହୋଇ କାତରସ୍ୱରରେ କହି ପକାଏ– ‘‘ଆଉ ପାରିବି ନାହିଁ’’ ସେତେବେଳେ ତାହାର ଗର୍ବୋନ୍ନତ ମସ୍ତକ ଚିନ୍ତା ପୀଡ଼ନରେ ଘୂର୍ଣ୍ଣାୟମାନ ହୁଏ, ତାହାର କ୍ଷୁଦ୍ର ଅହଙ୍କାର ଧୂଳିଶାୟୀ ହୋଇଯାଏ । ଏହି ସମୁଦ୍ରରେ ତାହାର ଅସ୍ତିହିଁ ଅତିକ୍ଷଣସ୍ଥାୟୀ ବୁଦ୍ବୁଦ ଭଳି-ସମଗ୍ର ବିଶ୍ୱ ତୁଳନାରେ କ୍ଷୁଦ୍ର ପୃଥିବୀର କ୍ଷୁଦ୍ର ଜୀବ ରହି ନ ରହିବା ସମାନ । ଏହିଭଳି କ୍ଷୁଦ୍ରାଦପି କ୍ଷୁଦ୍ର ହୋଇ ମନୁଷ୍ୟ ନିଜକୁ ସୃଷ୍ଟିର ରାଜା ବୋଲି ମନରେ ଭାଳି ସୃଷ୍ଟି କର୍ତ୍ତାଙ୍କୁ ମଧ୍ୟ ଅବଜ୍ଞା କରୁଥାଏ ! କି ଧୃଷ୍ଟତା ! ସାମାନ୍ୟ ଦୃଶ୍ୟମାନ ପଦାର୍ଥର ତତ୍ତ୍ୱ ଉଦ୍ଭାବନ କରି ମନୁଷ୍ୟକୁ ମନେକରେ, ବିଜ୍ଞାନଦ୍ୱାରା ଜଗତର ସତ୍ୟରାଜ୍ୟ ଅଧିକାର କରିଅଛି ! ସତ୍ୟ ସମୁଦ୍ର ସମ୍ମୁଖରେ ଅନନ୍ତ ବିସ୍ତୃତ ମାନବଜାତିର ସମଗ୍ର ଜୀବନ ବ୍ୟୟିତ ହେଲେହେଁ ‘‘ଉପକୂଳରେ ଉପଳଖଣ୍ଡ ମାତ୍ର ସଂଗୃହୀତ ହେବ ।’’ ଏ କଥା ସ୍ୱୀକାର କରିବାକୁ ବୋଧହୁଏ ବିଜ୍ଞାନର ଲଜ୍ଜା ହୁଏ !

 

ଏହିଭଳି ଅକୂଳ ସମୁଦ୍ର ମଧ୍ୟରେ ପଡ଼ି ମନେ ହେଲା, ମନୁଷ୍ୟ ଚିରକାଳ ସଂସାରର ଘଟଣାସମୁଦ୍ରରେ ତରଙ୍ଗର କ୍ରୀଡ଼ାପୁତ୍ତଳୀପ୍ରାୟ ରହିଅଛି । ଏକ ତରଙ୍ଗରେ ସେ ସୁଖୀ, ଅନ୍ୟ ତରଙ୍ଗରେ ସେ ଦୁଃଖୀ । ସୁଖ-ଦଃଖମୟ ଅବସ୍ଥା ତାହାକୁ ଅବିରତ ନଚାଉ ଅଛି । ଏଭଳି ସମୟ ଆସେ; ଯେତେବେଳେ ମନୁଷ୍ୟ ବୁଝି ପାରେ, ସେ ଅକୂଳ ସମୁଦ୍ରରେ ଭାସି ଯାଉଅଛି; ନିଜର ଶକ୍ତିରେ କିଛି କରି ପାରୁ ନାହିଁ; ଅନନ୍ତର ଆଭାସ ପାଇ ତାହାର କ୍ଷୁଦ୍ରତ୍ୱ ଅତି ତୀକ୍ଷ୍ଣଭାବରେ ଅନୁଭୂତ ହେଉଅଛି ! ଅନନ୍ତତ୍ୱରେ ମଗ୍ନ ହେଉଁ ହେଉଁ ମନୁଷ୍ୟ ନିଜର ଅସହାୟ, ନିରାଶ୍ରୟ ଅବସ୍ଥା ଅନୁଭବ କରିପାରେ । ଅହଙ୍କର ଚୂର୍ଣ୍ଣ ନ ହେଲେ ଅଭାବ ବୋଧ ହୁଏ ନାହିଁ । ସୂର୍ଯ୍ୟର ଆଲୋକରେ ପ୍ରଦୀପର କ୍ଷୀଣ ଜ୍ୟୋତିଃ ଯେପରି ଆହୁରି କ୍ଷୀଣ ଓ ମଳିନ ହୋଇଯାଏ; ତାହାର ଅସ୍ତିତ୍ୱର ଯେପରି ପ୍ରୟୋଜନୀୟତା ନ ଥାଏ; ସେହିପରି ପରମାତ୍ମାଙ୍କ ଅନନ୍ତ ସତ୍ତା ସମ୍ମୁଖରେ ଜୀବାତ୍ମା ମଧ୍ୟ ନିଜର ପଦାର୍ଥହୀନତା ଉପଲବ୍ଧି କରି ପାରେ । ହୀନତା ଏବଂ ଅସାମର୍ଥ୍ୟ ଯେତେବେଳେ ପ୍ରାଣକୁ କ୍ଳିଷ୍ଟ କରେ, ସେତେବେଳେ ପୁଣି ବିଶ୍ୱବ୍ୟାପିନୀ ମହାଶକ୍ତି ଉପରେ ମନୁଷ୍ୟ ନିଜକୁ ନର୍ଭର ରଖି ଶାନ୍ତିଲାଭରେ ସମର୍ଥ ହୁଏ । ପୃଥିବୀର କୌଣସି ବସ୍ତୁ, କୌଣସି ସୁଖରେ, ଯେତେବେଳେ ତୃପ୍ତ ହୁଏ ନାହିଁ, ଯେତେବେଳେ ପିଞ୍ଜରମୁକ୍ତ ବିହଙ୍ଗ ପ୍ରାୟ ମାନବାତ୍ମା କୌଣସି ବାଧାବିଘ୍ନ ନ ମାନି ଅନନ୍ତରେ ମିଶି ଯିବାକୁ ଇଚ୍ଛା କରେ, ସେତେବେଳେ ସେହି ଭୂମା ମହାନ୍‌ ବିଶ୍ୱବିଧାତା ଦୟା ବହି ତାହାକୁ ଅଭୟ ଦାନ କରନ୍ତି । ଯାହାଙ୍କର ଏହି ନିର୍ଭରଶୀଳତା ଜନ୍ମିଅଛି, ସେହି କେବଳ ଅକୂଳରେ କୂଳ ପାଇଅଛନ୍ତି ।

 

ଚାନ୍ଦିପୁର ! ତୋହର ବାଲିକୁଦରେ ବସି କି ଅପୂର୍ବ ଚିନ୍ତାସାଗରରେ ବୁଡ଼ି ରହିଗଲି ! ସଂସାରର ମୋହବନ୍ଧନ ଛିନ୍ନ କରିବାକୁ ହେଲେ, କ୍ଷୁଦ୍ର ଆଶା, କ୍ଷୁଦ୍ର ବିଷୟ, କ୍ଷୁଦ୍ର ଚିନ୍ତାରୁ ଉନ୍ନୀତ ହୋଇ ଚିଦାକାଶରେ ମୁକ୍ତ ବାୟୁରେ ବିଚରଣ କରିବାକୁ ହେଲେ ଅନନ୍ତର ଭାବ ସାଧନ କରିବାକୁ ହେବ । ତାହା ମୋହ ଭଳି ମୂର୍ଖର କ୍ଷମାତାତୀତ । କେବଳ ତୋହର ପାଦତଳସ୍ଥ ଅପୂର୍ବ ପ୍ରକୃତିଙ୍କ ଶୋଭା ନିରୀକ୍ଷଣ କରି ଏବଂ ତାହାର କାର୍ଯ୍ୟପ୍ରଣାଳୀ ଆଲୋଚନା କରି ଏହି ଅନନ୍ତତ୍ୱର ଉଦ୍ଦୀପନା ହେବା ସ୍ୱାଭାବିକ । ମନୁଷ୍ୟର ଜୀବନ ସର୍ବଦା କ୍ଷଣଭଙ୍ଗୁର-ତହିଁରେ ଯେତେକ୍ଷଣ ତୋହଭଳି ମହୋପଦେଶକ ପାଇ କୃତାର୍ଥ ହେଉଥିବି, ସେତିକି ମୋହ ପକ୍ଷରେ ପରମ ଲାଭ ମାତ୍ର ।

Image

 

ନିଭୃତି-ନିଳୟରେ ଶ୍ରାବଣ-ସନ୍ଧ୍ୟା

 

ସମସ୍ତ ଦିନଟି ଅବିଶ୍ରାନ୍ତ ବର୍ଷାର ବାରିଧାରା ଚତୁର୍ଦ୍ଦିଗ ଆଛନ୍ନ କରି ରହିଅଛି । ମହାନଦୀର ଉଦ୍ଦାମ ମୂର୍ତ୍ତି ଏହି ବାରିଧାରାରେ ଗମ୍ଭୀର, କିନ୍ତୁ ଅତିଶୟ ଚଞ୍ଜଳ । ବର୍ଷା ଶବ୍ଦ ଏବଂ ମହାନଦୀର ଉଚ୍ଛ୍ୱାସ ବାଣୀ, ଉଭୟର ଐକତାନିକ ଧୈବତ ରାଗିଣୀରେ ପ୍ରକୃତି ମୁଖରାର ପରିଚୟ ଦେଉଅଛନ୍ତି ।

 

ଧରଣୀର ସୁଗଭୀର ଅନ୍ଧକାରରେ ମେଘାଛନ୍ନ ହୃଦୟ ଢାଳି ଦେଇ କୃଷ୍ଣବର୍ଣ୍ଣ ଆକାଶ ଯେତେବଳେ ଉଚ୍ଛ୍ୱସିତ ହୋଇ ଉଠେ, ସେତେବେଳେ ଅବିରଲେ ଝରଝର ଧାରରେ ଶ୍ରାବଣ ମେଘର ହୃଦୟ ଝଡ଼ିପଡ଼େ । ଗଭୀର ହୃଦୟରେ ଥରେ ଝର ପଡ଼ିଗଲେ ଆଉ ଅଟକିବା ଅସମ୍ଭବ । ଆକାଶରେ ଯେତିକି ଘନ ମେଘର ଆବିର୍ଭାବ, ବୃଷ୍ଟିର ତେତିକି ଆଡ଼ମ୍ବର; ଧରଣୀ ନିଜ ମୁହଁ ଉପରେ ଘନାନ୍ଧକାରର ଅବଗୁଣ୍ଠନ ଟାଣି ଦେଇ ସ୍ତମ୍ଭିତ ହୃଦୟର ଏକାକିନୀ ବିଜନରେ ବସିଥିବା ଭଳି ବୋଧ ହୁଏ । ଚତୁର୍ଦ୍ଦିଗରେ କ୍ରମାଗତ ଅନ୍ଧକାର ଘନୀଭୂତ ହେଉଅଛି, ତରଙ୍ଗାୟିତ ନଦୀବକ୍ଷରେ ଅନ୍ଧକାର ଉପରେ ଅନ୍ଧକାର ନୃତ୍ୟ କରୁଅଛି । ଏହି ଅନ୍ଧକାରମୟ ଭାବପ୍ରବାହ ମଧ୍ୟରେ ମାନବ-ହୃଦୟ ମଧ୍ୟ ଅନ୍ଧକାର-ପୁର୍ଣ୍ଣ ହେବା ସ୍ୱାଭବିକ ।

 

ହୃଦୟ ଅନ୍ଧକାରମୟ ନ ହେଲେ ଶ୍ରାବଣର ଅଜସ୍ର ଧାରା କି ଉପଭୋଗ୍ୟ ? ଅନ୍ଧକାର ସହିତ ତାହା ଅଚ୍ଛେଦ୍ୟ ସମ୍ବନ୍ଧରେ ଆବଦ୍ଧ । ବର୍ଷଣ ଆରମ୍ଭ ହେଲେ ଭେକଧ୍ୱନି, ଡାହୁକର ଆରାବ ଏବଂ ତମସାଚ୍ଛନ୍ନ ଧରଣୀ ଆବଶ୍ୟକ-ମାତ୍ର ଆଲୋକ ଅଥବା କୋକିଳ କିମ୍ବା କଷ୍ଟଫେଡ଼ର ଦିଗନ୍ତବ୍ୟାପି ସ୍ୱରଲହରୀ ଅନାବଶ୍ୟକ । କୋକିଳ କି ଶ୍ରାବଣରେ ଡାକେ ନାହିଁ ? କଷ୍ଟଫେଡ଼ ପକ୍ଷୀ କଣ ନିଜ କଷ୍ଟ ଫେଡ଼ିବାର ବିଳାପ କରେ ନାହିଁ ? ଶ୍ରାବଣର ଏହି ଘନାନ୍ଧକାର ମଧ୍ୟରେ ସୁଦ୍ଧା ଦୈବାତ୍‌ ବସନ୍ତପକ୍ଷିଙ୍କର ହୃଦୟ ବେଦନା ଶୁଭିଥାଏ । କିନ୍ତୁ ତାହା କିପରି ? ପ୍ରଶାନ୍ତ ହୃଦୟର ସମୟ ସମୟରେ ଦୀର୍ଘନିଶ୍ୱାସ ଉଛୁଳି ଉଠିବା ଭଳି । ଆକାଶ ଘନଘଟାଚ୍ଛନ୍ନ, ଝମ୍‌ଝମ୍‌ ହୋଇ ବୃଷ୍ଟି ପତନ ଶବ୍ଦ ମଧ୍ୟରେ ମଧ୍ୟ ବସନ୍ତର ପକ୍ଷୀ ସମ୍ଭାଳି ରହି ପାରିଲା ନାହିଁ, ସ୍ମୃତି-କାତର ହୃଦୟରେ ଥରେ ବସନ୍ତକୁ ଆହ୍ୱାନ କରି ଚିତ୍କାର କଲା । ପରକ୍ଷଣରେ ତାହାର ଭ୍ରମଭଞ୍ଜନ ଅପରିହାର୍ଯ୍ୟ, ବସନ୍ତର ସ୍ୱର ଏତେବେଳେ ମିଷ୍ଟ ଲାଗୁ ନାହିଁ ।

 

ଶ୍ରାବଣ ବାରିଧାରାର ଛନ୍ଦ ସ୍ୱତନ୍ତ୍ର, ଏହି ହେତୁରୁ ଶ୍ରାବଣର ଭାବ ପରିତ୍ୟାଗ କରିବା କଠିନ । ଶ୍ରାବଣତ୍ୱବିହୀନ ଶ୍ରାବଣ ଧାରା ହୋଇ ପାରିବ କି ? ଛନ୍ଦ ଅଥବା ଭାଷା କେବଳ ଭାବ ପ୍ରକାଶ ସକାଶେ । ବକ୍ତବ୍ୟ ଭାବ ଯହିଁରେ ଭଲରୂପେ ପ୍ରକାଶିତ ହେବ ନାହିଁ, ତାହା ଘେନି କଣ ହେବ ? ଏହିସକାଶେ ଶ୍ରାବଣର ଅନ୍ଧକାର, ଘନ ମେଘାଡ଼ମ୍ବର ପ୍ରଭୃତିରୁ କିଛି ଛାଡ଼ିଦେଲେ ଚଳିବ ନାହିଁ, ସମସ୍ତ ଘେନି ତାହାର ବାରିଧାରା ଉପଭୋଗ କରିବାକୁ ହେବ ।

 

ବାରିଧାରା ଅନ୍ୟାନ୍ୟ ମାସରେ ମଧ୍ୟ ରହିଅଛି । ବୈଶାଖ, ଜ୍ୟେଷ୍ଠ କିମ୍ବା ଆଷାଢ଼ରେ ମଧ୍ୟ ବାରିବର୍ଷଣ ହୋଇଥାଏ-ମାତ୍ର ଶ୍ରାବଣର ବାରିବର୍ଷଣ ବିଖ୍ୟାତ କାହିଁକି ? କେବଳ ଭାବ ସକାଶେ । ଶ୍ରାବଣ ବର୍ଷଣର ଭାବ ଆଉ କୌଣସି ବର୍ଷଣରେ ନାହିଁ–ଏହା ଏଡ଼େ ସୁନ୍ଦର, ମଧୁର ଓ ଗମ୍ଭୀର । ଆଷାଢ଼ର ନବୀନ ମେଘ ବିଖ୍ୟାତ, ସେ ମେଘର ଶୋଭା ଅତୁଳନୀୟ । ମାତ୍ର ଶ୍ରାବଣର ବର୍ଷଣ, ଦିବାରାତ୍ରି ଅବିଶ୍ରାନ୍ତ ଝର ଝର ଶବ୍ଦ ଭାବ ମାଧୁର୍ଯ୍ୟର ଅନୁପମ । ଶ୍ରାବଣ-ବର୍ଷଣର ବିଶେଷତ୍ୱ ଗାମ୍ଭୀର୍ଯ୍ୟ ।

 

ଏହି ଶ୍ରାବଣ-ବର୍ଷଣରେ ମନ ଉପରେ କିପରି ଗୋଟିଏ ସ୍ଥିର ପ୍ରଭାବ ମୁଦ୍ରିତ ହୋଇଯାଏ; ମାତ୍ର ତଥାପି ମନର ଆକୁଳତା ଘୁଞ୍ଚେ ନାହିଁ । ସର୍ବଦା ମନେ ହୁଏ କେଉଁଠାରେ ଯେପରି ଚିରବିରହ ରଚିତ ହେଉଅଛି, ଅଥବା କେଉଁଠାରେ କିଏ ହଜି ଯାଉଅଛି । କୌଣସି ଅନିର୍ଦେଶ୍ୟ ବିଭୀଷିକା ପଛରେ ମନ ଯେପରି ସର୍ବଦା ଭ୍ରମଣ କରୁଥାଏ । ମନ ଯେପରି ନିଜ ମଧ୍ୟରେ ଉଦାସ ହୋଇ ବସି ରହିଅଛି ।

 

ଶ୍ରାବଣର ଏହି ବାରିଧାରାର ହୃଦୟ ମୁହୁର୍ମୁହୁ ଚମକି ଉଠେ ନାହିଁ–ମନ ଚମକି ଉଠେ ବିଜୁଳିରେ । ତଡ଼ିଲ୍ଲତା ସହସା ଜୀବନତନ୍ତ୍ରୀରେ ଗୋଟିଏ ଆଘାତ ଦେଇ ଚାଲିଯାଏ–କେଉଁ ସ୍ଥାନର କେଉଁ ବିଶେଷ ତତ୍ତ୍ୱ ବ୍ୟକ୍ତ ହେଉଁ ହଉଁ ଅବ୍ୟକ୍ତ ରହିଗଲା ପରା ? ଶ୍ରାବଣର ବିଜୁଳି ଏବଂ ଧାରାସମ୍ପାତରେ ହୃଦୟ ଥରେ ଥରେ ଚମକି ଉଠେ ।

 

ଶ୍ରାବଣର ଅବିଶ୍ରାନ୍ତ ଧାରାସମ୍ପାତରେ ଚତୁର୍ଦ୍ଦିଗ କିପରି ଅସ୍ପଷ୍ଟ ବୋଧ ହେଉଥାଏ ! ଆଷାଢ଼ ମେଘ-ବର୍ଷଣରେ ଯେତେବେଳେ ଅସ୍ପଷ୍ଟତା ସୂଚିତ ହୁଏ, ସେହି ଅସ୍ପଷ୍ଟତା ମଧ୍ୟରେ ନବୀନ ସ୍ଫୁର୍ତ୍ତି ଅନୁଭୂତ ହୁଏ–ମାତ୍ର ଶ୍ରାବଣରେ ମେଘ ଉପରେ ମେଘ ଘନୀଭୂତ ହୋଇ ଅନ୍ଧକାର ପୁଞ୍ଜୀଭୂତ ହୋଇଅଛି, ସୁତରାଂ ତାହାର ଅସ୍ପଷ୍ଟତା ମଧ୍ୟରେ କଳା ଦାଗ ପଡ଼ି ଯାଉଅଛି !

 

କ୍ରମେ କ୍ରମେ ପଶ୍ଚିମାକାଶ ପ୍ରାନ୍ତରୁ ମେଘରାଶି ଅପସୃତ ହେଉଅଛି । ବଡ଼ମ୍ବାର ଅଭିମନ୍ୟୁପୁର ଗ୍ରାମ ଉପକଣ୍ଠବର୍ତ୍ତୀ ପର୍ବତ ଏବଂ ନରସିଂହପୁର ରାଜ୍ୟର କେତେକ ପର୍ବତ ମିଶି ଚକ୍ରବାଳରେ ଆକାଶରେ ଈଷତ୍‍ ନୀଳିମା ସହିତ ପର୍ବତରାଶିର ଗାଢ଼ ନୀଳିମାର ଦନ୍ତୁରିତ ଚିତ୍ର ଅଙ୍କନ କଲେଣି । ଢେଙ୍କାନାଳର ବିଶାଳ କରିମୁଣ୍ଡାକୃତି ସପ୍ତଶଯ୍ୟା ପର୍ବତ ଉପରୁ ସ୍ତରବି ନ୍ୟସ୍ତ ଧଳା ମେଘପୁଞ୍ଜ କ୍ରମଶଃ ଓହ୍ଲାଇ ଆଠଗଡ଼ ରାଜ୍ୟର ରାଧାଶ୍ୟାମପୁରସ୍ଥ ତ୍ରିକୋଣାକୃତି ଶୈଳ ସୁକୁଟି ମଢ଼ଉପରେ ବିଚରଣ କରୁଅଛି । ଆହୁରି ପଶ୍ଚିମକୁ ବ୍ରହ୍ମପୁର ଓ କଖଡ଼ି ଗ୍ରାମର ଗଛଗୁଡ଼ିକ ଆଠଗଡ଼ ରାଜ୍ୟର ସରଡ଼ା ପାହାଡ଼ର ‘‘ଏଣ୍ଡୁଅମୁଣ୍ଡ’’ ତଳେ ଉଦାସ ଭାବରେ ଦଣ୍ଡାୟମାନ । ଉତ୍ତରରେ ବିଦ୍ୟାଧରପୁର, ଖଜୁରିପାଟଣା ମଞ୍ଚେଶ୍ୱର, ପାଇକରାପୁର ପ୍ରଭୃତି ଗ୍ରାମର ‘‘ବିଆଳିବିଲର’’ ହରିତିମା ସହିତ ଚାକୁଣ୍ଡାବନଶୋଭିତ ଅତଡ଼ା ଗୁଡ଼ିକର ଅପୂର୍ବ ଶୋଭା ! ଏହା ଉପରକୁ ରାଇବଣ ଖୋଲ, ଜରିପଡ଼ିଆ ଓ ବାଉରିଆ ଟାଙ୍ଗର ପ୍ରଭୃତି ଶୈଳରାଜିର ଦୁର୍ଭେଦ୍ୟ ବନସମୂହ ଉପରେ ନୀଳ-କୃଷ୍ଣ ଛାୟା ପଡ଼ି ସନ୍ଧ୍ୟାର ଆଗମନ ବାର୍ତ୍ତା ଘୋଷଣା କରୁଅଛି । ଢେଙ୍କାନାଳର ବିଶାଳ କପିଳାସଗିରି ତାହାଙ୍କ ପାରିଷଦବୃନ୍ଦ ସହିତ ଆକାଶରେ ସୃଷ୍ଟିକର୍ତ୍ତାଙ୍କର ବିରାଟ ଆଲେଖ୍ୟ ଅଙ୍କନ କଲେଣି । ପୁର୍ବଦିଗରେ ତାପଣ୍ଡାର ବିସ୍ତୀର୍ଣ୍ଣ ପାଟ ଓ ବିଲସମୂହେ ବୀଚିବିକ୍ଷେପଚଞ୍ଚଳା ମହାନଦୀ ଭଳି ସମୀରୋଚ୍ଛ୍ୱାସରେ ନିଜର ଅଞ୍ଚଳ ଦୋହଲାଉଅଛି । ତଳେ ମହାନଦୀର ଉଦ୍ଦାମ ଜଳପ୍ରବାହରେ କର୍ଣ୍ଣ ବଧିର ପ୍ରାୟ । ଧବଳେଶ୍ୱର ଦ୍ୱୀପର ମାଳତୀକୁଞ୍ଜସମୂହର ମୃଦୁ-ମିଷ୍ଟ ସୌରଭ ପବନରେ ଭାସି ଆସି ଶତ ଶତ ପୁଷ୍ପସାର (Essence) ବୋତଲର ମୁହଁ ଫିଟାଇ ଦେଲାଭଳି ବୋଧ ହେଉଅଛି । ଅଣସୋରିଷିଆ, ଘରପୋଡ଼ିଆ, ବାଘନଖୀ, ସାହାଡ଼ା ଓ ନଅବାହାଡ଼ା କୁଞ୍ଚସମୂହର ବର୍ଷାସିକ୍ତ ମଧୁର ଗନ୍ଧରେ ଗୋଧୂଳି ବାୟୁ ଭାରାକ୍ରାନ୍ତ ।

 

ପଶ୍ଚିମାକାଶରେ ଊର୍ଦ୍ଧ୍ୱରେ ଖଣ୍ଡ ବିଖଣ୍ଡ ଧୂସର ମେଘସ୍ତର ଫାଟିଯାଇ କେତେବେଳେ ପୁଞ୍ଜୀଭୂତ ହେଉଅଛି, କେତେବେଳେ ଅବା ଅଲଗା ହେଉଅଛି । ଗୋଟିଏ ବାଳିକା ବାମ ହସ୍ତରେ ଗୋଡ଼ିବାଣ ପୁଷ୍ପବୃକ୍ଷର ଉନ୍ନତ ଶାଖା ଈଷତ୍‌ ଅବନତ କରି ଦକ୍ଷିଣ ହସ୍ତରେ କୁସୁମରାଜି ଆହରଣ କରି ତାହା ତାହାର ପଦପ୍ରାନ୍ତବର୍ତ୍ତୀ ଶ୍ୟାମଳ ଦୁର୍ବାଦଳରେ ସଞ୍ଚୟ କରୁଥିଲା; ସୁକୋମଳ କରସ୍ପର୍ଶ–ବିକମ୍ପିତ ତରୁଶାଖାସ୍ଥିତ ନିର୍ମଳ ବର୍ଷା-ବାରି-ବିନ୍ଦୁ-ସମୂହ ତାହାର ଲଲାଟ, ଗଣ୍ଡ ଓଷ୍ଠରେ ମୁକ୍ତାବିନ୍ଦୁ ଭଳି ଝଡ଼ି ପଡ଼ୁଥିଲା ।

 

ଅଳ୍ପକ୍ଷଣ ଉତ୍ତାରୁ ଅପରପାର୍ଶ୍ୱସ୍ଥିତ ମଞ୍ଚେଶ୍ୱର ଶୈଳର ଗୋଡ଼ିବାଣ କୁଞ୍ଜରୁ ଗୋଟିଏ ପିଲା ଗୀତ ଗାଇ ଉଠିଲା :–

 

‘‘ରଜାଘରେ ଚାକିରୀ ଖଟି,

ମାସକରେ ଦି ଦିନ ଛୁଟି ।

ଘରେ ଘରେ ରହି ପର ଭାତ ଖାଇ

ଧଉଡ଼ି ଧଉଡ଼ି ଶୁଖୁଛି ତଣ୍ଟି ।

ବାପା ବାପା କୋକିଳ ଡାକ,

ନ ଚାହିଁଲେ ପିଲାଙ୍କ ମୁଖ,

ମୋ ଜୀବନ ଧିକ,

କାକର ଗାଧୁଆ ଗଧ ପରି ଖିଆ,

ବାର୍‌ହା ପରି ଗୋଡ଼ ପକାଏ ଖୁଣ୍ଟି ।’’

 

ଏହି ସମୟରେ ନିଭୃତ-ନିଳୟର ପାର୍ଶ୍ୱଦେଶସ୍ଥ ଗୋଟିଏ ଶେଫାଳୀ ବୃକ୍ଷସ୍ଥିତ କୋଳିଳର ବସାରେ ଡିମ୍ବ ଉପରେ କାଉ ବସିଥିବାର ଦେଖିଲି । ଅଳ୍ପଦିନ ଉତ୍ତାରୁ ପରଭୃତ୍‌ ନାମ ସାର୍ଥକ କରି କୋକିଳଶାବକସମୂହ ଏହି ନୀଡ଼ରୁ ବାହାରି ଆସିବେ ।

 

ନିଭୃତ-ନିଳୟ ! ତୋହ କୋଳରେ ବସି ପ୍ରାୟ ବାଇଶ ବର୍ଷ ହେଲା କେତେ କମନୀୟ ପ୍ରଭାତ ଏବଂ ନୀରବ ସନ୍ଧ୍ୟାର ଦୃଶ୍ୟ ଦେଖିଲିଣି । କବି ଭାଷାରେ ‘‘ସୁନ୍ଦରପଣର ଚିରନ୍ତନ ରୀତି’’ ରୂପେ ତୋହର କୌଣସି ଦୃଶ୍ୟ ପୁରାତନ ବୋଲି ବୋଧ ହେଉ ନାହିଁ, ଅଥବା ହେବ ନାହିଁ । କେତେ ଶାରଦୀୟ, ହୈମନ୍ତିକ ଏବଂ ବାସନ୍ତୀ ସନ୍ଧ୍ୟାରେ ତୁ କେତେପ୍ରକାର ଦୃଶ୍ୟରେ ମନ ଭୁଲାଇ ଦେଇ ସ୍ୱାର୍ଥପର ସଂସାରର ଅଳିଆଗଦାରୁ ମନକୁ ଉପରକୁ ଟାଣି ନେଇଅଛି–ଅତି ନୀରବରେ ବିନା ବକ୍ତୃତାରେ ସ୍ୱଦେଶପ୍ରେମର ବିଶିଷ୍ଟ ଶିକ୍ଷା ମନ ମଧ୍ୟରେ ଓ ହୃଦୟାଭ୍ୟନ୍ତରରେ ମୁଦ୍ରିତ କରାଇ ଦେଇଅଛୁ । ଆଜି ତୋହର କୋଳରେ ବସି ସାତଭାୟା ଚଢ଼େଇଙ୍କ ନିକଟରୁ ପ୍ରକୃତ ସୌଭ୍ରାତ୍ର ଶିକ୍ଷା କଲେହେଁ ସ୍ୱାର୍ଥପର ସଂସାରରେ ଏ ଶିକ୍ଷା ସାର୍ଥକ ନୋହିବ, ଏହା ମଧ୍ୟ ଚିନ୍ତା କରୁଅଛି । ବାଲିଜନ୍ଦା ଶ୍ରେଣୀବଦ୍ଧ ହୋଇ ଯାଉଥିବା ସମୟରେ ଓ ସମସ୍ତେ ଏକତ୍ର ହୋଇ ମନୁଷ୍ୟଠାରୁ ମହାକାୟ ହସ୍ତୀ ପର୍ଯ୍ୟନ୍ତ ସମସ୍ତଙ୍କୁ ବିବ୍ରତ କରି ଦେବାର ଶକ୍ତି ଦେଖିବା ବେଳେ ସମଷ୍ଟିଗତ ଏକତାର ଯେଉଁ ଶିକ୍ଷା ପାଇଅଛି, ତାହା କେବଳ ପ୍ରକୃତିଙ୍କର ଶିକ୍ଷାରେ ପର୍ଯ୍ୟବସିତ ହେଉଅଛି ସିନା-ମନୁଷ୍ୟସମାଜରେ ଏହାର ସ୍ଥାନ କାହିଁ ?

 

ନିଭୃତ-ନିଳୟ ! ତୋହୋଭଳି ମୋତେ କେହି ସ୍ୱଦେଶପ୍ରେମ ଶିକ୍ଷା ଦେଇ ନାହିଁ କିମ୍ବା ଦେଇ ପାରିବ ନାହିଁ । ଭରତର ବିଭିନ୍ନ ସ୍ଥାନରେ ଭ୍ରମଣ କରିଅଛି-ମାତ୍ର ଦୀର୍ଘ ଭ୍ରମଣ ଉତ୍ତାରୁ ପୁଣି ତୋହରି କୋଳକୁ ଆସି ପୂର୍ଣ୍ଣ ଶାନ୍ତି ଅନୁଭବ ଓ ଶାନ୍ତି ଅପନୋଦନ କରିଅଛି । ସତ୍ୟ କଥା କହିବାକୁ ହେଲେ ଏହା ଚିରକାଳ କହିବି, ସ୍ୱଦେଶର ବାହାରକୁ ଯାଇ ମୁଁ କୌଣସି ଠାରେ ବିମଳ ଆନନ୍ଦ ପାଇ ନାହିଁ । ଭାତବର୍ଷର ଯେ କୌଣସି ବଡ଼ ସହରକୁ ଯାଇଅଛି, ସେଠାରେ ମୋହୋର ନିଶ୍ୱାସ ଅଟକି ଯିବାଭଳି ହୋଇଅଛି–ସର୍ବତ୍ରହିଁ କୁତ୍ରିମତା ଓ କପଟତାର ଲୀଳା ଦେଖି ମୁଁ ବ୍ୟତିବ୍ୟସ୍ତ ହୋଇଅଛି । ଦିଲ୍ଲୀ, ବୋମ୍ବାଇ, ମାନ୍ଦ୍ରାଜ, କଲିକତା, ପାଟଣା, ନାଗପୁର ପ୍ରଭୃତି ଯେ କୌଣସି ବଡ଼ ସହରକୁ ଯାଇଅଛି, ସେହି ସ୍ଥାନରେହିଁ ଦାରୁଣ ଅବସାଦରେ ମୋହର ହୃଦୟ ଆଚ୍ଛନ୍ନ ହୋଇଅଛି-ସେହି ସମସ୍ତ ସ୍ଥାନରେ ମୋହର ମନେ ହୋଇଅଛି-ମୁଁ ଯେପରି କଳର ପିତୁଳା, ନିଜର କୌଣସି ସ୍ୱାଧୀନ ଇଚ୍ଛା ଅଥବା ଶକ୍ତି ନାହିଁ, କେବଳ ପବନରେ ଭାସି ଚାଲିଅଛି ମାତ୍ର । କେଉଁଠାରେ ସୁଖ ଅଥବା ଶାନ୍ତି ମିଳୁ ନାହିଁ; ପ୍ରବାସରୁ ସ୍ୱଦେଶ ପ୍ରତ୍ୟାଗମନ ନିମିତ୍ତ ମନ ସର୍ବଦା ବ୍ୟାକୁଳ ହୋଇଥାଏ । ନିଭୃତ-ନିଳୟ, ତୋହର ଚତୁର୍ଦ୍ଦିଗ ମୋହର ପୁଣ୍ୟତୀର୍ଥ, ତୋହୋର ପ୍ରତି ଅଙ୍ଗର କି ଅପୂର୍ବ ଶୋଭା, ତୋହୋର ଧୂଳିକଣା କେଡ଼େ ପବିତ୍ର, ତୋହୋରେ ନିଶ୍ୱାସ ବାୟୁ କି ସୌରଭ, କି ଉନ୍ମାଦନା ବହନ କରି ଆଣୁଅଛି । ତୋହୋର ଚତୁଷ୍ପାର୍ଶ୍ୱର ସୁଶୀତଳ ପାର୍ବତ୍ୟ ସମୀରଣ-ପ୍ରବାହରେ ମୁଁ ନବଜୀବନ ଲାଭ କରିଥାଏଁ । ତୋହ କୋଳରେ ବସି ଦେଖେ, ଖୋଲସାହୀ, ସୁନିଆମୁହଁ, ନୁଆଡ଼ିହ, କାପ୍ତାବୋରେଇ, ପରଶନାପୁର, ଚୂନଖଇର ପ୍ରଭୃତି ଗ୍ରାମର ଅଧିବାସିମାନେ ଆମ୍ବ, ତେନ୍ତୁଳି, କାଠ, ପତର ଓ କୋଳି ପ୍ରଭୃତି ବହନ କରି କଟକକୁ ବିକ୍ରୟ ସକାଶେ ଯାଉଥାନ୍ତି ଏବଂ ସେମାନଙ୍କ କଷ୍ଟାର୍ଜିତ ସାମାନ୍ୟ ଅର୍ଥ ବିନିମୟରେ ଗ୍ରାସାଚ୍ଛାଦନର ଅଭାବରେ ମଧ୍ୟ ସେମାନେ ସ୍ୱଳ୍ପ-ସନ୍ତୁଷ୍ଟ ହୋଇ ଆନନ୍ଦ, ପ୍ରଫୁଲ୍ଲତା ଓ ଉତ୍ସାହର ପୂର୍ଣ୍ଣ ନିଦର୍ଶନରୂପେ ମୋହୋର ଚକ୍ଷୁରେ ପ୍ରତିଭାତ ହୁଅନ୍ତି । ଅଳ୍ପରେ ଯେଉଁମାନେ ସନ୍ତୁଷ୍ଟ, ଶତଗ୍ରନ୍ଥିଯୁକ୍ତ ଜୀର୍ଣ୍ଣବସନ ଯେଉଁମାନଙ୍କର ଆଭରଣ, ସେମାନଙ୍କର ସୁଖ ଦୁଃଖରେ ଭାଗୀ ହେବାକୁ ସେମାନଙ୍କର ଜୀର୍ଣ୍ଣ ଦେହ ଓ ମନର ପରିପୂର୍ଣ୍ଣ ଆନନ୍ଦର ଅଂଶ ଗ୍ରହଣ କରିବାକୁ କେବଳ ତୁ ମୋତେ ସର୍ବଦା ସନ୍ଥ ଦେଉଅଛୁ ସିନା ? ତୋହୋ ନିକଟରୁ ଯେତେଦୂର ଦୃଷ୍ଟି ଯାଉଅଛି, ଶ୍ୟାମଳ ଶସ୍ୟଶୋଭିତ ମୁକ୍ତ ପ୍ରାନ୍ତର, ଦୂରକୁ ସମୁନ୍ନତ ନୀଳ ଏବଂ କୃଷ୍ଣ ଗିରିଶ୍ରେଣୀ, ଊର୍ଦ୍ଧ୍ୱରେ ଅନନ୍ତ ରହସ୍ୟ ମଣ୍ଡିତ ନୀଳାକାଶ, ନିମ୍ନରେ ପ୍ରସନ୍ନସଲିଳା ମହାନଦୀର ଲହରୀଲୀଳା ନୟନ ମନ ମୁଗ୍ଧ କରୁଥାଏ । କିନ୍ତୁ ବିଦେଶରେ ବହୁଜନ-ସମାକୀର୍ଣ୍ଣ ବୃହତ୍‍ ନଗରସମୂହରେ କେବଳ ଧୂଳି ଓ ଧୂମ, ଦୁର୍ଗନ୍ଧ-ଦୂଷିତ ବାଷ୍ପରାଶି, ଅସଂଖ୍ୟ ଯାନବାହନର ତୁମୁଳ କୋଳାହଳ, ଶତ ଶତ କଳ କାରଖାନା ଓ ରେଲଗାଡ଼ିର କର୍ଣ୍ଣପୀଡ଼ାଦାୟକ କର୍କଶ ବଂଶୀରବ ମଧ୍ୟରେ ପ୍ରକାଣ୍ଡ ପ୍ରକାଣ୍ଡ ଅଟ୍ଟାଳିକାସମୂହ ବିରାଟ-ଦେହ ଦୈତ୍ୟ ଭଳି ଦଣ୍ଡାୟମାନ; କିନ୍ତୁ ସେମାନଙ୍କ ମଧ୍ୟରେ ସ୍ନେହ, ମମତା, ଭକ୍ତି, ପ୍ରୀତି କିମ୍ବା ମନୁଷ୍ୟତ୍ୱର ସ୍ଥାନ ନାହିଁ ପରା ? କିନ୍ତୁ ତୋହୋ ନିକଟରୁ ଅନାଇଲେ ମୋହୋର ସ୍ୱଦେଶୀୟ ଦରିଦ୍ରମାନଙ୍କର ବିଳାସ-ବର୍ଜିତ କ୍ଷୁଦ୍ର କ୍ଷୁଦ୍ର କୁଟୀର, ନୟନାଭିରାମ ସଦୃଶ୍ୟ ଆମ୍ରକାନନ, ଧରିତ୍ରୀର ଶ୍ୟାମାଚଞ୍ଚଳ ତୁଲ୍ୟ ଶସ୍ୟପରିପୂର୍ଣ୍ଣ ଶ୍ୟାମଳ କ୍ଷେତ୍ର, ନବକିଶଳୟମଣ୍ଡିତ ଅରଣ୍ୟକୁଞ୍ଜ, ପତ୍ରପୁଷ୍ପ-ଭୂଷିତ ସୌରଭପୂର୍ଣ୍ଣ ମାଳତୀ ,ଶେଫାଳିକା ଫିରିକ ପ୍ରଭୃତି କୁସୁମର କାନନ,-ଏ ସମସ୍ତ ଦେଖି କବିଙ୍କ ଭାଷାରେ ‘‘ସ୍ୱର୍ଗୁ ଖଣ୍ଡେ ପଡ଼ିଥିଲା ପ୍ରାୟେ ଛିଡ଼ି’’ ଏହା ମନେ ହୁଏ ନାହିଁକି ?

 

ଧବଳେଶ୍ୱର ଦ୍ୱୀପକୁ ପ୍ରକୃତିରାଜ୍ଞୀଙ୍କର ନୟନାଭିରାମ ପୁଷ୍ପୋଦ୍ୟାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବାଧାବନ୍ଧନହୀନ ମୁକ୍ତ ସମୀରଣପ୍ରବାହ ମହାନଦୀର ବିଶାଳ ବାରିରାଶି ସଂସ୍ପର୍ଶରେ ଶୀତଳ ହୋଇ ଦିବାରାଶି ଏହି ମର୍ତ୍ତ୍ୟନନ୍ଦନ-କାନନକୁ ବ୍ୟଜନ କରୁଅଛି । ପ୍ରଭାତ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ମହାନଦୀ ବକ୍ଷ-ପ୍ରବାହିତ ମୁକ୍ତ ସମୀରଣର ଅଶ୍ରାନ୍ତ ହିଲ୍ଲୋଳ କ୍ରମାଗତ ଏହା କର୍ଣ୍ଣରେ ଅନନ୍ତ ଭାବରାଜ୍ୟର ଅବ୍ୟକ୍ତ ମଧୁର ସଙ୍ଗୀତ ଢାଳି ଦେଉଅଛି । ଅଢ଼େଇ କ୍ରୋଶ ବ୍ୟବଧାନରେ କଟକ ନଗର କେବଳ ବୈଷୟିକର ନଗର ମାତ୍ର । ସେଠାରେ କର୍ମସ୍ରୋତ ଦିବାରାତ୍ରି ପ୍ରବଳବେଗରେ ନାକ ମୁହଁରେ ପ୍ରବେଶ କରୁଅଛି–ବିଶ୍ରାମର ଲେଶମାତ୍ର ଅବସର ନାହିଁ । ସୁତରାଂ କର୍ମଶ୍ରାନ୍ତ ନରନାରୀଗଣ ଅବସର ପ୍ରାପ୍ତି ମାତ୍ରେ ଏହି ଦ୍ୱୀପର ମୁକ୍ତ ବାୟୁପ୍ରବାଦକୁ ଆସିଲେ ନିଃଶ୍ୱାସ ପକାଇ ଶାନ୍ତିଲାଭ କରନ୍ତି ।

 

ମୋହୋର ଏହି ବ୍ୟର୍ଥ ହତାଶ ଜୀବନ ଘେନି ସଂସାର ସହିତ ସଂଗ୍ରାମ କରି କ୍ଷତବିକ୍ଷତ ହେବା ସମୟରେ ଏହି ଦ୍ୱୀପହିଁ ମୋହର ଆଶ୍ରୟସ୍ଥଳ । ସଂସାରରେ ମନୁଷ୍ୟ ଯାହା ଲୋଡ଼େ–ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ସ୍ତମ୍ଭ୍ରମ–ଏହି ସମସ୍ତ ଲାଭ କରିବା ସକାଶେ ମୋହୋର ଶତ ଶତ ଚେଷ୍ଟା ବିଫଳ ହୋଇଅଛି–ମରୁଭୂମିରେ ମରିଚିକାଭ୍ରାନ୍ତ ପଥିକ ଭଳି ନିଷ୍ଫଳ ଆଶାର ପଶ୍ଚାତ୍‌ରେ ଦୀର୍ଘକାଳ ଭ୍ରମଣ କରି କେବଳ ପରିଶ୍ରାନ୍ତ ହେଲିଣି । ମହାନଦୀର ବିପୁଳ ବିସ୍ତାର ମଧ୍ୟରେ ମୋହୋର ଦୁର୍ଭାଗ୍ୟର ପ୍ରତବିମ୍ବ ଦେଖି ମୁଁ କାତର ହେଉଅଛି ସିନା ।

 

ନିଜର ଛାୟାଲୋକ ରହସ୍ୟରେ ଘେର ଶାନ୍ତ ନେତ୍ରରେ ସନ୍ଧ୍ୟା ଧୀରେ ଧୀରେ ଦିଗନ୍ତର କନକକ୍ରୋଡ଼ରୁ ଓହ୍ଲାଇ ଆସିଲାଣି । ଚଞ୍ଚଳ ଚରଣର ଚତୁଷ୍ପାର୍ଶ୍ୱରେ ଶୁଭ୍ର ମେଘଖଣ୍ଡ ଲାବଣ୍ୟବିଭାସିତ ହୋଇ ଭାସି ବୁଲୁଅଛି, ମାତ୍ର ସନ୍ଧ୍ୟାର ଅଞ୍ଚଳ ସ୍ପର୍ଶରେ ସେମାନେ ଈଷତ୍‌ ଦୂରକୁ ଘୁଞ୍ଚି ଯାଉଅଛନ୍ତି, ସୁତରାଂ ସନ୍ଧ୍ୟା ସ୍ୱର୍ଣ୍ଣରେଖ ସୁର-ପଥ ଦେଇ ନୀରବରେ ଓହ୍ଲାଇ ଆସିଲାଣି । ମାଳତୀ ଫୁଲର ସୌରଭ ସ୍ନେହରେ ସମସ୍ତ ଦିବସର ଶାନ୍ତି ବିସ୍ମୃତ ହୋଇ ଅଦୂର ବକୁଳ ବୃକ୍ଷରେ ସମାଗତ ବିହଙ୍ଗମାନେ ଆନନ୍ଦାପ୍ଳୁତସ୍ୱରରେ ସନ୍ଧ୍ୟାକୁ ସାଦର-ସମ୍ଭାଷଣ କରୁଅଛନ୍ତି । ଦିଗ୍‌ବଳୟରେ କଳା ମେଘ ମଧ୍ୟରେ ଚାକଚକ୍ୟମୟ ମସୃଣ ରଜତ ଆସ୍ତରଣ ସୁବିସ୍ତୃତ । ଏହି ରଜତ ଆସ୍ତରଣର ଛାୟା ମହାନଦୀର ଉଦ୍ଦାମ ବକ୍ଷରେ ପ୍ରତିଫଳିତ ହୋଇ ରାଶି ରାଶି ଗଳିତ ରଜତଧାରା ଭଳି ବୋଧ ହେଉଅଛି-ଏହି ଅବର୍ଣ୍ଣନୀୟ ଲାବଣ୍ୟରାଶି କେବଳ ଦେଖିବାର ବସ୍ତୁ–ବୁଝାଇ ପ୍ରକାଶ କରିବା ଅସମ୍ଭବ ମାତ୍ର ।

 

ଛାୟାମୟୀ ସନ୍ଧ୍ୟାର ଆବିର୍ଭାବରେ ଜଗତ୍‌ ମଧ୍ୟ ଛାୟାପୁରୀ ବୋଲି ବୋଧହୁଏ । ଛାୟାଭଳି ନୀରବ ଓ ନିଃଶବ୍ଦରେ ମାନବଗଣ ଯାନ୍ତି ଓ ଆସନ୍ତି, ଧରଣୀରେ ତାଙ୍କର ଚିହ୍ନ ରହେ ନାହିଁ । ଧ୍ୟାନରତ ଯୋଗ-ହୃଦୟରେ ସଂଯତ ନିଃଶ୍ୱାସ ଯେପରି ବହେ କି ଏହାର ପୂର୍ଣ୍ଣ ପ୍ରଭାବ । ଏହାର କେତକ ପରିମାଣ ବ୍ୟକ୍ତ ବାକି ଅଂଶ ଅନୁଭବ କରି ନେବାକୁ ହୋଇଥାଏ ।

 

ସନ୍ଧ୍ୟାର ଭାବରେ ଜଗତର ପ୍ରାଣ ମଧ୍ୟରେ କିପରି ଗୋଟିଏ ସୌମ୍ୟ ଗାମ୍ଭୀର୍ଯ୍ୟ ବିକଶିତ । ସୁଖର ତୀବ୍ରତା ଅନ୍ତର୍ହିତ ହୋଇ ଦୁଃଖର ଆନନ୍ଦ ଭଳି ସେଠାରେ ଗୋଟିଏ ମଧୁର ସ୍ନିଗ୍ଧ ଭାବ ରହିଯାଏ । ତୀବ୍ର ସୁଖରେ ଗଭୀରତା ନ ଥାଏ–ଏହି ହେତୁରୁ ସନ୍ଧ୍ୟାର ଗଭୀର ଭାବରେ ସୁଖଜ୍ୱାଳା ରହି ପାରେ ନାହିଁ । ସନ୍ଧ୍ୟା ଯେପରି ନୀରବରେ ମେଘାତୀତ ମାୟାପୁରୀରୁ ଧୀରେ ଧୀରେ ଓହ୍ଲାଇ ଆସେ, ଆମ୍ଭମାନଙ୍କର ହୃଦୟ ମଧ୍ୟ ସେହି ଭଳି ନୀରବରେ ଅଜ୍ଞାତସାରରେ ସାନ୍ଧ୍ୟ-ଭାବାଚ୍ଛନ୍ନ ହୋଇଯାଏ । ଦିବସର ପ୍ରଖର ଭାବାବସାନରେ ହୃଦୟ ପ୍ରଶାନ୍ତଭାବ ଧାରଣ କରେ ।

 

ସନ୍ଧ୍ୟା ଓହ୍ଲାଇବା ବେଳେ ଜଗତ୍‌ ମାତୃସ୍ନେହ ଅନୁଭବ କରି ସଂଗ୍ରାମ-କୋଳାହଳରୁ ବିରତ ହୋଇଥାଏ । ଆକାଶରେ ଶାନ୍ତ ସୌନ୍ଦର୍ଯ୍ୟ-ଭ୍ରୂକୁଟି ନାହିଁ, ପ୍ରକୃତ ଅନ୍ଧକାର ନାହିଁ, ଆଲୋକର ତୀବ୍ରତା ମଧ୍ୟ ନାହିଁ; ମାନବହୃଦୟରେ ମଧ୍ୟ ନୀରବ ପବିତ୍ରତା-କୁଟିଳତା-ମାୟାବିନୀର ଗରଳ-ନିଶ୍ୱାସରେ ହୃଦୟ ଦୂଷିତ ହୁଏ ନାହିଁ । ବହିଃପ୍ରକୃତି ଓ ଅନ୍ତଃପ୍ରକୃତି ଯେପରି ମାତୃକ୍ରୋଡ଼ରେ ଆଶ୍ରୟ ପାଇ ନିଃଶଙ୍କ, କଳଙ୍କମୁକ୍ତ ଅଥବା ପ୍ରେମାପ୍ଳୁତ ।

 

ବ୍ରହ୍ମନିଷ୍ଠ ଗୃହସ୍ଥ ଯେଭଳି ସଂସାରରେ ରହି ସୁଦ୍ଧା ସଂସାରାଚ୍ଛନ୍ନ ନୁହନ୍ତି, ସର୍ବଦା ଅନାସକ୍ତ, ସନ୍ଧ୍ୟାସମୟରେ ଜଗତ୍‌ ମଧ୍ୟ କେତେକ ପରିମାଣରେ ସେହିପରି ହୋଇଥାଏ । ନିଜ ମଧ୍ୟରେ ସେ ନାହିଁ, କିଛି ଜଣା ପଡ଼େ ନାହିଁ, ସେହିଭଳି ସନ୍ଧ୍ୟାର ହୃଦୟ ମଧ୍ୟରେ ଜଗତ୍‌-ସ୍ରୋତ ବହେ କି ନାହିଁ, କିଛି ଜାଣି ହେବ ନାହିଁ । ହୃଦୟର ଉତ୍ଥାନ କିମ୍ବା ପତନ କିଛି ହିଁ ଅନୁଭୂତ ହୁଏ ନାହିଁ-। ସନ୍ଧ୍ୟା କିପରି ଅପରୂପ ଭାବରେ ତନ୍ମୟୀ । ସ୍ଥିର ଅଚଞ୍ଚଳ ନେତ୍ରରେ ଜଗତର କୂଳରେ ବସି ମାୟାମୟ ଅତୀତ ସୂତ୍ରରେ ମୃତ୍ୟୁ ପ୍ରତ୍ୟହ ଶତ ଶତ ଭଗ୍ନହୃଦୟ ଘେନି ମାଳା ଗୁନ୍ଥୁଅଛି–ସନ୍ଧ୍ୟା ଅନିମେଷ ନେତ୍ରରେ ଯେପରି ସେହି ଆଡ଼କୁ ଚାହିଁ ରହିଅଛି !

 

କାହାର ଆଗମନ ପ୍ରତୀକ୍ଷାରେ ସନ୍ଧ୍ୟା ଏହିପରି ନୀରବରେ ମ୍ଳାନନେତ୍ରରେ ଚାହିଁ ରହେ, କିଏ ଜାଣେ ? ସନ୍ଧ୍ୟା ଆସି ମାଙ୍କ ଭଳି ଜଗତକୁ ସ୍ନେହ ଢାଳି ଦେଇ ଚାଲିଯାଏ ! ହୃଦୟର ଅପରିସୀମ ସ୍ନେହରେହିଁ ସନ୍ଧ୍ୟା ସୁନ୍ଦର, ଜଗତକୁ ସ୍ନେହ ଜଣାଇ ତାହାର ତୃପ୍ତି ! ଦୀପ୍ତ ମୁଖଶ୍ରୀରେ ପୂର୍ଣ୍ଣ ସ୍ନେହ ବିଭାସିତ । ସେହି ସ୍ନେହରେ ପ୍ରତିଭାସିତ ହୋଇ ଜଗତ୍‌ ପୁଲକିତ ଦେହ, ଆନନ୍ଦୋଦ୍ବେଳିତ ହୃଦୟ ନୀରବ ଓ ଶାନ୍ତ । ଶାନ୍ତିମୟୀ ସନ୍ଧ୍ୟାରେ ସକଳ କୋଳାହଳର ଅବସାନ ହୋଇଅଛି ।

 

ସନ୍ଧ୍ୟା ନୀରବ ଓ ଗମ୍ଭୀର । ନୀରବତାହିଁ ତାହାର ଭାଷା । ସେ ଭାଷା ଭାବରେ ପୂର୍ଣ୍ଣ ଓ ବ୍ୟକ୍ତ, କିନ୍ତୁ ଶବ୍ଦାଡ଼ମ୍ବରବିହୀନ । ସନ୍ଧ୍ୟାର ନୟନକୋଣରେ, ଅଧରେଖାରେ ବିକଶିତ ମୁଖଲାବଣ୍ୟରେ ତାହାର ବିକାଶ । ସେହି ଆବେଗମୟ ମର୍ମସ୍ପର୍ଶୀ ଗମ୍ଭୀରଭାବ କଣ ଶବ୍ଦମୟ ଭାଷାରେ ପ୍ରକାଶ କରି ହେବ ? ଏହି ଭାବ ଅସ୍ଫୁଟ, କିମ୍ବା ଅର୍ଦ୍ଧସ୍ଫୁଟ ମାତ୍ର, ହୃଦୟ ଉପରେ ଏହାର ପୂର୍ଣ୍ଣ ପ୍ରବାହ । ଏହାର କେତେକ ପରିମାଣ ବ୍ୟକ୍ତ, ବାକି ଅଂଶ ଅନୁଭବ କରି ନେବାକୁ ହୋଇଥାଏ-

 

ସନ୍ଧ୍ୟାର ଭାବରେ ଜଗତର ପ୍ରାଣ ମଧ୍ୟରେ କିପରି ଗୋଟିଏ ସୌମ୍ୟ ଗାମ୍ଭୀର୍ଯ୍ୟ ବିକଶିତ । ସୁଖର ତୀବ୍ରତା ଅନ୍ତର୍ହିତ ହୋଇ ଦୁଃଖର ଆନନ୍ଦ ଭଳି ସେଠାରେ ଗୋଟିଏ ମଧୁର ସ୍ନିଗ୍ଧ ଭାବ ରହିଯାଏ । ତୀବ୍ର ସୁଖରେ ଗଭୀରତା ନ ଥାଏ–ଏହି ହେତୁରୁ ସନ୍ଦ୍ୟାର ଗଭୀର ଭାବରେ ସୁଖଜ୍ଜ୍ୱାଳା ରହି ପାରେ ନାହିଁ । ସନ୍ଧ୍ୟା ଯେପରି ନୀରବରେ ମେଘାତୀତ ମାୟାପୁରୀରୁ ଧୀରେ ଧୀରେ ଓହ୍ଲାଇ ଆସେ, ଆମ୍ଭମାନଙ୍କର ହୃଦୟ ମଧ୍ୟ ସେହି ଭଳି ନୀରବରେ ଅଜ୍ଞାତସାରରେ ସାନ୍ଧ୍ୟ-ଭାବାଚ୍ଛନ୍ନ ହୋଇଯାଏ । ଦିବସର ପ୍ରଖର ଭାବାବସାନରେ ହୃଦୟ ପ୍ରଶାନ୍ତଭାବ ଧାରଣ କରେ ।

 

ସନ୍ଧ୍ୟା ଓହ୍ଲାଇବା ବେଳେ ଜଗତ୍‌ ମାତୃସ୍ନେହ ଅନୁଭବ କରି ସଂଗ୍ରାମ-କୋଳାହାଳରୁ ବିରତ ହୋଇଥାଏ । ଆକାଶରେ ଶାନ୍ତ-ସୌନ୍ଦର୍ଯ୍ୟ-ଭ୍ରୂକୁଟି ନାହିଁ, ପ୍ରକୃତ ଅନ୍ଧକାର ନାହିଁ, ଆଲୋକାର ତୀବ୍ରତା ମଧ୍ୟ ନାହିଁ; ମାନବହୃଦୟରେ ମଧ୍ୟ ନୀରବ ପବିତ୍ରତା-କୁଟିଳତା-ମାୟାବିନୀର ଗରଳ-ନିଶ୍ୱାସରେ ହୃଦୟ ଦୂଷିତ ହୁଏ ନାହିଁ । ବହିଃପ୍ରକୃତି ଓ ଅନ୍ତଃପ୍ରକୃତି ଯେପରି ମାତୃକ୍ରୋଡ଼ରେ ଆଶ୍ରୟ ପାଇ ନିଃଶଙ୍କ, କଳଙ୍କମୁକ୍ତ ଅଥବା ପ୍ରେମାପ୍ଳୁତ ।

 

ବ୍ରହ୍ମନିଷ୍ଠ ଗୃହସ୍ଥ ଯେଭଳି ସଂସାରରେ ରହି ସୁଦ୍ଧା ସଂସାରାଚ୍ଛନ୍ନ ନୁହନ୍ତି, ସର୍ବଦା ଅନାସକ୍ତ, ସନ୍ଧ୍ୟାସମୟରେ ଜଗତ୍‌ ମଧ୍ୟ କେତେକ ପରିମାଣରେ ସେହିପରି ହୋଇଥାଏ । ନିଜ ମଧ୍ୟରେ ସେ ନାହିଁ, କିଛି ଜଣା ପଡ଼େ ନାହିଁ, ସେହିଭଳି ସନ୍ଧ୍ୟାରେ ହୃଦୟ ମଧ୍ୟରେ ଜଗତ୍‌-ସ୍ରୋତ ବହେ କି ନାହିଁ, କିଛି ଜାଣି ହେବ ନାହିଁ । ହୃଦୟର ଉତ୍ଥାନ କିମ୍ବା ପତନ କିଛିହିଁ ଅନୁଭୂତ ହୁଏ ନାହିଁ-। ସନ୍ଧ୍ୟା କିପରି ଅପରୂପ ଭାବରେ ତନ୍ମୟୀ । ସ୍ଥିର ଅଚଞ୍ଚଳ ନେତ୍ରରେ ଜଗତର କୂଳରେ ବସ ମାୟାମୟ ଅତୀତ-ସୂତ୍ରରେ ମୃତୁ ପ୍ରତ୍ୟହ ଶତ ଶତ ଭଗ୍ନହୃଦୟ ଘେନି ମାଳା ଗୁନ୍ଥୁଅଛି–ସନ୍ଧ୍ୟା ଅନିମେଷ ନେତ୍ରରେ ଯେପରି ସେହି ଆଡ଼କୁ ଚାହିଁ ରହିଅଛି !

 

କାହାର ଆଗମନ ପ୍ରତୀକ୍ଷାରେ ସନ୍ଧ୍ୟା ଏହିପରି ନୀରବରେ ମ୍ଳାନନେତ୍ରରେ ଚାହିଁ ରହେ, କିଏ ଜାଣେ ? ସନ୍ଧ୍ୟା ଆସି ମାଙ୍କ ଭଳି ଜଗତକୁ ସ୍ନେହ ଢାଳି ଦେଇ ଚାଲିଯାଏ ! ହୃଦୟର ଅପରିସୀମ ସ୍ନେହରେହିଁ ସନ୍ଧ୍ୟା ସୁନ୍ଦର, ଜଗତକୁ ସ୍ନେହ ଜଣାଇ ତାହାର ତୃପ୍ତି ! ଦୀପ୍ତ ମୁଖଶ୍ରୀରେ ପୂର୍ଣ୍ଣ ସ୍ନେହ ବିଭାସିତ । ସେହି ସ୍ନେହରେ ପ୍ରତିଭାସିତ ହୋଇ ଜଗତ୍‌ ପୁଲକିତ ଦେହ, ଆନନ୍ଦୋଦ୍ବେଳିତହୃଦୟ ନୀରବ ଓ ଶାନ୍ତ । ଶାନ୍ତିମୟୀ ସନ୍ଧ୍ୟାରେ ସକଳ କୋଳାହଳର ଅବସାନ ହୋଇଅଛି ।

 

ସନ୍ଧ୍ୟା ନୀରବ ଓ ଗମ୍ଭୀର । ନୀରବତାହିଁ ତାହାର ଭାଷା । ସେ ଭାଷା ଭାବରେ ପୂର୍ଣ୍ଣ ଓ ବ୍ୟକ୍ତ, କିନ୍ତୁ ଶବ୍ଦାଡ଼ମ୍ବରବିହୀନ । ସନ୍ଧ୍ୟାର ନୟନକୋଣରେ, ଅଧରରେଖାରେ ବିକଶିତ ମୁଖଲାବଣ୍ୟରେ ତାହାର ବିକାଶ । ସେହି ଆବେଗମୟ ମର୍ମସ୍ପର୍ଶୀ ଗମ୍ଭୀରଭାବ କଣ ଶବ୍ଦମୟ ଭାଷାରେ ପ୍ରକାଶ କରି ହେବ ? ଏହି ଭାବ ଅସ୍ଫୁଟ, କିମ୍ବା ଅର୍ଦ୍ଧସ୍ଫୁଟ ମାତ୍ର, ହୃଦୟ ଉପରେ ଶାନ୍ତିଲାଭ କରେ, ପ୍ରତିଷ୍ଠା ଅନୁଭବ କରେ; ଏହି ହେତୁରୁ ତାହାର ଚାଞ୍ଚଲ୍ୟ ସ୍ଥିର ହୋଇଯାଏ; ସେ ନିଜକୁ ସଂଯତ କରି ନିଏ । ତାହାର ହୃଦୟ ଉପରେ ଏକ ପବିତ୍ର ବୈଦ୍ୟୁତିକ ଅନୁଭୂତି ସ୍ରୋତ ବହି ଯାଏ, ଯାହା ବ୍ୟକ୍ତ ହେବା ଅସମ୍ଭବ ।

 

ସନ୍ଧ୍ୟା କିଛିକ୍ଷଣ ବସି ରହି ଧୀରେ ଧୀରେ ଉଠିଯାଏ । ତାହାର କି ଅଧିକ ସମୟ ରହିବାର ଚାରା ଅଛି ? ସେ ଯେଉଁଠାକୁ ନ ଯିବ ସେଠାରେ ପ୍ରେମ ଅଥବା ହାସ୍ୟ ଫୁଟି ଉଠିବ ନାହିଁ । ସୁତରାଂ ସନ୍ଧ୍ୟା ଉଠି, ଯେପରି ଆସିଥିଲା, ସେହିପରି ନିଃଶବ୍ଦରେ ଚାଲିଯାଏ । ସହସ୍ର ତାରକାଖଚିତ ଅନ୍ଧକାର-ବସନରେ ଆବୃତା, ମୁକ୍ତକେଶା ନିଶୀଥିନୀ ସନ୍ଧ୍ୟାକୁ ବିଦାୟ ଦେବାକୁ ଆସିଥାଏ । ଜଗ୍‌ତକୁ ତାହାର ହସ୍ତରେ ସମାର୍ପଣ କରି ଦେଇ ସନ୍ଧ୍ୟା ମ୍ଳାନ ନେତ୍ରରେ ବିଦାୟ ଗ୍ରହଣ କରିଥାଏ ।

 

ସନ୍ଧ୍ୟାର ଭାବ ବଡ଼ କୋମଳ, କିନ୍ତୁ ଗମ୍ଭୀର । କୋମଳ ଅଥଚ ଗମ୍ଭୀର, ଉଜ୍ଜ୍ୱଳ ଅଥଚ ମ୍ଳାନ ସୌନ୍ଦର୍ଯ୍ୟରେ ଏଭଳି ପୂର୍ଣ୍ଣତା ବ୍ୟକ୍ତ ହୋଇଅଛି ଯେ, ସେ ସୌନ୍ଦର୍ଯ୍ୟର ତୁଳନା ନାହିଁ । ସନ୍ଧ୍ୟା ଯେତେବେଳେ ଚାଲିଯାଏ, ତାହାର ଅନେକ କ୍ଷଣ ପରେ ମଧ୍ୟ ଏହି ଭାବଟିକ ରହିଯାଏ । ଏହି ଭାବ କବିର କଳ୍ପନା କିମ୍ବା ଭାବୁକର ଅଭିବ୍ୟକ୍ତିରେ ପ୍ରକଟିତ ହେବା ଅସମ୍ଭବ ।

Image